ଖେଳ

Under-19 Asia Cup: ୧୯ବର୍ଷରୁ କମ୍ ଏସିଆ କପ୍: ଫାଇନାଲ୍‌ରେ ଝୁଣ୍ଟିଲା ଭାରତ, ପାକିସ୍ତାନଠୁ ୧୯୧ ରନ୍‌ରେ ହାରି ଟ୍ରଫି ହାତଛଡ଼ା କଲା

ପୂରା ପ୍ରତିଯୋଗିତାରେ ଆଧିପତ୍ୟଭରା ପ୍ରଦର୍ଶନ କଲେ। ଟ୍ରଫି ଲଢ଼େଇରେ କିନ୍ତୁ ଝୁଣ୍ଟିଲେ। ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ଅପ୍ରତ୍ୟାଶିତ ଓ ଲଜ୍ଜାଜନକ ଭାବେ ୧୯୧ ରନ୍‌ର ବୃହତ୍ ବ୍ୟବଧାନରେ ହାରି ନବମ ଥର ବିଜେତା ହେବାର ସୁଯୋଗ ହାତଛଡ଼ା କଲେ।

ଦୁବାଇ: ପୂରା ପ୍ରତିଯୋଗିତାରେ ଆଧିପତ୍ୟଭରା ପ୍ରଦର୍ଶନ କଲେ। ଟ୍ରଫି ଲଢ଼େଇରେ କିନ୍ତୁ ଝୁଣ୍ଟିଲେ। ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ଅପ୍ରତ୍ୟାଶିତ ଓ ଲଜ୍ଜାଜନକ ଭାବେ ୧୯୧ ରନ୍‌ର ବୃହତ୍ ବ୍ୟବଧାନରେ ହାରି ନବମ ଥର ବିଜେତା ହେବାର ସୁଯୋଗ ହାତଛଡ଼ା କଲେ। ପୂର୍ବ ରେକର୍ଡ, ବ୍ୟକ୍ତିଗତ ପରିସଂଖ୍ୟାନ, ଅଭିଜ୍ଞତା ସବୁ ଦୃଷ୍ଟିରୁ ଆଗୁଆ ଥିଲେ ମଧ୍ୟ ଫାଇନାଲ୍‌ରେ ହଠାତ୍ ବିପର୍ଯୟର ସମ୍ମୁଖୀନ ହୋଇ ବିଜେତା ହେବାର ସୁଯୋଗ ହାତଛଡ଼ା କଲେ।

ଦୁବାଇରେ ଖେଳାଯାଇଥିବା ୧୯ବର୍ଷରୁ କମ୍ ଏସିଆ କପ୍‌ କ୍ରିକେଟ୍‌ରେ ଭାରତୀୟ କନିଷ୍ଠ କ୍ରିକେଟ୍ ଦଳ ଠିକଣା ସମୟରେ ବିଫଳ ହେବା ପ୍ରଶଂସକଙ୍କୁ ‌ବ୍ୟଥିତ କରିଛି। ବଡ଼ ବିଜୟ ଲକ୍ଷ୍ୟର ଚାପରେ ଚାପି ହୋଇ ଆୟୁଷ ମାହାତ୍ରେଙ୍କ ଦଳ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଏହି ମହାଦେଶୀୟ ପ୍ରତିଯୋଗିତାରେ ଭାରତର ନବମ ଥର ବିଜେତା ହେବା ସ୍ବପ୍ନ ମଧ୍ୟ ଭାଙ୍ଗି ଚୂରମାର୍ ହୋଇଯାଇଛି। ସେପଟେ ପାକିସ୍ତାନ ତା’ର ଟ୍ରଫି ମରୁଡ଼ି ଦୂର ହୋଇଛି। ଶେଷ ଥର ପାଇଁ ୨୦୧୨ ମସିହାରେ କନିଷ୍ଠ ଏସିଆ କପ୍ କରାୟତ୍ତ କରିଥିବା ପାକିସ୍ତାନ ୧୩ବର୍ଷ ପରେ ଏହି ପ୍ରତିଯୋଗିତାର ଟ୍ରଫି ତୋଳିଧରିବାର ଗୌରବ ଅର୍ଜନ କରିଛି। ୨୦୧୨ରେ ଚିର ପ୍ରତିଦ୍ବନ୍ଦ୍ବୀ ଭାରତ ସହ ଯୁଗ୍ମବିଜେତା ହୋଇଥିଲା ବେଳେ ପ୍ରଥମ ଥର ଲାଗି ଏକକ ବିଜେତା ହେବାର ଗୌରବ ଅର୍ଜନ କରିଛି।

