Breaking News

ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ୍ ଆଜିଠୁ: ଫୋକସ୍‌ରେ ଭାରତର ବ୍ୟାଟିଂକ୍ରମ, ଅଷ୍ଟ୍ରେଲିଆ ବ୍ୟାଟର୍‌ଙ୍କ ଫର୍ମ

ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ବହୁ ପ୍ରତୀକ୍ଷିତ ଦିବା-ରାତ୍ର ଟେଷ୍ଟ୍ ଶୁକ୍ରବାରଠାରୁ ସ୍ଥାନୀୟ ଆଡିଲେଡ୍‌ ଓଭାଲରେ ଖେଳାଯିବ। ଗୋଲାପି ବଲ୍‌ରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ଭାରତୀୟ ବ୍ୟାଟିଂକ୍ରମ ଏବଂ ଅଷ୍ଟ୍ରେଲିଆ ବ୍ୟାଟର୍‌ଙ୍କ...

ଆଡିଲେଡ୍: ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ବହୁ ପ୍ରତୀକ୍ଷିତ ଦିବା-ରାତ୍ର ଟେଷ୍ଟ୍ ଶୁକ୍ରବାରଠାରୁ ସ୍ଥାନୀୟ ଆଡିଲେଡ୍‌ ଓଭାଲରେ ଖେଳାଯିବ। ଗୋଲାପି ବଲ୍‌ରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ଭାରତୀୟ ବ୍ୟାଟିଂକ୍ରମ ଏବଂ ଅଷ୍ଟ୍ରେଲିଆ ବ୍ୟାଟର୍‌ଙ୍କ ଫର୍ମ ଉପରେ ସମସ୍ତଙ୍କ ନଜର ରହିବ। ପର୍ଥରେ କଙ୍ଗାରୁ ବ୍ୟାଟର୍‌ ବିଫଳ ହୋଇଥିବାରୁ ଆଡିଲେଡ୍‌ରେ ଲୟ ଫେରି ପାଇବାକୁ ଲକ୍ଷ୍ୟ ରଖିଛନ୍ତି। ଅନ୍ୟପକ୍ଷରେ ପର୍ଥ ଟେଷ୍ଟ୍‌କୁ ୨୯୫ ରନ୍‌ର ବଡ଼ ବ୍ୟବଧାନରେ ଜିତି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ଥିବା ଭାରତ ନିୟମିତ ଅଧିନାୟକ ରୋହିତ ଶର୍ମା ଓ ଯୁବ ବୀର ଶୁବମନ ଗିଲ୍‌ଙ୍କ ପ୍ରତ୍ୟାବର୍ତ୍ତନ ପରେ ବ୍ୟାଟିଂକ୍ରମକୁ ନେଇ ଦ୍ବନ୍ଦ୍ବରେ ରହିଛି। ‌ସେହିଭଳି ୨୦୨୦ ଗସ୍ତରେ ଆଡିଲେଡ୍‌ରେ ମାତ୍ର ୩୬ ରନ୍‌ରେ ଅଲ୍‌ଆଉଟ୍ ହେବାର ଭୂତ ମଧ୍ୟ ଭାରତୀୟ ଦଳକୁ ପିଛା‌ କରୁଛି। ତେବେ ପର୍ଥରେ କିଂବଦନ୍ତି ବିରାଟ କୋହଲି ଫର୍ମକୁ ଫେରିବା ଏବଂ ଓପନର‌୍ ଯଶସ୍ବୀ ଜୟସ୍ବାଲ ଜବରଦସ୍ତ ଫର୍ମରେ ରହିବା ଭାରତର ପଲାକୁ ସାମାନ୍ୟ ଭାରି କରିଛି। ସେହିଭଳି ପର୍ଥ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ତଥା ତାରକା ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଭାରତ ପାଇଁ ପୁଣି ଥରେ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ଗୋଲାପି ବଲ୍‌ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ପାରମ୍ପରିକ ଭାବେ ଆଧିପତ୍ୟ ବିସ୍ତାର କରି ଆସୁଥିଲା ବେଳେ ତାର ସେହି ଗଡ଼କୁ ଧ୍ବସ୍ତ କରିବାର ଯୋଜନାରେ ମଧ୍ୟ ଭାରତୀୟ ଦଳ ରହିଛି। ଏହି କ୍ଷେତ୍ରରେ ଭାରତ ପାଇଁ ସବୁଠୁ ବଡ଼ ପ୍ରତିବନ୍ଧକ ସମ୍ଭବତଃ ଗୋଲାପି ବଲ୍‌ରେ ‌ଖେଳିବାର ଅପେକ୍ଷାକୃତ କମ୍ ଅଭିଜ୍ଞତା ହୋଇପାରେ। ଶେଷ ଥର ପାଇଁ ଭାରତ ୨୦୨୨ରେ ହିଁ ଗୋଲାପି ବଲ୍‌ରେ କୌଣସି ଟେଷ୍ଟ୍ ‌ଖେଳିଥିଲା। ଏଣୁ ଆଡିଲେଡ୍‌ର ଏହି ‘ଗୋଲାପି ପରୀକ୍ଷା’ ଭାରତ ପାଇଁ ନିଶ୍ଚିତ କଷ୍ଟକର ହେବ ବୋଲି ଅନୁମାନ କରାଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଦୃଢ଼ ଆଶା ପୋଷଣ କରିଛନ୍ତି ଯେ ଭାରତ ପୁଣି ଥରେ ବିଜୟୀ ହେବ। ଅନ୍ୟପକ୍ଷରେ ଶୃଙ୍ଖଳାରେ ୧-୦ରେ ପଛୁଆ ରହିବା ପରେ ତାଙ୍କ ଦଳ ଉପରେ ଅତିରିକ୍ତ ଚାପ ରହିଛି ବୋଲି ସ୍ବୀକାର କରିଛନ୍ତି।

