ଗାର୍ଗୀ ଶତପଥୀ
ସମ୍ବଲପୁର: ୨୦ ବର୍ଷରୁ ଅଧିକ ସମୟ ହେଲା ସମ୍ବଲପୁରଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ କିଡ୍ନି ରୋଗ ପ୍ରବଣ ହୋଇସାରିଛି। ରେଢ଼ାଖୋଲ ଏନ୍ଏସି ଅନ୍ତର୍ଗତ କୁହି, ପୋଡ଼ାବଲଣ୍ଡା, ପୁରୁଣାଗ଼ଡ଼, ବଂଶାଜାଲ ସମେତ ୧୦ ପଞ୍ଚାୟତରେ ରୋଗୀସଂଖ୍ୟା ବଢ଼ିବାରେ ଲାଗିଛନ୍ତି। ତ୍ରିବଣପୁର ପଞ୍ଚାୟତ ଓ କୁହିର ଅବସ୍ଥା ଏଭଳି ଯେ ଅଧିକାଂଶଙ୍କ ଘରେ ଅନ୍ୟୂନ ଜଣେ କିଡ୍ନି ରୋଗରେ ପୀଡ଼ିତ କିମ୍ବା ମୃତ। ସ୍ବାସ୍ଥ୍ୟ ବିଭାଗର ବାରମ୍ବାର ସୁପାରିସ ପରେ ବି ଜଳଯୋଗାଣ ବ୍ୟବସ୍ଥାକୁ ବଦଳାଉନି ଆର୍ଡବ୍ଲ୍ୟୁଏସ୍ଏସ୍। ଅବସ୍ଥା ସାଂଘାତିକ ହେବା ପରେ ବି ରୋଗର କାରଣ କେହି ଖୋଜୁନାହାନ୍ତି।
ଦୁଇମାସ ପୂର୍ବରୁ କିଡ୍ନି ରୋଗରେ ଭେଣ୍ଡିଆ ପୁଅ ଅଚ୍ୟୁତ (୩୬)ଙ୍କୁ ହରାଇ ଅସହାୟ ହୋଇଯାଇଛନ୍ତି ତ୍ରିବଣପୁର ଗାଁର ଜ୍ୟୋଷ୍ଠ (୬୦)। ଏହି ଗୋଟିଏ ବର୍ଷରେ ସଡ଼କ ଦୁର୍ଘଟଣାରେ ନାତି, ହୃଦ୍ଘାତରେ ସ୍ତ୍ରୀଙ୍କୁ ବି ହରାଇଥିଲେ। ଗତବର୍ଷ କିଡ୍ନି ରୋଗ ସଢ଼ୁ ତଥା ପଡ଼ୋଶୀ ଭବନ ଦେହୁରୀ (୫୪)ଙ୍କ ଜୀବନ ନେଇଥିଲା। ଏତେ କଷ୍ଟ ଭିତରେ ଜ୍ୟୋଷ୍ଠ(୬୦) ନିଜର କିଡ୍ନି ରୋଗକୁ ଭୁଲି ଯାଇଛନ୍ତି ଯେମିତି। ଆଙ୍ଗୁଠି ବଙ୍କା ହୋଇଯାଇଛି।
ଏହା ସତ୍ତ୍ବେ ଚାଷ କାମରେ ଲାଗିଛନ୍ତି। ତାଙ୍କ ଘରଠାରୁ ଆଉ କିଛି ବାଟ ପରେ ଗତମାସ କିଡ୍ନି ରୋଗ ଚିହ୍ନଟ ହୋଇଥିବା ରଥପଡ଼ାର ନାମମାତ୍ର ଚାଷୀ କେଶନ ଷଣ୍ଢ (୫୮)ଙ୍କ ସହ ଦେଖା ହୋଇଥିଲା। ପାଖରେ ଟଙ୍କାଟିଏ ନାହିଁ। ଔଷଧ ସରିଗଲାଣି। ଗୁଜରାଟକୁ ଯାଇଥିବା ପୁଅ ଟଙ୍କା ପଠାଇଲେ ବୁର୍ଲା ଯାଇ ଡାକ୍ତର ଦେଖାଇ ଔଷଧ ଆଣିବେ ବୋଲି କହନ୍ତି। କେଶନଙ୍କ ଘରକୁ ଲାଗି ରହୁଥିବା ବୋଧରାମ ସାହୁ, ଜମେଶ୍ବର ବେହେରା, ନବୀନ ଷଣ୍ଢ, ନାଥ ଦେହୁରୀ, ବସନ୍ତ ରାଉତ, ବେଣୁଧର ବେହେରା ସମସ୍ତେ ଏହି ରୋଗରେ ଆକ୍ରାନ୍ତ ଅଛନ୍ତି। ରବିବାର ଦିନ କେଶନଙ୍କ ପଡ଼ୋଶୀ ୪୫ ବର୍ଷୀୟ ଦକ୍ଷ ପ୍ରଧାନଙ୍କ ଅଜଣା ରୋଗରେ ମୃତ୍ୟୁ ହୋଇଛି। ସମସ୍ତଙ୍କ ପାଣି ଉତ୍ସ ବି ଗୋଟିଏ। ତ୍ରିବଣପୁର ଗାଁରେ ଆଜି ସୁଦ୍ଧା ୧୮ ଜଣ ଆକ୍ରାନ୍ତ, ୨ ମୃତ ଏବଂ ପଞ୍ଚାୟତରେ ୭୩ ଆକ୍ରାନ୍ତ ଓ ୨୫ଜଣଙ୍କ ମୃତ୍ୟୁ ହୋଇଛି। ଆର୍ଡବ୍ଲୁଏସ୍ଏସ୍ ପକ୍ଷରୁ ମହାନଦୀରୁ ଜଳଯୋଗାଣ ବ୍ୟବସ୍ଥା ହୋଇଛି। କିନ୍ତୁ ନଳକୂଅ ପାଣି ଉପରେ ହିଁ ଲୋକେ ନିର୍ଭରଶୀଳ। ମାତ୍ର ୫୦୦ ଜନବସତି ଥିବା ରାହାଣ ଗାଁରେ ୧୦ ଆକ୍ରାନ୍ତ ଅଛନ୍ତି। ୨ ମାସ ମଧ୍ୟରେ ୨ ଜଣଙ୍କ ମୃତ୍ୟୁ ହୋଇଛି।
୨୦୧୭ ମସିହାରୁ ପୀଡ଼ିତ ରମେଶ ନାଏକ କହନ୍ତି, ତାଙ୍କ ଘର ପାଖ ନଳକୂଅ ପାଣିରେ ବିଭିନ୍ନ ପ୍ରକାର ଲୁହାଗୁଣ୍ଡ ବାହାରୁଥିଲା। ଯାହା ତାଙ୍କ କିଡ୍ନି ରୋଗର କାରଣ ସାଜିଛି। ୨୦୧୪ ମସିହାରୁ ଏହି ରୋଗରେ ପୀଡ଼ିତ ହୋଇ ସର୍ବସ୍ବାନ୍ତ ହୋଇ ସାରିଛନ୍ତି କୁହି ଗାଁର ସୁମନ୍ତ ସେଠ୍ (୪୫)। ପ୍ରତି ସପ୍ତାହରେ ୩ ଥର ଡାଏଲିସିସ୍ ହେଉଛି। ୨୦୦୫ ମସିହାରୁ ଏହି ଗାଁରେ ପ୍ରତି ଘରେ କିଡ୍ନି ରୋଗୀ। ଅଧିକାଂଶ ପରିବାରରେ କେବଳ ବିଧବା ମହିଳା। ବର୍ତ୍ତମାନ କୁହିରେ ୮ ଜଣ ପୀଡ଼ିତ ଅଛନ୍ତି। ଦେଢ଼ବର୍ଷ ମଧ୍ୟରେ ୪୦-୪୫ ବର୍ଷୀୟ ୪ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୪ ମସିହାରେ କୁହି, ପୋଡ଼ାବଲଣ୍ଡାର କିଡ୍ନି ରୋଗକୁ ନେଇ ମାନବାଧିକାର କମିସନ୍ଙ୍କ ନିକଟରେ ଅଭିଯୋଗ ପରେ ଏକ ଟିମ୍ ପରିଦର୍ଶନ କରିଥିଲା। କିନ୍ତୁ କିଛି ଲାଭ ହେଲାନି। ଏଡିଏମ୍ଓ ପିଏଚ୍ ଡାକ୍ତର ଅଶୋକ ଦାସ କହିଛନ୍ତି, କିଡ୍ନି ରୋଗରେ ଆକ୍ରାନ୍ତଙ୍କୁ ମାଗଣାରେ ଔଷଧ ଦିଆଯାଉଛି। ବିଭିନ୍ନ ଜଳନମୁନା ପରୀକ୍ଷଣ ପରେ ଲୁହାଗୁଣ୍ଡ ଚିହ୍ନଟ ହୋଇଥିବା କହିଛନ୍ତି। ଅନ୍ୟ ଏକ ସୂତ୍ର ଅନୁସାରେ, ରେଢ଼ାଖୋଲ ଡାକ୍ତରଖାନାରେ ମାସକୁ ୨୫୦ ଜଣଙ୍କ ଡାଏଲିସିସ୍ କରା ଯାଉଥିବାବେଳେ ଆଉ ୬୦ ଜଣ ଔଷଧ ନେଉଛନ୍ତି। ଏହାବାଦ ଅନେକ ଲୋକ ବୌଦ୍ଧ ଡାକ୍ତରଖାନା, ଭିମସାର ଓ ଘରୋଇ ଡାକ୍ତରଖାନାଗୁଡ଼ିକରେ ଡାଏଲିସିସ୍ କରାଉଛନ୍ତି। ଔଷଧ ମଧ୍ୟ ଅଧିକାଂଶ ବାହାରୁ ଖାଉଛନ୍ତି।
ସୌଜନ୍ୟ ସମ୍ବାଦ