Breaking News

ବଣିଜ ବିଚାର: ଓଡ଼ିଆ ଅସ୍ମିତା ଓ କଟକର ତାରକସି

ଓଡ଼ିଆ ଅସ୍ମିତାର ଚର୍ଚ୍ଚା ଅଦ୍ୟାବଧି ଓଡ଼ିଶାର ଲୋକ‌କ୍ଷେତ୍ରରେ ଅନେକତ୍ର ଚଳଚଞ୍ଚଳ ରହିଛି। ଏଥିରୁ ଲବ୍‌ଧ ନିଷ୍କର୍ଷ ହେଲା ଏକ ମହାଜାତି ଭାବେ ଓଡ଼ିଶା ଓ ଓଡ଼ିଆଙ୍କର ରହିଥିବା ସ୍ୱତନ୍ତ୍ର ପରିଚିତି ବା ଅସ୍ତିତ୍ବର ଶଙ୍କୁ ବା ଚିହ୍ନ ହିଁ ହେଉଛି ଓଡ଼ିଆ ଅସ୍ମିତା।

ପୂର୍ଣ୍ଣେନ୍ଦୁ କର

ଓଡ଼ିଆ ଅସ୍ମିତାର ଚର୍ଚ୍ଚା ଅଦ୍ୟାବଧି ଓଡ଼ିଶାର ଲୋକ‌କ୍ଷେତ୍ରରେ ଅନେକତ୍ର ଚଳଚଞ୍ଚଳ ରହିଛି। ଏଥିରୁ ଲବ୍‌ଧ ନିଷ୍କର୍ଷ ହେଲା ଏକ ମହାଜାତି ଭାବେ ଓଡ଼ିଶା ଓ ଓଡ଼ିଆଙ୍କର ରହିଥିବା ସ୍ୱତନ୍ତ୍ର ପରିଚିତି ବା ଅସ୍ତିତ୍ବର ଶଙ୍କୁ ବା ଚିହ୍ନ ହିଁ ହେଉଛି ଓଡ଼ିଆ ଅସ୍ମିତା। ଏହି ପରିପ୍ରେକ୍ଷୀରେ କଟକର ତାରକସି ହେଉଛି ଓଡ଼ିଆ ଅସ୍ମିତାର ଏକ ସନ୍ତକ, ଯାହାର ପାଖାପାଖି ୫୦୦ ବର୍ଷର ଏକ ଦୀର୍ଘ ଐତିହ୍ୟ ରହିଛି। କଟକର ସୂକ୍ଷ୍ମ ତାରକସି କଳାର ପଟାନ୍ତର ନାହିଁ ଏବଂ ଏ କଳାରେ ନିମଗ୍ନ ରହି ଏହି ଶିଳ୍ପକୁ ଜୀବନ୍ତ କରି ରଖିଥିବା କାରିଗରମାନେ ମଧ୍ୟ ଓଡ଼ିଆ ଅସ୍ମିତାର ଜଣେ ଜଣେ ପ୍ରତୀକ ପୁରୁଷ। କିନ୍ତୁ ପ୍ରଶ୍ନ ହେଲା କଟକ ତାରକସିର ଶିଳ୍ପ ଓ ତା’ର କାରିଗରମାନଙ୍କ ସାଂପ୍ରତିକ ସ୍ଥିତି କିଭଳି?
