Breaking News

କେଉଁଟି ଭୁଲ୍‌, କେଉଁଟି ଠିକ୍‌

ମେଡିକାଲ କଲେଜଗୁଡ଼ିକରେ ପଢ଼ିବା ପାଇଁ ଗଲା ମେ ମାସ ୫ ତାରିଖରେ ଆୟୋଜିତ ଏକକ ପ୍ରବେଶିକା ପରୀକ୍ଷା ‘ନିଟ୍‌’ ବିଭିନ୍ନ ବିଭ୍ରାଟ କାରଣରୁ ବିବାଦୀୟ ହୋଇ ଉଠିଥିଲା। ତହିଁରୁ ଗୋଟିଏ ଥିଲା କେତେକ ପ୍ରଶ୍ନର ଉତ୍ତରକୁ ନେଇ ସୃଷ୍ଟ ଦ୍ବନ୍ଦ୍ବ।

ବସନ୍ତ କୁମାର ଚୌଧୁରୀ

ମେଡିକାଲ କଲେଜଗୁଡ଼ିକରେ ପଢ଼ିବା ପାଇଁ ଗଲା ମେ ମାସ ୫ ତାରିଖରେ ଆୟୋଜିତ ଏକକ ପ୍ରବେଶିକା ପରୀକ୍ଷା ‘ନିଟ୍‌’ ବିଭିନ୍ନ ବିଭ୍ରାଟ କାରଣରୁ ବିବାଦୀୟ ହୋଇ ଉଠିଥିଲା। ତହିଁରୁ ଗୋଟିଏ ଥିଲା କେତେକ ପ୍ରଶ୍ନର ଉତ୍ତରକୁ ନେଇ ସୃଷ୍ଟ ଦ୍ବନ୍ଦ୍ବ। ଏଭଳି ଦ୍ବନ୍ଦ୍ବ ଅନେକ ସମୟରେ ଉପୁଜେ। ମନେ ପଡୁଛି ଯେ କିଛି ବର୍ଷ ପୂର୍ବେ ସାହିତ୍ୟରେ ଏକ ପ୍ରଶ୍ନକୁ ନେଇ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ପହଞ୍ଚିଥିଲା। ସେଥିରେ ‘ଓତପ୍ରୋତ’ର ଯଥାର୍ଥ ବନାନକୁ ନେଇ ବିବାଦ ହୋଇଥିଲା। ଶୁଦ୍ଧ ବନାନଟି ‘ଓତପ୍ରୋତଃ’ ନା ‘ଓତଃପ୍ରୋତଃ’ ନା ‘ଓତଃପ୍ରୋତ’ ନା ’ଓତ‌ପ୍ରୋତ’ ବୋଲି ଆଲୋଚନା ଚାଲିଲା। ଏମିତି ଅନେକ ସମୟରେ ହୁଏ। କେଉଁ କଥାଟି ଠିକ୍‌ ବା କେଉଁଟି ଆଂଶିକ ଠିକ୍‌ ବା ପୂରା ଭୁଲ୍‌ ସେ ନେଇ ବିବାଦ ଉପୁଜେ। ଏହାର କାରଣ ହେଲା ଅନେକ ସମୟରେ ସୂକ୍ଷ୍ମ ପ୍ରଭେଦକୁ ବିଚାର କରା ନ ଯିବା ଦ୍ବାରା ଏବଂ ଗୋଟିଏ ଭୁଲ୍‌କୁ ବାରମ୍ବାର ଦୋହରାଯିବା ଫଳରେ ତାହା ଠିକ୍‌ ବୋଲି ସ୍ବୀକୃତି ପାଇଯାଏ। କିନ୍ତୁ ମନେ ରଖିବାକୁ ହେବ ଯେ ବିଜ୍ଞାନ, ଗଣିତ, ବ୍ୟାକରଣ, ସଂଗୀତ ଇତ୍ୟାଦି ପ୍ରାୟ ସବୁ କ୍ଷେତ୍ରରେ ଯେଉଁ ସବୁ ଅଭିବ୍ୟକ୍ତିର ବ୍ୟବହାର କରାଯାଏ, ତା’ ପଛରେ ଅନେକ ଗବେଷଣା, ବିଚାରବିମର୍ଶ ଓ ଯୁକ୍ତିମାନ ନିହିତ ଥାଏ।
