ସମ୍ପାଦକୀୟ

Editorial: ଲୁହା ପଞ୍ଜୁରି

ସୁଲେଙ୍କ ପ୍ରସ୍ତାବର ସମାଲୋଚକମାନେ କିନ୍ତୁ ଯୁକ୍ତି କରିଥାନ୍ତି ଯେ ଭାରତ ଭଳି ଏକ ଜନବହୁଳ ବିକାଶଶୀଳ ଦେଶ ପାଇଁ ସଂଯୋଗ ଛିନ୍ନ ଅଧିକାର ହେଉଛି ଏକ ଦୁର୍ମୂଲ୍ୟ ବିଳାସ।

ସୁଲେଙ୍କ ପ୍ରସ୍ତାବର ସମାଲୋଚକମାନେ କିନ୍ତୁ ଯୁକ୍ତି କରିଥାନ୍ତି ଯେ ଭାରତ ଭଳି ଏକ ଜନବହୁଳ ବିକାଶଶୀଳ ଦେଶ ପାଇଁ ସଂଯୋଗ ଛିନ୍ନ ଅଧିକାର ହେଉଛି ଏକ ଦୁର୍ମୂଲ୍ୟ ବିଳାସ। ଏମାନଙ୍କ ଯୁକ୍ତି ଅନୁସାରେ ଭାରତକୁ ଯେତେ ଶୀଘ୍ର ସମ୍ଭବ ଏକ ବିକଶିତ ଦେଶରେ ପରିଣତ କରିବାକୁ ହେଲେ ଭାରତୀୟମାନଙ୍କୁ କଠିନ ପରିଶ୍ରମ କରି ନିଜର ଉତ୍ପାଦନଶୀଳତାରେ ଉତ୍ତରୋତ୍ତର ବୃଦ୍ଧି ଘଟାଇବାକୁ ପଡ଼ିବ। ଏମାନେ କିନ୍ତୁ ଏଭଳି ଯୁକ୍ତି ମାଧ୍ୟମରେ ଭ୍ରମାତ୍ମକ ଭାବରେ ଶ୍ରମିକର ଶୋଷଣକୁ ଉତ୍ପାଦନଶୀଳତା ସହିତ ସମାନ କରି ଦେଇଥାନ୍ତି।

ଗତ ସପ୍ତାହରେ ‘ଏନ୍‌ସିପି’ ସାଂସଦ ସୁପ୍ରିୟା ସୁଲେ ଲୋକସଭାରେ ଆଗତ କରିଥିବା ଏକ ନିର୍ଦଳୀୟ ବିଧେୟକ (ପ୍ରାଇଭେଟ୍ ମେମ୍ବର୍ସ ବିଲ୍) ବର୍ତ୍ତମାନ ଦେଶବ୍ୟାପୀ ଏକ ଅନ୍‌ଲାଇନ୍ ଝଡ଼ ଆରମ୍ଭ କରି ଦେଇଥିବା ଦେଖାଯାଇଛି। ସାଧାରଣତଃ ସଂସଦରେ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ କେବଳ ମାତ୍ର ଏକ ଔପଚାରିକତା ସଦୃଶ ହୋଇଥାଏ ଏବଂ ଏହାକୁ ସର୍ବନିମ୍ନ ଗୁରୁତ୍ବ ପ୍ରଦାନ କରାଯାଇଥାଏ। ତେଣୁ ସୁପ୍ରିୟା ସୁଲେଙ୍କ ଦ୍ବାରା ଉପସ୍ଥାପିତ ବିଲ୍‌ଟି ସୃଷ୍ଟି କରିଥିବା ଆଲୋଡ଼ନ ଏହାକୁ ଏକ ବିରଳ ବ୍ୟତିକ୍ରମରେ ପରିଣତ କରିଥାଏ। ଏଠାରେ ଉଲ୍ଲେଖଯୋଗ୍ୟ, ଏହି ବିଲ୍‌ଟି ହେଉଛି ଶ୍ରୀମତୀ ସୁଲେ ୨୦୧୮ରେ ଉପସ୍ଥାପିତ କରିଥିବା ଅନୁରୂପ ଏକ ବିଲ୍‌ର ପରିବର୍ଦ୍ଧିତ ସଂସ୍କରଣ।