ରାହୁଲ ଓପନ୍ କରିବେ ଆଡିଲେଡ୍ ଟେଷ୍ଟ୍‌ର ପୂର୍ବଦିନ ଭାରତୀୟ ଅଧିନାୟକ ରୋହିତ ଶର୍ମା ଭାରତୀୟ ବ୍ୟାଟିଂକ୍ରମକୁ ନେଇ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛନ୍ତି। ପର୍ଥ ଭଳି ଆଡିଲେଡ୍‌ରେ ମଧ୍ୟ କେଏଲ୍ ରାହୁଲ ପାଳି ଆରମ୍ଭ କରିବେ ଏବଂ ନିଜେ ମଧ୍ୟକ୍ରମରେ ଖେଳିବେ ବୋଲି ସୂଚନା ଦେଇଛନ୍ତି। ହେଲେ କେଉଁ ସ୍ଥାନରେ ବ୍ୟାଟିଂ କରିବେ, ତାର ଖୁଲାସା କରିନାହାନ୍ତି। ମଧ୍ୟକ୍ରମରେ ଖେଳିବାର କାରଣ ଉପରୁ ପରଦା ଉଠାଇ ରୋହିତ କହିଛନ୍ତି, ଆମେ ଫଳାଫଳ ଚାହୁ, ସଫଳତା ଚାହୁ, ପର୍ଥରେ ରାହୁଲ ଓ ଯଶସ୍ବୀ ଚମତ୍କାର ବ୍ୟାଟିଂ କରିଥିବାରୁ ସେମାନଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବାକୁ ଚାହୁଛୁ। ରୋହିତ ପାଖାପାଖି ୬୪ ପାଳି ପରେ ମଧ୍ୟକ୍ରମରେ ଖେଳିବେ। ତେବେ ଏହା ତାଙ୍କ ପାଇଁ ଏକ ସମସ୍ୟା ହେବ ନାହିଁ ବୋଲି ମତ ରଖିଛନ୍ତି ସେ। ଅଷ୍ଟ୍ରେଲିଆକୁ ଚେତାବନୀ ‌ଦେଇ ରୋହିତ ଆହୁରି କହିଛନ୍ତି ରେକର୍ଡ ଭାଙ୍ଗିବା ପାଇଁ ହୋଇଥାଏ। ଗୋଲାପି ବଲ୍‌ରେ ଖେଳିବା ସେତେଟା ସହଜ ହେବନି। ତଥାପି ଆମକୁ ଘରୋଇ ଦଳ ହାଲ୍‌କା ଭାବେ ନ ନେବାର ଭୁଲ୍ କଲେ ଭଲ। ଆର୍‌. ଅଶ୍ବିନ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଶୃଙ୍ଖଳାର କୌଣସି ନା କୌଣସି ସମୟରେ ଖେଳିବେ ବୋଲି ସୂଚନା ଦେଇ ଉଭୟ ଆମ ଦଳର ଦୁଇ ପ୍ରମୁଖ ସଦସ୍ୟ ବୋଲି ମତ ଦେଇଥିଲେ। ଶୁବମନ ଗିଲ୍‌ ଫେରିବା ସମ୍ଭାବନାକୁ ମଧ୍ୟ ସେ ସବୁଜ ସଙ୍କେତ ଦେଇଥିଲେ। ରୋହିତ ଓ ଗିଲ୍ ଫେରିଲେ ଦେବଦତ୍ତ ପଡ଼ିକଲ ଓ ଧ୍ରୁବ ଜୁରେଲ ବେଞ୍ଚ୍‌ରେ ବସିବା ଏକପ୍ରକାର ନିଶ୍ଚିତ।

