Breaking News

ରାଜ୍ୟରେ ବୃଦ୍ଧି ପାଉଛି ସଡ଼କ ଦୁର୍ଘଟଣା,୨୦୨୫ରେ ଆସିବ ନୂଆ ସଡ଼କ ସୁରକ୍ଷା ନୀତି

ଭୁବନେଶ୍ବର,୦୭/୧୨:ବଦଳୁଛି ସମୟ, ସମୟ ସହ ତାଳ ଦେଇ ବଦଳୁଛି ମଣିଷ । ଲୋକଙ୍କ ଜୀବନଧାରଣର ମାନ ବଢିବା ସହ ଜୀବନଶୈଳୀରେ ମଧ୍ୟ ଆସିଛି ପରିବର୍ତ୍ତନ । ଫଳରେ ଲୋକଙ୍କ ପାଖରେ ବାଇକ ଅଥବା ଚାରି ଚକିଆ ଯାନ ରହିବା ସ୍ବାଭାବିକ ।କିନ୍ତୁ ଏହା ସହ ରାଜ୍ୟରେ ବୃଦ୍ଧି ପାଉଛି ସଡ଼କ ଦୁର୍ଘଟଣା । ଏଥିପାଇଁ ସଡ଼କ ସୁରକ୍ଷା ପାଇଁ ନୀତି ପ୍ରଣୟନ ହେବା ସହ ପୁଳାପୁଳା ଯୋଜନା ବି ପ୍ରସ୍ତୁତ ହେଉଛି। କିନ୍ତୁ କମୁନି ଦୁର୍ଘଟଣା। ବଢୁଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା । ବିପର୍ଯ୍ୟସ୍ତ ସଡ଼କ ସୁରକ୍ଷାକୁ ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଅପରପକ୍ଷରେ ଦୁର୍ଘଟଣା ହ୍ରାସ ଲାଗି ପୂର୍ବରୁ ସଡ଼କ ସୁରକ୍ଷା ନୀତି-୨୦୧୫ ଲାଗୁ କରାଯାଇଥିଲା । ସେହି ଅନୁସାରେ ଅନେକ ଯୋଜନା ବି ହେଲା । ହେଲେ ତାର ସୁଫଳ କେହି ଅନୁଭବ କରିପାରିଲେ ନାହିଁ । ଏଭଳି ସ୍ଥିତିରେ ଏବେ ୨୦୨୫ରେ ଆଉ ଏକ ନୂଆ ସଡ଼କ ସୁରକ୍ଷା ନୀତି ପ୍ରଣୟନ କରାଯିବ ବୋଲି ସତ୍ୟପାଠରେ ଦର୍ଶାଯାଇଛି । ଝାରସୁଗୁଡ଼ା ସମେତ ସମଗ୍ର ରାଜ୍ୟରେ ବିପର୍ଯ୍ୟସ୍ତ ସଡ଼କ ବ୍ୟବସ୍ଥାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ମାମଲାରେ ହାଇକୋର୍ଟ ରାଜ୍ୟ ପରିବହନ ବିଭାଗକୁ ସଡ଼କ ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ସଡ଼କ ଦୁର୍ଘଟଣାରେ ବର୍ଷକୁ କେତେ ମୃତାହତ ହେଉଛନ୍ତି ତାହାର ମଧ୍ୟ ତଥ୍ୟ ପ୍ରଦାନ ଲାଗି କୁହାଯାଇଥିଲା ।

ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏକ ବିସ୍ତୃତ ସତ୍ୟପାଠ ଦାଖଲ କରାଯାଇଛି । ଏଥିରେ ସଡ଼କ ଦୁର୍ଘଟଣା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସଂକ୍ରାନ୍ତରେ ସୂଚନା ଦିଆଯାଇଛି । ସଡ଼କ ଦୁର୍ଘଟଣା ସମ୍ପର୍କିତ ସମସ୍ତ ତଥ୍ୟକୁ ଗୋଟିଏ ଜାଗାରେ ରଖିବା ଏବଂ ଏହି ଡାଟାକୁ ଆଧାର କରି ତୁରନ୍ତ ପଦକ୍ଷେପ ନେବାଲାଗି ‘ଇଣ୍ଟିଗ୍ରେଟେଡ୍‌ ରୋଡ୍‌ ଆକ୍ସିଡେଣ୍ଟ ଡାଟା ବେସ୍‌’ ପ୍ରସ୍ତୁତ କରାଯାଇଛି । ଏହି ଡାଟା ବେସ୍‌ ସହ ସମସ୍ତ ଟ୍ରମା କେୟାର, ଜିଲ୍ଲା ହସ୍ପିଟାଲକୁ ଯୋଡ଼ା ଯାଇଛି । ପ୍ରତ୍ୟେକ ୧୦୮ ଆମ୍ବୁଲାନ୍ସ ମଧ୍ୟ ଏଥିସହ ରହିଛନ୍ତି । ସତ୍ୟପାଠରେ ଦର୍ଶାଯାଇଛି ଯେ, ଦୁର୍ଘଟଣା ହ୍ରାସ ପାଇଁ ରାଜ୍ୟରେ ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ କାର୍ଯ୍ୟ ଚାଲିଛି । ଜାତୀୟ ରାଜପଥ, ରାଜ୍ୟ ରାଜପଥ, ବିଭିନ୍ନ ସହରର ଗଳିକନ୍ଦି ରାସ୍ତାରେ ସଡ଼କ ସୁରକ୍ଷା ସଂକ୍ରାନ୍ତ ସୂଚନା ବୋର୍ଡମାନ ଲଗାଯାଉଛି । ରାସ୍ତା କଡ଼ରେ ଯେପରି ଗାଡ଼ି ପାର୍କିଂ ନହେବ ସେଥିପାଇଁ ପଦକ୍ଷେପ ନିଆଯାଉଛି । ପିକ୍‌ନିକ୍‌ ଋତୁ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଉଛି । ଜାତୀୟ ରାଜପଥରେ ଦୂରଗାମୀ ଗାଡ଼ି ଚାଳକଙ୍କୁ ସତେଜ୍‌ ରଖିବା ଲାଗି ମାଗଣାରେ ଚା’ ଦେବାପାଇଁ ବ୍ୟବସ୍ଥା କରାଯାଇଛି । ସତ୍ୟପାଠରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି କି, ମଦୁଆ ଡ୍ରାଇଭର ଧରପଗଡ଼ ପାଇଁ ବ୍ରେଥ୍‌ ଆନାଲାଇଜର ଦିଆଯାଇଛି । ଟ୍ରାଫିକ୍‌ ଉଲ୍ଳଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତି ବୁଧବାରକୁ ‘ଜିରୋ ଟଲରାନ୍ସ ଡେ’ ଭାବେ ପାଳନ କରାଯାଉଛି । ଦ୍ରୁତ ଗତିରେ ଯାଉଥିବା ଗାଡ଼ି ଚିହ୍ନଟ ପାଇଁ ବିଭିନ୍ନ ଜିଲ୍ଲାକୁ ୩୭ଟି ଇଣ୍ଟରସେପ୍ଟର ପ୍ରଦାନ କରାଯାଇଛି । ଭୁବନେଶ୍ୱର, ବ୍ରହ୍ମପୁର, ସୁନ୍ଦରଗଡ଼, କେନ୍ଦୁଝରରେ ଇଣ୍ଟିଲିଜେଣ୍ଟ ଟ୍ରାଫିକ୍‌ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ କାର୍ଯ୍ୟକାରୀ କରାଯାଇଛି । ୩୬ ହାଇୱେ ପାଟ୍ରୋଲିଂ ଭେଇକିଲ୍‌ ନିୟୋଜିତ କରାଯାଇଛି । ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ସଂପର୍କରେ ସଚେତନ କରାଯାଉଛି । ବିଚିତ୍ର କଥା ହେଉଛି, ସରକାରଙ୍କ ଏତେ ଯୋଜନା ଓ ପଦକ୍ଷେପ ସତ୍ତେ୍ୱ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ହ୍ରାସ ପାଇବା ପରିବର୍ତ୍ତ ବଢ଼ିବାରେ ଲାଗିଛି ।

ହାଇକୋର୍ଟରେ ଦାଖଲ ତଥ୍ୟ ଅନୁସାରେ, ଗତ ୫ବର୍ଷରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ୨୦୧୯ରେ ୧୧ ହଜାର ୬୪ଟି ଦୁର୍ଘଟଣା ଘଟିଥିଲାବେଳେ ଏଥିରେ ୫ ହଜାର ୩୩୩ଜଣଙ୍କ ମୃତ୍ୟୁ ଘଟିଥିଲା । କରୋନା ସଂକ୍ରମଣ କାରଣରୁ ୨୦୨୦ରେ ପୂର୍ବବର୍ଷ ଅପେକ୍ଷା ଦୁର୍ଘଟଣାରେ ହ୍ରାସ ଘଟିଥିଲା । ତଥାପି ସେହିବର୍ଷ ୯ ହଜାର ୮୧୭ଟି ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୪ ହଜାର ୭୩୮ଜଣଙ୍କ ଦେହାନ୍ତ ହୋଇଥିଲା । ୨୦୨୧ରେ ପୁନର୍ବାର ଦୁର୍ଘଟଣାର ହାର୍‌ ବୃଦ୍ଧି ପାଇଥିଲା । ସେହିବର୍ଷ ୧୦ ହଜାର ୯୮୪ଟି ଦୁର୍ଘଟଣା ଘଟିଥିଲାବେଳେ ୫ ହଜାର ୮୧ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୨୨ରେ ୧୧ ହଜାର ୬୬୩ଟି ଦୁର୍ଘଟଣା ଘଟିଥିଲାବେଳେ ଏଥିରେ ୫ ହଜାର ୪୬୭ଜଣ ପ୍ରାଣ ହରାଇଥିଲେ । ୨୦୨୩ରେ ମୋଟ୍‌ ୧୧ ହଜାର ୯୯୨ଟି ଦୁର୍ଘଟଣା ୫୭୩୯ଜଣଙ୍କ ଜୀବନ ନେଇଛି । ତେଣୁ ଗୋଟିଏ ପଟେ ଯୋଜନା ପରେ ଯୋଜନା କରାଯାଇ ଶହଶହ କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଏଣେ ସଡ଼କ ଦୁର୍ଘଟଣା କମିବାର ନାଁ ଧରୁନି ।

ସୌଜନ୍ୟ-ପ୍ରମେୟ

Comments are closed.