ବର୍ତ୍ତମାନ ସେ ଆଗତ କରିଥିବା ବିଲ୍‌ଟିର ଶୀର୍ଷକରୁ ଏହାର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଥାଏ: ‘ଦି ରାଇଟ୍ ଟୁ ଡିସ୍‌କନେକ୍ଟ ବିଲ୍, ୨୦୨୫’ (‘ଯୋଗାଯୋଗ ଛିନ୍ନ କରିବାର ଅଧିକାର ବିଧେୟକ, ୨୦୨୫’)। ନିର୍ଦ୍ଧାରିତ କାର୍ଯ୍ୟ ସମୟ ଅତିକ୍ରାନ୍ତ ହେବା ପରେ କୌଣସି କାର୍ଯ୍ୟ ସଂପର୍କିତ ଇମେଲ୍ ବା ଫୋନ୍ କଲ୍ ଆଦିର ଉତ୍ତର ନ ଦେବା ପାଇଁ କର୍ମଚାରୀମାନଙ୍କୁ ଆଇନଗତ ଅଧିକାର ପ୍ରଦାନ ହେଉଛି ବିଲ୍‌ଟିର ଉଦ୍ଦେଶ୍ୟ। ବିଲ୍‌ଟି ଯଦି ପାରିତ ହୋଇ ଆଇନରେ ପରିଣତ ହୁଏ, ତେବେ କାର୍ଯ୍ୟ ସମୟ ପରେ ଏଭଳି ଯୋଗାଯୋଗ ବିଚ୍ଛିନ୍ନ କରିବା ଯୋଗୁଁ ସଂପୃକ୍ତ କର୍ମଚାରୀଙ୍କୁ ଦଣ୍ଡିତ କରାଯାଇ ପାରିବ ନାହିଁ। ବିଲ୍‌ଟିରେ ଯୁକ୍ତି କରାଯାଇଛି ଯେ ଏଭଳି ଅଧିକାର କର୍ମଚାରୀମାନଙ୍କର ଶାରୀରିକ ଓ ମାନସିକ କ୍ଳାନ୍ତିରେ ହ୍ରାସ ସାଧନ କରି ସେମାନଙ୍କର କାର୍ଯ୍ୟଦକ୍ଷତା ଓ ଉତ୍ପାଦନଶୀଳତାରେ ଉନ୍ନତି ଘଟାଇବ।
ଗତ ବର୍ଷ ‘ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ସାଇକିଆଟ୍ରି’ରେ ପ୍ରକାଶିତ ଏକ ଅନୁଶୀଳନ ଅନୁସାରେ ଆମ ଦେଶରେ କାର୍ଯ୍ୟରତ କର୍ମଚାରୀମାନଙ୍କ ମଧ୍ୟରୁ ୬୦ ଶତାଂଶ ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଗୁରୁତର ଶାରୀରିକ ଓ ମାନସିକ ଅବସନ୍ନତାର ଶିକାର ହୋଇଥାନ୍ତି। ଅନ୍ୟ ଏକ ଅନୁଶୀଳନ ଅନୁସାରେ ‌ସଂପ୍ରତି ‘ଆଇଟି’ କ୍ଷେତ୍ରରେ ନିଯୁକ୍ତ କର୍ମୀମାନଙ୍କ ମଧ୍ୟରୁ ୭୨ ଶତାଂଶ ସପ୍ତାହକୁ ନିର୍ଦ୍ଧାରିତ ୪୮ ଘଣ୍ଟା ସ୍ଥାନରେ ୭୦ ଘଣ୍ଟା ଧରି କାର୍ଯ୍ୟ କରିଥାନ୍ତି। ସେତିକି ନୁହେଁ, ବିଶେଷ କରି କୋଭିଡ୍ ସମୟରେ ଆରମ୍ଭ ହୋଇ ବର୍ତ୍ତମାନ ‘ଘରେ ଥାଇ କାମ’ (‘ୱର୍କ ଫ୍ରମ୍ ହୋମ୍’) ବ୍ୟବସ୍ଥା ପ୍ରାୟ ସ୍ଥାୟିତ୍ବ ଲାଭ କରିବା ପରେ ଅଧିକାଂଶ କର୍ମୀମାନେ ବସ୍ତୁତଃ ଅହରହ ନିଜର କାର୍ଯ୍ୟ ନିୟନ୍ତ୍ରକଙ୍କ ସହିତ ସଂଯୁକ୍ତ ଅବସ୍ଥାରେ ରହିଥିବା ଦେଖାଯାଇଥାଏ। ପୁଣି ପାରିବାରିକ ଦାୟିତ୍ବ ବହନ ସହିତ ମିଶି ଏହା ମହିଳା କର୍ମଚାରୀମାନଙ୍କ ପାଇଁ କିଭଳି ଅସହନୀୟ ବୋଝ ସୃଷ୍ଟି କରିଥାଏ ତାହା ସହଜେ ଅନୁମେୟ।

ଯୋଗ ନିମିତ୍ତ ଉପଲବ୍‌ଧ ରହିବା ତାଙ୍କର କର୍ତ୍ତବ୍ୟ ପରାୟଣତା ଓ କଂପାନିର ଉନ୍ନତି ପ୍ରତି ତାଙ୍କର ପ୍ରତିବଦ୍ଧତାର ପରିଚାୟକ ରୂପେ ବିବେଚିତ ହୋଇଥାଏ। ଏହା ସେମାନଙ୍କୁ ପଦୋନ୍ନତି ଲାଭ କରି କର୍ପୋରେଟ୍ ଶିଡ଼ି ଚଢ଼ିବାରେ ସହାୟକ ହୋଇଥାଏ। ସେମାନେ ଯେତେବେଳେ ବରିଷ୍ଠ ପଦ ମଣ୍ଡନ କରି ପରିଚାଳନା ଦାୟିତ୍ବ ନିର୍ବାହ କରନ୍ତି, ସେତେବେଳେ ସେମାନେ ନିଜର ମୋଟା ବେତନର ଯଥାର୍ଥତା ସାବ୍ୟସ୍ତ କରିବା ପାଇଁ ଦ୍ବିଗୁଣ ଉତ୍ସାହରେ କାର୍ଯ୍ୟ କରିବା ସହିତ କନିଷ୍ଠମାନଙ୍କୁ ଅନୁରୂପ ଭାବରେ ଚାପଗ୍ରସ୍ତ କରିବାରେ ଲାଗନ୍ତି। ଏହି କର୍ମସଂସ୍କୃତି କିପରି କର୍ପୋରେଟ୍ କ୍ଷେତ୍ରରେ ନିଯୁକ୍ତ ପ୍ରତ୍ୟେକଙ୍କର ‘କାର୍ଯ୍ୟ-ଜୀବନ ସନ୍ତୁଳନ’ (ୱର୍କ-ଲାଇଫ୍ ବାଲାନ୍‌ସ’)ର ଧ୍ବଂସ ସାଧନ କରିଥାଏ, ତାହା କାହାରିକୁ ଅବିଦିତ ନୁହେଁ। ଭାରତରେ ଏହି ସମସ୍ୟା କିଭଳି ଉତ୍କଟତମ ସ୍ତର ସ୍ପର୍ଶ କଲାଣି, ତାହାର ପ୍ରମାଣ ବହନ କରିଥାଏ ଗତ ବର୍ଷ ‘ଇଣ୍ଟର୍‌ନେସନାଲ୍ ଲେବର୍ ଅର୍ଗାନାଇଜେସନ୍’ (‘ଆଇଏଲ୍‌ଓ’) ଦ୍ବାରା ପ୍ରକାଶିତ ଏ ସଂପର୍କିତ ଏକ ତାଲିକା, ଯେଉଁଥିରେ ଭାରତକୁ ପୃଥିବୀର ଦ୍ବିତୀୟ ସର୍ବାଧିକ ଅତିଶ୍ରମପ୍ରବଣ (ଓଭର୍‌ୱର୍କଡ୍) ଦେଶର ସ୍ଥାନ ପ୍ରଦାନ କରାଯାଇଛି।
ଏହି ବିଷାକ୍ତ ପରିବେଶରୁ ମୁକ୍ତିର ଗୋଟିଏ ଉପାୟ ହେଉଛି ସୁପ୍ରିୟା ସୁଲେ ପ୍ରସ୍ତାବ ଦେଇଥିବା ଭଳି କର୍ମଚାରୀମାନଙ୍କୁ କାର୍ଯ୍ୟ ସମୟ ବାହାରେ କାର୍ଯ୍ୟ ସଂପର୍କିତ ଯୋଗାଯୋଗ ଛିନ୍ନ କରିବା ପାଇଁ ଅଧିକାର ପ୍ରଦାନ। ତାଙ୍କର ପ୍ରସ୍ତାବ ‌ଯେ ଅବାସ୍ତବ ନୁହେଁ, ତାହାର ପ୍ରମାଣ ସ୍ବରୂପ ଫ୍ରାନ୍‌ସ, ଇଟାଲି, ସିଙ୍ଗାପୁର ଆଦି ଦେଶମାନଙ୍କରେ ଏଇଭଳି ଆଇନମାନ କାର୍ଯ୍ୟକାରୀ ହେବା ଆରମ୍ଭ ହେଲାଣି।

ଯଦି କେବଳ ନୈତିକତା ଦୃଷ୍ଟିରୁ ବିଚାର କରାଯାଏ, ତେବେ ଯୋଗାଯୋଗ ଛିନ୍ନ କରିବାର ଅଧିକାର ମୌଳିକ ମାନବୀୟ ମର୍ଯ୍ୟାଦା ସୁରକ୍ଷା କରିବା ଦିଗରେ ଏକ ପଦକ୍ଷେପ ରୂପେ ଆବିର୍ଭୂତ ହୋଇଥାଏ। ମହାନ ଜର୍ମାନ୍ ଦାର୍ଶନିକ ଇମାନୁଏଲ୍ କାଣ୍ଟ୍‌ଙ୍କର ପ୍ରସିଦ୍ଧ ନୀତିସୂତ୍ରାବଳୀ ‘କାଟିଗରିକାଲ୍ ଇମ୍ପରେଟିଭ୍’ର ଦ୍ବିତୀୟ ସୂତ୍ର ଅନୁସାରେ ପ୍ରତ୍ୟେକ ମନୁଷ୍ୟ ଏକ ନିଃସର୍ତ୍ତ ଅନ୍ତର୍ନିହିତ ମର୍ଯ୍ୟାଦାର ଅଧିକାରୀ ହୋଇଥାଏ, କାରଣ ସେ ହେଉଛି ଏକ ବିବେକସଂଗତ (ରେସନାଲ୍) ପ୍ରାଣୀ। ତେଣୁ ଏହି ମାନବୀୟ ମର୍ଯ୍ୟାଦାକୁ ସ୍ବୀକୃତି ପ୍ରଦାନ ସ୍ବରୂପ କୌଣସି ମନୁଷ୍ୟକୁ କେବଳ କୌଣସି ଏକ ଲକ୍ଷ୍ୟ ହାସଲର ସାଧନ ରୂପେ ନ ଦେଖି, ତାକୁ ଖୋଦ୍ ଏକ ଲକ୍ଷ୍ୟ ରୂପେ ଦେଖିବା ଉଚିତ ବୋଲି କାଣ୍ଟ୍ କହିଛନ୍ତି। କିନ୍ତୁ ଅହରହ ସଂଯୋଗ ସଂପୃକ୍ତ କର୍ମଚାରୀ ରୂପକ ମନୁଷ୍ୟକୁ କେବଳ ଯେ କୌଣସି ସମୟରେ ଉପଲବ୍‌ଧ ଏକ ସାଧନ ମାତ୍ରରେ ପରିଣତ କରିଦେଇଥାଏ।
