Breaking News

ପୁରୁଷ ଜୁନିୟର ଏସିଆ କପ୍‌ ହକି: ଦକ୍ଷିଣ କୋରିଆକୁ ହରାଇଲା ଭାରତ, ସେମି ଫାଇନାଲ୍‌ ମାଲେସିଆକୁ ଭେଟିବ

ମସ୍କଟ,୨/୧୨: ପୁରୁଷ ଜୁନିୟର ଏସିଆ କପ୍‌ ହକିରେ ଡିଫେଣ୍ଡିଂ ଚାମ୍ପିଅନ ଭାରତ ପୁଲ୍‌ ପର୍ଯ୍ୟାୟରେ ଅପରାଜେୟ ସହ ସେମି ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ୩ ତାରିଖରେ ଖେଳାଯିବାକୁ ଥିବା ସେମି ଫାଇନାଲରେ ମାଲେସିଆକୁ ଭେଟିବ । ସେମିତି ଦ୍ୱିତୀୟ ସେମି ପାକିସ୍ତାନ ଓ ଜାପାନ ମଧ୍ୟରେ ଖେଳାଯିବ ।

ପୁଲ ଏ’ରେ ରବିବାର ଅନ୍ତିମ ମ୍ୟାଚ୍‌ରେ ଭାରତ ୮-୧ ଗୋଲରେ ଦକ୍ଷିଣ କୋରିଆକୁ ପରାଜିତ କରିଥିଲା । ୪ଟି ମ୍ୟାଚ୍‌ରେ ଅପରାଜେୟ ରହି ମୋଟ୍‌ ୧୨ ପଏଣ୍ଟ ସହ ଦଳ ପୁଲ ଟପ୍ପର ହୋଇଥିଲା । ସେମିତି ଜାପାନ ୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହି ସେମି ଫାଇନାଲକୁ ଉନ୍ନୀତ ହୋଇଛି । ସେମିତି ପୁଲ୍‌ ବି’ରେ ପାକିସ୍ତାନ ୧୨ ପଏଣ୍ଟ ସହ ଟପ୍ପର ଏବଂ ମାଲେସିଆ ୭ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନ ହାସଲ କରିଥିଲା । ଏହି ୪ଟି ଯାକ ଦଳ ୨୦୨୫ ଜୁନିୟର ବିଶ୍ୱକପ୍‌କୁ ଯୋଗ୍ୟତା ହାସଲ କରିଛନ୍ତି ।

ଭାରତ- ଦକ୍ଷିଣ କୋରିଆ ମ୍ୟାଚ୍‌ ଏକତରଫା ଥିଲା । ଅର୍ଶଦୀପ ସିଂ ହ୍ୟାଟ୍ରିକ୍‌ ଗୋଲ୍‌ ଦେଇ ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ୯, ୪୪, ୬୦ ମିନିଟରେ ଗୋଲ୍‌ ସ୍କୋର କରିଥିଲେ । ସେହିପରି ଅରଇଜିତ ହୁଣ୍ଡାଲ ୩ ଓ ୩୭ ମିନିଟରେ, ଗୁରଜୋତ ସିଂ ୧୧ ମିନିଟରେ, ରୋଶନ କୁଜୁର ୨୭ ମିନିଟରେ ଏବଂ ୩୦ ମିନିଟରେ ରୋହିତ ଗୋଲ୍‌ ସ୍କୋର କରିଥିଲେ ।

ଦକ୍ଷିଣ କୋରିଆ ଦ୍ୱିତୀୟାର୍ଦ୍ଧରେ ଗୋଟିଏ ଗୋଲ୍‌ ପରିଶୋଧ କରିଥିଲା । ୧୮ ମିନିଟରେ କିମ୍‌ ତାଏ ହାଏନ ଏହି ଗୋଲ୍‌ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଆଉ ଦଳ ପ୍ରତ୍ୟାବର୍ତ୍ତନର ସୁଯୋଗ ପାଇ ନଥିଲା । ଭାରତ ଶେଷରେ ୮-୧ ଗୋଲରେ ଅଗ୍ରଣୀ ସହ ମ୍ୟାଚ୍‌ ଜିତି ନେଇଥିଲା ।

ପୂର୍ବରୁ ଭାରତ ୧୬-୦ରେ ଚାଇନିଜ ତାଇପେଇକୁ, ୩-୨ରେ ଜାପାନକୁ ଏବଂ ୧୧-୦ରେ ଥାଇଲାଣ୍ଡକୁ ପରାଜିତ କରିଥିଲା । ଅର୍ଶଦୀପ ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ୭ଟି ଗୋଲ୍‌ ସ୍କୋର କରିବାରେ ସଫଳ ହୋଇଛନ୍ତି । ସେମିତି ଅରଇଜିତ ୬ଟି ଗୋଲ୍‌ ଦେଇଛନ୍ତି ।
ସୌଜନ୍ୟ-ପ୍ରମେୟ

Comments are closed.