ସମଗ୍ର ଭାରତରେ ରୁପା ତାରକସି ବା ‘ସିଲ୍‌ଭର୍‌ ଫିଲିଗ୍ରି’ (ଇଂରେଜୀରେ ତାରକସି ହେଉଛି ‘ଫିଲିଗ୍ରି’) ବ୍ୟବସାୟ କଟକ ଓ ତେଲେଙ୍ଗାନାର କରିମ ନଗରରେ ହୋଇଥାଏ। ଏହା ବ୍ୟତୀତ ପଶ୍ଚିମବଙ୍ଗର ‘ଦକ୍ଷିଣ ଚବିଶ ପ୍ରଗଣା’ ଜିଲ୍ଲାରେ ପ୍ରାୟ ୩୦ଟି ଗ୍ରାମରେ ସମୁଦାୟ ୩୦୦୦ ରୁପା ତାରକସି କାରିଗର ଅଛନ୍ତି। କଟକର ତାରକସିକୁ ୨୦୨୧ରେ ଭାରତ ସରକାରଙ୍କ ଦ୍ବାରା ‘ଜି.ଆଇ. ଟ୍ୟାଗ୍‌’ ବା ମାନ୍ୟତା ମିଳିଛି। ଅନ୍ୟ ପକ୍ଷରେ କରିମ ନଗରର ତାରକସିକୁ ୨୦୦୭ ମସିହାରୁ ‘ଜି.ଆଇ. ଟ୍ୟାଗ୍‌’ ମିଳିସାରିଛି। ଭାରତର ଉପରୋକ୍ତ ତିନିଟି ଜାଗାକୁ ଛାଡ଼ିଦେଲେ ଆଉ ପ୍ରାୟ କେଉଁଠି ‘ସିଲ୍‌ଭର୍‌ ଫିଲିଗ୍ରି’ର କେନ୍ଦ୍ର ନାହିଁ। କେତେକ ରିପୋର୍ଟରୁ ଜଣାଯାଇଥାଏ ଯେ ଦେଶରେ ‘ସିଲ୍‌ଭର୍‌ ଫିଲିଗ୍ରି’ର ବଜାର ମୂଲ୍ୟ ୨୦ ହଜାର କୋଟି ଟଙ୍କାରେ ପହଂଚିଲାଣି। ‘ଇଣ୍ଡିଆନ୍‌ ଚେମ୍ବର୍‌ ଅଫ କମର୍ସ’ର ତଥ୍ୟ ଅନୁସାରେ ‘ସିଲ୍‌ଭର୍‌ ଫିଲିଗ୍ରି’ ସମେତ ଅନ୍ୟ ରୁପା ଅଳଙ୍କାରର ରପ୍ତାନି ମୂଲ୍ୟ ପାଖାପାଖି ୧୭ ହଜାର କୋଟି ଟଙ୍କାରେ ପହଂଚିଲାଣି ଏବଂ ଏହା ବାର୍ଷିକ ୮% ହାରରେ ବୃଦ୍ଧି ପାଉଛି। ସେମିତି ଦେଶର ନାମୀ ଅଳଙ୍କାର କମ୍ପାନିମାନଙ୍କର ଆନୁଆଲ୍‌ ରିପୋର୍ଟରୁ ଜଣାପଡ଼େ ଯେ ‘ଫିଲିଗ୍ରି’ ବ୍ୟବସାୟ ଓ ବିଦେଶକୁ ଏହାର ରପ୍ତାନି ବାର୍ଷିକ ୧୦%ରୁ ଅଧିକ ହାରରେ ବୃଦ୍ଧି ପାଇବାରେ ଲାଗିଛି; ଏପରିକି ‘ସିଲ୍‌ଭର୍‌ ଫିଲିଗ୍ରି’ ବଜାରରେ ରହିଥିବା ସୁଯୋଗକୁ ବାରିପାରି ଅନେକ ଆଞ୍ଚଳିକ ବ୍ୟବସାୟୀ ରୀତିିମତ କର୍ପୋରେଟ୍‌ ଶୈଳୀରେ ଏହାର ବ୍ୟବସାୟ କରି ସଫଳ ହେଉଛନ୍ତି। ବଜାର ଅନୁଧ୍ୟାନ କଲେ ଜଣା ପଡ଼ିଥାଏ ଯେ ଗଲା କେଇ ବର୍ଷ ମଧ୍ୟରେ ଅନେକ ମଧ୍ୟମ ସ୍ତରୀୟ ବ୍ୟବସାୟୀ (ଟ୍ରେଡର୍‌) ନୂଆ ନୂଆ ୱେବ୍‌ସାଇଟ୍‌ ଖୋଲି ବଜାରରେ ରୁପା ଓ ତାରକସିର ବ୍ୟବସାୟ ଆରମ୍ଭ କରିସାରିଛନ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ ହେଲା, ଏହି ସବୁ କମ୍ପାନିମାନଙ୍କୁ ତାରକସି ଦ୍ରବ୍ୟ ଯୋଗାଉଥିବା କାରିଗରଙ୍କର ଆର୍ଥିକ ଅବସ୍ଥାରେ ସେମିତି କିଛି ଉନ୍ନତି ହେଉନାହିଁ; ଅର୍ଥାତ୍‌, ତାରକସି ବ୍ୟବସାୟର ଅସଲ ଲାଭ ଦଲାଲମାନେ ଉପଭୋଗ କରୁଛନ୍ତି। ବିଭିନ୍ନ କମ୍ପାନିଙ୍କର ଅନୁଆଲ୍‌ ରିପୋର୍ଟ‌େର ଥିବା ତଥ୍ୟରୁ ଜଣାପଡ଼େ ଯେ ଜାତୀୟ ତଥା ଅନ୍ତର୍ଜାତୀୟ ବଜାରରେ ରୁପା ତାରକସି ବା ‘ସିଲ୍‌ଭର୍‌ ଫିଲିଗ୍ରି’ ଦ୍ରବ୍ୟର ଅନେକ ଚାହିଦା ରହିଛି ଏବଂ ଏହା ଏକ ଲାଭଜନକ ବ୍ୟବସାୟ। ତେଣୁ ବ୍ୟବସାୟ ସହିତ ତାଳ ଦେଇ ତାରକସି କାରିଗରମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି କାହିଁକି ଘଟୁନାହିଁ, ସେ ସଂଦର୍ଭରେ ଏକ ଆଲୋଚନା କରାଯାଉ।
ପ୍ରଥମତଃ ଆମ ରାଜ୍ୟରେ ବଜାରରୁ ଉଚିତ ମୂଲ୍ୟ ପାଇବାରେ ତାରକସି କାରିଗରମାନଙ୍କୁ ସାହାଯ୍ୟ କରିବା ପାଇଁ ସେମିତି କୌଣସି ସଂସ୍ଥା ବା ଏଜେନ୍‌ସି ନାହାନ୍ତି। ଉଦାହରଣ ସ୍ୱରୂପ, ତେଲେଙ୍ଗାନାର କରିମ ନଗରରେ ‘ସିଫକା’ ହାଣ୍ଡିକ୍ରାଫ୍‌ଟ ୱେଲ୍‌ଫେଆର୍‌ ସୋସାଇଟି’ ଏ ଯାବତ୍ ୬୦୦ରୁ ଅଧିକ କାରିଗରଙ୍କୁ ପଞ୍ଜୀକୃତ କରି ପାରିଛି ଏବଂ ସେଠାକାର ତାରକସିକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାରେ ସଫଳ ଉଦ୍ୟମ ଜାରି ରଖିଛି। କିନ୍ତୁ କଟକ ‘ତାରକସି ଆସୋସିଏସନ୍‌’ର ସେଭଳି ଉଦ୍ୟମ ଦେଖାଯାଏ ନାହିଁ। ବଜାର ଦୃଷ୍ଟିରୁ କଟକ ତାରକସି ଦ୍ରବ୍ୟମାନ ମୋଟାମୋଟି ଆଞ୍ଚଳିକ ଚାହିଦା ମେଣ୍ଟାଉଛି। ଅନ୍ତର୍ଜାତୀୟ ବଜାର ଓ ରାଜ୍ୟ ବାହାରେ ରହିଥିବା ଏକ ବଡ଼ ବଜାରକୁ କଟକ ତାରକସି ବିଷୟରେ ସୂଚନା ନାହିଁ। ତେଣୁ ଏକ ବୃହତ୍‌ ବଜାରର ଅସ୍ତିତ୍ବ ସତ୍ତ୍ବେ ତାହାର ଲାଭ କଟକ ତାରକସି ଲାଗି ଉପଲବ୍‌ଧ ହେଉନାହିଁ। ଉଦାହରଣ ସ୍ୱରୂପ ରାଜ୍ୟ ସରକାରଙ୍କର ‘ଓଡ଼ିଶା ରୁରାଲ୍‌ ଡେଭେଲପ୍‌ମେଣ୍ଟ ଏଣ୍ଡ୍‌ ମାର୍କେଟିଙ୍ଗ୍‌ ସୋସାଇଟି’ ବା ‘ଓର୍‌ମାସ’ ଯେଉଁଭଳି ଅନ୍ୟ ଉତ୍ପାଦଗୁଡ଼ିକର ବିକ୍ରୟ କରି ଭଲ ବ୍ୟବସାୟ କରିପାରୁଛି, ଯଦି ସେହି ଭଳି କଟକ ତାରକସିର ବିପଣନ ଦାୟିତ୍ବ ନେଇ ପାରନ୍ତେ, ତେବେ କାରିଗରମାନେ ବଜାରର ଉଚିତ ମୂଲ୍ୟ ପାଇପାରନ୍ତେ ଏବଂ ତାହା ତାରକସି ନେଇ ଓଡ଼ିଆ ଅସ୍ମିତାକୁ ଯଥାର୍ଥତା ପ୍ରଦାନ କରିପାରନ୍ତା। ଅନ୍ୟ ପକ୍ଷରେ ଏହି ବ୍ୟବସାୟରେ ସରକାରଙ୍କ ତରଫରୁ କାରିଗରମାନଙ୍କୁ ସେମିତି ବିଶେଷ କିଛି ଆର୍ଥିକ ସହାୟତା ବା ପୁଞ୍ଜି ଯୋଗାଣର ବ୍ୟବସ୍ଥା ନାହିଁ। କାରିଗରମାନଙ୍କ ପାଇଁ ଯେଉଁ ସବୁ ସରକାରୀ ଯୋଜନାମାନ ପ୍ରଚଳିତ ଅଛି, ତାହା ପର୍ଯ୍ୟାପ୍ତ ନୁହେଁ। ଆଉ ଏକ ବଡ଼ କଥା ହେଲା, କଟକର ପ୍ରାୟ ୪୦୦ ତାରକସି କାରିଗର ଏବେ କଲିକତାର କାରିଗରଙ୍କ ସହ ପ୍ରତିଯୋଗିତା କରୁଛନ୍ତି, ଯଦ୍ଦ୍ବାରା ବଜାରରେ ପତିଆରା ସାବ୍ୟସ୍ତ କରିବା ସହଜସାଧ୍ୟ ହେଉନାହିଁ। ଯେହେତୁ ପଶ୍ଚିମବାଙ୍ଗର ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାରେ ପାଖାପାଖି ୩୦୦୦ କାରିଗର ରୁପା ତାରକସି କାମ କରିଥାନ୍ତି ଓ ଉତ୍ପାଦନର ପରିମାଣ ଅଧିକ, ତେଣୁ ଉତ୍ପାଦନ ଖର୍ଚ୍ଚ କମ୍‌ ହୋଇଥାଏ। ଏହି କାରଣରୁ ବଜାରରେ କଟକର ତାରକସିକୁ ଦ୍ରବ୍ୟର ମୂଲ୍ୟ ନେଇ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି ମୌଳିକ ଅସୁବିଧାକୁ ବାରି ପାରି ୧୯୬୨ ମସିହାରେ ବିଜୁ ବାବୁଙ୍କ ଉଦ୍ୟମରେ ‘କଳିଙ୍ଗ ଫିଲିଗ୍ରି କୋଅପରେଟିଭ୍‌ ସୋସାଇଟି’ ନାମକ ଏକ ସଂସ୍ଥା ଗଠିତ ହୋଇଥିଲା। ତାରକସି କାରିଗରଙ୍କର ଆର୍ଥିକ ଉନ୍ନତି ଓ ବ୍ୟବସାୟ ପରିସର ବୃଦ୍ଧି କରିବା ଥିଲା ଏଇ ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ। କିନ୍ତୁ, ଏହା ବିଶେଷ ସଫଳ ହୋଇପାରିଲା ନାହିଁ। ସେମିତି ଆଉ ଏକ ମୌଳିକ ଅସୁବିଧା ହେଲା, ଏ ଯାବତ୍‌ କାରିଗରମାନେ ହୁଏତ ନିଜ ଘର ପିଣ୍ଡାରେ କିମ୍ବା ଛୋଟ ପୁରୁଣା ଦୋକାନ ଘରେ ନିଜର କାର୍ଯ୍ୟ ଏବଂ ବ୍ୟବସାୟ ଚଳାଉଛନ୍ତି। କହିବାର ତାତ୍ପର୍ଯ୍ୟ ହେଲା, ଓଡ଼ିଶାର ତାରକସି କଳା ବିଷୟରେ ଅବଗତ ହୋଇ ଯଦି କୌଣସି ପର୍ଯ୍ୟଟକ ତାହା ଦେଖିବାକୁ ଆସନ୍ତି, ତେବେ ତାଙ୍କୁ ଆକର୍ଷିତ କଲା ଭଳି ବା ପ୍ରଲୋଭିତ କଲା ଭଳି ପରିସ୍ଥିତି ସେଠା‌େର ମିଳିବ ନାହିଁ। ତେଣୁ ତାରକସି କାମ କରାଯାଉଥିବା ସ୍ଥାନ ଓ ଉତ୍ପା‌ଦକୁ ସୁନ୍ଦର ଭାବେ ପ୍ରଦର୍ଶିତ କରିବା ଲାଗି ବିଶେଷ ମଞ୍ଚ ବା ‘ସୋ ରୁମ୍‌’ର ବ୍ୟବସ୍ଥା ମଧ୍ୟ କରାଯିବା ଉଚିତ। ସେମିତି ଅନ୍ତର୍ଜାତୀୟ ବଜାରରେ କଟକ ତରକସିର କେତେ ଚାହିଦା ରହିଛି କିମ୍ବା ବାର୍ଷିକ ବଜାର ମୂଲ୍ୟର ଆକଳନ ଏ ଯାବତ୍‌ ସରକାରୀ ସ୍ତରରେ ନାହିଁ। ମୂଳ କଥା ହେଉଛି ରାଜ୍ୟର କୌଣସି ଜିନିଷ ‘ଜି.ଆଇ. ମାନ୍ୟତା’ ପାଇଗଲେ, ତାହା ଅନ୍ତିମ ଓ ସର୍ବଶ୍ରେଷ୍ଠ ଉପଲବ୍‌ଧି ବୋଲି ବିଚାର କରାଯିବା ଉଚିତ ନୁହେଁ; ‘ଜି.ଆଇ. ଟ୍ୟାଗ’ ଲାଭ କରିବା ପରେ ସେହି ବିଶେଷତ୍ବକୁ ଉପଯୋଗ କରି କିଭଳି ବଜାର ସୃଷ୍ଟି କରାଯାଇପାରିବ, ତାହା ହିଁ ଧ୍ୟେୟ ହେବା ଆବଶ୍ୟକ।
ତେଣୁ ରାଜ୍ୟ ସରକାର ଏ ଦିଗରେ ମୁଖ୍ୟତଃ ତିନିଟି ପଦକ୍ଷେପ ନେଇପାରିବେ। ପ୍ରଥମତଃ ଜାତୀୟ ଓ ଅନ୍ତର୍ଜାତୀୟ ବଜାରର ଚାହିଦା ଓ ମୂଲ୍ୟର ଏକ ଆକଳନ କରିବା ଦରକାର, ଯାହା ଫଳରେ କଟକର ତାରକସି କାରିଗରମାନେ ତାରକସି ବଜାରର ଆକାର ବିଷୟରେ ଧାରଣା ପାଆନ୍ତେ। ଉଲ୍ଲେଖ ଥାଉ କି ୧୯୮୦ ମସିହାରୁ ଏ ଯାବତ୍‌ ପାର୍ଲିଆମେଣ୍ଟରେ ତାରକସିକୁ ନେଇ ପଚରା ଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଶାସକ ଦଳଗୁଡ଼ିକ ଦେଇ ପାରିନାହାନ୍ତି। ଦ୍ବିତୀୟତଃ ଏକ ଉନ୍ନତ ଓ ସଫଳ ବଜାର ଚାନେଲ ମାଧ୍ୟମରେ କଟକ ତାରକସିର ବିଶେଷତ୍ବ ବିଷୟରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ। ତୃତୀୟରେ ତାରକସି କଳାକୁ ଆଗେଇ ନେବା ପାଇଁ ଭବିଷ୍ୟତ ପିଢ଼ିକୁ ପ୍ରୋତ୍ସାହିତ କରାଯିବା ଜରୁରିି, ସେଥି ଲାଗି ଆକର୍ଷଣୀୟ ଆର୍ଥିକ ସହାୟତାର ବ୍ୟବସ୍ଥା କରାଯିବା ଆବଶ୍ୟକ।