ଏହା ଦ୍ବାରା ସଂପୃକ୍ତ କର୍ମଚାରୀଙ୍କର ବିଧିବଦ୍ଧ କାର୍ଯ୍ୟ ସମୟ ବାହାରେ ଥିବା ନିଜର ବ୍ୟକ୍ତିଗତ ସମୟ ଆଉ ନିଜର ନିୟନ୍ତ୍ରଣରେ ରହି  ନ ଥାଏ, ଯାହା ବ୍ୟକ୍ତି ନିଜର ସ୍ବାଧୀନତା ହରାଇବା ସହିତ ସମାନ ବୋଲି କହିଲେ ଭୁଲ୍ ହେବ ନାହିଁ। ସେ ଜର୍ମାନ୍ ସମାଜବିଜ୍ଞାନୀ ମାକ୍ସ ୱେବର୍ ବର୍ଣ୍ଣିତ ‘ଲୌହ ପିଞ୍ଜରା’ ଭିତରେ ବନ୍ଦୀ ହୋଇ ରହେ। ଏହି ଲୌହ ପିଞ୍ଜରା ହେଉଛି ଲାଭ ଅନ୍ବେଷା କାର୍ଯ୍ୟର ପିଞ୍ଜରା, ଯେଉଁଠି ଉତ୍ପାଦନଶୀଳତା ଏକମାତ୍ର ଲକ୍ଷ୍ୟରେ ପରିଣତ ହୋଇଯାଇଥାଏ। ଆଜିର ଡିଜିଟାଲ ପୁଞ୍ଜିବାଦ ଅହରହ ସଂଯୋଗ ମାଧ୍ୟମରେ ଏଇ ପିଞ୍ଜରାର କାଠି ସବୁକୁ ଆହୁରି ଅଧିକ ମଜଭୁତ କରିଦେଇଛି, ଏବଂ ବନ୍ଦୀ ଉପରେ ଅନବରତ ନିଘା ରଖିବାକୁ ସହଜ କରିଦେଇଛି। ବିଚରା ବନ୍ଦୀ ପାଇଁ ତେଣୁ ପଳାୟନର ସମ୍ଭାବନା ଶୂନ୍ୟ ହୋଇଥାଏ।
ଏକ ସମାଜର ଅଧିକାଂଶ ଉତ୍ପାଦନଶୀଳ ସଦସ୍ୟମାନେ ଯେତେବେଳେ ଏହି ଲୌହ ପିଞ୍ଜରାରେ ବନ୍ଦ ହୋଇ ରହନ୍ତି, ସେତେବେଳେ ସେ ସମାଜ ଯେଉଁ ବିପଦର ସମ୍ମୁଖୀନ ହୋଇଥାଏ, ସେ ସମ୍ବନ୍ଧରେ ଏକ ବିରଳ ଦୂରଦୃଷ୍ଟିର ପରିଚୟ ଦେଇ ଚେତାଇ ଦେଇଥିଲେ ଆଉ ଜଣେ ଜର୍ମାନ୍ ଦାର୍ଶନିକା ହାନା ଆରେଣ୍ଟ୍। ବିଂଶ ଶତାବ୍ଦୀରେ ପ୍ରସିଦ୍ଧି ଲାଭ କରିଥିବା ଆରେଣ୍ଟ୍ ସତର୍କ କରିଦେଇଥିଲେ ଯେ ଏକ ଅତ୍ୟଧିକ ଶ୍ରମମନସ୍କ ସମାଜ ତା’ର ବିଚାର ଶକ୍ତି, ଚିନ୍ତା ଶକ୍ତି ହରାଇ ବସିଥାଏ। ଯେଉଁମାନେ ଅନବରତ କାର୍ଯ୍ୟ କରୁଥାନ୍ତି କିମ୍ବା କାର୍ଯ୍ୟ ପାଇଁ ଅପେକ୍ଷା କରୁଥାନ୍ତି, ସେଇ ଲୌହ ପିଞ୍ଜରାର ବନ୍ଦୀମାନେ ଅନ୍ୟ କୌଣସି ବୃହତ୍ତର ଚିନ୍ତନ ବା ଆଲୋଚନାରେ ଅଂଶଗ୍ରହଣ କରିପାରି ନଥାନ୍ତି, ଯାହା ଗଣତନ୍ତ୍ରକୁ ଦୁର୍ବଳ କରିଥାଏ।
