Breaking News

ମରଣଜୟୀ ଗୋକୁଳାନନ୍ଦ ମହାନ୍ତି

ଗାନ୍ଧୀବାଦୀ ଗୋକୁଳାନନ୍ଦ ମହାନ୍ତି ଥିଲେ ଜଣେ ନିର୍ଭୀକ ସ୍ୱାଧୀନତା ସଂଗ୍ରାମୀ। ପିତା ଉଦୟନାଥ ଥିଲେ ବ୍ରିଟିଶ ଶାସନ କାଳରେ ଜମିଦାର। ପ୍ରାଚୁର୍ଯ୍ୟର ସମ୍ଭାର ଭିତରେ ତାଙ୍କର ଲାଳନପାଳନ ହୋଇଥିଲା। ସେ ଥିଲେ ଖୁବ୍ ମେଧାବୀ ଛାତ୍ର।

ଅଭୟ ଦ୍ୱିବେଦୀ

ଗାନ୍ଧୀବାଦୀ ଗୋକୁଳାନନ୍ଦ ମହାନ୍ତି ଥିଲେ ଜଣେ ନିର୍ଭୀକ ସ୍ୱାଧୀନତା ସଂଗ୍ରାମୀ। ପିତା ଉଦୟନାଥ ଥିଲେ ବ୍ରିଟିଶ ଶାସନ କାଳରେ ଜମିଦାର। ପ୍ରାଚୁର୍ଯ୍ୟର ସମ୍ଭାର ଭିତରେ ତାଙ୍କର ଲାଳନପାଳନ ହୋଇଥିଲା। ସେ ଥିଲେ ଖୁବ୍ ମେଧାବୀ ଛାତ୍ର। ୧୯୧୬ ମସିହାରେ ଭଦ୍ରକ ହାଇସ୍କୁଲରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ରେଭେନ୍‌ସା କଲେଜରେ ନାମ ଲେଖାଇଲେ। ୧୯୧୯ ମସିହାରେ ରେଭେନ୍‌ସା କଲେଜ ଛାତ୍ରାବାସରେ ଜାଲିଆନୱାଲାବାଗ ଗଣସଂହାର ଉପରେ ଉତ୍କଳମଣି ଗୋପବନ୍ଧୁଙ୍କ ମର୍ମସ୍ପର୍ଶୀ ବକ୍ତବ୍ୟ ଶୁଣିବା ପରେ ତାଙ୍କ ଜୀବନର ମୋଡ଼ ବଦଳିଗଲା। କୁହାଯାଏ, ଥରେ ଉତ୍କଳମଣିଙ୍କ ସହ ଯେଉଁ ବ୍ୟକ୍ତିଙ୍କର ଅନ୍ତରଙ୍ଗ ସାକ୍ଷାତ ହେଉଥିଲା, ସେ ସଂସାରଛଡ଼ା ହୋଇଯାଉଥିଲେ। ଗୋକୁଳାନନ୍ଦଙ୍କ କ୍ଷେତ୍ରରେ ତାହା ହିଁ ଘଟିଲା। ପାଠପଢ଼ାରେ ଡୋରି ବନ୍ଧା ହେଲା। ଗୋକୁଳାନନ୍ଦ ଗାନ୍ଧୀଜୀଙ୍କର ଅସହଯୋଗ ଆନ୍ଦୋଳନରେ ଯୋଗ ଦେଲେ।

