Breaking News

ଧାନବିଲ ଦଳିଦେଲେ ହାତୀ: ଡେରାସ ଫାଟକରେ ଗ୍ରାମବାସୀଙ୍କ ଧାରଣା

ଆଜି ସନ୍ଧ୍ୟାରେ ଏକ ୧୮ଟିକିଆ ହାତୀପଲ ଚନ୍ଦକା କଣ୍ଟାବାଡ଼ ନିକଟସ୍ଥ ଗହୀରରେ ୬ଏକରରୁ ଅଧିକ ଧାନବିଲକୁ ଦଳିଚକଟି ନଷ୍ଟ କରିଦେଇଛନ୍ତି। ‌ହାତୀପଲକୁ ଘଉଡ଼ାଇବାରେ ବନ ବିଭାଗ ବିଳମ୍ବ କରିବାରୁ ପ୍ରଚୁର ପାଚିଲା ଧାନ ନଷ୍ଟ ହୋଇଛି।

ମେଣ୍ଢାଶାଳ: ଆଜି ସନ୍ଧ୍ୟାରେ ଏକ ୧୮ଟିକିଆ ହାତୀପଲ ଚନ୍ଦକା କଣ୍ଟାବାଡ଼ ନିକଟସ୍ଥ ଗହୀରରେ ୬ଏକରରୁ ଅଧିକ ଧାନବିଲକୁ ଦଳିଚକଟି ନଷ୍ଟ କରିଦେଇଛନ୍ତି। ‌ହାତୀପଲକୁ ଘଉଡ଼ାଇବାରେ ବନ ବିଭାଗ ବିଳମ୍ବ କରିବାରୁ ପ୍ରଚୁର ପାଚିଲା ଧାନ ନଷ୍ଟ ହୋଇଛି। ତେଣୁ କ୍ଷତିପୂରଣ ଦାବିରେ ଆଜି ଝରବଣିଆବାସିନ୍ଦାମାନେ ଡେରାସ ମୁଖ୍ୟ ଫାଟକରେ ଧାରଣା ଦେଇଥିଲେ। ତୁରନ୍ତ ଗହୀରରୁ ହାତୀଙ୍କୁ ଘଉଡ଼ାଇବା ସହ କ୍ଷତିପୂରଣ ଦେବାକୁ ପଦକ୍ଷେପ ନେବା ଦାବିରେ ଶତାଧିକ ମହିଳା ଓ ପୁରୁଷ ଫାଟକ ବନ୍ଦ କରି ଧାରଣା ଦେଇଥିଲେ। ଫଳରେ ବନ ବିଭାଗର ଗାଡ଼ି ଅଭୟାରଣ୍ୟ ଭିତରକୁ ଯା’ଆସ କରିପାରିନଥିଲା। ବନ ବିଭାଗ ଗାଡ଼ିକୁ ଧାରଣାରତ ମହିଳାମାନେ ଘେରି ରହିଥିଲେ। ବହୁ ବୁଝାସୁଝା ପରେ ଗ୍ରାମବାସୀମାନେ ଧାରଣାରୁ ହଟିଥିଲେ।

ଗ୍ରାମବାସୀଙ୍କ କହିବା କଥା ଏହି ହାତୀପଲରେ ୨ଟି ଦନ୍ତା, ୧୦ଟି ପ୍ରାପ୍ତବୟସ୍କା ମାଈ ଓ ୬ଟି ଛୁଆ ଅଛନ୍ତି। ଆଜି ସଂଜ ବୁଡ଼ୁବୁଡ଼ୁ ସେମାନେ ଦଳବଳ ହୋଇ ଝରବଣିଆ ଗହୀରକୁ ପଶିଆସିଥିଲେ। ଲୋକମାନେ ପାଟିତୁଣ୍ଡ କରି ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଏଥିସହିତ ବନ ବିଭାଗର କର୍ମଚାରୀମାନଙ୍କୁ ଖବର ଦିଆଯାଇଥିଲା। ମାତ୍ର ବନ କର୍ମଚାରୀମାନେ ପହଞ୍ଚିବାରେ ବିଳମ୍ବ କଲେ। ତେଣୁ ହାତୀପଲ ପାଖାପାଖି ୬ ଏକର ପାଚିଲା ଧାନ ଜମିରେ ପଶି ଦଳିଚକଟି ପକାଇଥିଲେ। ଯେତିକି ପାଚିଲା ଧାନ ଖାଇଲେ, ତା’ଠୁ ବହୁ ଅଧିକ ପରିମାଣର ଧାନ ଦଳି ପକାଇଲେ। ଗ୍ରାମବାସୀଙ୍କ ଧାରଣା ପରେ ବନ ବିଭାଗ ପକ୍ଷରୁ ତୁରନ୍ତ ହାତୀପଲଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରାଯାଇଥିଲା। ସେହିଭଳି କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏହାପରେ ଲୋକମାନେ ଧାରଣାରୁ ଉଠି ଗାଁକୁ ଫେରିଥିଲେ।
ସୌଜନ୍ୟ-ସମ୍ୱାଦ

Comments are closed.