Breaking News

ଚମତ୍କାର ୨୪: ଆଇନ ଅଦାଲତ ସମୀକ୍ଷା; ସକ୍ରିୟ, ସଜାଗ, ସତର୍କ

ଦେଶର ଫୌଜଦାରୀ ନ୍ୟାୟ ବ୍ୟବସ୍ଥାରେ ଯୁଗାନ୍ତକାରୀ ପରିବର୍ତ୍ତନର ସାକ୍ଷୀ ହୋଇଛି ବର୍ଷ ୨୦୨୪। ତିନି ନୂଆ ‌ଆଇନ ଜୁଲାଇ ୧ରୁ କାର୍ଯ୍ୟକାରୀ ହୋଇଥିଲା। ଏହା ସହିତ ଅନେକ ଚର୍ଚ୍ଚିତ ତଥା ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରି ଓଡ଼ିଶା ହାଇକୋର୍ଟ ଉଦାହରଣ ସୃଷ୍ଟି କରିଛନ୍ତି।

ଦେଶର ଫୌଜଦାରୀ ନ୍ୟାୟ ବ୍ୟବସ୍ଥାରେ ଯୁଗାନ୍ତକାରୀ ପରିବର୍ତ୍ତନର ସାକ୍ଷୀ ହୋଇଛି ବର୍ଷ ୨୦୨୪। ତିନି ନୂଆ ‌ଆଇନ ଜୁଲାଇ ୧ରୁ କାର୍ଯ୍ୟକାରୀ ହୋଇଥିଲା। ଏହା ସହିତ ଅନେକ ଚର୍ଚ୍ଚିତ ତଥା ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରି ଓଡ଼ିଶା ହାଇକୋର୍ଟ ଉଦାହରଣ ସୃଷ୍ଟି କରିଛନ୍ତି। ଅନେକ ସାମାଜିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ନିଜଆଡ଼ୁ ମାମଲା ଦାୟର ସହ ଶୁଣାଣି କରି ନ୍ୟାୟିକ ପ୍ରକ୍ରିୟାକୁ ସକ୍ରିୟ ତଥା ତ୍ବରାନ୍ବିତ କରିଛନ୍ତି।

ନୂଆ ମୁଖ୍ୟ ବିଚାରପତି
୨୦୨୪ ଫେବ୍ରୁଆରି ୭ରେ ଓଡ଼ିଶା ହାଇକୋର୍ଟର ୩୪ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂହ ଶପଥ ଗ୍ରହଣ କରିଥିଲେ। ପାଟନା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟରତ ଥିବା ବେଳେ ଫେବ୍ରୁଆରି ୨ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ତାଙ୍କ ନିଯୁକ୍ତି ସଂପର୍କିତ ବିଜ୍ଞପ୍ତି କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିଲା। ସେହିପରି ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଓଡ଼ିଶା ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ୍‌ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀ ଜୁଲାଇ ୩ରେ ନିଯୁକ୍ତି ପାଇଥିଲେ। ଜୁଲାଇ ୫ରେ ଜଷ୍ଟିସ୍‌ ଷଡ଼ଙ୍ଗୀ ଶପଥ ଗ୍ରହଣ କରିଥିଲେ। ଜଷ୍ଟିସ୍‌ ଷଡ଼ଙ୍ଗୀ ୨୦୧୩  ଜୁନ ୨୦ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଥିବା ବେଳେ ୨୦୨୩ରେ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ୨୦୨୪ ଅକ୍ଟୋବର ୧୧ରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଦେବବ୍ରତ ଦାଶ ଅବସରଗ୍ରହଣ କରିଥିଲେ। ଜଷ୍ଟିସ ଦାଶ ୨୦୧୩ ନଭେମ୍ବର ୨୯ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।
ମାହାଙ୍ଗା ଡବଲ୍‌ ମର୍ଡର: ନିମ୍ନ ଅଦାଲତର ମାମଲା ରଦ୍ଦ 
ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ବିଧାୟକ ପ୍ରତାପ କୁମାର ଜେନାଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଥିଲା। ଶ୍ରୀ ଜେନାଙ୍କ ବିରୋଧରେ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାକୁ ହାଇକୋର୍ଟ ଖାରଜ କରିଥିଲେ। ଶ୍ରୀ ଜେନାଙ୍କ ବିରୋଧରେ ସାଲେପୁର ଜେଏମ୍‌ଏଫ୍‌ସି ଅଦାଲତ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ରେ କଗ୍‌ନିଜାନ୍ସ ଗ୍ରହଣ କରି ୨୦୨୩, ସେପ୍ଟେମ୍ବର ୨୫ରେ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ଅକ୍ଟୋବର ୧ରେ ରଦ୍ଦ କରିଥିଲେ। ଏଥି ସହିତ ନିମ୍ନ ଅଦାଲତରେ ଶ୍ରୀ ଜେନାଙ୍କ ବିରୋଧରେ ବିଚାରାଧୀନ ଏ ସଂପର୍କିତ ଫୌଜଦାରୀ ମାମଲାକୁ ମଧ୍ୟ ହାଇକୋର୍ଟ ରଦ୍ଦ କରିଥିଲେ। ୨୦୨୧ ଜାନୁଆରି ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ତଦନ୍ତ କରି ପୁଲିସ ଯେଉଁ ଚାର୍ଜସିଟ ଦାଖଲ କରିଥିଲା ସେଥିରେ ତତ୍କାଳୀନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନାମ ସ୍ଥାନ ପାଇ ନଥିଲା। ଏନେଇ ରଣଜିତ ବରାଳ ପ୍ରୋଟେଷ୍ଟ ପିଟିସନ ଦାଖଲ କରିଥିଲେ। ସାଲେପୁର ଜେଏମ୍‌ଏଫସି ଅଦାଲତ  ୨୦୨୩ ସେପ୍ଟେମ୍ବର ୨୫ରେ ଶୁଣାଣି କରି ଶ୍ରୀ ଜେନାଙ୍କ ବିରୋଧରେ ଆଇପିସିର ଦଫା ୩୦୨ (ହତ୍ୟା), ୧୨୦-ବି (ଆପରାଧିକ ଷଡ଼୍‌ଯନ୍ତ୍ର), ୫୦୬( ହତ୍ୟା ଧମକ)ରେ କଗନିଜାନ୍ସ ଗ୍ରହଣ କରିଥିଲେ। ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଶ୍ରୀ ଜେନା ହାଇକୋର୍ଟଙ୍କ ଦ୍ବାରସ୍ଥ ‌ହୋଇଥିଲେ।
ସୁପ୍ରିମକୋର୍ଟରେ ଓଡ଼ିଶା ହାଇକୋର୍ଟ ରାୟ କାଏମ
ଗୋଟିଏ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଜଣେ ବ୍ୟକ୍ତି ଅନ୍ୟ ଏକ ମାମଲାରେ ଆଗୁଆ ଜାମିନ ଆବେଦନ କରି ପାରିବେ ବୋଲି ଏପ୍ରିଲ ୧୦ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଶଶିକାନ୍ତ ମିଶ୍ର ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ। ସୁପ୍ରିମକୋର୍ଟରେ ଓଡ଼ିଶା ହାଇକୋର୍ଟଙ୍କ ଏହି ରାୟ ଗ୍ରହଣୀୟ ହୋଇଥିଲା। ସୁପ୍ରିମକୋର୍ଟରେ ସମାନ ପ୍ରସଂଗରେ ଶୁଣାଣି ସମୟରେ ଓଡ଼ିଶା ହାଇକୋର୍ଟ ୨୦୨୪ ଏପ୍ରିଲ ୧୦ରେ ପ୍ରଦାନ କରିଥିବା ରାୟର ନଜିର ଉପସ୍ଥାପନ କରାଯାଇଥିଲା। ଗୋଟିଏ ମାମଲାରେ ହାଜତରେ ଥିବା ଅଭିଯୁକ୍ତ ତାଙ୍କ ବିରୋଧରେ ପଞ୍ଜୀକୃତ ପୃଥକ ମାମଲାରେ ଆଗୁଆ ଜାମିନ ପାଇଁ ପ୍ରାର୍ଥନା କରିବାରେ କୌଣସି ଆଇନଗତ ବାଧା ନାହିଁ ବୋଲି ଓଡ଼ିଶା ହାଇକୋର୍ଟଙ୍କ ଏହି ରାୟରେ ଉଲ୍ଲେଖ କରାଯାଇଥିଲା।

ହାତୀ ମୃତ୍ୟୁକୁ ନେଇ ନିଜଆଡ଼ୁ ମାମଲା ରୁଜୁ କଲେ ହାଇକୋର୍ଟ 
ରାଜ୍ୟରେ ହାତୀ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟ ନିଜଆଡ଼ୁ ମାମଲା ରୁଜୁ କରି ଶୁଣାଣି କରିଥିଲେ। ସମ୍ବଲପୁର ଫରେଷ୍ଟ ସର୍କଲ୍‌ର ରେଢ଼ାଖୋଲ ଡିଭିଜନ୍‌ ଅଧୀନ ନାକଟିଦେଉଳ ରେଞ୍ଜରେ ବିଦ୍ୟୁତ୍‌ ଆଘାତରେ ୩ ହାତୀଙ୍କ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟ ନଭେମ୍ବର ୧୯ରେ ନିଜଆଡ଼ୁ ଏକ ମାମଲା ରୁଜୁ କରିଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ନଭେମ୍ବର ୨୬ରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍‌)ଙ୍କୁ ଭର୍ଚୁଆଲ୍‌ ବ୍ୟବସ୍ଥାରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହାତୀଙ୍କ ସୁରକ୍ଷା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିବା ସହିତ ରିପୋର୍ଟ ତଲବ କରିଥ‌ିଲେ।
ଜଣଙ୍କୁ ଆଜୀବନ କାରାଦଣ୍ଡ, ଅନ୍ୟଜଣେ ଦୋଷମୁକ୍ତ 
୨୦୧୪ରେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତ୍ତୋଲ ଥାନା କୃଷ୍ଣାନନ୍ଦପୁର ଫାଣ୍ଡି ଅଞ୍ଚଳରେ ହୋଇଥିବା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ସେକ୍ ଅକିଲ ଅଲ୍ଲୀକୁ ନିମ୍ନ ଅଦାଲତ ଫାଶୀଦଣ୍ଡ ଶୁଣାଇ ଥିବାବେଳେ ହାଇକୋର୍ଟ ତାଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଅନ୍ୟପକ୍ଷରେ ନିମ୍ନ ଅଦାଲତ ଦ୍ବାରା ମୃତ୍ୟୁ ଦଣ୍ଡାଦେଶ ପାଇଥିବା ସେକ୍ ଆସିଫ ଅଲ୍ଲୀ ଓରଫ ମହମ୍ମଦ ଆସିଫ ଇକ୍‌ବାଲର ଦଣ୍ଡାଦେଶ କୋହଳ କରି ହାଇକୋର୍ଟ ଆଜୀବନ କାରାଦଣ୍ଡକୁ ପରିବର୍ତ୍ତନ କରିଥିଲେ।  ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ୍‌ ଆର୍‌.