ବିଂଶ ଶତାବ୍ଦୀର ଆଦ୍ୟ ସୋପାନରେ ସାରା ଭାରତବର୍ଷରେ ଏକତାର ନାଁ ନ ଥିଲା। ଜାତିକୁ ନେଇ କେତେ ଶ୍ରେଣୀ। ଗୋଟିଏ ଜାତି ଭିତରେ ବି ‘ବଡ଼ ଜାତି, ସାନ ଜାତି’ର ଫରକ। ସବୁବେଳେ ନଜରରେ ଥିଲେ ‘ଅଛବ’ ଜାତି। ସବର୍ଣ୍ଣଙ୍କ ଆଖିରେ ସେମାନେ ଥିଲେ ଘୃଣ୍ୟ, ହୀନ, ଅପବିତ୍ର। ସେମାନଙ୍କ ପାଇଁ କୂଅ, ପୋଖରୀ, ଦେବଶାଳା, ଶ୍ମଶାନ ସବୁ ମନା ଥିଲା। ଏ ଥିଲା ସାମାଜିକ ସ୍ଥିତି। ଅର୍ଥନୌତିକ ଶ୍ରେଣୀରେ ଥୋକେ ଥିଲେ ସାମନ୍ତବାଦୀ। ଗାଁର ଅଳ୍ପ କେତେକ ଥିଲେ ‘ଥିଲାବାଲା’। ସେମାନେ ଥିଲେ ଜମିଦାର, ସାଆନ୍ତ। ନାରୀମାନଙ୍କର ସ୍ଥାନ ଥିଲା ଆହୁରି ତଳେ। ମୁଣ୍ଡରେ ହାତେ ଲମ୍ବର ଓଢ଼ଣୀ ଟାଣି ଘର କୋଣରେ ରହି ପିଲା ପାଳିବା, ଘରକାମ କରିବାରେ ସାରା ଜୀବନ ବିତି ଯାଉଥିଲା। ତାଙ୍କ ଦ୍ୱାରା ଆଉ କିଛି ହେଇପାରିବ, ଏକଥା ସେମାନଙ୍କୁ ମଧ୍ୟ ଜଣା ନ ଥିଲା। ଏତେ ଭେଦଭାବ ଭିତରେ ଏକତାର ଚିହ୍ନବର୍ଣ୍ଣ ନ ଥିଲା। ତେଣୁ ପରାକ୍ରମଶାଳୀ ଇଂରେଜ ଶାସନ ବିରୋଧରେ ଲଢ଼ିବାକୁ ସାହସ କରନ୍ତେ କିପରି? ହଠାତ ମାତ୍ର କେଇ ବର୍ଷ ଭିତରେ ସବୁ କିଛି ବଦଳିଗଲା କେମିତି? ଏ ପ୍ରଶ୍ନର ଉତ୍ତର ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମହାତ୍ମାଙ୍କର କୁହୁକ ଆହ୍ୱାନରେ ସେହି ସାଧାରଣ ଗାଁ ଲୋକ ସ୍ୱାଧୀନତା ସଂଗ୍ରାମରେ ଲୀନ ହୋଇ ଯେଉଁ ଅସୀମ ସାହସ, ତ୍ୟାଗ, ତିତିକ୍ଷା ଓ ସର୍ବୋପରି ଦେଶପ୍ରେମର ଉତ୍ତୁଙ୍ଗ ପରାକାଷ୍ଠା ପ୍ରଦର୍ଶନ କଲେ, ତାହାର ତୁଳନା ନାହିଁ। ହଠାତ୍‌ ସବୁ ଭେଦଭାବ ଦୂର ହୋଇଗଲା। ସମ୍ଭ୍ରାନ୍ତ ଜମିଦାରଙ୍କ ଉଚ୍ଚଶିକ୍ଷିତ ସନ୍ତାନମାନେ ସେହି ‘ଅଛବ’ମାନଙ୍କ ପିଣ୍ଡାରେ ବସି ସେମାନଙ୍କ ସହ ଭୋଜନ କଲେ, ସେମାନଙ୍କ ହାନିଲାଭ ବୁଝିଲେ। ସମସ୍ତେ ଗାନ୍ଧୀ ଦର୍ଶନର ପ୍ରଭାବରେ ଏକ ହେଇଗଲେ। ଗୋକୁଳାନନ୍ଦ ମହାନ୍ତି ଥିଲେ ଏହାର ସନ୍ତକ।

୧୯୨୧ ମସିହାରେ ଭଦ୍ରକରେ ଗାନ୍ଧୀଜୀଙ୍କ ଆଗମନ ଅବସରରେ ଯେଉଁ ସଭା ଆୟୋଜନ କରାଯାଇଥିଲା, ସଂଗ୍ରାମୀ ଗୋକୁଳାନନ୍ଦ ଥିଲେ ତାହାର ଅନ୍ୟତମ ପୁରୋଧା। ସେ ସେହି ସମୟରେ ଜେଲ ଗଲେ। ୧୯୨୨ ମସିହାରେ ଜେଲରୁ ମୁକ୍ତ ହୋଇ ଗାନ୍ଧୀଜୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମର ପ୍ରସାର ଆରମ୍ଭ କରିଦେଲେ ଏବଂ ସାରା ଜୀବନ ସେହି ଆଦର୍ଶରେ ବ୍ରତୀ ହୋଇ ରହିଲେ। ସେଥି ନିମନ୍ତେ ସେ ପାଞ୍ଚଥର କାରାବରଣ କରିଥିଲେ। ତଥାପି ସେହି ଆଦର୍ଶ ଓ ସଂକଳ୍ପରୁ ଓହରି ନ ଥିଲେ। ୧୯୫୨-୫୭ ମସିହାରେ ସେ ବନ୍ତ-ଭଣ୍ଡାରୀପୋଖରୀ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାୟକ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ତାଙ୍କୁ ମନ୍ତ୍ରୀ ପଦ ଅର୍ପଣ କରିଥିଲେ ମଧ୍ୟ ତାହା ପ୍ରତ୍ୟାଖାନ କରି ଯୁବ ବିଧାୟକମାନଙ୍କୁ ସେହି ଦାୟିତ୍ୱ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ। ୧୯୬୨ ମସିହାରେ ସେ ବାଲେଶ୍ୱର ଲୋକସଭା ଆସନରୁ ନିର୍ବାଚିତ ହୋଇ ସାଂସଦ ହୋଇଥିଲେ। ଇସ୍ରାଏଲ ସମର୍ଥନରେ ତାଙ୍କ ବକ୍ତବ୍ୟ ସେ ସମୟରେ ସଂସଦ ଭବନରେ ଆଲୋଡ଼ନ ସୃଷ୍ଟି କରିଥିଲା। ଦଳିତ ଓ ଅସହାୟଙ୍କ ନିମନ୍ତେ ଭଦ୍ରକର କୁମ୍ଭାରିଆ ଠାରେ ଏକ ଆଶ୍ରମ ପ୍ରତିଷ୍ଠା କରି ସାରା ଜୀବନ ସେହିମାନଙ୍କ ସେବାରେ ବ୍ରତୀ ଥିଲେ।

