Breaking News

୧୦ ଦିନ ଧରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଅଡ଼ୁଆ ତୁଟୁନି: ବୈଠକ ବାତିଲ କଲେ ସିନ୍ଦେ

ମହାରାଷ୍ଟ୍ରରେ ମହାୟୁତି ମେଣ୍ଟକୁ ବିପୁଳ ବିଜୟ ମିଳିବାର ଆଜିକୁ ଠିକ୍‌ ୧୦ ଦିନ ହୋଇଗଲା। ୧୦ ଦିନ ବିତିଯାଇଥିଲେ ବି ମହାରାଷ୍ଟରେ ଏଯାବତ୍‌ ସରକାର ଗଠନ ହୋଇପାରିନି। ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ଅଡ଼ୁଆ ତୁଟି ପାରୁନି।

ନୂଆ‌ଦିଲ୍ଲୀ: ମହାରାଷ୍ଟ୍ରରେ ମହାୟୁତି ମେଣ୍ଟକୁ ବିପୁଳ ବିଜୟ ମିଳିବାର ଆଜିକୁ ଠିକ୍‌ ୧୦ ଦିନ ହୋଇଗଲା। ୧୦ ଦିନ ବିତିଯାଇଥିଲେ ବି ମହାରାଷ୍ଟରେ ଏଯାବତ୍‌ ସରକାର ଗଠନ ହୋଇପାରିନି। ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ଅଡ଼ୁଆ ତୁଟି ପାରୁନି। ଗୋଟିଏ ପଟେ ବିଜେପି ଶପଥ ଗ୍ରହଣ ଉତ୍ସବ ପାଇଁ ତାରିଖ ଘୋଷଣା କରିଦେଇଛି। କିନ୍ତୁ ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ‌ମହାୟୁତି ମେଣ୍ଟ ମଧ୍ୟରେ ଅଡ଼ୁଆ ଛିଡ଼ୁନି। ମହାରାଷ୍ଟ୍ର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅସୁସ୍ଥ ଥିବାରୁ ସେ ଆଜି ମହାୟୁତି ନେତାମାନଙ୍କର ବୈଠକକୁ ବାତିଲ କରିଦେଇଛନ୍ତି। ମିଳିଥିବା ସୂଚନାନୁଯା‌ୟୀ ଗଳା ସଂକ୍ରମଣ ଏବଂ ଜ୍ବର ହେତୁ ସିନ୍ଦେ ତାଙ୍କ ବୈଠକ ବାତିଲ କରିଛନ୍ତି। ସିନ୍ଦେ ରବିବାର ଅପରାହ୍ନରେ ଥାନେରେ ପହଞ୍ଚିବା ସତ୍ତ୍ବେ ସେ ବୈଠକ କରିନାହାନ୍ତି। ଅନ୍ୟପକ୍ଷେ ଅଜିତ ପାୱାର ଆଜି ସରକାର ଗଠନ ସଂକ୍ରାନ୍ତରେ ଆଲୋଚନା କରିବାପାଇଁ ବିଜେପିର ଶୀର୍ଷ ନେତୃବୃନ୍ଦଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଛନ୍ତି। ଇତି ମଧ୍ୟରେ ବିଜେପି ସଭାପତି ଜେପି ନଡ୍ଡା ଆସନ୍ତା ଡିସେମ୍ବର ୪ ତାରିଖରେ ହେବାକୁ ଥିବା ବିଜେପି ବିଧାୟକ ଦଳ ବୈଠକ ପାଇଁ ଦୁଇ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି।

ଅନ୍ୟପକ୍ଷେ ଏକନାଥ ସିନ୍ଦେଙ୍କ ପୁଅ ତଥା ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ପଦ ଦାବି କରୁଥିବା ଖବରକୁ ସେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଏହା ଭିତ୍ତିହୀନ। ମହାରାଷ୍ଟ୍ରରେ କୌଣସି ମନ୍ତ୍ରୀ ପଦ ଦୌଡ଼ରେ ସେ ନଥିବା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଡିସେମ୍ବର ୫ ତାରିଖରେ ଶପଥ ଗ୍ରହଣ ଉତ୍ସବ ହେବ ବୋଲି ବିଜେପି ଘୋଷଣା କରିଛି। ଦେବେନ୍ଦ୍ର ଫଡ଼ନାବିସ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛନ୍ତି। କିନ୍ତୁ ଏଯାବତ୍‌ କିଛି ସ୍ପଷ୍ଟ ହୋଇପାରୁନି। ଡିସେମ୍ବର ୪ ତାରିଖ ବୈଠକ ପରେ ମହାୟୁତି ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବେ।

ଦିଲ୍ଲୀ ଗଲେ ଅଜିତ ପାୱାର

ନିର୍ମଳା ଓ ବିଜୟ ରୁପାନୀ ପର୍ଯ୍ୟବେକ୍ଷକ ନିଯୁକ୍ତ
ନୂଆଦିଲ୍ଲୀ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କିଏ ‌‌‌ହେବେ ତାହାକୁ ନେଇ ଅଚଳାବସ୍ଥା ଲାଗି ରହିଥିବାବେଳେ ବିଜେପି ପକ୍ଷରୁ ଆଜି ମହାରାଷ୍ଟ୍ର ବିଜେପି ବିଧାୟକମାନଙ୍କ ବୈଠକ ପାଇଁ ଦୁଇଜଣ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରାଯାଇଛି। ସେହି ‌ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ। ବିଜେପି ବିଧାୟକ ଦଳ ବୈଠକରେ ସେମାନେ ଉପସ୍ଥିତ ରହିବେ। ସମ୍ଭବତଃ ଦେବେନ୍ଦ୍ର ଫଡ଼ନାବିସଙ୍କୁ ଦଳର ନେତା ନିର୍ବାଚିତ କରାଯିବ ଏବଂ ସେ ହିଁ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।
ସୌଜନ୍ୟ-ସମ୍ୱାଦ

Comments are closed.