Breaking News

ନିଦ ହଜାଇଲେଣି ଅପରାଧୀ: ଆଗକୁ ପ୍ରବାସୀ ଭାରତୀୟ ସମ୍ମିଳନୀ

କେତେବେଳେ ଘରୁ ଡ଼ାକି ନେଇ ରାସ୍ତାରେ ହାଣିଲେଣି ତ କେବେ ପୁଣି ଘରେ ପଶି ଆକ୍ରମଣ କରିବା ସହ ଲୁଟିଲେଣି। ସହର ଭିତରେ ଖୋଲାଖୋଲି ମାରଣାସ୍ତ୍ର ଧରି ବୁଲିଲେଣି ଦୁର୍ବୃତ୍ତ। ସିନ୍ଧିଚୋରି ଘଟଣା ତ ବରିଷ୍ଠ ନାଗରିକଙ୍କ ନିଦ ହଜାଇଦେଲାଣି।

ଭୁବନେଶ୍ବର: କେତେବେଳେ ଘରୁ ଡ଼ାକି ନେଇ ରାସ୍ତାରେ ହାଣିଲେଣି ତ କେବେ ପୁଣି ଘରେ ପଶି ଆକ୍ରମଣ କରିବା ସହ ଲୁଟିଲେଣି। ସହର ଭିତରେ ଖୋଲାଖୋଲି ମାରଣାସ୍ତ୍ର ଧରି ବୁଲିଲେଣି ଦୁର୍ବୃତ୍ତ। ସିନ୍ଧିଚୋରି ଘଟଣା ତ ବରିଷ୍ଠ ନାଗରିକଙ୍କ ନିଦ ହଜାଇଦେଲାଣି। ଛିନ୍‌ତାଇ ମାମଲା ମଧ୍ୟ ଆହୁରି ଭୟଙ୍କର। ଏମିତି ଭୟଙ୍କର ଭାବେ ବେକରୁ ସୁନାଚେନ୍‌ ଟାଣୁଛନ୍ତି ‌ଯେ ବାଇକ୍‌ରୁ ପଡ଼ି ମହିଳାଙ୍କ ଜୀବନ ଚାଲିଯାଉଛି। ଟ୍ରାଫିକ୍‌ ଯନ୍ତ୍ରଣା ବି ସବୁକୁ ବଳେଇ ଗଲାଣି। ଏବେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ଏମିତି ଦୟନୀୟ ସ୍ଥିତିରେ। କମିସନରେଟ୍‌ ପୁଲିସ ଭିଭିଆଇପିଙ୍କ ସୁରକ୍ଷାରେ ଲାଗିଥିବା ବେଳେ ସାଧାରଣ ନାଗରିକଙ୍କ ସୁରକ୍ଷା ଚୁଲିକୁ ଯାଇଛି। ଡିଜି-ଆଇଜି ସମ୍ମିଳନୀ ପରେ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଛନ୍ତି। ଆଗକୁ ପ୍ରବାସୀ ଭାରତୀୟଙ୍କ ସମ୍ମିଳନୀ ମଧ୍ୟ ରହିଛି। ତେଣୁ ରାଜଧାନୀରେ ସାଧାରଣ ଜନତାଙ୍କ ମୁଣ୍ଡବିନ୍ଧା ବଢ଼ିଗଲାଣି।

ଗତ ସପ୍ତାହରେ ସାରା ସହରରେ ପୁଲିସ ଛାଉଣୀ ଥିଲା। ଡିଜି-ଆଇଜି ସମ୍ମିଳନୀକୁ ଆସିଥିବା ଭିଭିଆଇପିଙ୍କୁ ସୁରକ୍ଷା ଦେବା ଲାଗି ସବୁଠି ପୁଲିସ ପଇଁନ୍ତରା ମାରୁଥିଲା। ତଥାପି ଏହି ସମୟରେ ପୁଲିସର କଡ଼ା ସୁରକ୍ଷା ବଳୟ ଭେଦ କରି ଅପରାଧୀମାନେ ଗୋଟିଏ ପରେ ଗୋଟିଏ କାଣ୍ଡ ଭିଆଇ ଚାଲିଥିଲେ। ରାଜଧାନୀ ଉପକଣ୍ଠରେ ସିନ୍ଧିଚୋରି ଲୋକଙ୍କ ଭିତରେ କୋକୁଆଭୟ ଖେଳାଇଦେଇଥିଲା। ଗୋଟିଏ ରାତିରେ ପିପିଲି ଥାନା କୌଶଲ୍ୟାଗଙ୍ଗ ଫାଣ୍ଡି ପୁବାଶାସନସ୍ଥିତ ବିଶାଲ୍‌ ଗାର୍ଡେନ୍‌ ଆପାର୍ଟମେଣ୍ଟର ୪ଟି ଫ୍ଲାଟ୍‌ରେ ଦୁର୍ବୃତ୍ତମାନେ କଳାକନା ବୁଲାଇଦେଇଥିଲେ। ସେହି ସମୟରେ ଡିଜି-ଆଇଜି ସମ୍ମିଳନୀ ପାଇଁ ସୁରକ୍ଷା ଦାୟିତ୍ବରେ ପୁଲିସ ବ୍ୟସ୍ତ ଥିଲା। ଥାନାର ଅଧିକାରୀଙ୍କଠାରୁ ଆରମ୍ଭ କରି ତଳିଆ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଭିଭିଆଇପିଙ୍କ ସୁରକ୍ଷାରେ ଲାଗିପଡ଼ିଥିଲେ। ଥାନାରେ କେବଳ ଡିସିଓଙ୍କୁ ଛାଡ଼ିଲେ, ବାକି ଅନ୍ୟ କର୍ମଚାରୀଙ୍କୁ ଦେଖିବାକୁ ମିଳୁନଥିଲା। ଏହାର ଫାଇଦା ନେଇଥିଲେ ଅପରାଧୀ।

