ମନୋରଞ୍ଜନ

ସିଂହବାହିନୀର ନାଟକ ‘ତୁ ମୋ ବଜରଙ୍ଗୀ’ ସହ ମଞ୍ଚକୁ ଚଢ଼ିବେ ପୀୟୂଷ, ଜାରି ହେଲା ଟ୍ରେଲର

ବାଲେଶ୍ବର: ବହୁ ବାଦ ବିବାଦ ପରେ ଆସନ୍ତା ଜାନୁଆରୀ ୫ ତାରିଖରେ ମଞ୍ଚକୁ ଚଢ଼ିବେ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ। ଯାତ୍ରା ସିଂହବାହିନୀର ନାଟକ ‘ତୁ ମୋ ବଜରଙ୍ଗୀ’ ସହ ଚଣ୍ଡିଖୋଲ ଯାତ୍ରା ମଞ୍ଚରେ ପୀୟୂଷ ଆରମ୍ଭ କରିବେ ଯାତ୍ରା। ଏନେଇ ଶୁକ୍ରବାର ମାହାଙ୍ଗା ବ୍ଲକ୍ ଆଳୁନଟା ଯାତ୍ରା ମଞ୍ଚରେ ପୀୟୂଷ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜଣାଇଛନ୍ତି। ଏହି ଅବସରରେ ଡିଜିଟାଲ ଟିକେଟ ସହ ପୋଷ୍ଟର ମଧ୍ୟ ରିଲିଜ୍ କରାଯାଇଛି। ଦର୍ଶକ ଯାତ୍ରା ଡଟ୍ କମ୍‌ରେ ଅନଲାଇନ୍ ଟିକେଟ ମଧ୍ୟ କରିପାରିବେ। ପ୍ରେସମିଟ୍ରେ ଯାତ୍ରା ସିଂହବାହିନୀ ମାଲିକ ସଞ୍ଜୀବ କୁମାର ପାଢ଼ୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଦୁଇ ଯାତ୍ରା ଦଳରୁ ଅଗ୍ରୀମ ଟଙ୍କା ନେବାକୁ ନେଇ ପୀୟୂଷ ଓ ସିଂହବାହିନୀ ଯାତ୍ରା ପାର୍ଟି ସହ ବିବାଦ ଉପୁଜିଥିଲା। କଥା ଯାଇ ଓଡ଼ିଶା ଯାତ୍ରା ମାଲିକ ସଂଘରେ ପହଞ୍ଚିବା ପରେ ଚଳିତ ଯାତ୍ରା ବର୍ଷ ପୂର୍ବରୁ ଅସୁସ୍ଥତା ଦର୍ଶାଇ ବର୍ଷକ ପାଇଁ ଯାତ୍ରାରୁ ବିଶ୍ରାମ ନେଇଥିଲେ ପୀୟୂଷ। ଏପିରିକି ପୀୟୁଷ କେଉଁ ଯାତ୍ରା ପାର୍ଟିକୁ ଯିବେ ? ତାକୁ ନେଇ ବି ସସ୍‌ପେନ୍ସ ବଢୁଥିଲା । ଗୋଟିଏ ପଟେ ସୂର୍ଯ୍ୟମନ୍ଦିର ଆଉ ଗୋଟିଏ ପଟେ ସିଂହବାହିନୀ । ପୀୟୂଷ କେଉଁ ଯାତ୍ରା ପାର୍ଟିକୁ ଯିବେ, ସେନେଇ କୌଣସି ଘୋଷଣା ହୋଇନଥିଲା।

ଏହାକୁ ନେଇ ଜଲିଉଡ ଜଗତରେ ଏକରକମ ଚହଳ ପଡ଼ିଥିଲା। ପରେ ପୀୟୂଷ ଓ ସିଂହବାହିନୀ ମାଲିକ ସଞ୍ଜୀବ ପାଢ଼ୀଙ୍କ ମଧ୍ୟରେ ନ୍ୟୁଜ ସେଭେନ ଷ୍ଟୁଡିଓରେ ବିବାଦର ଯବନିକା ପଡ଼ିଥିଲା। ପୀୟୂଷ ସିଂହବାହିନୀରେ ୨୦୨୬ରୁ କାର୍ଯ୍ୟ କରିବେ ବୋଲି ଘୋଷଣା କରିଥିଲେ ଏବଂ ଯାତ୍ରା ମାଲିକ ସଂଘ ଉପସ୍ଥିତିରେ ସୂର୍ଯ୍ୟମନ୍ଦିରକୁ ବକେୟା ଅର୍ଥ ଫେରସ୍ତ କରିଥିଲେ। ଆଉ ଏହି କ୍ରମରେ ଶୁକ୍ରବାର ପୀୟୁଷ ସାମ୍ବାଦିକ ସମ୍ମିଳନୀରେ ସିଂହବାହିନୀ ସହ ମଞ୍ଚକୁ ଫେରୁଥିବା ପୁଣି ଥରେ ସ୍ପଷ୍ଟ କରିଛନ୍ତି ।

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button