ଆମେରିକା ଘଟଣାରୁ ଆମ ପାଇଁ ଯେଉଁ ଶିକ୍ଷା ମିଳିଥାଏ, ତାହା ହେଲା, ଇନ୍‌ସ୍ୟୁରାନ୍‌ସ କଂପାନି, ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ ଓ ରୋଗୀମାନଙ୍କ ମଧ୍ୟରେ ଅବିଶ୍ବାସ ଓ ସନ୍ଦେହ ସମଗ୍ର ବ୍ୟବସ୍ଥାକୁ ବିଫଳ କରିବାର କ୍ଷମତା ବହନ କରିଥାଏ। ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ସୃଷ୍ଟି ଦ୍ବାରା ହିଁ ହେଲ୍‌ଥ ଇନ୍‌ସ୍ୟୁରାନ୍‌ସ ବ୍ୟବସ୍ଥାକୁ ଏହି ଅବିଶ୍ବାସ ବିଷରୁ ମୁକ୍ତ କରାଯାଇପାରିବ। ଏ କ୍ଷେତ୍ରର ନିୟନ୍ତ୍ରକ ସଂସ୍ଥା ‘ଦି ଇନ୍‌ସ୍ୟୁରାନ୍‌ସ ରେଗୁଲେଟରି ଡେଭେଲପ୍‌ମେଣ୍ଟ ଅଥରିଟି ଅଫ୍ ଇଣ୍ଡିଆ’କୁ ଏଥିପାଇଁ କଠୋର ସ୍ବଚ୍ଛତା ନିୟମ କାର୍ଯ୍ୟକାରୀ କରିବାକୁ ହେବ, ତୁରନ୍ତ ଅଭିଯୋଗ ଶୁଣାଣି ଓ ସମାଧାନ ବ୍ୟବସ୍ଥା ସକ୍ରିୟ କରିବାକୁ ହେବ ଏବଂ ଅନୈତିକ କାର୍ଯ୍ୟକଳାପକୁ ଦଣ୍ଡିତ କରିବାକୁ ହେବ।

ସପ୍ତାହକ ତଳେ ଆମେରିକୀୟ ସମାଜର ଦୁଇଟି କୁତ୍ସିତ ଚେହେରାକୁ ପଦାରେ ପକାଇଛି ବୋଲି କୁହାଯାଉଥିବା ସେଠାରେ ଘଟିଥିବା ଏକ ଘଟଣା ଯେଉଁ ଶିକ୍ଷା ବହନ କରିଥାଏ, ତାହାର ପ୍ରାସଙ୍ଗିକତା କେବଳ ଆମେରିକାର ସୀମା ମଧ୍ୟରେ ଆବଦ୍ଧ ନୁହେଁ ବୋଲି ଯଦି କୁହାଯାଏ, ଭୁଲ୍ ହେବନାହିଁ। ଏ ଦୁଇଟି ଚେହେରାକୁ ଗୋଟିଏ ବାକ୍ୟରେ ଏଇଭଳି ପ୍ରକାଶ କରାଯାଇପାରେ: ଜଣେ ହେଲ୍‌ଥ ଇନ୍‌ସ୍ୟୁରାନ୍‌ସ (ସ୍ବାସ୍ଥ୍ୟ ବୀମା) ଉଚ୍ଚ ପଦାଧିକାରୀଙ୍କୁ ଗୁଳି କରି ହତ୍ୟା କରାଗଲା; ଏବଂ ଯେହେତୁ ସେ ଥିଲେ ଜଣେ ହେଲ୍‌ଥ ଇନ୍‌ସ୍ୟୁରାନ୍‌ସ ଉଚ୍ଚ ପଦାଧିକାରୀ, ଜନସାଧାରଣ ତାଙ୍କର ହତ୍ୟାକୁ ପ୍ରଶଂସା କରିବାରେ ଲାଗିଛନ୍ତି। କେବଳ ହେଲ୍‌ଥ ଇନ୍‌ସ୍ୟୁରାନ୍‌ସ ବ୍ୟବସାୟ କ୍ଷେତ୍ରରେ ନୁହେଁ, ପୃଥିବୀ ସାରା କର୍ପୋରେଟ୍‌ ଜଗତରେ ଚହଳ ସୃଷ୍ଟି କରିଥିବା ଏହି ଘଟଣାରେ ‘ୟୁନାଇ‌େଟଡ୍ ହେଲ୍‌ଥକେଆର୍’ ନାମକ ବିଶାଳ ହେଲ୍‌ଥ ଇନ୍‌ସ୍ୟୁରାନ୍‌ସ କଂପାନିର ‘ସିଇଓ’ ବ୍ରାୟାନ୍ ଥମ୍ପସନ୍ ମାନ୍‌ହାଟ୍ଟାନ୍‌ ଠାରେ ଲୁଇଜି ମାନ୍‌ଜିଓନ୍ ନାମକ ଜଣେ ଉଚ୍ଚଶିକ୍ଷିତ ୨୬ ବର୍ଷୀୟ ଯୁବକର ଗୁଳିରେ ଟଳି ପଡ଼ିଛନ୍ତି।
ପୁଲିସ ଯେତେବେଳେ ଦୁଇ ଦିନ ପରେ ଆତତାୟୀକୁ ଧରିବାରେ ସଫଳ ହୋଇଛି ବୋଲି ଘୋଷଣା କରି ମାନ୍‌ଜିଓନ୍‌ର ପରିଚୟ ପ୍ରକାଶ କଲା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ମାନ୍‌ଜିଓନ୍‌ଙ୍କୁ ପ୍ରଶଂସା ଓ ସମର୍ଥନରେ ଇଣ୍ଟର୍‌ନେଟ୍‌ରେ ବସ୍ତୁତଃ ଏକ ବିସ୍ଫୋରଣ ଘଟିଲା। ଆମେରିକାର ହେଲ୍‌ଥ ଇନ୍‌ସ୍ୟୁରାନ୍‌ସ ବ୍ୟବସ୍ଥା ନେଇ ଅସନ୍ତୁଷ୍ଟ ଥିବା ଏବଂ ପୁଞ୍ଜିବାଦ-ବିରୋଧୀ ଚିନ୍ତାଧାରା ବହନ କରୁଥିବା ଲକ୍ଷ ଲକ୍ଷ ଲୋକ ସୋସିଆଲ୍ ମିଡିଆରେ ମାନ୍‌ଜିଓନ୍‌ଙ୍କୁ ଜଣେ ଲୋକନାୟକ ଆସନରେ ବସାଇବା ସହିତ ତାଙ୍କୁ ଅଦାଲତୀ ସଂଗ୍ରାମରେ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ପାଣ୍ଠି ସଂଗ୍ରହ ଅଭିଯାନ ମଧ୍ୟ ଆରମ୍ଭ କରିଦେଇଛନ୍ତି।
‘ୟୁନାଇଟେଡ୍ ହେଲ୍‌ଥକେଆର୍’ ହେଉଛି କେବଳ ଆମେରିକା ନୁହେଁ, ସାରା ପୃଥିବୀର ବୃହତ୍ତମ ହେଲ୍‌ଥ ଇନ୍‌ସ୍ୟୁରାନ୍‌ସ କଂପାନିମାନଙ୍କ ମଧ୍ୟରୁ ଅନ୍ୟତମ। ଏକ ‘ଗ୍ୟାଲପ୍’ ସର୍ଭେ ଅନୁସାରେ ଆମେରିକାରେ ମାତ୍ର ୩୧ ଶତାଂଶ ଲୋକଙ୍କର ସେଠାକାର ହେଲ୍‌ଥ କେଆର୍ ବ୍ୟବସାୟ ପ୍ରତି ଭଲ ଧାରଣା ଥିବାବେଳେ ଏହି ନିର୍ଦ୍ଦିଷ୍ଟ ହେଲ୍‌ଥ ଇନ୍‌ସ୍ୟୁରାନ୍‌ସ କଂପାନିର ଭାବମୂର୍ତ୍ତି ବିଶେଷ ଭାବରେ ଖରାପ ଥିବା ଦେଖାଯାଇଥାଏ। ଏହି କଂପାନି ପ୍ରଦାନ କରୁଥିବା ସେବା ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବା ବେଳେ ଅଧିକାଂଶ ସମୟରେ ବିଭିନ୍ନ ଆଳ ଦେଖାଇ ଗ୍ରାହକମାନଙ୍କର ଚିକିତ୍ସା ପରବର୍ତ୍ତୀ ଖର୍ଚ୍ଚ ଭରଣା ଦାବି ପ୍ରତ୍ୟାଖ୍ୟାନ କରି ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥାଏ।
ଏହି ଅସନ୍ତୋଷ ଯେ ଏପରି ଗଭୀର ଓ ବ୍ୟାପକ ଥିଲା ତାହା ବର୍ତ୍ତମାନ ଥମ୍ପସନ୍‌ଙ୍କ ହତ୍ୟା ପରବର୍ତ୍ତୀ ପ୍ରତିକ୍ରିୟାରୁ ଜଣାପଡୁଛି। ଏହାର ଏକ ଉଦାହରଣ ସ୍ବରୂପ ବ୍ୟାପକ ଭାବରେ ‘ଲାଇକ୍’ ହୋଇଥିବା କିମ୍ବା ‘ସେଆର୍’ ହୋଇଥିବା ଅନେକ ଜୋକ୍ ହେଉଛି ଏହିପରି: ଗୁଳିମାଡ଼ ଦ୍ବାରା ଥମ୍ପସନ୍‌ଙ୍କ ଶରୀରରେ ସୃଷ୍ଟି ହୋଇଥିବା ମରଣାନ୍ତକ କ୍ଷତ ତାଙ୍କ ନିଜ କଂପାନିର ଇନ୍‌ସ୍ୟୁରାନ୍‌ସ ଦ୍ବାରା କଭର ହୋଇ ନଥାନ୍ତା। ଏପରିକି ଏକ ମର୍ଯ୍ୟାଦାଜନକ ପ୍ରକାଶନରେ ମନ୍ତବ୍ୟ ପ୍ରକାଶ ପାଇଛି ଯେ କୌଣସି ହତ୍ୟାକାଣ୍ଡ ପ୍ରତି ସହନଶୀଳତା ପ୍ରଦର୍ଶନ କରାଯିବା କେବେହେଲେ ଗ୍ରହଣୀୟ ନୁହେଁ, କିନ୍ତୁ ‘‘ସିଇଓ ଶ୍ରେଣୀ’’ ସାଧାରଣ ଲୋକଙ୍କର ଯନ୍ତ୍ରଣା ଓ ମୃତ୍ୟୁ ପ୍ରତି ଯେଉଁଭଳି ଉଦାସୀନତା ପ୍ରଦର୍ଶନ କରିଥାନ୍ତି, ସେ ଦୃଷ୍ଟିରୁ ଜନସାଧାରଣଙ୍କର ଏଭଳି ପ୍ରତିକ୍ରିୟାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ତତ୍ପର୍ଯ୍ୟପୂର୍ଣ୍ଣ ଭାବରେ ରାଜନୀତି ଯୋଗୁଁ ସ୍ପଷ୍ଟ ରୂପେ ଦୁଇ ଭାଗରେ ବିଭକ୍ତ ହୋଇଥିବା ଆମେରିକୀୟ ସମାଜକୁ ବର୍ତ୍ତମାନ ଏକଜୁଟ କରିବାରେ ସଫଳ ହୋଇଛି ଏକ ହତ୍ୟାକାଣ୍ଡ। କାରଣ ହତ୍ୟା ଅଭିଯୁକ୍ତ ଲୁଇଜି ମାନ୍‌ଜିଓନ୍‌ଙ୍କର ଅଗଣିତ ସମର୍ଥକମାନଙ୍କ ମଧ୍ୟରେ ଯେତିକି ଅଛନ୍ତି ରିପବ୍ଲିକାନ୍ ସେତିକି ଅଛନ୍ତି ଡେମୋକ୍ରାଟ୍‌।
ଏ ଘଟଣା ପରେ ଓ ଏହା ସୃଷ୍ଟି କରିଥିବା ପ୍ରତିକୂଳ ପ୍ରତିକ୍ରିୟା ଦେଖି ଆମେରିକାରେ ଅନେକ ହେଲ୍‌ଥ ଇନ୍‌ସ୍ୟୁରାନ୍‌ସ କଂପାନି ସେମାନଙ୍କର ପଦାଧିକାରୀମାନଙ୍କ ସହିତ ଗ୍ରାହକମାନଙ୍କର ପ୍ରତ୍ୟକ୍ଷ ସାକ୍ଷାତ ନିଷେଧ କରିଦେବା ଦେଖାଗଲାଣି। ଏକ ପଦରେ କହିଲେ ଲୁଇଜି ମାନ୍‌ଜିଓନ୍ ଆମେରିକାର ସମଗ୍ର ହେଲ୍‌ଥକେଆର୍ ଶିଳ୍ପରେ ଏକ କୋକୁଆ ଭୟ ପ୍ରସାର କରିଦେଇଛନ୍ତି। ଯେହେତୁ ଲୋକ ସଂସ୍କୃତିରୁ ବ୍ୟବସାୟ ସଂସ୍କୃତି ପର୍ଯ୍ୟନ୍ତ ପୃଥିବୀ ସାରା ସମସ୍ତେ ଆମେରିକାକୁ ଅନୁକରଣ କରିଥାନ୍ତି, ବର୍ତ୍ତମାନ ଲୁଇଜି ମାନ୍‌ଜିଓନ୍‌ଙ୍କୁ ନକଲ କରିବା ସମ୍ଭାବନା ବିଭିନ୍ନ ଦେଶରେ ବ୍ୟବସାୟ କରୁଥିବା ହେଲ୍‌ଥ ଇନ୍‌ସ୍ୟୁରାନ୍‌ସ କଂପାନିମାନଙ୍କୁ ଛାନିଆ କଲାଣି। କାରଣ ‘ୟୁନାଇଟେଡ୍ ହେଲ୍‌ଥକେଆର୍’ କଂପାନିର ଯେଉଁଭଳି ବ୍ୟବସାୟ ସଂସ୍କୃତି ‘‘ହଟ୍ ଆସାସିନ୍’’ ମାନ୍‌ଜିଓନ୍‌ଙ୍କୁ କଂପାନିର ‘ସିଇଓ’ ଥମ୍ପସନ୍‌ଙ୍କୁ ହତ୍ୟା କରିବା ନିମିତ୍ତ ପ୍ରବୃତ୍ତ କରିଥିଲା, ପୃଥିବୀ ସାରା ପ୍ରାୟ ସମସ୍ତ ହେଲ୍‌ଥ ଇନ୍‌ସ୍ୟୁରାନ୍‌ସ କଂପାନିମାନେ ଊଣାଅଧିକେ ସେଇଭଳି ସଂସ୍କୃତି ହିଁ ଅନୁସରଣ କରିଥାନ୍ତି।
