Breaking News

ବାଂଲାଦେଶୀ ପୀଡ଼ିତାଙ୍କ ଚାଞ୍ଚଲ୍ୟକର ବୟାନ: ଗୋପୀ ଘରେ ଆହୁରି ୬ ଅଛନ୍ତି

ବାଂଲାଦେଶ ନାବାଳିକାଙ୍କୁ ଦେହ ବ୍ୟବସାୟରେ ନି‌ୟୋଜିତ କରିବା ଘଟଣାରେ ପୀଡ଼ିତା ମଧୁପାଟଣା ଥାନା ପୁଲିସକୁ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। କୋଲକାତାର ଦେହ ଦଲାଲ୍‌ ବାବୁ ଦାସ ପୀଡ଼ିତାଙ୍କୁ ଭୁବନେଶ୍ବରରେ ଗୋପୀ ଜିମାରେ ଛାଡ଼ିଥିଲା।

କଟକ: ବାଂଲାଦେଶ ନାବାଳିକାଙ୍କୁ ଦେହ ବ୍ୟବସାୟରେ ନି‌ୟୋଜିତ କରିବା ଘଟଣାରେ ପୀଡ଼ିତା ମଧୁପାଟଣା ଥାନା ପୁଲିସକୁ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। କୋଲକାତାର ଦେହ ଦଲାଲ୍‌ ବାବୁ ଦାସ ପୀଡ଼ିତାଙ୍କୁ ଭୁବନେଶ୍ବରରେ ଗୋପୀ ଜିମାରେ ଛାଡ଼ିଥିଲା। ଗୋପୀ ତାଙ୍କୁ ଲକ୍ଷ୍ମୀସାଗର ଘରେ ରଖିଥିବା ସମୟରେ ସେଠାରେ ଆହୁରି ୬ ଜଣ ବାଂଲାଦେଶୀ ନାବାଳିକା/ଯୁବତୀ ଥିବା ପୀଡ଼ିତା ଦେଖିବାକୁ ପାଇଥିଲେ। ସେମାନଙ୍କୁ ବି ଗୋପୀ ଦେହ ବ୍ୟବସାୟରେ ନିୟୋଜିତ କରୁଥିଲା। ନାବାଳିକାଙ୍କୁ ବାବୁ ଭୁବନେଶ୍ବରରେ ଛାଡ଼ିବା ପରେ ଦୁଇଦିନ ରହି କୋଲକାତା ଫେରିଯାଇଥିଲା ବୋଲି ପୀଡ଼ିତା ମଧୁପାଟଣା ଥାନା ପୁଲିସକୁ ବୟାନ ଦେଇଛନ୍ତି। ଲିଟନ ଓ ମୌସୁମୀ ମାଧ୍ୟମରେ ଗୋପୀ ନିକଟକୁ ଉପରୋକ୍ତ ୬ ଜଣ ପୀଡ଼ିତା ବାଂଲାଦେଶରୁ ଚାଲାଣ ହୋଇଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ଏହି ମାମଲାକୁ ୧୧ ଦିନ ବିତିଯାଇଥିବା ବେଳେ ପରଦା ପଛରେ ଥିବା ପ୍ରମୁଖ ୬ ଅନ୍ତର୍ଜାତୀୟ କାର୍ପଟଦାର ଫେରାର୍‌ ଅଛନ୍ତି। ସେମାନଙ୍କୁ କେବେ ମଧୁପାଟଣା ଥାନା ପୁଲିସ ବାନ୍ଧି ଜେଲ୍ ପଠାଇବ ବୋଲି ପ୍ରଶ୍ନ ଉଠୁଛି।

ସୂଚନା ଅନୁୟାୟୀ, ବାଂଲାଦେଶ ଢାକା ଗାଜିପୁର ଜିଲ୍ଲାର ନାବାଳିକା ବାଂଲାଦେଶର ଲିଟନ୍ ଦାସ ଓ ମୌସୁମୀ ନାୟକ ମାଧ୍ୟମରେ ଭାରତ ଆସିଥିଲେ। ତାଙ୍କ ସହିତ ତାଙ୍କର ବାନ୍ଧବୀ ମଧ୍ୟ ଆସିଥିଲେ। ଲିଟନ ଓ ମୌସୁମୀ ଏହି ଦୁଇ ବାନ୍ଧବୀଙ୍କୁ କୋଲକାତାର ବାବୁ ଦାସ ଓ ପତ୍ନୀ ମାୟା ଖାଁଙ୍କୁ ଦେଇଥିଲେ। ପରେ ଏହି ଦମ୍ପତି ଭୁବନେଶ୍ବରର ଗୋପୀକୁ ବିକ୍ରି କରିଦେଇଥିଲେ। ଗୋପୀ ସହଯୋଗୀ ଅବଦୁଲ୍‌ ମାଧ୍ୟମରେ ଦେହ ବ୍ୟବସାୟରେ ନିୟୋଜିତ କରୁଥିଲା। ତେବେ ପୁଲିସ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଗୋପାଳପୁରରେ ରହୁଥିବା ଜସ୍ମିନ୍ ଚୌଧୁରୀ ଓ ତା’ ସ୍ବାମୀ ଓମ୍‌ପ୍ରକାଶ ଚୌଧୁରୀ ଓରଫ ବେପା ରାମ୍‌ ଓ ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳର ଅବଦୁଲ୍‌କୁ ଗିରଫ କରିଥିବା ବେଳେ ପରଦା ପଛର ଉପରୋକ୍ତ ଅସଲ ଚେହେରାଙ୍କୁ ଠାବ କରିପାରିନାହିଁ।