ଆଗକୁ ପ୍ରବାସୀ ଭାରତୀୟ ସମ୍ମିଳନୀ
ଭିଭିଆଇପି ସୁରକ୍ଷାରେ ମାତିଛି ପୁଲିସ
କେବେ ଅଲଗା ହେବ ଆଇନଶୃଙ୍ଖଳା?

ବର୍ତ୍ତମାନ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ପୂରା ସହରରେ ହାଇ ଆଲର୍ଟ ଜାରି ରହିଛି। ଆଗକୁ ପ୍ରବାସୀ ଭାରତୀୟ ସମ୍ମିଳନୀ। ତେଣୁ କମିସନରେଟ୍‌ ପୁଲିସ ପୁଣି ଲାଗିରହିବ ଭିଭିଆଇପି ସୁରକ୍ଷାରେ। ତେଣୁ ଅପରାଧୀମାନଙ୍କୁ ମିଳିବ ପର୍ଯ୍ୟାପ୍ତ ସୁଯୋଗ। ପୁଲିସ ରାଜପଥ ତଥା ଜନପଥରେ ଚେକିଂ କରିବା ବେଳେ ଅପରାଧୀମ‌ାନେ ଗଳିକନ୍ଦିରେ ଓ ଉପକଣ୍ଠରେ ମାତିଉଠିବେ। ନିୟମାନୁସାରେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୧୪୦ଜଣ ପୁଲିସ କର୍ମଚାରୀ ରହିବା କଥା। ଉଦ୍‌ବେଗର କଥା ୧୪୦ ବଦଳରେ ରାଜ୍ୟ ସରକାର ମାତ୍ର ୯୮ ପଦ ମଞ୍ଜୁର କରିଛନ୍ତି। ସେତକ ବି ନାହିଁ। ୯୮ ବଦଳରେ ବାସ୍ତବରେ ୮୩ଜଣ କାର୍ଯ୍ୟରତ ଅଛନ୍ତି। ରାଜଧାନୀର ଜନସଂଖ୍ୟା ୧୫‌ଲକ୍ଷ ଟପିବାକୁ ବସିଲାଣି। ସେହି ହିସାବରେ ପୁଲିସ କର୍ମଚାରୀ ନି‌‌ୟୋଜିତ ହେବା କଥା। କିନ୍ତୁ ଏବେ ରାଜଧାନୀରେ ୩୦%ରୁ ଅଧିକ ପୁଲିସ ପଦବି ଖାଲି ପଡ଼ିଛି। ଅନ୍ୟପଟେ ଲୋୟର୍‌ ପିଏମ୍‌ଜିରେ ବାରମ୍ବାର ଆଇନଶୃଙ୍ଖଳା ସ୍ଥିତି ଦେଖାଦେଉଛି। ତେଣୁ ଭିଭିଆଇପି ସୁରକ୍ଷା, ସମାବେଶ ଆଦିକୁ ଦୃଷ୍ଟିରେ ରଖି ରାଜଧାନୀର ଆଇନଶୃଙ୍ଖଳା ଓ ସାଧାରଣ ପୁଲିସ ବ୍ୟବସ୍ଥାକୁ ଅଲଗା କରିବା ପାଇଁ ବିଭିନ୍ନ ସମୟରେ ଗୃହ ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ତେଣୁ ଆଇନଶୃଙ୍ଖଳା ଓ ସାଧାରଣ ପୁଲିସ ପାଇଁ ଦୁଇ ଜଣ ଡିସିପିଙ୍କୁ ଦାୟିତ୍ବ ଦିଆଯିବ ବୋଲି ବିଭିନ୍ନ ସମୟରେ ଚର୍ଚ୍ଚା ମଧ୍ୟ ହୋଇଥିଲା। ମାତ୍ର ତାହା ସେମିତି ଆଲୋଚନାରେ ରହିଯାଇଛି। ବୁଦ୍ଧିଜୀବୀଙ୍କ କହିବା କଥା ଯେ ପର୍ଯ୍ୟନ୍ତ ଆଇନଶୃଙ୍ଖଳା ଓ ସାଧାରଣ ପୁଲିସ ବ୍ୟବସ୍ଥାକୁ ଅଲଗା କରାଯିବ ନାହିଁ, ସେ ପର୍ଯ୍ୟନ୍ତ ଲୋକ ଠିକ୍‌ ଭାବେ ନ୍ୟାୟ ପାଇପାରିବେ ନାହିଁ।

ସୌଜନ୍ୟ-ସମ୍ୱାଦ

Comments are closed.