ଭାରତ ମଧ୍ୟ ସେଥିରେ ବ୍ୟତିକ୍ରମ ନୁହେଁ। ନିକଟରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ଭାରତରେ ୪୩ ଶତାଂଶ ଇନ୍‌ସ୍ୟୁରାନ୍‌ସ ପଲିସିଧାରୀ ଗ୍ରାହକ ଖର୍ଚ୍ଚ ଭରଣା ପାଇଁ ଦାବି (କ୍ଲେମ୍) ପ୍ରକ୍ରିୟାକରଣ ସମୟରେ କଂପାନି ସୃଷ୍ଟି କରୁଥିବା ବିଭିନ୍ନ ଅସୁବିଧାମାନଙ୍କର ସମ୍ମୁଖୀନ ହୋଇଥାନ୍ତି। ପୂର୍ବରୁ ଥିବା ବ୍ୟାଧି କାରଣରୁ ‘କ୍ଲେମ୍’ ପ୍ରତ୍ୟାଖ୍ୟାନରୁ ଆରମ୍ଭ କରି ଅବୋଧ୍ୟ ସର୍ତ୍ତାବଳୀର ଫାଇନ୍‌ ପ୍ରିଣ୍ଟରେ ଲୁଚି ରହିଥିବା କୌଣସି ସର୍ତ୍ତର ଉଲ୍ଲଂଘନ ଯୋଗୁଁ ‘କ୍ଲେମ୍’ ପ୍ରତ୍ୟାଖ୍ୟାନ ପର୍ଯ୍ୟନ୍ତ ଏହାର ଅନ୍ତର୍ଭୁକ୍ତ। ନିରାପତ୍ତା ଜାଲ ବା ‘ସେଫ୍‌ଟି ନେଟ୍’ ବୋଲି କୁହାଯାଉଥିବା ହେଲ୍‌ଥ ଇନ୍‌ସ୍ୟୁରାନ୍‌ସ ବ୍ୟବସ୍ଥା ଅନେକ ସମୟରେ କାଳକ୍ଷେପଣ ଓ ବ୍ୟୟଭାର ବୃଦ୍ଧିର ଜାଲରେ ପରିଣତ ହୋଇଥାଏ। ‌‘କ୍ଲେମ୍’ର ପ୍ରକ୍ରିୟାକରଣ ଅହେତୁକ ଭାବରେ ମନ୍ଥର ହେବା ଯୋଗୁଁ ରୋଗୀକୁ ଅନାବଶ୍ୟକ ଭାବରେ ହସ୍‌ପିଟାଲରେ ଅଧିକ କାଳ ରହିବାକୁ ପଡ଼ିଥାଏ ଓ ସେଇ କାରଣରୁ ତା’ର ବ୍ୟୟ ବୋଝରେ ବୃଦ୍ଧି ଘଟିଥାଏ।
ନିକଟରେ ଇନ୍‌ସ୍ୟୁରାନ୍‌ସ ପ୍ରିମିଅମ୍‌ରେ ଦେଖାଦେଇଥିବା ତୀକ୍ଷ୍‌ଣ ବୃଦ୍ଧି ମଧ୍ୟ ଗ୍ରାହକମାନଙ୍କ ପାଇଁ ଅସହନୀୟ ଆର୍ଥିକ ବୋଝ ସୃଷ୍ଟି କରିଛି। ଗତ ବର୍ଷ ପ୍ରାୟ ଏକ-ପଞ୍ଚମାଂଶ ଗ୍ରାହକମାନଙ୍କ କ୍ଷେତ୍ରରେ ସେମାନେ ପଇଠ କରୁଥିବା ପ୍ରିମିଅମ୍‌ରେ ୫୦ ଶତାଂଶରୁ ଅଧିକ ହାରରେ ବୃଦ୍ଧି ଘଟିବା ଦେଖାଯାଇଥିଲା। ଏହା ଅନେକ ମଧ୍ୟବିତ୍ତ ପରିବାରମାନଙ୍କ ପାଇଁ ଇନ୍‌ସ୍ୟୁରାନ୍‌ସକୁ ଅପହଞ୍ଚ କରିଥାଏ। ସେମାନଙ୍କ ପାଇଁ ହେଲ୍‌ଥ ଇନ୍‌ସ୍ୟୁରାନ୍‌ସ ଏକ ଆଶ୍ବାସନା ହେବା ପରିବର୍ତ୍ତେ ଏକ ଆର୍ଥିକ ବୋଝରେ ପରିଣତ ହୋଇଥାଏ।
