ପାଣିପାଗମହାନଗର

Bhubaneswar Cold Record: ରାଜଧାନୀରେ ଗତ ୨୫ ବର୍ଷର ଥଣ୍ଡା ରେକର୍ଡ ଭାଙ୍ଗିଲା, ଘୁ.ଉଦୟଗିରିରେ ସର୍ବନିମ୍ନ ୫.୪ ଡିଗ୍ରି

ରାଜଧାନୀ ଭୁବନେଶ୍ବରରେ ଗତ ୨୫ ବର୍ଷର ଥଣ୍ଡା ରେକର୍ଡ ଭାଙ୍ଗିଛି। ଗତ ରାତିରେ ରାଜଧାନୀରେ lowest temperature ୧୨.୯ ଡିଗ୍ରି ଥିବା ରେକର୍ଡ କରାଯାଇଥିବା ବେଳେ ଘୁ.ଉଦୟଗିରିରେ ସର୍ବନିମ୍ନ ୫.୪ ଡିଗ୍ରି ଥିଲା।

ଭୁବନେଶ୍ବର/ଘୁ.ଉଦୟଗିରି: ଜାଡ଼ରେ ଥରୁଛି ସାରା ରାଜ୍ୟ। ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ରାଜଧାନୀ ଭୁବନେଶ୍ବରରେ ଗତ ୨୫ ବର୍ଷର ଥଣ୍ଡା ରେକର୍ଡ ଭାଙ୍ଗିଛି। ଗତ ରାତିରେ ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ୧୨.୯ ଡିଗ୍ରି ଥିବା ରେକର୍ଡ କରାଯାଇଥିବା ବେଳେ  ଘୁ.ଉଦୟଗିରିରେ ସର୍ବନିମ୍ନ ୫.୪ ଡିଗ୍ରି ଥିଲା। ଗତ ଚାରି ଦିନର ଭୋର ୫ଟା୩୦ର ତଥ୍ୟକୁ ଅନୁଧ୍ୟାନ କଲେ ସର୍ବନିମ୍ନ ତାପମାତ୍ରା ୧.୨ ଡିଗ୍ରି ହ୍ରାସ ପାଇଛି। ନଭେମ୍ବର ୧୪ ସନ୍ଧ୍ୟା ସାଢ଼େ ୫ଟାରେ ୧୬ ଡିଗ୍ରି ଥିବା ବେଳେ ୧୫ରେ ୧୫ ଡିଗ୍ରି ଓ ୧୪ ତାରିଖରେ ୧୪.୮ ଡିଗ୍ରି ରହିଥିଲା। ତେବେ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ପାରଦ ଆହୁରି ହ୍ରାସ ପାଇ ୧୩ ଡିଗ୍ରିରେ ପହଞ୍ଚିଛି। ଅର୍ଥାତ୍‌ ଗତକାଲି ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୧୪.୮ ଡିଗ୍ରି ରହିଥିବା ବେଳେ ଗତକାଲି ତାହା ୧୩ ଡିଗ୍ରିକୁ ଖସି ଆସିଥିଲା। ଏଣେ ଆଜି ଭୋର ସମୟ‌ରେ ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ୧୨.୯ ଡିଗ୍ରି ଥିବା ରେକର୍ଡ କରାଯାଇଛି। ୧୨ଟି ଜିଲ୍ଲାରେ ଆଜି ତାପମାତ୍ରା ୧୨ ଡିଗ୍ରି ତଳେ ଥିବା ଜଣାଯାଇଛି।

ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରିରେ ପାରଦ ଦିନକୁଦିନ ନିମ୍ନମୁଖୀ ହେବାରେ ଲାଗିଛି। ତାପମାତ୍ରା ପରା ନିମ୍ନମୁଖୀ ହେବା ସହ ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଅଞ୍ଚଳ। ଜାଡ଼ରେ କମ୍ପୁଛି ସାରା ସହର। ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡା ସହର ଭାବେ ଘୁ.ଉଦୟଗିରି ଚିହ୍ନଟ ହେବା ସହ ଅଞ୍ଚଳରେ ପର୍ଯ୍ୟଟକଙ୍କ ଆଗମନ ଆରମ୍ଭ ହୋଇଛି। ସଞ୍ଜ ନଇଁଲେ ସହରର ରାସ୍ତାଘାଟ ଜନଶୁନ୍ୟ ହେବା ସହ ସଡ଼କ ସୁନସାନ ହେବାରେ ଲାଗିଛି। ରାତି ଗଡ଼ିଲେ କୁହୁଡି କାୟାବିସ୍ତାର କରିବା ସହ ସାରା ଅଞ୍ଚଳ କୁହୁଡ଼ିର ଚାଦର ତଳେ ବିଛେଇ ହୋଇ ରହିବା ର ଭ୍ରମ ସୃଷ୍ଟି ହେଉଛି।