ସମ୍ଭାବ୍ୟ ଭାରତ: ଯଶସ୍ବୀ ଜୟସ୍ବାଲ, କେଏଲ୍ ରାହୁଲ, ଶୁବମନ ଗିଲ୍, ବିରାଟ କୋହଲି, ରୋହିତ ଶର୍ମା (ଅଧିନାୟକ), ଋଷଭ ପନ୍ତ, ୱାସିଂଟନ୍ ସୁନ୍ଦର, ନୀତୀଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ।

ଅଷ୍ଟ୍ରେଲିଆ ଦଳରେ ଗୋଟିଏ ପରିବର୍ତ୍ତନ
ଜୋସ୍ ହାଜେଲଉଡ୍ ବାଦ୍ ପଡ଼ିବା ପରେ ପର୍ଥରେ ଖେଳାଇଥିବା ଦଳରେ ଗୋଟିଏ ପରିବର୍ତ୍ତନ କରିବାକୁ ଅଷ୍ଟ୍ରେଲିଆ ବାଧ୍ୟ ହୋଇଛି। ତାଙ୍କ ସ୍ଥାନରେ ସ୍କଟ୍ ବୋଲାଣ୍ଡ ଖେଳିବେ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ ଘୋଷଣା କରିଛି। ଗୋଲାପି ବଲ୍ ଟେଷ୍ଟ୍‌ରେ ବୋଲାଣ୍ଡଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଛି। ତେବେ ଗତ ଋତୁରେ ଅଷ୍ଟ୍ରେଲିଆ ଜାତୀୟ ଦଳରେ ସ୍ଥାନ ପାଇ ନଥିବା ବୋଲାଣ୍ଡ ଦୁଇବର୍ଷ ଭିତରେ ଘରୋଇ ପରିବେଶରେ ପ୍ରଥମ ଟେଷ୍ଟ୍ ଖେଳିବେ। ତେବେ ଦୁଇଟି ଦିବା-ରାତ୍ର ମ୍ୟାଚ୍‌ରେ ୧୩.୭୧ ହାରରେ ସେ ୭ ୱିକେଟ୍ କରାୟତ୍ତ କରିଛନ୍ତି। ଏଣୁ ଭାରତୀୟ ‌ବ୍ୟାଟର୍‌ଙ୍କୁ ଅଡ଼ୁଆରେ ପକାଇବାର ସବୁ ସାମର୍ଥ୍ୟ ରଖନ୍ତି।

ଦଳ: ଉସ୍‌ମାନ ଖୱାଜା, ନାଥନ ମ୍ୟାକ୍‌ସ୍ବିନୀ, ମାର୍ନସ ଲାବୁସେନ୍, ଷ୍ଟିଭେନ୍ ସ୍ମିଥ୍, ଟ୍ରାଭିସ୍ ହେଡ୍, ମିଚେଲ ମାର୍ସ, ଆଲେକ୍ସ କ୍ୟାରି, ପ୍ୟାଟ୍ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ନାଥନ ଲାୟନ, ସ୍କଟ୍ ବୋଲାଣ୍ଡ।

ପ୍ରଥମ ଦିନରେ ବର୍ଷା ଆଶଙ୍କା
ଶୁକ୍ରବାର ଆଡିଲେଡ୍‌ରେ ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ ରହିଛି। ସେଥିପାଇଁ ଖେଳରେ ଥରେ ଦୁଇ ଥର ବ୍ୟାଘାତ ସୃଷ୍ଟି ହୋଇପାରେ। ସେହିଭଳି ଦ୍ବିତୀୟ ଦିନରେ ମଧ୍ୟ ବର୍ଷା ହେବାର ୪୦ ପ୍ରତିଶତ ଆଶଙ୍କା ରହିଛି ଯାହା ଉଭୟ ଦଳର କାମକୁ ଆହୁରି କଷ୍ଟକର କରିବ। ତେବେ ଦ୍ବିତୀୟ ଦିନ ପରେ ପାଗ ପ୍ରାୟତଃ ଶୁଖିଲା ରହିବ ଏବଂ ତାପ ବଢ଼ିବାରୁ ବ୍ୟାଟିଂ ଅପେକ୍ଷାକୃତ ସହଜ ହେବ ବୋଲି ଆକଳନ କରାଯାଉଛି।

