Breaking News

ବାକୁ ବାକ୍ୟବୀର ନ ହେଉ

ପାଣିପାଗ ପରିବର୍ତ୍ତନଜନିତ ପ୍ରଳୟରୁ ପୃଥିବୀକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ଦ୍ୱାରା ୧୯୯୪ ମସିହାରେ ସ୍ଥାପିତ ହୋଇଥିଲା ସଂଯୁକ୍ତ ରାଷ୍ଟ୍ର ଜଳବାୟୁ ପରିବର୍ତ୍ତନ ଆଲୋଚନା ମଣ୍ଡଳୀ (ୟୁନାଇଟେଡ୍‌ ନେସନ୍‌ସ ଫ୍ରେମ୍‌ଵର୍କ କନ୍‌ଭେନ୍‌ସନ୍‌ ଅନ୍‌ କ୍ଲାଇମେଟ୍‌ ଚେଞ୍ଜ), ଯାହା ୧୯୯୫ ମସିହା...

ଜିତଶତ୍ରୁ ମହାନ୍ତି

ପାଣିପାଗ ପରିବର୍ତ୍ତନଜନିତ ପ୍ରଳୟରୁ ପୃଥିବୀକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ଦ୍ୱାରା ୧୯୯୪ ମସିହାରେ ସ୍ଥାପିତ ହୋଇଥିଲା ସଂଯୁକ୍ତ ରାଷ୍ଟ୍ର ଜଳବାୟୁ ପରିବର୍ତ୍ତନ ଆଲୋଚନା ମଣ୍ଡଳୀ (ୟୁନାଇଟେଡ୍‌ ନେସନ୍‌ସ ଫ୍ରେମ୍‌ଵର୍କ କନ୍‌ଭେନ୍‌ସନ୍‌ ଅନ୍‌ କ୍ଲାଇମେଟ୍‌ ଚେଞ୍ଜ), ଯାହା ୧୯୯୫ ମସିହା ଠାରୁ ‘କନ୍‌ଫରେନ୍‌ସ ଅଫ୍ ପାର୍ଟିଜ୍‌’ ବା ସଂକ୍ଷେପରେ ‘କପ୍‌’ ନାମରେ ବାର୍ଷିକ ସମ୍ମେଳନମାନ ଦେଖି ଆସୁଛି। ଏଥିରେ ଅନ୍ତର୍ଭୁକ୍ତ ୧୯୮ଟି ସ୍ବାକ୍ଷରକାରୀ ରାଷ୍ଟ୍ର ପକ୍ଷରୁ ଜଳବାୟୁ ପରିବର୍ତ୍ତନର କାରଣ, ନିରାକରଣ ଓ ନିବାରଣ ନେଇ ଘମାଘୋଟ ଆଲୋଚନା କରାଯାଉଛି ଏବଂ ଚୁକ୍ତିନାମାମାନ ସ୍ବାକ୍ଷରିତ କରାଯାଉଛି। ସମସ୍ତେ ଜାଣନ୍ତି ଯେ ଚଳିତ ବର୍ଷ ଆଜରବାଇଜାନର ରାଜଧାନୀ ବାକୁରେ ନଭେମ୍ବର ୧୧ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଏହାର ୨୯ତମ ବୈଠକ ଅନୁଷ୍ଠିତ ହୋଇଗଲା। ଏହି ବିଶ୍ୱସ୍ତରୀୟ ମାନସମନ୍ଥନର ନିଷ୍କର୍ଷ ଓ ନିଷ୍ପତ୍ତି ଉପରେ ସାରା ପୃଥିବୀର ଦୃଷ୍ଟି ଥିଲା।
ଆଜି ପର୍ଯ୍ୟନ୍ତ ଆୟୋଜିତ ଏଭଳି ସବୁ ବୈଠକଗୁଡ଼ିକ ମଧ୍ୟରୁ ୨୦୧୫ ମସିହାରେ ପ୍ୟାରିସ୍‌ ନଗରୀରେ ଆୟୋଜିତ ‘କପ୍‌ ୨୧’ ସବୁଠାରୁ ଅଧିକ ଚର୍ଚ୍ଚିତ, ଯାହାର ଫଳଶ୍ରୁତି ‘ପ୍ୟାରିସ୍ ରାଜିନାମା’ ଭାବେ ଜଣାଶୁଣା। ଏଥିରେ ସ୍ଥିର କରାଯାଇଥିଲା ଯେ ଚଳିତ ଶତାବ୍ଦୀର ଶେଷ ଅର୍ଥାତ୍ ୨୧୦୦ ମସିହା ବେଳକୁ ପୃଥିବୀର ତାପମାତ୍ରାକୁ ପ୍ରାକ୍‌-ଶିଳ୍ପାୟନ (୧୮୫୦-୧୯୦୦) କାଳର ତାପମାତ୍ର ଠାରୁ ଅଧିକ ୧.୫ ଡିଗ୍ରି ସେଲ୍‌ସିଅସ୍ ମଧ୍ୟରେ ସୀମିତ ରଖିବା। ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ‘ସବୁଜ ଗୃହ ଗ୍ୟାସ’ଗୁଡ଼ିକର ଉତ୍ସର୍ଜନ ଓ ନିର୍ଗମନକୁ ଯଥାସାଧ୍ୟ ହ୍ରାସ କରିବା ନିମନ୍ତେ ସଦସ୍ୟ ଦେଶଗୁଡ଼ିକ ରାଜି ହୋଇ ଏହି ଲକ୍ଷ୍ୟରେ କେତେ ଅଗ୍ରଗତି ଲାଭ କଲେଣି, ତାହାର ନିୟମିତ ସମୀକ୍ଷା ଲାଗି ମଧ୍ୟ ସହମତ ହେଲେ। ତା’ ପରଠାରୁ ‘ପ୍ୟାରିସ୍‌ ଚୁକ୍ତିନାମା’କୁ କେନ୍ଦ୍ରରେ ରଖି ‘କପ୍‌’ ବୈଠକମାନ ହୋଇ ଚାଲିଛି। କିନ୍ତୁ, ଅସଂଗତିଟି ହେଲା ଏହି ଲକ୍ଷ୍ୟ ପୂରଣ ହେବା ତ ଦୂରର କଥା, ବରଂ ପ୍ରତି ବର୍ଷ ସବୁଜ ଗୃହ ଗ୍ୟାସର ନିର୍ଗମନ ବୃଦ୍ଧି ପାଇବା‌‌େର ଲାଗିଛି। କାରଣ ଯେଉଁ ଉତ୍ସାହର ସହିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଉଛି, ରୂପାୟନରେ ତାହା ଉଭେଇଯାଉଛି। ପ୍ରକାଶ ଥାଉ କି ୨୦୦୫ ମସିହାରୁ ସବୁଜ ଗୃହ ଗ୍ୟାସ ନିର୍ଗମନରେ ୪୦% ହ୍ରାସ, ପୁନଃ-ନବୀକରଣ ଶକ୍ତିରେ ୨୦% ବୃଦ୍ଧି, ଜୀବାଶ୍ମ ଇନ୍ଧନ ବ୍ୟବହାରରେ ୨୦% ହ୍ରାସ ଭଳି ସଂଦର୍ଭକୁ ନେଇ ତଥ୍ୟ ଓ ବିବରଣୀ ପ୍ରକାଶ ପାଉଛି। ଏଥିରୁ ଦେଖାଯାଉଛି ଯେ ମୁଷ୍ଟିମେୟ କେତେକ ଦେଶ ଏ ଦିଗରେ ନିଷ୍ଠାପର ହୋଇଛନ୍ତି ସିନା, ସାମଗ୍ରିକ ଭାବେ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ।
ଏହି ସମ୍ମିଳନୀ ଥିଲା ‘କପ୍‌ ୨୯’, ଯାହାର ମୁଖ୍ୟ ପ୍ରସଙ୍ଗ ଥିଲା ଜଳବାୟୁ କାର୍ଯ୍ୟକ୍ରମ ପାଇଁ ପାଣ୍ଠି ଯୋଗାଡ଼ ଓ ସ୍ଲୋଗାନ୍‌ ଥିଲା ‘ଅଧିକ ଆକାଂକ୍ଷା ଓ ବର୍ଦ୍ଧିଷ୍ଣୁ ଦକ୍ଷତା।’
ଦୀର୍ଘ ୧୨ ଦିନ ଧରି ଚାଲିଥିବା ଏହି ବୈଠକରେ ୨୦୦ରୁ ଅଧିକ ଦେଶର ଶାସକ, ପ୍ରଶାସକ, ଗବେଷକ, ପରିବେଶବିତ୍‌ ଓ ବ୍ୟବସାୟୀ ପାଣିପାଗ ପୁଞ୍ଜି ନିବେଶ ଓ ବାଣିଜ୍ୟ ଏବଂ ସବୁଜ ଶକ୍ତି ସଂଗ୍ରହ, ସଂରକ୍ଷଣ ଓ ଯୋଗାଣ ପାଇଁ ଗ୍ରିଡ୍‌ ସ୍ଥାପନ, ପରିବର୍ତ୍ତନଶୀଳ ପାଣିପାଗ ସହଣି କୃଷି ପାଇଁ ପଦକ୍ଷେପ, ଜୈବ ବର୍ଜ୍ୟବସ୍ତୁରୁ ଉତ୍ପନ୍ନ ମିଥେନ ଗ୍ୟାସ ପରିମାଣରେ ହ୍ରାସ, ଉଦ୍‌ଜାନ ଶକ୍ତି ଓ ସବୁଜ ପ୍ରଯୁକ୍ତିର ବ୍ୟବହାର ଇତ୍ୟାଦି ଉପରେ ମାନସମନ୍ଥନ କରିଥିଲେ।