ସେହିଭଳି ଏକ ଭୁଲ୍‌ ଜୀବ ବିଜ୍ଞାନକୁ କେନ୍ଦ୍ର କରି ଆମ ମାତୃଭାଷା ଓଡ଼ିଆରେ ଦେଖିବାକୁ ମିଳିଥାଏ। ଧରନ୍ତୁ ଆମ ମୁଖ୍ୟ ଖାଦ୍ୟ ଧାନ: ତାହା ଏକ ଜାତି ନା ପ୍ରଜାତି ନା ବଂଶ ନା ବର୍ଗ? ଠିକ୍‌ ଉତ୍ତରଟି ହେବ ଯେ ଏହା ଏକ ଏକ ଜାତି, ପ୍ରଜାତି ନୁହେଁ। ଧାନ ଜାତିର ବୈଜ୍ଞାନିକ ନାମ ହେଲା- ‘ଓରିଜା ସାଟିଭା’ (Oryza Sativa)। ୧୭୫୩ ମସିହାରେ ଉଦ୍ଭିଦ ବର୍ଗୀକରଣ ବିଜ୍ଞାନର ଜନକ କାରୋଲସ୍ ଲିନିିୟସ୍‌ଙ୍କ ଦ୍ବାରା ଏହି ନାମଟି ପ୍ରଦାନ କରାଯାଇଥିଲା। ତାହାକୁ ଉଦ୍ଭିଦ ନାମକରଣର ଆନ୍ତର୍ଜାତିକ ସଂକେତ ରୂପେ ୧୮୬୭ ମସିହାରେ ସ୍ବୀକୃତି ମିଳିଥିଲା। ଏହାକୁ ଉଦ୍ଭିଦଙ୍କ ଦ୍ବି-ପଦ ନାମକରଣ ବୋଲି କୁହାଯାଏ। ସାରା ପୃଥିବୀରେ ଧାନର କଥିତ ବା ଲିଖିତ ନାମ ଯାହା ବି ହେଉ ‘ଓରିଜା ସାଟିଭା’ କହିଲେ ସମସ୍ତେ ତାହାର ଜାତିକୁ ବୁଝିବେ। ପ୍ରଜାତି ନାମ ହେଲା ‘ଓରିଜା’। ଜାଣି ରଖିବା ଉଚିତ ଯେ ଗୋଟିଏ ପ୍ରଜାତିରେ ଅନେକଗୁଡ଼ିଏ ଜାତି ଅନ୍ତର୍ଭୁକ୍ତ ଥାଏ। ‘ଓରିଜା’ ପ୍ରଜାତିରେ ମାତ୍ର ଦୁଇଟି ଜାତି ଖାଦ୍ୟୋପଯୋଗୀ, ଅନ୍ୟ ସମସ୍ତ ବଣୁଆ। ଖାଇବା ଯୋଗ୍ୟ ଜାତି ଦୁଇଟି ହେଲେ ଏସୀୟ ଧାନ ବା ‘ଓରିଜା ସାଟିଭା’ ଓ ଆଫ୍ରିକୀୟ ଧାନ ‘ଓରିଜା ଗାବେରିମା’ (Oryza Gaberrima)। ଜାତି ଓ ପ୍ରଜାତି ପରେ ଏବେ ଆସିବା ‘କିସମ’କୁ। ମରୁଡ଼ି ଓ ଜଳବାୟୁ ପରିବର୍ତ୍ତନ ସହନଶୀଳ ବହୁ ନୂତନ ଧାନକୁ ଆମ ଦେଶରେ ସୃଷ୍ଟି କରାଯାଉଛି। ସେଗୁଡ଼ିକୁ ଧାନର