ଆଇନଷ୍ଟାଇନ୍ ଓ ହକିଙ୍ଗଙ୍କୁ ପଛରେ ପକାଇଲା ୧୦ ବର୍ଷୀୟ ବାଳକର ବୁଦ୍ଧିମତା…
ନୂଆଦିଲ୍ଲୀ ୦୨/୧୨: ବ୍ରିଟେନ୍ ନିବାସୀ ଭାରତୀୟ ବଂଶୋଦ୍ଭବ କ୍ରିଶ ଅରୋରା(୧୦) ଏବେ ଚର୍ଚ୍ଚାରେ । ଆଇକ୍ୟୁ ମାମଲାରେ ନିକଟରେ ସେ ଆଲବର୍ଟ ଆଇନଷ୍ଟାଇନ୍ ଓ ଷ୍ଟିଫେନ୍ ହକିଙ୍ଗଙ୍କୁ ପଛରେ ପକାଇ ଦେଇଛନ୍ତି । ଆଇକ୍ୟୁ ସ୍କୋର ୧୬୨ ହାସଲ କରି ସାରା ବିଶ୍ୱକୁ ଚକିତ କରିଦେଇଛନ୍ତି ସେ । ଏହି ସ୍କୋର କ୍ରିଶଙ୍କୁ ଦୁନିଆର ସର୍ବାଧିକ ବୁଦ୍ଧିମାନ୍ ୧ ପ୍ରତିଶତ ଲୋକଙ୍କ ମଧ୍ୟରେ ସ୍ଥାନିତ କରିଛି । ତାଙ୍କୁ ମଧ୍ୟ ଅତ୍ୟଧିକ ବୁଦ୍ଧିମାନ ଲୋକଙ୍କର ସୋସାଇଟି ମେନ୍ସାରେ ସ୍ୱୀକାର କରାଯାଇଛି । ସେପ୍ଟେମ୍ବର ମାସରୁ ସେ କୁଇନ୍ ଏଲିଜାବେଥ୍’ସ ସ୍କୁଲରେ ଯୋଗ ଦେବାକୁ ପ୍ରସ୍ତୁତ । ସେହି ସ୍କୁଲ ଦେଶର ଏକ ପ୍ରସିଦ୍ଧ ସ୍କୁଲ ଭାବେ ଖ୍ୟାତ । କ୍ରିଶଙ୍କର ପିତାମାତା ମୋଲି ଓ ନିଶ୍ଚଲ ଉଭୟ ଇଞ୍ଜିନିୟର ।
କ୍ରିଶ୍ ମାତ୍ର ୪ ବର୍ଷର ହୋଇଥିବାବେଳେ ସେମାନେ ତାଙ୍କର ଏହି ଅସାଧାରଣ ଧୀଶକ୍ତି ବିଷୟରେ ଜାଣିବାକୁ ପାଇଥିଲେ । ଆଇଟି କଂପାନିରେ କାର୍ଯ୍ୟରତ ମୋଲି କହିଛନ୍ତି, କ୍ରିଶ୍ର କାର୍ଯ୍ୟକଳାପ ଜଣେ ୪ ବର୍ଷୀୟ ପିଲାଠାରୁ କେଇଗୁଣ ଅଧିକ ଥିଲା । ସେ ଖୁବ୍ ଭଲ ଭାବେ ଲେଖିପଢ଼ିପାରୁଥିଲା । ବିଶେଷ କରି ଗଣିତରେ ତାର ଭଲ ଦକ୍ଷତା ରହିଥିଲା । ୪ ବର୍ଷ ହେବା ପୂର୍ବରୁ ଦିନେ ସେ ମୋ’ ସହିତ ୩ ଘଣ୍ଟା ବସି ଗୋଟିଏ ପୂରା ଗଣିତ ବହି ଶେଷ କରି ଦେଇଥିଲା । ୮ ବର୍ଷ ବୟସରେ ସେ ପୂରା ଗୋଟିଏ ବର୍ଷର ପାଠ୍ୟକ୍ରମକୁ ଦିନକରେ ଶେଷ କରିଦେଇଥିଲା । ସେ ଯେଉଁ କାମ କରେ ସେଥିରେ ଶ୍ରେଷ୍ଠତା ପ୍ରତିପାଦିତ କରିଥାଏ ।
ପାଠପଢ଼ା ବ୍ୟତୀତ କ୍ରିଶଙ୍କର ସଙ୍ଗୀତ ପ୍ରତି ରୁଚି ରହିଛି । ଜଣେ ପିଆନୋ ବାଦକ ଭାବେ ସେ ଅନେକ ପୁରସ୍କାର ଜିତିଛନ୍ତି । ମାତ୍ର ୬ ମାସ ମଧ୍ୟରେ ୪ଟି ଗ୍ରେଡ୍ ପୂରା କରି ସେ ଟ୍ରିନିଟି କଲେଜ ଅଫ୍ ମ୍ୟୁଜିକର ହଲ ଅଫ୍ ଫେମ୍ରେ ସାମିଲ ହୋଇଥିଲେ । ବର୍ତ୍ତମାନ ତାଙ୍କ ନିକଟରେ ୭ଟି ପିଆନୋ ସାର୍ଟିଫିକେଟ ରହିଛି । ପଶ୍ଚିମ ଲଣ୍ଡନରେ ଅନୁଷ୍ଠିତ ଅନେକ ସଙ୍ଗୀତ ପ୍ରତିଯୋଗିତାରେ କ୍ରିଶ ଜିତିଛନ୍ତି । ସେଠାରେ ତାଙ୍କଠାରୁ ବୟସରେ ବଡ଼ ପ୍ରତିଯୋଗୀଙ୍କୁ ମାତ୍ ଦେଇଛନ୍ତି ସେ । ଫୁରସତ୍ ସମୟରେ କ୍ରିଶ୍ ଗଣିତ କୁହୁକର ସମାଧାନ କରିବାକୁ ପସନ୍ଦ କରନ୍ତି ।
ସୌଜନ୍ୟ-ପ୍ରମେୟ
Comments are closed.