ବଢୁଛି ଶୀତ

ରାତି ବଡ଼ିଲେ ଜାଡକୁ ଶୀତ ବଢ଼ିବାରେ ଲାଗୁଛି। ଦିନରେ ଥଣ୍ଡାର ପ୍ରକୋପ ଅନୁଭବ ହେଉଥିବା ବେଳେ ରାତିରେ ଏହା ଆହୁରି ବୃଦ୍ଧି ପାଇ ବିନା ଗରମ ପୋଷାକ ହେଉ କି ବିନା ନିଆଁରେ ରହିବା କଷ୍ଟ ହୋଇପଡିଛି। ଗରିବ ଲୋକ ପ୍ରବଳ ଶୀତ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସ୍ଥାନୀୟ ସହରରେ ଗତକାଲିର ତାପମାତ୍ରା ୫.୮ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଆଜି ଭୋର ସମୟରେ ତାହା ୫.୪ ଡିଗ୍ରିକୁ ଖସିଛି। ଏନେଇ ସ୍ଥାନୀୟ ଏଏମଏଫୟୁ ସେଣ୍ଟର ପକ୍ଷରୁ ସୂଚନା ମିଳିଛି। ସହରର ତାପମାତ୍ରା ଠାରୁ ଦୁର୍ଗମ ଜଙ୍ଗଲ ପାହାଡ଼ ଘେରା ଅଞ୍ଚଳରେ ଆହୁରି କମ ତାପମାତ୍ରା ରହୁଥିବା ଅନୁମାନ କରିହେଉଛି। ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ପ୍ରବଳ ଥଣ୍ଡା ହେବା ବି ଅନୁମାନ କରାଯାଉଛି। ଦିନକୁ ଦିନ ପାରଦ ଖସିବା ସହ ଶୀତ ବଢ଼ିବାରେ ଲାଗିଛି।

ସଞ୍ଜ ନଇଁଲେ ଥଣ୍ଡାର ରାଜୁତି

କାଲିଗାଡୁ ହିଲଟପ୍‌ରେ ସୂର୍ଯ୍ୟ ଉଦୟ ସହ ପ୍ରବଳ ଥଣ୍ଡା ଜାଡ଼ରେ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠେଇବାରେ ଲାଗିଛନ୍ତି ପର୍ଯ୍ୟଟକ। ସକାଳୁ ସ୍ଥାନୀୟ ସହରର ଯୁବପିଢି ଖେଳ ପଡ଼ିଆରେ ଭିଡ଼ ଜମେଇ ଥଣ୍ଡାରେ ଖେଳିବା ଏବଂ କସରତ କରି ସୁସ୍ଥତା ପାଇଁ ଉଦ୍ୟମ ଜାରି ରଖିଛନ୍ତି।ଅନ୍ୟପଟେ ଥଣ୍ଡାକୁ ସାରା ଅଞ୍ଚଳ କୁହୁଡ଼ିର ଚାଦର ତଳେ ବିଛେଇ ହୋଇ ରହୁଛି। ସଞ୍ଜ ନଇଁଲେ ଥଣ୍ଡା ତାର ରାଜୁତି ଆରମ୍ଭ କରିଥିବା ବେଳେ ରାତି ଯେତେ ବଢୁଛି ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗୁଛି ତା ସହ କୁହୁଡି ବଢ଼ିବାରେ ଲାଗୁଛି। ରାସ୍ତାରେ ଯାନବାହନ ସମସ୍ୟା ବି ଲାଗି ରହୁଛି କୁହୁଡି ଯୋଗୁଁ। ପାଣିପାଗ ବିଭାଗ ସୂଚନା ପ୍ରକାରେ ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ଆହୁରି ପାରଦ ନିମ୍ନକୁ ଖସିବା ସହ ଥଣ୍ଡା ବଢ଼ିବ।

ଚଳିତ ବର୍ଷ ବିଳମ୍ବରେ ଶୀତ ଆରମ୍ବ ହୋଇଥିବା ବେଳେ ହଠାତ ପାରଦ କମିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଦିନରେ ସୂର୍ଯ୍ୟଙ୍କ କିରଣକୁ ଭରସା କରୁଥିବା ବେଳେ ସନ୍ଧ୍ୟା ହେଲେ ନିଆଁର ସାହାରା ନେଉଛନ୍ତି। ଗରିବ ଲୋକ ଥଣ୍ଡା ପାଇଁ ଡହଳ ବିକଳ ହେଲେଣି।ଝାଟିମାଟି ଘରେ ଜୀବନ ବିତାଉଥିବା ପରିବାର ରାତିସାରା ନିଆଁ ଲଗେଇ ଶୋଉଥିବା ବେଳେ ସ୍ଥାନିୟ ସହରରେ ବସଷ୍ଟାଣ୍ଡ ନଥିବା ଏବଂ ସହରରେ କୌଣସି ସ୍ଥାନରେ ଯାତ୍ରୀ ବିଶ୍ରାମ ଗୃହ ନଥିବା ଯୋଗୁଁ ବସ ଯାତ୍ରୀମାନେ ରାତିସାରା ବସ୍‌କୁ ଅପେକ୍ଷା କରିବା ନିମନ୍ତେ କାହା ବାରଣ୍ଡାରେ ବସୁଥିବା ବେଳେ କିଛି ଛକଗୁଡ଼ିକରେ ନିଆଁ ଜାଳି ବସୁଥିବା ଦେଖୁବାକୁ ମିଳିଛି।

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button