କିସମ, ଉପଜାତି, ପ୍ରକାର ବା ସେହିଭଳି ସମାର୍ଥବୋଧକ ଶବ୍ଦ ଦ୍ବାରା ଚିହ୍ନିତ କରାଯିବା ଉଚିତ। ଆମ ଦେଶରେ ୬୦୦୦ରୁ ଅଧିକ କିସମର ଧାନ ରହିଛି ଏବଂ ସେଥିରେ କେବଳ ବାସମତୀ ଧାନର ୨୭ଟି କିସମ ଅନ୍ତର୍ଭୁକ୍ତ। ଏଣୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସେଗୁଡ଼ିକୁ ଆମେ ପ୍ରଜାତି ବୋଲି କହିପାରିବା ନାହିଁ। ଏଠାରେ ଏ‌େତ କଥା ବୁଝାଇ କହିବାର ତାତ୍ପର୍ଯ୍ୟ ହେଲା ଜାତି, ପ୍ରଜାତି ଓ କିସମ ଭିତରେ ଥିବା ଅନ୍ତରକୁ ଇଂରେଜୀ ଗଣମାଧ୍ୟମରେ ପ୍ରାୟତଃ ଠିକ୍‌ ଭାବେ ଉପସ୍ଥାପନ କରାଯାଉଥିବା ବେଳେ ଆମ ମାତୃଭାଷା ଓଡ଼ିଆରେ ଏ ନେଇ କୌଣସି ନିୟମ ଅନୁସରଣ କରାଯାଇ ନ ଥାଏ; ଜାତି, ପ୍ରଜାତ ଓ କିସମର ବ୍ୟବହାର ମନ ଇଚ୍ଛା ଓ ତ୍ରୁଟିପୂର୍ଣ୍ଣ ଢଙ୍ଗରେ କରାଯାଇଥାଏ।
ସେମିତି ଆଉ ଗୋଟିଏ ଉଦାହରଣ। ମଣିଷମାନଙ୍କ ଜାତି ହେଲା ‘ହୋମୋ ସେପିଏନ୍‌ସ’ (Homo Sapiens), ଯହିଁରେ ‘ହୋମୋ’ ‌େହଲା ପ୍ରଜାତି। ‘ହୋମୋ’ର ଉତ୍ପତ୍ତି ୨.୫ ନିୟୁତ ବର୍ଷ ପୂର୍ବରୁ ଆଫ୍ରିକା ମହାଦେଶରେ। ପ୍ରାୟ ୨୦୦,୦୦୦ ବର୍ଷ ପୂର୍ବେ ସେହି ଆଫ୍ରିକାରେ ଆଧୁନିକ ମାନବର ବିବର୍ତ୍ତନ ଘଟିଛି। ‘ହୋମୋ’ ପ୍ରଜାତିରେ ୭ରୁ ୮ଟି ଜାତି ଥିଲେ ସୁଦ୍ଧା ଏବେ ମନୁଷ୍ୟ ନାମକ ଜାତି ବ୍ୟତୀତ ଅନ୍ୟ ସମସ୍ତ ବିଲୁପ୍ତ ହୋଇଯାଇଛନ୍ତି।
ଜୀବ ଜଗତ୍‌ରେ ବର୍ଗୀକରଣର ମୌଳିକ ଏକକ ହେଉଛି ଜାତି। ଗୋଟିଏ ଜାତିର ସମନ୍ବିତ ଭାବେ କେତେକ ବିଶେଷ ଗୁଣ ଥାଏ। ପରସ୍ପର ଅନ୍ତଃ-ସଂକରଣ ଓ ଫଳପ୍ରସୂ ଭାବେ ସେହି ଜୀବଗୁଡ଼ିକ ଅପତ୍ୟ ବା ଶାବକ ଜାତ କରିପାରନ୍ତି। ପୁଣି ଜାତି ଠାରୁ ଉଚ୍ଚତର ଓ ବଂଶ ଠାରୁ ନିମ୍ନତର ସୋପାନର ଜୀବଗୁଡ଼ିକ ପ୍ରଜାତିରେ ଅନ୍ତର୍ଭୁକ୍ତ ହୋଇଥାନ୍ତି। ବର, ଅଶ୍ବତ୍‌ଥ ଓ ଡିମ୍ବିରି ଗଛ ଗୋଟିଏ ପ୍ରଜାତିର ଅଟନ୍ତି, ଯାହାର ନାମ ‘ଫିକସ୍‌’ (Ficus)। କିନ୍ତୁ ଜାତି ଭାବେ ପ୍ରତ୍ୟେକ ପରସ୍ପର ଠାରୁ ପୃଥକ୍‌। ଏଗୁଡ଼ିକ ମଧ୍ୟରେ ସ୍ବାଭାବିକ ଭାବେ ଅନ୍ତଃସଂକରଣ ଅସମ୍ଭବ। ବର୍ଗୀକରଣ ବିଜ୍ଞାନରେ ପ୍ରଜାତିର ଉପରକୁ କ୍ରମାନ୍ବୟରେ ରହିବେ ବଂଶ, ବର୍ଗ, ‌େଶ୍ରଣୀ, ବିଭାଗ ଓ ଶେଷରେ ଜଗତ, ‌େଯମିତି ପ୍ରାଣୀ ଜଗତ ବା ଉଦ୍ଭିଦ ଜଗତ।
ଜାତି ଓ ପ୍ରଜାତି ସଂପର୍କରେ ଏତେସବୁ ପ୍ରତିଷ୍ଠିତ ବିଜ୍ଞାନସିଦ୍ଧ ଓ ନିର୍ଣ୍ଣାୟକ ସୂଚକ ଥିଲେ ସୁଦ୍ଧା ଯେ କୌଣସି ଏକ ଜାତି ଅନ୍ତର୍ଭୁକ୍ତ ଜୀବକୁ ପ୍ରଜାତି କହିବା ବା ଲେଖିବା ପ୍ରମାଦପୂର୍ଣ୍ଣ। କୋଭିଡ୍-୧୯ ମହାମାରୀ ସମୟରେ ତିନି ଚାରିଟି ଲହର ଦେଖାଯାଇଥିଲା। ଏଥିରେ ଭୂତାଣୁର ନାମ ଥିଲା- ସାର୍ସ କରୋନା ଭୂତାଣୁ (SARS-cov)। ତାହା ହେଉଛି ଜାତିର ନାମ। ଭୂତାଣୁ ଜାତିର ବିଭିନ୍ନ ଭେରିଆଣ୍ଟ୍ (Variant) କିମ୍ବା ଭିନ୍ନ ରୂପଗୁଡ଼ିିକ ସେହି ସବୁ ଲହରର କାରଣ ହୋଇଥିଲେ। କରୋନା ଭୂତାଣୁର ଗୁଣଗୁଡ଼ିକ ‘ଭେରିଆଣ୍ଟ’ମାନରେ ରହୁଥିଲା, କେବଳ ସଂକ୍ରମଣ ଓ ମାରକ କ୍ଷମତାରେ ପାର୍ଥକ୍ୟ ଦେଖିବାକୁ ମିଳୁଥିଲା। ତେଣୁ ସେଗୁଡ଼ିକ ନୂତନ ପ୍ରଜାତି ନଥିଲେ, ଥିଲେ କେବଳ ଜାତିର ଭେରିଆଣ୍ଟ୍ ବା ଭିନ୍ନ ରୂପ। କିନ୍ତୁ ତାହାକୁ ସାଧାରଣ ଆଲୋଚନା ବେଳେ ବା ଗଣମାଧ୍ୟମରେ ପ୍ରଜାତି ବୋଲି ବ୍ୟକ୍ତ କରାଗଲା, ଯାହା ଏବେ ମଧ୍ୟ ଚାଲିଛି।
ମୋ: ୯୩୩୭୧୦୭୨୯୯
ସୌଜନ୍ୟ-ସମ୍ୱାଦ

Comments are closed.