ସୁଲେଙ୍କ ପ୍ରସ୍ତାବର ସମାଲୋଚକମାନେ କିନ୍ତୁ ଯୁକ୍ତି କରିଥାନ୍ତି ଯେ ଭାରତ ଭଳି ଏକ ଜନବହୁଳ ବିକାଶଶୀଳ ଦେଶ ପାଇଁ ସଂଯୋଗ ଛିନ୍ନ ଅଧିକାର ହେଉଛି ଏକ ଦୁର୍ମୂଲ୍ୟ ବିଳାସ। ଏମାନଙ୍କ ଯୁକ୍ତି ଅନୁସାରେ ଭାରତକୁ ଯେତେ ଶୀଘ୍ର ସମ୍ଭବ ଏକ ବିକଶିତ ଦେଶରେ ପରିଣତ କରିବାକୁ ହେଲେ ଭାରତୀୟମାନଙ୍କୁ କଠିନ ପରିଶ୍ରମ କରି ନିଜର ଉତ୍ପାଦନଶୀଳତାରେ ଉତ୍ତରୋତ୍ତର ବୃଦ୍ଧି ଘଟାଇବାକୁ ପଡ଼ିବ। ଏମାନେ କିନ୍ତୁ ଏଭଳି ଯୁକ୍ତି ମାଧ୍ୟମରେ ଭ୍ରମାତ୍ମକ ଭାବରେ ଶ୍ରମିକର ଶୋଷଣକୁ ଉତ୍ପାଦନଶୀଳତା ସହିତ ସମାନ କରି ଦେଇଥାନ୍ତି। ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ (‘ହୁ’) ଏବେ ଅବସନ୍ନତାକୁ ଏକ ବୃତ୍ତିଗତ ସ୍ବାସ୍ଥ୍ୟ-ବିପଦ ରୂପେ ସ୍ବୀକୃତି ପ୍ରଦାନ କରିଛି। ଅହରହ ସଂଯୋଗ କାର୍ଯ୍ୟର ଅମାନବୀକରଣ ଘଟାଇ ଏହି ବିପଦକୁ ବହୁଗୁଣିତ କରିଥାଏ। ସୁଲେ-ପ୍ରସ୍ତାବିତ ସଂଯୋଗ ଛିନ୍ନ କରିବାର ଅଧିକାର କର୍ମୀମାନଙ୍କୁ ଉପରୋକ୍ତ ଲୁହା ପଞ୍ଜୁରିରୁ ମୁକୁଳାଇ କାର୍ଯ୍ୟର ପୁନଃମାନବୀକରଣ ସାଧନ କରିବା ପାଇଁ ଉଦ୍ଦିଷ୍ଟ। ନିଯୁକ୍ତିଦାତାମାନେ ମନେ ରଖିବା ଉଚିତ ଯେ ଜଣେ ଯଥେଷ୍ଟ ବିଶ୍ରାମ ଓ ସ୍ବାଧୀନତା ପାଉଥିବା ପ୍ରଫୁଲ୍ଲଚିତ୍ତ କର୍ମୀର ଉତ୍ପାଦନଶୀଳତା ଜଣେ ଶୋଷିତ, ଅବସନ୍ନ କର୍ମୀର ଉତ୍ପାଦନଶୀଳତା ଠାରୁ ବହୁ ଅଧିକ ହୋଇଥାଏ।

 

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button