Breaking News

ବିଲ୍‌ ଗେଟ୍‌ସଙ୍କ ମନ୍ତବ୍ୟରୁ ଝଡ଼, ଭାରତକୁ କହିଥିଲେ ପରୀକ୍ଷାଗାର

ବିଭିନ୍ନ ପ୍ରକାର ଜିନିଷର ପରୀକ୍ଷା ନିରୀକ୍ଷା କରିବା ଲାଗି ଭାରତକୁ ପରୀକ୍ଷାଗାର ସହ ତୁଳନା କରିଥିବା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସଙ୍କୁ କଡ଼ା ସମାଲୋଚନା କରାଯାଇଛି।

ନୂଆଦିଲ୍ଲୀ: ବିଭିନ୍ନ ପ୍ରକାର ଜିନିଷର ପରୀକ୍ଷା ନିରୀକ୍ଷା କରିବା ଲାଗି ଭାରତକୁ ପରୀକ୍ଷାଗାର ସହ ତୁଳନା କରିଥିବା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସଙ୍କୁ କଡ଼ା ସମାଲୋଚନା କରାଯାଇଛି। ଲିଙ୍କଡ୍‌ଇନ୍‌ର ସହ ପ୍ରତିଷ୍ଠାତା ରେଡ୍‌ ହଫ୍‌ମ୍ୟାନ୍‌ଙ୍କ ସହ ଆଲୋଚନା ବେଳେ ସେ ଏହି ମନ୍ତବ୍ୟ ଦେଇଥିଲେ। ତାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ତେବେ ତାଙ୍କର ସେହି ମନ୍ତବ୍ୟକୁ ଲୋକମାନେ ନାପସନ୍ଦ କରିଛନ୍ତି। ଭାରତକୁ ଗୌଣ କରି ଦେଖାଇବା ଲାଗି ସେ ଏଭଳି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ସାରା ବିଶ୍ବରେ ଦ୍ରୁତ ଗତିରେ ଆଗକୁ‌ ଦୌଡ଼ୁଥିବା ଭାରତକୁ ଏକ ପରୀକ୍ଷା କ୍ଷେତ୍ର କହି ସେ ତାହାର ଗୁରୁତ୍ବ କମ୍ କରିବାକୁ ଉଦ୍ୟମ କରିଥିବା କୁହାଯାଉଛି।

ସାକ୍ଷାତକାରରେ ବିଲ୍‌ ଗେଟ୍‌ସ କହିଥିଲେ ଯେ ଭାରତ ହେଉଛି ଉଦାହରଣ ଦେବା ଭଳି ଦେଶ ଯେଉଁଠାରେ ବହୁତ କିଛି ଆହ୍ବାନ ରହିଛି। ସ୍ବାସ୍ଥ୍ୟ, ପୋଷଣ ଓ ଶିକ୍ଷାରେ ଉନ୍ନତି ହେଉଛି। ସେମାନେ ବେଶ୍ ସ୍ଥିର ଓ ସରକାର ନିଜସ୍ବ ରାଜସ୍ବ ସୃଷ୍ଟି କରୁଛନ୍ତି ଯାହା ଦ୍ବାରା ଆସନ୍ତ ୨୦ ବର୍ଷରେ ଲୋକମାନଙ୍କ ସ୍ଥିତିରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହେବ। ବିଭିନ୍ନ ଜିନିଷର ପରୀକ୍ଷା ନିରୀକ୍ଷା ଲାଗି ତାହା ପରୀକ୍ଷାଗାର ଭଳି। ସେଠାରେ ପ୍ରମାଣିତ ହେଲେ ତାହାକୁ ଅନ୍ୟ ସ୍ଥାନକୁ ନିଆଯାଇପାରିବ ବୋଲି ଗେଟ୍‌ସ କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଆମେରିକା ବାହାରେ ଫାଉଣ୍ଡେସନର ସବୁଠୁ ବଡ଼ କାର୍ଯ୍ୟାଳୟ ଭାରତରେ ରହିଛି। ବିଶ୍ବର ସର୍ବାଧିକ ପରୀକ୍ଷଣ ଭାରତ ସହଯୋଗିତାରେ କରାଯାଉଛି।

ତାଙ୍କର ସେହି ମନ୍ତବ୍ୟକୁ ନିନ୍ଦା କରି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ ବିଲ୍‌ ଗେଟ୍‌ସଙ୍କ ପାଇଁ ଭାରତ ପରୀକ୍ଷାଗାର ଓ ଆମେ ଭାରତୀୟ ହେଉଛନ୍ତି ଗିନିଆ ପିଗ୍। ଏହି ଲୋକ ସରକାରଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳ ଓ ଗଣମାଧ୍ୟମ ପର୍ଯ୍ୟନ୍ତ ସମସ୍ତଙ୍କୁ ହାତରେ ରଖିଛି। ବିନା ଏଫ୍‌ସିଆର୍‌ଏରେ ତାଙ୍କ କାର୍ଯ୍ୟାଳୟ କାମ କରୁଛି। ଆମ ଶିକ୍ଷା ବ୍ୟବସ୍ଥା ତାଙ୍କୁ ହିରୋରେ ପରିଣତ କରିଛି। ଏହି ଲୋକର ନିଦ କେବେ ଭାଙ୍ଗିବ ବୋଲି ସେ ଲେଖିଛନ୍ତି। ତେବେ କିଛି ଲୋକ ଗେଟ୍‌ସଙ୍କୁ ସମର୍ଥନ ମଧ୍ୟ କରିଛନ୍ତି। ତାଙ୍କ ପରୀକ୍ଷାନିରୀକ୍ଷାର କିଛି ଫଳକୁ ପରବର୍ତ୍ତୀ ସମ‌ୟରେ ଆମେରିକାରେ ଲାଗୁ କରାଯାଇଥିବା କହିଛନ୍ତି।
ସୌଜନ୍ୟ-ସମ୍ୱାଦ

Comments are closed.