Breaking News

ଅଲ୍ଲୁଙ୍କର, ଅଲ୍ଲୁଙ୍କ ଦ୍ବାରା, ଅଲ୍ଲୁଙ୍କ ପାଇଁ

ପ୍ରଥମ ‘ପୁଷ୍ପା’ ଚଳଚ୍ଚିତ୍ରରେ ପୁଷ୍ପା ରାଜ (ଅଲ୍ଲୁ ଅର୍ଜୁନ) କାଠ କୁଲିରୁ ଜଣେ ଉଦୀୟମାନ ଚନ୍ଦନ ତସ୍କର ପାଲଟିବାର କାହାଣୀ ଦେଖିବାକୁ ମିଳିଥିବା ବେଳେ ଏହି ଦ୍ବିତୀୟ ଭାଗରେ ସେ ଗୋଟିଏ ରାଜ୍ୟର ଶାସନ କ୍ଷମତାକୁ ଅକ୍ତିଆର କରିବାକୁ ଉଦ୍ୟମ କରୁଛି...

ପ୍ରଥମ ‘ପୁଷ୍ପା’ ଚଳଚ୍ଚିତ୍ରରେ ପୁଷ୍ପା ରାଜ (ଅଲ୍ଲୁ ଅର୍ଜୁନ) କାଠ କୁଲିରୁ ଜଣେ ଉଦୀୟମାନ ଚନ୍ଦନ ତସ୍କର ପାଲଟିବାର କାହାଣୀ ଦେଖିବାକୁ ମିଳିଥିବା ବେଳେ ଏହି ଦ୍ବିତୀୟ ଭାଗରେ ସେ ଗୋଟିଏ ରାଜ୍ୟର ଶାସନ କ୍ଷମତାକୁ ଅକ୍ତିଆର କରିବାକୁ ଉଦ୍ୟମ କରୁଛି, ଯେଉଁ କାରଣରୁ ଏହାର ନାମ ସହିତ ‘ଦି ରୁଲ୍‌’ ଉପନାମ ଯୋଡ଼ାଯାଇଛି। ତା’ ଭିତରେ ସେ ନିଜ ସାମାଜିକ ପରିଚୟ ପାଇଁ ସଂଘର୍ଷ କରୁଛି, ନିଜ ଚନ୍ଦନ ତସ୍କର ସିଣ୍ଡିକେଟ୍‌କୁ ଅନ୍ତର୍ଜାତୀୟ ସ୍ତରକୁ ନେବାର ମହତ୍ତ୍ବାକାଂକ୍ଷା ପୋଷଣ କରୁଛି, ମହିଳା ବେଶ ଧାରଣ କରି ନାରୀ ସମ୍ମାନର ରକ୍ଷା ପାଇଁ ରକ୍ତପାତର ସୁଅ ଛୁଟାଇଦେଉଛି ଏବଂ ସର୍ବୋପରି ଦର୍ଶକଙ୍କ ସମ୍ମୁଖରେ ପ୍ରେମର ଆଉ ଏକ ଅସମ୍ଭବ ଆଦର୍ଶ ପ୍ରତିଷ୍ଠା କରୁଛି।

ଯଦି ଏହି ଦ୍ବିତୀୟ ଭାଗ ଚଳଚ୍ଚିତ୍ରଟି ତାହାର ପୂର୍ବ ଭାଗକୁ କୌଣସି କ୍ଷେତ୍ରରେ ଅତିକ୍ରମ କରିଛି ତାହା ହେଉଛି ଏହାର ଅସୀମ ମନେ ହେଉଥିବା ଦୀର୍ଘତା। ଭାରତରେ ନିଷିଦ୍ଧ ହୋଇସାରିଥିବା ‘ଟିକ୍‌ଟକ୍‌’ ଓ ବର୍ତ୍ତମାନ ସମୟରେ ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରଚଳିତ ରିଲ୍‌ ଭିଡିଓରେ ଦୃଶ୍ୟର ନାଟକୀୟତା ବଢ଼ାଇବା ଲାଗି ‘ସ୍ଲୋ ମୋସନ୍‌’ କୌଶଳର ପ୍ରଚୁର ବ୍ୟବହାର କରାଯାଇଥାଏ। ‘ପୁଷ୍ପା ୨’ ସିନେମା ସେହିଭଳି ଶହଶହ ‘ସ୍ଲୋ ମୋସନ୍‌’ ରିଲ୍‌ର ସମାହାର କହିବା ଭୁଲ୍ ହେବ ନାହିଁ। ସବୁଥିରେ ଅଲ୍ଲୁ ଅର୍ଜୁନଙ୍କ ସୁଠାମ ଶରୀର, ଠାଣି, ଆକ୍ସନ୍, ନୃତ୍ୟନୈପୁଣ୍ୟ, ବିଚକ୍ଷଣତା ସମ୍ବଳିତ ଚମକପ୍ରଦ ଦୃଶ୍ୟଗୁଡ଼ିକୁ କର୍ଣ୍ଣଭେଦୀ ପ୍ରଚ୍ଛଦ ସଂଗୀତ ସହିତ ଉପସ୍ଥାପନ କରାଯାଇଛି।

