Breaking News

ରୁଲ ୨୬୭ କଣ ? ଯାହାକୁ ନେଇ ରାଜ୍ୟସଭାରେ ଶାସକ-ବିରୋଧୀ ମୁହାଁମୁହିଁ

ନୂଆଦିଲ୍ଲୀ,୧୧/୧୨: ସଂସଦର ଶୀତ ଅଧିବେଶନ ଚାଲିଛି । ଏଥିରେ ଦେଶର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେଉଛି । ମାତ୍ର ଅଧିବେଶନ ଆରମ୍ଭ ହେବା ଦିନଠୁ ଗୋଟିଏ ବି ଦିନ ଗୃହକାର୍ଯ୍ୟ ଚାଲିପାରୁନାହିଁ । ବିରୋଧୀଙ୍କ ହଙ୍ଗାମା ପାଇଁ ଗୃହ ମୁଲତବୀ କରିବାକୁ ପଡୁଛି । ସଂସଦକୁ ଚଲାଇବାକୁ ଗୋଟିଏ ମିନିଟରେ ଅଢେଇ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ । ଗୋଟିଏ ଘଣ୍ଟାକୁ ଦେଢ କୋଟି ଖର୍ଚ୍ଚ ହୁଏ ବୋଲି ଏକ ରିପୋର୍ଟରୁ ଜଣାପଡିଛି । ମାତ୍ର ଗୃହରେ ହଙ୍ଗାମା ପାଇଁ ଏତିକି ଟଙ୍କା ପାଣିରେ ପଡୁଛି । ଚଳିତ ଅଧିବେଶନରେ ଆଦାନୀ, ମଣିପୁର ଓ ସମ୍ବଲ ହିଂସା ବିଷୟରେ ବିରୋଧୀ ଚର୍ଚ୍ଚା କରିବାକୁ ଚାହୁଁଥିଲେ । ମାତ୍ର ସରକାର ଏହି ମୁଦ୍ଦାକୁ ଏଡାଇ ଦେଉଥିଲେ। ତେବେ କଣ ବିରୋଧୀଙ୍କ ପାଖରେ ଏମିତି କିଛି ପାୱାର ଅଛି ଯାହ ଆଧାରରେ ସେ ଚାହୁଁଥିବା ପ୍ରସଙ୍ଗରେ ଗୃହରେ ଶାସକ ଦଳକୁ ପ୍ରଶ୍ନ କରିପାରିବେ। କଣ ସେହି ରୁଲ ଆସନ୍ତୁ ଜାଣିବା ।

ରୁଲ ୨୬୭ ଆଧାରରେ ରାଜ୍ୟସଭାରେ ବିରୋଧୀ ଚାହୁଁଥିବା ମୁଦ୍ଦା ଉପରେ ଆଲୋଚନା କରିପାରିବେ । ଏବେ ପ୍ରଶ୍ନ ଉଠୁଛି ଯଦି ନିୟମ ୨୬୭ ରହିଛି ତେବେ ସଂସଦ କାହିଁକି ସ୍ଥଗିତ ରହୁଛି । ନିୟମ ୨୬୭ ଅପର ହାଉସ୍ ରାଜ୍ୟସଭା ପାଇଁ ହୋଇଥାଏ । ବିରୋଧୀ କିଛି ନିର୍ଦ୍ଦିଷ୍ଟ ମୁଦ୍ଦା ବିଷୟରେ ଆଲେଚନା କରିବାକୁ ଦାବି କରିଥାନ୍ତି । ମାତ୍ର ଏହି ନିୟମ ସେବେ ଲାଗୁ ହେବ ଯେବେ ରାଜ୍ୟସଭା ଅଧ୍ୟକ୍ଷ ଅନୁମତି ଦେବେ । ରିମୋଟ କଣ୍ଟ୍ରୋଲ ତାଙ୍କ ହାତରେ ଥାଏ । ଏହିଠୁ ବିରୋଧୀଙ୍କ ସାରା ଖେଳ ଖତମ ହୋଇଥାଏ । ଶୀତ ଅଧିବେଶନରେ ବିରୋଧୀ ଆଦାନୀ, ମଣିପୁର ଓ ସମ୍ବଲ ହିଂସା ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ ରୁଲ ୨୬୭ ଲାଗୁ ପାଇଁଦାବି କରିଥିଲା । ମାତ୍ର ଏ ନେଇ ଅଧ୍ୟକ୍ଷ ରାଜି ହୋଇନଥିଲେ । ଫଳରେ ଗୃହରେ ହଙ୍ଗାମା ହୋଇଥିଲା ବାରମ୍ବାର ଗୃହକୁ ମୁଲତବୀ କରିବାକୁ ପଡିଥିଲା । ନିୟମ ୨୬୭ ଲାଗୁ ହେବା ନ ହେବା ଅଧ୍ୟକ୍ଷଙ୍କ ଉପରେ ଥାଏ । ୨୦୨୩ରେ ଶୀତ ଅଧିବେଶନରେ ରୁଲ ୨୬୭କୁ ନେଇ ରାଜ୍ୟସଭା ଅଧ୍ୟକ୍ଷ ଓ ବିରୋଧୀଙ୍କ ମଧ୍ୟରେ ତିକ୍ତତା ଆସିଥିଲା ।