କିନ୍ତୁ ବିରୋଧାଭାସଟି ହେଲା ସବୁଜ ଗୃହ ଗ୍ୟା‌ସ ନିର୍ଗମନ ବୃଦ୍ଧି ପା‌ଇ ଚାଲିଛି, ଯଦ୍ଦ୍ବାରା ପ୍ୟାରିସ୍‌ରେ ରଖଯାଇଥିବା ଲକ୍ଷ୍ୟ (୧.୫ ଡିଗ୍ରି ସେଲ୍‌ସିଅସ୍‌ ମଧ୍ୟରେ ତାପମାତ୍ରା ବୃଦ୍ଧିକୁ ସୀମିତ ରଖିବା) ପୂରଣ ହେବାର ଆଶା ଦିଶୁନାହିଁ; ବରଂ ୨୧୦୦ ମସିହା ବେଳକୁ ତାପମାତ୍ରା ଦୁଇଗୁଣ ଅର୍ଥାତ୍ ୩ ଡିଗ୍ରି ସେଲ୍‌ସିଅସ୍ ପାଖାପାଖି ବୃଦ୍ଧି ପାଇବାର ଆଶଙ୍କା ଦେଖିବାକୁ ମିଳୁଛି। ଜୀବାଶ୍ମ ଇନ୍ଧନର ବ୍ୟବହାର ବୃଦ୍ଧି ପାଉଛି। ଏଣେ ପବନ, ସୌର ଓ ଜଳ ବିଦ୍ୟୁତ୍‌ ଭଳି ନିର୍ମଳ ଓ ସବୁଜ ଶକ୍ତି ଉତ୍ପାଦନ ଲାଗି ଯେଉଁ ଭଳି ଅର୍ଥ ଓ ପ୍ରଯୁକ୍ତିଗତ ସାହାଯ୍ୟ ବିକାଶଶୀଳ ଓ ଅଣବିକଶିତ ରାଷ୍ଟ୍ରଗୁଡ଼ିକୁ ଲୋଡ଼ା, ତାହା ମଧ୍ୟ ମିଳୁ ନାହିଁ। ୨୦୩୦ ମସିହା ସୁଦ୍ଧା ପୃଥିବୀରେ ଶକ୍ତି ଚାହିଦା ତିନି ଗୁଣ ହେବ। ଏଭଳି ସ୍ଥଳେ ପାରଂପରିକ ଜୀବାଶ୍ମ ଇନ୍ଧନରୁ ଅଧିକ ଶକ୍ତି ଉତ୍ପାଦନ ପୃଥିବୀ ଓ ପାଣିପାଗ ସକାଶେ ଅତ୍ୟନ୍ତ ପ୍ରତିକୂଳ ହେବ। ତେଣୁ ସମସ୍ତେ ଏକମତ ଯେ ସମ୍ମିଳନୀରେ ସ୍ଥିରୀକୃତ ନିଷ୍ପତ୍ତିଗୁଡ଼ିକର ସଫଳ ରୂପାୟନ ସର୍ବାଧିକ ଜରୁରି।
ବାକୁ ସମ୍ମିଳନୀରେ ଜଳବାୟୁ କାର୍ଯ୍ୟକ୍ରମ ପାଇଁ ପୂର୍ବ ନିର୍ଦ୍ଧାରିତ ଅର୍ଥରାଶିର ତିନିଗୁଣ ସଂଗ୍ରହ କରିବା ପାଇଁ ସହମତି ହୋଇଛି। ସେହିପରି ସବୁଜ ନିର୍ମଳ ଶକ୍ତିର ଉତ୍ପାଦନ ପରିମାଣକୁ ୨୦୩୦ ସୁଦ୍ଧା ତିନିଗୁଣ ବଢ଼ାଇବାକୁ ସମସ୍ତେ ରାଜି ହୋଇଛନ୍ତି। ଅନୁନ୍ନତ ଓ ଆର୍ଥିକ ଅନଗ୍ରସର ଦେଶମାନଙ୍କ ପାଇଁ ଅର୍ଥ ଓ କୌଶଳ ଯୋଗାଡ଼ର ପ୍ରତିଶ୍ରୁତି ମଧ୍ୟ ମିଳିଛି। କିନ୍ତୁ ବିଡ଼ମ୍ବନା ହେଲା କପ୍‌ ସମ୍ମିଳନୀଗୁଡ଼ିକ ପ୍ରାୟତଃ କଥା ଓ କାଗଜକଲମରେ ସୀମିତ ରହୁଛି, ବାସ୍ତବାୟିତ ହୋଇପାରୁନାହିଁ। ତେଣୁ କେବଳ ଏତିକି ଆଶା କରାଯାଉ ଯେ ବାକୁରେ ହୋଇଥିବା ଚୁକ୍ତିମାନ କେବଳ ଫମ୍ପା ବାକ୍ୟମାନ ହୋଇ ନ ରହୁ। ‘କପ୍‌ ୨୯’ ଏକ ବାକ୍ୟବୀର ବୋଲି ପ୍ରମାଣିତ ନ ହେଉ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୦୨୩୩
ସୌଜନ୍ୟ-ସମ୍ୱାଦ

Comments are closed.