ବାଂଲାଦେଶ ରାଷ୍ଟ୍ରଦୂତଙ୍କୁ ପଠାଇଲେ ଏତଲା ନକଲ
୬ ଅନ୍ତର୍ଜାତୀୟ ଦଲାଲଙ୍କୁ ବାନ୍ଧିବାକୁ କେତେ ଦିନ?
କଟକ ଆସିବେ ରାଷ୍ଟ୍ରଦୂତଙ୍କ ପ୍ରତିନିଧି!

ଅନ୍ୟପଟେ ଗଲା ୨୩ ତାରିଖରେ କଟକ ସିଡବ୍ଲୁସିଙ୍କ ପକ୍ଷରୁ କଟକ ଡିସିପି ଜଗମୋହନ ମୀନାଙ୍କ ମାଧ୍ୟମରେ ଦେଇଥିବା ଅଭିଯୋଗ ଆଧାରରେ ପୁଲିସ ବିଏନ୍‌ଏସ୍‌ର ବିଭିନ୍ନ ଧାରା ସମେତ ୬ ପୋକ୍‌ସୋ ଏବଂ ୫ ଆଇଟିପି ଆକ୍ଟରେ ଯେଉଁ ମାମଲା ରୁଜୁ କରିଛି ସେ ସମ୍ପର୍କିତ ବିସ୍ତୃତ ତଥ୍ୟ ଡିସିପି ଜଗମୋହନ ମୀନାଙ୍କ ପକ୍ଷରୁ ପୁଲିସ କମିସନର ଏସ୍‌. ଦେବଦତ୍ତ ସିଂହଙ୍କୁ ପ୍ରଦାନ କରାଯାଇଛି। ଶ୍ରୀ ସିଂହଙ୍କ ମାଧ୍ୟମରେ ବାଂଲାଦେଶ ରାଷ୍ଟ୍ରଦୂତଙ୍କୁ ସମସ୍ତ ତଥ୍ୟ ଯୋଗାଇ ଦିଆଯାଇଛି। ବାଂଲାଦେଶ ରାଷ୍ଟ୍ରଦୂତଙ୍କୁ କଟକ କମିସନରେଟ୍ ପୁଲିସ ଚିଠି ମାଧ୍ୟମରେ ଯୋଗାଯୋଗ କରିଛି। ଏହି ଚିଠି ସହିତ ମଧୁପାଟଣା ଥାନାରେ ରୁଜୁ ହୋଇଥିବା ଏତଲା ନକଲ, ପୀଡ଼ିତାଙ୍କ ଜନ୍ମ ପ୍ରମାଣପତ୍ର, ବାପା-ମା’ଙ୍କ ବାଂଲାଦେଶ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ପରିଚୟପତ୍ର ପ୍ରଦାନ କରାଯାଇଛି। ଏହାବାଦ୍ ଆଉ ଯଦି କୌଣସି ପ୍ରମାଣପତ୍ର ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ଆବଶ୍ୟକ କରେ ତେବେ ଏହାକୁ ମଧ୍ୟ ପରବର୍ତ୍ତୀ ସମୟରେ ପ୍ରଦାନ କରାଯିବ। ଏହି ଘଟଣାରେ ବାଂଲାଦେଶର ରାଷ୍ଟ୍ରଦୂତଙ୍କ ଏକ ଟିମ୍ କଟକ ଆସିବାର ଯୋଜନା ଥିବା କୁହାଯାଉଛି। କଟକ କମିସନରେଟ୍ ପୁଲିସ ପାଇଁ ଏଭଳି ଅନ୍ତର୍ଜାତୀୟ ଘଟଣା ପ୍ରଥମ ଥର ହୋଇଥିବାରୁ ରାଷ୍ଟ୍ରଦୂତଙ୍କ ନିକଟରେ ପୀଡ଼ିତାଙ୍କ ଏତଲା ନକଲ, ପରିଚୟପତ୍ର ପହଞ୍ଚିବା ପରେ ପରବର୍ତ୍ତୀ ସମୟରେ ସେମାନେ କି ପ୍ରକାର ପଦକ୍ଷେପ ଗ୍ରହଣ କରିବେ, ଏହାରି ଉପରେ କମିସନରେଟ୍ ପୁଲିସର ନଜର ରହିଛି। ଏହି ଦେହ ବ୍ୟବସାୟ ଓ ମାନବ ଚାଲାଣକୁ ନେଇ ଗତ ୨୩ ତାରିଖରେ ମଧୁପାଟଣା ଥାନାରେ ରୁଜୁ ହୋଇଥିବା ମାମଲାକୁ ୧୧ ଦିନ ବିତିଥିବା ବେଳେ ଘଟଣା ପଛର ମୁଖ୍ୟ ଅଭିଯୁକ୍ତଙ୍କୁ ଏଯାଏ ଗିରଫ କରି ନ ପାରିବା ନେଇ ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି।

ସୌଜନ୍ୟ-ସମ୍ୱାଦ

Comments are closed.