ପିଚ୍‌ ପରୀକ୍ଷାରେ ପକାଇବ
ଆଡିଲେଡ୍ ପିଚ୍‌ରେ ୬ ମିଲିମିଟର ଘାସ ରହିବା ଏବଂ ମ୍ୟାଚ୍ ଗୋଲାପି ବଲ୍‌ରେ ଖେଳାଯିବା ଉଭୟ ଦଳର ବ୍ୟାଟର୍‌ଙ୍କୁ ବଡ଼ ପାଳି ପାଇଁ ବହୁତ ଏକାଗ୍ରତାର ସହ ଖେଳିବାକୁ ପଡ଼ିବ। ଏକଥା କହିଛନ୍ତି କ୍ୟୁରେଟର୍‌ ଦାମିଏନ୍ ହ୍ୟୁଗ୍। ସେ କହିଛନ୍ତି ସେଫିଲ୍ଡ ସିଲ୍ଡ ପାଇଁ ମୁଁ ପ୍ରସ୍ତୁତ କରିଥିବା ପିଚ୍‌ରେ ମଧ୍ୟ ୬ ମିଲିମିଟରର ଘାସ ଥିଲା। ସେହି ମ୍ୟାଚ୍‌ରେ ଫଳାଫଳ ମିଳିଥିଲା। ସେଫିଲ୍ଡ ସିଲ୍ଡରୁ ପ୍ରମାଣିତ ହୋଇଛି ଯେ ଯଦି ଜଣେ ସେଟ୍ ବ୍ୟାଟ୍ସମ୍ୟାନ୍ କ୍ରିଜ୍‌ରେ ଥା’ନ୍ତି ଏବଂ ବଲ୍ ପୁରୁଣା ହୋଇଯାଇଥାଏ, ତାହେଲେ ସେ ବଡ଼ ପାଳି ଖେଳି ପାରନ୍ତି। ଗୋଲାପି ରଙ୍ଗର ନୂଆ ବଲ୍‌ରେ ଖେଳିବା କିନ୍ତୁ ସେତେଟା ସହଜ ହେବନି। ଅଷ୍ଟ୍ରେଲୀୟ ସ୍ପିନର ନାଥନ ଲାୟନ କିନ୍ତୁ ପିଚ୍‌ରେ ବଲ୍ ଘୂରାଇ ପାରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଗୋଲାପି ଟେଷ୍ଟ୍‌ରେ ଅଷ୍ଟ୍ରେଲିଆର ଆଧିପତ୍ୟ
ଆଡିଲେଡ୍‌ରେ ଖେଳିଥିବା ସାତଟି ଯାକ ଗୋଲାପି ବଲ୍ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ବିଜୟୀ ‌ହୋଇଛି। ୨୦୧୫-୧୬ରେ ଏଠାରେ ନ୍ୟୁଜିଲାଣ୍ଡକୁ ୩ ୱିକେଟ୍‌ରେ ହରାଇବା ହେଉଛି ୱିକେଟ୍ ବ୍ୟବଧାନରେ କଙ୍ଗାରୁ ଦଳର ସବୁଠୁ ଛୋଟ ବିଜୟ। ଅନ୍ୟପକ୍ଷରେ ବୁମ୍‌ରାଙ୍କ ପାଖରେ ମଧ୍ୟ ଏହି ଟେଷ୍ଟ୍‌ରେ ନୂଆ କୀର୍ତ୍ତିମାନ କରିବାର ସୁଯୋଗ ରହିବ। ଆଉ ଗୋଟିଏ ୱିକେଟ୍ ନେଲେ ଚଳିତବର୍ଷର ପ୍ରଥମ ଓ ଏକମାତ୍ର ବୋଲର୍‌ ଭାବେ ୫୦ ୱିକେଟ୍‌ର ମାଇଲଖୁଣ୍ଟ ଛୁଇଁବେ ସେ। ସେହିଭଳି କୋହଲି ଆଉ ଏକ ଶତକ ହାସଲ କଲେ ଆଡିଲେଡ୍‌ ଓଭାଲରେ ଚାରିଟି ଶତକ ହାସଲ କରିବାରେ ପ୍ରଥମ ବ୍ୟାଟର୍‌ ହେବେ।

ସୌଜନ୍ୟ-ସମ୍ୱାଦ

Comments are closed.