Breaking News

ଲକ୍ଷ୍ମୀବ୍ରତ ବି ପୁରୁଷଙ୍କ ବ୍ରତ

ସାଧାରଣରେ ଗୋଟିଏ ଧାରଣା ରହିଆସିଛି ଯେ ଲକ୍ଷ୍ମୀବ୍ରତ କରିବାର ଅଧିକାର କେବଳ ନାରୀଙ୍କର। କାରଣ, ସୁଦଶାବ୍ରତ, ଗୁରୁପଞ୍ଚମୀ ବ୍ରତ ଆଦି କେବଳ ନାରୀମାନେ ପାଳନ କରିବା ଦେଖାଯାଇଥାଏ। କିନ୍ତୁ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ଅନୁସାରେ...

ସାଧାରଣରେ ଗୋଟିଏ ଧାରଣା ରହିଆସିଛି ଯେ ଲକ୍ଷ୍ମୀବ୍ରତ କରିବାର ଅଧିକାର କେବଳ ନାରୀଙ୍କର। କାରଣ, ସୁଦଶାବ୍ରତ, ଗୁରୁପଞ୍ଚମୀ ବ୍ରତ ଆଦି କେବଳ ନାରୀମାନେ ପାଳନ କରିବା ଦେଖାଯାଇଥାଏ। କିନ୍ତୁ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ଅନୁସାରେ, ଏ ବ୍ରତ କେବଳ ନାରୀଙ୍କର ନୁହେଁ। ଦେବରାଜ ଇନ୍ଦ୍ର ଏହି ବ୍ରତ କରିବାକୁ ସଂକଳ୍ପ କରି ମଧ୍ୟ ବ୍ରତ ନ କରିବାରୁ ବହୁ ଦୁର୍ଦ୍ଦଶା ଭୋଗ କରିଥିଲେ। ଏପରିକି ସେ ଇନ୍ଦ୍ରପଦ ମଧ୍ୟ ହରାଇଥିଲେ।

‘ଲକ୍ଷ୍ମୀପୁରାଣ’ର କାହାଣୀ ଅନୁସାରେ, ବୃତ୍ରାସୁର ମହାପରାକ୍ରମୀ ହୋଇ ସ୍ବର୍ଗରାଜ୍ୟ ଆକ୍ରମଣ କରିବାରୁ ଇନ୍ଦ୍ର ଯାଇ ମେରୁପର୍ବତ କନ୍ଦରରେ ଲୁଚିଥିଲେ। ସେହିସମୟରେ ଦିନେ ଦେବର୍ଷି ନାରଦ ଯାଇ ତାଙ୍କ ପାଖରେ ପହଞ୍ଚିଲେ। ତାଙ୍କୁ ଦେଖି, ପାଦ୍ୟ ଆସନ ଦେଇ ଇନ୍ଦ୍ର ପଚାରିଲେ- ହେ ମହାମୁନି! କେଉଁ କାରଣରୁ ମୋର ଏହି ସର୍ବତ୍ୟାଗ ହେଲା?

ତାହାର ଉତ୍ତରରେ ନାରଦ କହିଲେ- ହେ ଦେବରାଜ! ଶୁଣ। ତୁମେ ଗୁରୁପଞ୍ଚମୀ ବ୍ରତ କରିବା ପାଇଁ ସଂକଳ୍ପ କରି ମଧ୍ୟ ତାହା ନ କରିବାରୁ ତୁମ୍ଭର ଏହି ଦଶା ହେଲା। ଲକ୍ଷ୍ମୀ ଯାହାକୁ ବାମ ହୁଅନ୍ତି ତାହାର କେବେ ମଙ୍ଗଳ ହୁଏ ନାହିଁ। ତାକୁ ଅନ୍ନ ଜଳ ମିଳେ ନାହିଁ। ସଭାରେ ବସିବାପାଇଁ ମଧ୍ୟ ସେ ଆଉ ଭାଜନ ହୁଏ ନାହିଁ। ଏହା କହିବା ସହିତ, ଲକ୍ଷ୍ମୀ ବାମ ହେବାରୁ ବଳରାମ (ବଳଭଦ୍ର) ଓ ଜଗନ୍ନାଥ ଦୁଇଭାଇଙ୍କର କି ଦୁରବସ୍ଥା ହୋଇଥିଲା, ତାହାର ବର୍ଣ୍ଣନା ଦେବର୍ଷି ନାରଦ କରିଥିଲେ। ତାହା ଶୁଣିବା ପରେ ଦେବରାଜ ଇନ୍ଦ୍ର ନାରଦଙ୍କ ପରାମର୍ଶକ୍ରମେ ଗୁରୁପଞ୍ଚମୀ ବ୍ରତ କଲେ। ତାହା ଫଳରେ ସେ ପୁଣି ଇନ୍ଦ୍ରପଦ ଫେରି ପାଇଲେ।

ବଳରାମ ଦାସ ଏହାର ବର୍ଣ୍ଣନାକରି କହିଛନ୍ତି-
‘‘ନାରଦଙ୍କଠାରୁ ଇନ୍ଦ୍ର ଦୀକ୍ଷା ଯେ ପାଇଲେ
ଗୁରୁ ଯେ ପଞ୍ଚମୀ ବ୍ରତ ଇନ୍ଦ୍ର ଭିଆଇଲେ।
ପୁଣି ଇନ୍ଦ୍ର ଆସନେ ବସିଲେ ସୁଖେ ଯାଇଂ
ଶଚି ଦେବୀ ଯାଇ ସନିଧେ ଖଟଇ।’’
ଏଣୁ ଏହା ସୂଚା‌ଏ, ଯେ ଲକ୍ଷ୍ମୀବ୍ରତ କେବଳ ନାରୀଙ୍କର ବ୍ରତ ନୁହେଁ; ଏହା ମଧ୍ୟ ପୁରୁଷଙ୍କର ବ୍ରତ।
-ଅସିତ ମହାନ୍ତି

ସୌଜନ୍ୟ-ସମ୍ୱାଦ

Comments are closed.