ଗାନ୍ଧୀ ଦର୍ଶନର ବିଶେଷତ୍ବ ଯୋଗୁଁ ଦେଶର ପ୍ରତିଟି ଅଞ୍ଚଳରେ ଆଉ ଜଣେ ଜଣେ ଗାନ୍ଧୀ ସୃଷ୍ଟି ହୋଇଗଲେ। ସେମାନେ ଥିଲେ ଗାନ୍ଧୀଜୀଙ୍କର ଅବିକଳ ପ୍ରତିରୂପ। ଗୋକୁଳାନନ୍ଦ ମହାନ୍ତି ଥିଲେ ସେହିଭଳି ଜଣେ ଗାନ୍ଧୀ। ସତ୍ୟ ଓ ଅହିଂସା ଥିଲା ତାଙ୍କର ପରମ ଆଦର୍ଶ। ସଂଗ୍ରାମୀ ଗୋକୁଳାନନ୍ଦଙ୍କ ମହାପ୍ରୟାଣ ପରେ ଓଡ଼ିଶା ବିଧାନସଭା ସେହି ମହାପୁରୁଷଙ୍କୁ ୧୯୭୪ ମସିହା ୯ ତାରିଖରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲା। ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଶୋକ ପ୍ରସ୍ତାବ ଆଗତ କରି ତାଙ୍କୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଆଖ୍ୟା ଦେବା ସହ ଗାନ୍ଧୀଜୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମରେ ତାଙ୍କ ପ୍ରମୁଖ ଭୂମିକା ସଂପର୍କରେ ସୂଚନା ଦେଇଥିଲେ। ତତ୍‌କାଳୀନ ବିଧାନସଭା ବିରୋଧୀଦଳ ନେତା ବରେଣ୍ୟ ବିଜୁ ପଟ୍ଟନାୟକ ତାଙ୍କୁ ‘ଗୋକୁଳି ଭାଇ’ ସମ୍ବୋଧନ କରି ତାଙ୍କ ଦେହାନ୍ତରେ ଓଡ଼ିଶାର ଅପୂରଣୀୟ କ୍ଷତି ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ।

ମହାପୁରୁଷମାନେ ହେଉଛନ୍ତି ସମାଜର ଆଲୋକବର୍ତ୍ତିକା। ସେମାନଙ୍କର ସଂଗ୍ରାମ, ସାଧନା, ସେବା, ତ୍ୟାଗ ଓ ତିତିକ୍ଷା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ସମାଜରେ ଏହି ଆଦର୍ଶ ପ୍ରତିଷ୍ଠା କରିବା ସହିତ ପିଢ଼ି ପରେ ପିଢ଼ି ସମସ୍ତଙ୍କୁ ଉଦ୍‌ବୁଦ୍ଧ କରିବାର ମହତ ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ସଂସ୍କୃତି ବିଭାଗ ତରଫରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ମହାପୁରୁଷଙ୍କର ପ୍ରତିମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ଘୋଷଣା କରାଯାଇଛି। ସେହି କ୍ରମରେ ୨୦୨୪ ମସିହା ଡିସେମ୍ବର ୪ ତାରିଖରେ ଗାନ୍ଧୀବାଦୀ ସ୍ୱାଧୀନତା ସଂଗ୍ରାମୀ ମରଣଜୟୀ ଗୋକୁଳାନନ୍ଦ ମହାନ୍ତିଙ୍କର ୫୦ତମ ପୁଣ୍ୟତିଥିରେ ତାଙ୍କର ପ୍ରତିମୂର୍ତ୍ତି ଭଦ୍ରକରେ ପ୍ରତିଷ୍ଠା ହେଉଛି।
ଭଦ୍ରାଣୀ, ସାଳନ୍ଦୀ ନଗର, ଭଦ୍ରକ
ମୋ- ୯୪୩୭୧୯୧୩୫୦
ସୌଜନ୍ୟ-ସମ୍ୱାଦ

Comments are closed.