କେତେ ଥର ଲାଗୁ ହୋଇଛି ରୁଲ ୨୬୭- ୨୦୨୩ ଶୀତ ଅଧିବେଶନରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ନିୟମ ୨୬୭ରେ ଚର୍ଚ୍ଚା ହେବାକୁ ଥିବା ୮ଟି ବିଷୟକୁ ଖାରଜ କରିଥିଲେ । ଏହି ନିୟମ ଜରିଆରେ ଶେଷ ଥର ପାଇଁ କେବଳ ନୋଟବନ୍ଦୀ ଉପରେ ଆଲୋଚନା ହୋଇଥିଲା । ୧୯୯୦ରୁ ଏବେ ଯାଏ ନିୟମ ୨୬୭ରେ କେବଳ ୧୧ ଥର ଆଲୋଚନା ହୋଇଛି । ସରକାର ଯାହାର ବି ଥାଉ ନିୟମ ୨୬୭ରେ ବିରୋଧୀଙ୍କୁ ମିଳୁଥିବା ପାୱାର ସର୍ବଦା ଦବେଇ ଦିଆ ଯାଇଛି । ୧୯୯୦-୧୯୯୨ରେ ଶଙ୍କର ଦୟାଲ ଶର୍ମା ରାଜ୍ୟସଭା ଅଧ୍ୟକ୍ଷ ଥିବା ସମୟରେ ନିୟମ ୨୬୭ରେ ୪ଟି ମୁଦ୍ଦା ଉପରେ ଚର୍ତ୍ତା ପାଇଁ ଦାବି କରିଥିଲେ । ୨୦୦୪ରେ ରାଜ୍ୟସଭା ଅଧ୍ୟକ୍ଷ ବୈରଭ ସିଂହ ସେଖାୱତ ୩ ଥର ନିୟମ ୨୬୭ ଲାଗୁ ହୋଇଥିଲା । ୨୦୧୩ରୁ ୨୦୧୬ ମଧ୍ୟରେ ଅଧ୍ୟକ୍ଷ ଥିବା ହାମିତ ହଂସାରି ୪ ମୁଦ୍ଦା ଉପରେ ଚର୍ଚ୍ଚା ଉପରେ ଅନୁମତିଦେଇଥିଲେ । ୨୦୦୦ ଅଟଳ ବିହାରୀ ବାଜପେୟୀଙ୍କ ଏନଡିଏ ସରକାର ସମୟରେ ଥରେ ନିୟମ ୨୬୭ର ସଂଶୋଧନ ହୋଇଥିଲା । ନିୟମ ୨୬୭ରେ ଚର୍ଚ୍ଚା ହେବ ନା ନାହିଁ ତାହା କେବଳ ରାଜ୍ୟସଭା ଅଧ୍ୟକ୍ଷ ସ୍ଥିର କରିଥାନ୍ତି ।

ସୌଜନ୍ୟ-ପ୍ରମେୟ

Comments are closed.