ଶୁଷ୍କ ଓ ମାତ୍ରାଧିକ ରୋଲ୍ ହୋଇଥିବା ପିଚ୍‌ରେ ଟସ୍ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ରବିବାର ଭାରତ ପାଇଁ କାଳ ପାଲଟିଥିଲା। ପାକିସ୍ତାନ ତା’ର ପ୍ରତିଭାବାନ ଓପନର୍ ସମୀର ମିନହାସଙ୍କ ରେକର୍ଡ ଭରା ୧୭୨ ରନ୍ ସହ ଅହମଦ ହୁସନେଙ୍କ ୫୬ ଓ ଉସମାନ୍‌ ଖାନଙ୍କ ବିସ୍ଫୋରକ ୩୫ ରନ୍ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୪୭ ରନ୍‌ର ବିଶାଳ ସ୍କୋର୍ କରିଥିଲା। ସବୁ ଭାରତୀୟ ବୋଲର୍‌ଙ୍କୁ ମିନହାସଙ୍କ ନେତୃତ୍ବରେ ପାକିସ୍ତାନୀ ବ୍ୟାଟର୍‌ ଜବରଦସ୍ତ ଧୂଲେଇ କରିଥିଲେ। ଫଳରେ ପୂରା ପ୍ରତିଯୋଗିତାରେ ଶାଣିତ ତଥା ମାପଚୁପ ବୋଲିଂ କରିଥିବା ଦୀପେଶ ଦେବେନ୍ଦ୍ରନ୍ କୌଣସି ୧୯ବର୍ଷରୁ କମ୍ ଦିନିକିଆ ମ୍ୟାଚ୍‌ରେ ଭାରତ ପକ୍ଷରୁ ସର୍ବାଧିକ ରନ୍ ଖର୍ଚ୍ଚ କରିବାର ଆଲୋଡ଼ା ରେକର୍ଡ କରିଥିଲେ। ସେପଟେ ମିନହାସ ପାକିସ୍ତାନର କୌଣସି ୧୯ବର୍ଷରୁ କମ୍ ଦିନିକିଆରେ ଗୋଟିଏ ପାଳିରେ ସର୍ବାଧିକ ରନ୍ ବାଉଣ୍ଡରି (୧୨୨)ରୁ ସଂଗ୍ରହ କରିଥିଲେ। ସେହିଭଳି ତାଙ୍କ ୧୭୨ ରନ୍ ମଧ୍ୟ କୌଣସି ୧୯ବର୍ଷରୁ କମ୍ ମ୍ୟାଚ୍‌ରେ ପାକିସ୍ତାନର ସର୍ବୋଚ୍ଚ ବ୍ୟକ୍ତିଗତ ରନ୍ ଥିଲା।