ଏହି ଚଳଚ୍ଚିତ୍ର ଶୃଙ୍ଖଳା ଜରିଆରେ ମାଲୟାଲୀ ତାରକା ଫହାଦ ଫାସିଲ ତେଲୁଗୁ ଜଗତ୍‌ରେ ପଦାର୍ପଣ କରିଥିଲେ। ତେବେ ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ପୁଷ୍ପା ରାଜ ସମ୍ମୁଖରେ କେବଳ ଏସ୍‌ପି ଶେଖାଵତ ଚରମ ଅପମାନ ସହିନାହାନ୍ତି, ସେହି ଭୂମିକାରେ ଅଭିନୟ କରିଥିବା ଫହାଦଙ୍କ ପ୍ରତି ମଧ୍ୟ ତାହା ଅପମାନଜନକ ମନେ ହେଉଛି। ପୁଷ୍ପାର ବଡ଼ ଶତ୍ରୁ ରୂପେ ଉପସ୍ଥାପିତ ଏସ୍‌ପି ଶେଖାଵତ ଆତ୍ମମୁଗ୍‌ଧତାରେ ବୁଡ଼ିରହିଥିବା ଜଣେ ହାସ୍ୟାସ୍ପଦ ବାଚାଳ ବୋଲି ଶେଷ ଆଡ଼କୁ ପ୍ରମାଣିତ ହୋଇଛି। ଏହା ଦର୍ଶାଇଥାଏ ଯେ ଏହା କେବଳ ଆଉ କେବଳ ଅଲ୍ଲୁ ଅର୍ଜୁନଙ୍କ ସିନେମା। ଅଲ୍ଲୁ ଅର୍ଜୁନ ନିଜ ଚରିତ୍ରର ମହାମାନବୀୟ ଆବେଦନକୁ ବିଶ୍ବସନୀୟ ଢଙ୍ଗରେ ଉପସ୍ଥାପନ କରିବାରେ ସଫଳ ହୋଇଛନ୍ତି, ଯାହା ପ୍ରଶଂସନୀୟ। ସିନେମାର ଆଉ ଏକ ବୈଶିଷ୍ଟ୍ୟ ହେଉଛି ଏହାର ଆଖିଝଲସା ସିନେମାଟୋଗ୍ରାଫି। ତେବେ ପ୍ରଥମ ସିନେମାର ନୃତ୍ୟ ଓ ଗୀତ ଦେଶବ୍ୟାପୀ ଚହଳ ସୃଷ୍ଟି କରିଥିବାବେଳେ ସଦ୍ୟ ଭାଗର ନୃତ୍ୟଗୀତ ବିଶେଷ ମନଛୁଆଁ ହୋଇପାରିନାହିଁ। ବଲିଉଡ୍‌ର କୁଖ୍ୟାତ ସିନେମା ‘ଆନିମଲ୍‌’ ସହିତ ‘ପୁଷ୍ପା ୨’କୁ ତୁଳନା କରିବା ବିଭିନ୍ନ ଦୃଷ୍ଟିରୁ ଯଥାର୍ଥ ମନେ ହୁଏ। ହିଂସାପ୍ରିୟ ମୁଖ୍ୟ ଚରିତ୍ରର ଆବଶ୍ୟକତା ପୂରଣ କରୁଥିବା ଉତ୍ସର୍ଗୀକୃତ ପତ୍ନୀ ଭାବେ ଉଭୟ ଚଳଚ୍ଚିତ୍ରରେ ରଶ୍ମିକା ମନ୍ଦାନାଙ୍କୁ ବ୍ୟବହାର କରାଯାଇଛି। ଏଥିରେ ଅବଶ୍ୟ ପତ୍ନୀଙ୍କ ଇଚ୍ଛା ପୂରଣ କରିବାକୁ ପୁଷ୍ପା ରାଜ୍ୟର ସରକାର ବଦଳାଇଦେବା ଭଳି କାର୍ଯ୍ୟ କରିଥିଲେ ହେଁ ତାହା ପଛରେ ନାରୀ ସମ୍ମାନ କମ୍, ପୁରୁଷର ଅହଂକାରର ଭୂମିକା ଯେ ସର୍ବୋପରି, ସେ ନେଇ କୌଣସି ସନ୍ଦେହ ପୋଷଣ କରିବା ଅନୁଚିତ। ‘ଆନିମଲ୍‌’ରେ ପୁଲିସ ବ୍ୟବସ୍ଥା ସଂପୂର୍ଣ୍ଣ ଅନୁପସ୍ଥିତ ଥିବାବେଳେ ‘ପୁଷ୍ପା ୨’ରେ ପୁଲିସକୁ ନିୟନ୍ତ୍ରଣ କରୁଥିବା ସରକାର ସୁଦ୍ଧା ପୁଷ୍ପା ପକ୍ଷରେ ଅଛି। ‘ଆନିମଲ୍‌’ରେ ଯେମିତି ପିତାଙ୍କ ସ୍ନେହ ପାଇବା ପାଇଁ ପୁଅ କିଛି ବି କରିବାକୁ ପ୍ରସ୍ତୁତ, ଏଠାରେ ସେମିତି ପୁଷ୍ପା ଅବୈଧ ସନ୍ତାନର କଳଙ୍କରୁ ମୁକ୍ତ ହେବା ପାଇଁ ନିଜ ଜୀବନ ଓ ବେଆଇନ ସାମ୍ରାଜ୍ୟକୁ ବାଜି ଲଗାଇବାକୁ ସଂକୋଚ କରୁନାହିଁ।