ଏହି ଆଲୋଚନାକୁ ସମାପ୍ତ କଲାବେଳେ ଓଡ଼ିଆ ଅସ୍ମିତା ଓ ଜାତିର ପରିଚୟବୋଧ ସହିତ ଯୋଡ଼ି ହୋଇ ରହିଥିବା କଟକ ତାରକସି ଶିଳ୍ପ ବିଷୟରେ ଅତୀତର ସାମନ୍ୟ ରୋମନ୍ଥନ କରାଯାଉ। ଭାଷାଭିତ୍ତିକ ସ୍ବତନ୍ତ୍ର ରାଜ୍ୟ ରୂପେ ଓଡ଼ିଶା ସର୍ବପ୍ରଥମେ ଆତ୍ମପ୍ରକାଶ କରିଥିଲା ଏବଂ ଏହି ଉଦ୍ୟମର ପ୍ରମୁଖ ସାରଥି ଉତ୍କଳଗୌରବ ମଧୁସୂଦନ ଦାସ କଟକର ତାରକସି କଳାକୁ ଓଡ଼ିଆଙ୍କ ସକାଶେ ଏକ ପରିଚୟ ବିଭବ ରୂପେ ପ୍ରତିଷ୍ଠା କରିବାକୁ ଚାହିଥିଲେ। ମଧୁବାବୁଙ୍କ ଉଦ୍ୟମରେ କଟକ ତାରକସି କଳା ଓ ବ୍ୟବସାୟ ପଥିକୃତ୍ ପ୍ରୟାସ ଓ ତ୍ୟାଗର ଏକ ନିର୍ଦ୍ଦିଷ୍ଟ ସ୍ବାକ୍ଷର ଛାଡ଼ିଯାଇଛି। ୧୮୯୭ ମସିହା ବେଳକୁ ତାରକସି କଳା ଓ ବ୍ୟବସାୟର ମାନ୍ଦା ଅବସ୍ଥାକୁ ଲକ୍ଷ୍ୟ କରି ଉତ୍କଳଗୌରବ ମଧୁସୂଦନ ନିଜ ପକେଟରୁ ଖର୍ଚ୍ଚ କରି ୧୫୦ ଜଣ କାରିଗରଙ୍କୁ ନେଇ ନିଜ ଘରେ ଏକ କାରଖାନା ବସାଇଥିଲେ, ଯାହା ପରବର୍ତ୍ତୀ ସମୟରେ ‘ଉତ୍କଳ ଆର୍ଟ‌୍ସ ୱାର୍କ ଫ୍ୟାକ୍‌ଟ୍ରି’ ନାମରେ ପରିଚିତି ପାଇଥିଲା। ଏହା ଦ୍ୱାରା କଟକ ତାରକସି ବ୍ୟବସାୟ ପୁଣି ଥରେ ମୁଣ୍ଡ ଟେକିବାକୁ ଲାଗିଥିଲା। ମଧୁବାବୁ ନିଜସ୍ୱ ପୁଞ୍ଜି ଖର୍ଚ୍ଚ କରି ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବାଣିଜ୍ୟ ମେଳାର ଆୟୋଜନ କରାଇ କଟକ ତାରକସିର ପ୍ରଦର୍ଶନ କରାଉଥିଲେ। ୧୯୦୨ ମସିହାରେ ବେଙ୍ଗଲ ଗଭର୍ନର୍‌ ଜନ୍‌ ୱେଡର୍‌ବର୍ନଙ୍କ ଓଡ଼ିଶା ଗସ୍ତ କାଳରେ ତାରକସି କଳା ଓ କାରିଗରଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ ମଧୁବାବୁ ଏକ ସ୍ୱତନ୍ତ୍ର ପ୍ୟାକେଜ୍‌ ଦାବି କରି ସଫଳ ମଧ୍ୟ ହୋଇଥିଲେ। ଉଲ୍ଲେଖ ଥାଉ କି ୧୯୦୧ ମସିହା ମାର୍ଚ୍ଚ ୨ ତାରିଖ ଦିନ ‘ଦି ଷ୍ଟେଟ୍ସମ୍ୟାନ୍‌’ ଖବରକାଗଜ କଟକ ତାରକସିର ଭୁରି ପ୍ରଶଂସା କରିଥିଲେ। ଏହା ଥିଲା ଓଡ଼ିଶା ଅସ୍ମିତା ସୃଷ୍ଟିର ଆଦ୍ୟ ପ୍ରୟାସ। ସଂପ୍ରତି ଯେତେବେ‌େଳ ଆମ ରାଜ୍ୟରେ ଅସ୍ମିତା ଆଲୋଚନା ଶୀର୍ଷରେ, ସେତିକି‌େବଳେ କଟକ ତାରକସି ଶିଳ୍ପ ଓ ବ୍ୟବସାୟରେ ବିକାଶ ଆଣିବା ସରକାରଙ୍କ ପାଇଁ ଏକାଧାରରେ ଆହ୍ବାନ ଓ ଦାୟିତ୍ବ ମଧ୍ୟ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୭୯୧୧୨୧୦୬୮

ସୌଜନ୍ୟ-ସମ୍ୱାଦ

Comments are closed.