Breaking News

କଥାଟିଏ-ଯାଯାବର: କିଏ ବଞ୍ଚେ!

ୟୁଜିକେ କହିଲେ- ଆମ ବିଚାର ସର୍ବଦା ଏକପାଖିଆ। ଆମେ ଭାବୁ ଯେ ଈଶ୍ବର ମଧ୍ୟ ଆମ ଭଳି ଦୃଷ୍ଟିକୋଣ ରଖି ବିଚାର କରନ୍ତି ଓ ଭଲ ମନ୍ଦ ପାଞ୍ଚନ୍ତି। ତା’ ପରେ ସେ କହିଲେ ଏହି କଥାଟି। ଥରେ ଗୋଟିଏ ସ୍ଥାନରେ ଅଚାନକ...

ୟୁଜିକେ କହିଲେ- ଆମ ବିଚାର ସର୍ବଦା ଏକପାଖିଆ। ଆମେ ଭାବୁ ଯେ ଈଶ୍ବର ମଧ୍ୟ ଆମ ଭଳି ଦୃଷ୍ଟିକୋଣ ରଖି ବିଚାର କରନ୍ତି ଓ ଭଲ ମନ୍ଦ ପାଞ୍ଚନ୍ତି। ତା’ ପରେ ସେ କହିଲେ ଏହି କଥାଟି।
ଥରେ ଗୋଟିଏ ସ୍ଥାନରେ ଅଚାନକ ଭୀଷଣ ବର୍ଷା ଆରମ୍ଭ ହେଲା ଓ ତା’ ସାଙ୍ଗକୁ ଭୀଷଣ ଘଡ଼ଘଡ଼ି। ସଡ଼କରେ ଯାଉଥିବା ଲୋକେ ଯାଇ ଏକ ଚାଳିଆ ତଳେ ଆଶ୍ରୟ ନେଲେ। ସେହି ଆଶ୍ରିତମାନଙ୍କ ମଧ୍ୟରେ ଥିଲେ ସହରର ସବୁଠାରୁ ବିଖ୍ୟାତ ପଣ୍ଡିତ ଏବଂ ଜଣେ ରୂପଜୀବୀ। ରୂପଜୀବୀଙ୍କୁ ସହରର ଲୋକେ ଘୃଣା ଭରା ଦୃଷ୍ଟିରେ ଦେଖୁଥିବାରୁ ସେ ଆଡ଼ଛଡ଼ା ହୋଇ ରହିଥିଲେ।
ବର୍ଷାର ମାତ୍ରା ବଢ଼ିବା ସହିତ ଘନଘନ ବଜ୍ରପାତ ହେବାକୁ ଲାଗିଲା। ସବୁ ଚଡ଼କ ସେହି ଚାଳିଆ ଆଖପାଖରେ ପଡୁୁଥାଏ। ତେଣୁ ଲୋକେ ଭୟରେ ବିବ୍ରତ ହୋଇ ଉଠୁଥାଆନ୍ତି।
ଏହି ସମୟରେ ପଣ୍ଡିତ କହିଲେ- ଆମ ମଧ୍ୟରେ ଏପରି ଜଣେ କେହି ଅଛି ଯାହା ଉପରେ ଈଶ୍ବର ଅସନ୍ତୁଷ୍ଟ। ତେଣୁ ସେ ଏଭଳି ଘଟାଉଛନ୍ତି।
ତା’ ପରେ ସେ ରୂପଜୀବୀଙ୍କ ଆଡ଼କୁ ଇଙ୍ଗିତ କରି କହିଲେ- ମୋ ମତରେ ସେହି ସ୍ତ୍ରୀ ଲୋକ ହେଉଛି ଏହାର କାରଣ। ତାକୁ ଏଠାରୁ ତଡ଼ି ଦିଆଯାଉ। ନ ହେଲେ ଆମେ ସମସ୍ତେ ବଜ୍ରପାତରେ ମରିବା।
ରୂପଜୀବୀ ଜଣକ ନେହୁରା ହୋଇ ଦୟାର ଭିକ୍ଷା ମାଗିଲେ। କାରଣ ବାହାରକୁ ଗଲେ ଚଡ଼କ ତାଙ୍କ ପ୍ରାଣ ନେବାର ଭୟ ଥିଲା। କିନ୍ତୁ ପଣ୍ଡିତ ଓ ଅନ୍ୟମାନେ କର୍ଣ୍ଣପାତ କଲେ ନାହିଁ। ସୁତରାଂ, ତାଙ୍କୁ ଧକ୍କା ମାରି ସେଠାରୁ ବାହାର କରି ଦିଆଗଲା‌। ବର୍ଷା ଓ ଘଡ଼ଘଡ଼ି ଭିତରେ ମହିଳା ଜଣକ ପ୍ରାଣ ବିକଳରେ ଦୌଡ଼ି ପଳାଇ ଯାଉ ଯାଉ ପଛରୁ ଭୀଷଣ ଶବ୍ଦ ଶୁଣିଲେ। ପଛକୁ ଚାହିଁ ଦେଖନ୍ତି ତ ଚଡ଼କରେ ଚାଳିଆଟି ଜଳି ଧ୍ବଂସ ହୋଇ ଯାଇଛି।
ସେହି ଦିନ ସେହି ସ୍ଥାନରେ ସେ ବୋଧହୁଏ ଥିଲେ ଏକମାତ୍ର ବ୍ୟକ୍ତି, ଯିଏ ବଞ୍ଚି ରହିବା ବିଧିର ବିଧାନ ଥିଲା  ଏବଂ ତାଙ୍କ ଲାଗି ଚାଳିଆରେ ହୁଏତ ସମସ୍ତେ ସୁରକ୍ଷିତ ଥିଲେ!

 

 

 

 

ସୌଜନ୍ୟ -ସମ୍ୱାଦ

Comments are closed.