ଦୃଢ଼ବ୍ୟାଟିଂକ୍ରମ ଥିବାରୁ ଭାରତ ୩୪୮ ରନ୍‌ର କଷ୍ଟକର ଲକ୍ଷ୍ୟକୁ ହାସଲ କରିନେବ ବୋଲି ପ୍ରଶଂସକ ଆଶା ରଖିଥିଲେ। ହେଲେ ତୃତୀୟ ଓଭରରେ ଅଧିନାୟକ ଆୟୁଷ ମହାତ୍ରେ ଏବଂ ପଞ୍ଚମ ଓଭରରେ ବିସ୍ଫୋରକ ବୈଭବ ସୂର୍ଯ୍ୟବଂଶୀ ଆଉଟ୍ ହେବା ପରେ ବଢ଼ିବଢ଼ି ଚାଲିଥିବା ରନ୍ ହାର ଚାପକୁ ସହ୍ୟ କରି ନପାରି ଜଣକ ପରେ ଜଣେ ଭାରତୀୟ ବ୍ୟାଟର୍‌ଙ୍କ କ୍ରିଜ୍‌କୁ ଯିବା ଆସିବା ଲାଗି ରହିଥିଲା। ଶୋଚନୀୟ ବ୍ୟାଟିଂର ଧାରା ଏମିତି ଥିଲା ଯେ ଦ୍ରୁତ ବୋଲର୍ ଦେବେନ୍ଦ୍ରନ୍‌ଙ୍କ ୩୬ ରନ୍ ଭାରତୀୟ ପାଳିର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ ଥିଲା। ଶେଷରେ ଦଳ ୨୬.୨ ଓଭରରେ ମାତ୍ର ୧୫୬ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ମିନହାସ ମ୍ୟାଚ୍ ଏବଂ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସୂଚନାଯୋଗ୍ୟ ଯେ ଭାରତ ଲିଗ୍ ପର୍ଯ୍ୟାୟରେ ପାକିସ୍ତାନକୁ ହରାଇ ଏକମାତ୍ର ଅପରାଜେୟ ଦଳ ଭାବେ ଫାଇନାଲ୍‌କୁ ଯାଇଥିଲା। ହେଲେ ଫାଇନାଲ୍‌ ଜିତି ପାକିସ୍ତାନ ଏହାର ପ୍ରତିଶୋଧ ନେବା ସହ ଟିମ୍ ଇଣ୍ଡିଆ ପଞ୍ଝାରୁ ଏକପ୍ରକାର ଟ୍ରଫି ଛଡ଼ାଇ ନେଇଥିଲା। ବରିଷ୍ଠ ଏସିଆ କପ୍‌ରେ ଭାରତୀୟ ଖେଳାଳିଙ୍କ ଭଳି କନିଷ୍ଠ ଖେଳାଳିମାନେ ମଧ୍ୟ ରବିବାର ପାକିସ୍ତାନ କ୍ରିକେଟ୍‌ ବୋର୍ଡ ତଥା ଏସୀୟ କ୍ରିକେଟ୍‌ ପରିଷଦ ମୁଖ୍ୟ ମୋହସିନ୍‌ ନକ୍‌ଭୀଙ୍କ ଠାରୁ ପଦକ କିମ୍ବା ଟ୍ରଫି ଗ୍ରହଣ କରି ନଥିଲେ।

ସଂକ୍ଷିପ୍ତ ସ୍କୋର୍: ପାକିସ୍ତାନ ୫୦ ଓଭରରେ-୩୪୭/୮ (ସମୀର ମିନହାସ ୧୭୨, ଅହମଦ ହୁସେନ ୫୬, ଉସମାନ ଖାନ୍ ୩୫, ଦୀପେଶ ଦେବେନ୍ଦ୍ରନ୍ ୩/୮୩, ଖିଲାନ ପଟେଲ ୨/୪୪, ହେନିଲ ପଟେଲ ୨/୬୨)। ଭାରତ ୨୬.୨ ଓଭରରେ-୧୫୬ (ଦୀପେଶ ଦେବେନ୍ଦ୍ରନ୍ ୩୬, ବୈଭବ ସୂର୍ଯ୍ୟବଂଶୀ ୨୬, ଖିଲାନ ପଟେଲ ୧୯, ଅଲୀ ରାଜା ୪/୪୨, ହୁଜୈଫା ଅହସାନ ୨/୧୨, ଅବଦୁଲ ସୁଭାନ ୨/୨୯, ମହମ୍ମଦ ସାୟମ ୨/୩୮)।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button