ଆମେରିକା ଘଟଣାରୁ ଆମ ପାଇଁ ଯେଉଁ ଶିକ୍ଷା ମିଳିଥାଏ, ତାହା ହେଲା, ଇନ୍‌ସ୍ୟୁରାନ୍‌ସ କଂପାନି, ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ ଓ ରୋଗୀମାନଙ୍କ ମଧ୍ୟରେ ଅବିଶ୍ବାସ ଓ ସନ୍ଦେହ ସମଗ୍ର ବ୍ୟବସ୍ଥାକୁ ବିଫଳ କରିବାର କ୍ଷମତା ବହନ କରିଥାଏ। ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ସୃଷ୍ଟି ଦ୍ବାରା ହିଁ ହେଲ୍‌ଥ ଇନ୍‌ସ୍ୟୁରାନ୍‌ସ ବ୍ୟବସ୍ଥାକୁ ଏହି ଅବିଶ୍ବାସ ବିଷରୁ ମୁକ୍ତ କରାଯାଇପାରିବ। ଏ କ୍ଷେତ୍ରର ନିୟନ୍ତ୍ରକ ସଂସ୍ଥା ‘ଦି ଇନ୍‌ସ୍ୟୁରାନ୍‌ସ ରେଗୁଲେଟରି ଡେଭେଲପ୍‌ମେଣ୍ଟ ଅଥରିଟି ଅଫ୍ ଇଣ୍ଡିଆ’କୁ ଏଥିପାଇଁ କଠୋର ସ୍ବଚ୍ଛତା ନିୟମ କାର୍ଯ୍ୟକାରୀ କରିବାକୁ ହେବ, ତୁରନ୍ତ ଅଭିଯୋଗ ଶୁଣାଣି ଓ ସମାଧାନ ବ୍ୟବସ୍ଥା ସକ୍ରିୟ କରିବାକୁ ହେବ ଏବଂ ଅନୈତିକ କାର୍ଯ୍ୟକଳାପକୁ ଦଣ୍ଡିତ କରିବାକୁ ହେବ। ‘ଆୟୁ‌ଷ୍ମାନ ଭାରତ’ ଭଳି ସରକାରୀ ସ୍ବାସ୍ଥ୍ୟ ସେବା ଯୋଜନାର ଦୃଢ଼ୀକରଣ ଦ୍ବାରା ଘରୋଇ ଇନ୍‌ସ୍ୟୁରାନ୍‌ସ କଂପାନିମାନଙ୍କ ଉପରେ ନିର୍ଭର କରିବା ହ୍ରାସ ପାଇପାରେ।
ହେଲ୍‌ଥ ଇନ୍‌ସ୍ୟୁରାନ୍‌ସ କ୍ଷେତ୍ରରେ ଯେ ତୁରନ୍ତ ସଂସ୍କାର ଲୋଡ଼ା, ଆମେରିକା ଘଟଣା ହେଉଛି ସେଥିପାଇଁ ସତର୍କ ଘଣ୍ଟି। ରୋଗୀର ମଙ୍ଗଳ ଅପେକ୍ଷା କଂପାନିର ଲାଭକୁ ଅଧିକ ପ୍ରାଥମିକତା ପ୍ରଦାନ କରୁଥିବା ଏହି ଅସୁସ୍ଥ ବ୍ୟବସାୟ ମଡେଲକୁ ଯେ ସମାଜ ପ୍ରତ୍ୟାଖ୍ୟାନ କରୁଛି, ବର୍ତ୍ତମାନ ତାହା ସ୍ପଷ୍ଟ।