ନିର୍ମାତା ସୁକୁମାର ଚତୁରତାର ସହିତ ଜଣେ ଚନ୍ଦନ ଦସ୍ୟୁ ଭିଆଉଥିବା ଅବିଚାରିତ ହିଂସାକୁ ଯଥାର୍ଥ ଦର୍ଶାଇବା ଲାଗି ତାକୁ ନାରୀ ସମ୍ମାନ ରକ୍ଷାକର୍ତ୍ତା ଭାବେ ପ୍ରଦର୍ଶନ କରିଛନ୍ତି। ପ୍ରାୟ ସାଢ଼େ ତିନି ଘଣ୍ଟାର ଏହି ସିନେମା ଯେକୌଣସି ଚିନ୍ତାଶୀଳ ଦର୍ଶକର ବିବେଚନାବୋଧକୁ ପ୍ରଶ୍ନସଂକୁଳ କରିପକାଇବାକୁ ଯଥେଷ୍ଟ। ଆକ୍ସନ୍‌ ଚଳଚ୍ଚିତ୍ର ଦେଖିବାକୁ ଭଲପାଉଥିବା ଦର୍ଶକଙ୍କୁ ମଧ୍ୟ ଏହାର ଅନେକ ଦୃଶ୍ୟ ହାସ୍ୟାସ୍ପଦ ଲାଗିପାରେ। କହିବା ବାହୁଲ୍ୟ ଯେ ଏହି ସିନେମା ଦେଖି ଯଦି କେହି ମହତ୍ତ୍ବାକାଂକ୍ଷା, ପାରିବାରିକ ମୂଲ୍ୟବୋଧ, ନାରୀ ସୁରକ୍ଷା, ରାଜନୈତିକ ବ୍ୟବସ୍ଥା ନେଇ ଆଦର୍ଶ ପୋଷଣ କରନ୍ତି ତେବେ ତାହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ।

ସୌଜନ୍ୟ-ସମ୍ୱାଦ

Comments are closed.