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁତ୍ୟ ଦଣ୍ଡାଦେଶ ଅନୁମୋଦନ ସଂପର୍କିତ ସରକାରଙ୍କ ଆବେଦନ ସହିତ ଜଗତସିଂହପୁର ଆଡ୍‌ହକ୍ ଅତିରିକ୍ତ ଦୌରାଜଜ୍ (ଏଫ୍‌ଟିଏସ୍‌ସି) ପୋକ୍‌ସୋ ଅଦାଲତଙ୍କ ନିର୍ଦ୍ଦେଶ ବିରୋଧରେ ଦାୟର ଦୁଇ ଅପିଲର ଏକତ୍ର ଶୁଣାରି କରି ଜୁନ ୨୦ରେ ଏହି ରାୟ ପ୍ରଦାନ କରିଥିଲେ।
କନେଷ୍ଟବଳ ନିଯୁକ୍ତି ମାମଲା
ସର୍ବାଧିକ ବୟସ ସୀମା ୬ ବର୍ଷ କୋହଳ 
କରୋନା ମହାମାରୀ ଓ ଅନ୍ୟାନ୍ୟ କାରଣରୁ ଗତ ୬ ବର୍ଷ ହେବ ସିପାହି/କନେଷ୍ଟବଳ ପଦରେ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇ ନଥିବା ପ୍ରସଂଗକୁ ହାଇକୋର୍ଟ ବିଚାରକୁ ନେଇ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ କରିବା ପାଇଁ ଡିସେମ୍ବର ୫ରେ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟର ବିଭିନ୍ନ ବାଟାଲିୟନ୍‌ରେ ୧୩୬୦ଟି ସିପାହି/କ‌ନେଷ୍ଟବଳ ପଦ ପୂରଣ ପାଇଁ ୨୦୨୪, ସେପ୍ଟେମ୍ବର ୨୨ରେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଜାରି ରହିଥିବା ନିଯୁକ୍ତି ପ୍ରକ୍ରିୟାରେ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ କରାଯିବ ଏବଂ ସବୁ ବର୍ଗର ପ୍ରାର୍ଥୀଙ୍କୁ ଏହି ସୁବିଧା ମିଳିବ ବୋଲି ହାଇକୋର୍ଟ କହିଥିଲେ।

ଚର୍ଚ୍ଚାରେ କନିଷ୍ଠ ଶିକ୍ଷକ ମାମଲା
ବର୍ଷ ଆରମ୍ଭରୁ କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା ଚର୍ଚ୍ଚାରେ ରହିଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶରେ ଓସେପା ପକ୍ଷରୁ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲଗୁଡ଼ିକରେ ପ୍ରାୟ ୨୦ ହଜାର କନିଷ୍ଠ ଶିକ୍ଷକ ପଦ ପୂରଣ ପାଇଁ ୨୦୨୩ ସେପ୍ଟେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।  ୨୦୨୪ ଜାନୁଆରି ୧୫ରେ ‘ଓସେପା’ ତରଫରୁ କନିଷ୍ଠ ଶିକ୍ଷକ ପଦ ପାଇଁ ଚିଠା ମେଧା ତାଲିକା (ଡ୍ରାଫ୍ଟ ମେରିଟ୍‌ ଲିଷ୍ଟ) ପ୍ରକାଶ ପାଇଥିଲା। କିନ୍ତୁ ନିୟମ ଉଲ୍ଲଂଘନ କରି ଚିଠା ମେଧା ତାଲିକା ପ୍ରସ୍ତୁତ କରାଯାଇଛି ବୋଲି ଅଭିଯୋଗ କରି ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା। ମାମଲା ପ୍ରଥମେ ଜଣିକିଆ ଖଣ୍ଡପୀଠରେ ଓ ପରବର୍ତ୍ତୀ ସମୟରେ ଦୁଇ ଜଣିଆ ଖଣ୍ଡପୀଠରେ ପହଞ୍ଚିଥିଲା। ସିବିଟିରେ ପରୀକ୍ଷାର୍ଥୀମାନେ ରଖିଥିବା ନମ୍ବର ଆଧାରରେ ମେଧା ନିର୍ଦ୍ଧାରଣ କରାଯିବ। ସିବିଟିକୁ ଆଧାର କରି ତଥା ପୂରଣ ହେବାକୁ ଥିବା ପଦବିକୁ ଦୃଷ୍ଟିରେ ରଖି ବିଷୟ ଓ ବର୍ଗ ଭିତ୍ତିକ ସର୍ବନିମ୍ନ କଟ୍-ଅଫ୍ ମାର୍କ ଧାର୍ଯ୍ୟ କରାଯିବ। ଧାର୍ଯ୍ୟ କଟ୍-ଅଫ୍ ମାର୍କ ବା ଏହା ଠାରୁ ଅଧିକ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ନେଇ ଚୟନ ତାଲିକା ପ୍ରସ୍ତୁତ କରାଯିବ। ପଦବି ପାଇଁ ଆବେଦନ ସମୟରେ ପରୀକ୍ଷାର୍ଥୀମାନଙ୍କ ପକ୍ଷରୁ ଦିଆଯାଇଥିବା ଜିଲ୍ଲା ସଂପର୍କିତ ପ୍ରିଫରେନ୍ସକୁ ବିଚାରକୁ ନିଆଯିବ। ସେହିପରି ପ୍ରଥମ କଟ୍-ଅଫ ମାର୍କ ଧାର୍ଯ୍ୟ ପରେ ସବୁ ପଦବି ପୂରଣ ହୋଇ ନପାରି ଖାଲିପଡ଼ିଲେ ଓସେପା ପୁନଃ କଟ୍ ଅଫ୍‌ ମାର୍କ ଧାର୍ଯ୍ୟ କରିପାରିବ ବୋଲି ହାଇକୋର୍ଟ ରାୟ ଦେଇଥିଲେ।

ଚର୍ଚ୍ଚାରେ କନିଷ୍ଠ ଶିକ୍ଷକ ମାମଲା
ବର୍ଷ ଆରମ୍ଭରୁ କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା ଚର୍ଚ୍ଚାରେ ରହିଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶରେ ଓସେପା ପକ୍ଷରୁ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲଗୁଡ଼ିକରେ ପ୍ରାୟ ୨୦ ହଜାର କନିଷ୍ଠ ଶିକ୍ଷକ ପଦ ପୂରଣ ପାଇଁ ୨୦୨୩ ସେପ୍ଟେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।  ୨୦୨୪ ଜାନୁଆରି ୧୫ରେ ‘ଓସେପା’ ତରଫରୁ କନିଷ୍ଠ ଶିକ୍ଷକ ପଦ ପାଇଁ ଚିଠା ମେଧା ତାଲିକା (ଡ୍ରାଫ୍ଟ ମେରିଟ୍‌ ଲିଷ୍ଟ) ପ୍ରକାଶ ପାଇଥିଲା। କିନ୍ତୁ ନିୟମ ଉଲ୍ଲଂଘନ କରି ଚିଠା ମେଧା ତାଲିକା ପ୍ରସ୍ତୁତ କରାଯାଇଛି ବୋଲି ଅଭିଯୋଗ କରି ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା। ମାମଲା ପ୍ରଥମେ ଜଣିକିଆ ଖଣ୍ଡପୀଠରେ ଓ ପରବର୍ତ୍ତୀ ସମୟରେ ଦୁଇ ଜଣିଆ ଖଣ୍ଡପୀଠରେ ପହଞ୍ଚିଥିଲା। ସିବିଟିରେ ପରୀକ୍ଷାର୍ଥୀମାନେ ରଖିଥିବା ନମ୍ବର ଆଧାରରେ ମେଧା ନିର୍ଦ୍ଧାରଣ କରାଯିବ। ସିବିଟିକୁ ଆଧାର କରି ତଥା ପୂରଣ ହେବାକୁ ଥିବା ପଦବିକୁ ଦୃଷ୍ଟିରେ ରଖି ବିଷୟ ଓ ବର୍ଗ ଭିତ୍ତିକ ସର୍ବନିମ୍ନ କଟ୍-ଅଫ୍ ମାର୍କ ଧାର୍ଯ୍ୟ କରାଯିବ। ଧାର୍ଯ୍ୟ କଟ୍-ଅଫ୍ ମାର୍କ ବା ଏହା ଠାରୁ ଅଧିକ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ନେଇ ଚୟନ ତାଲିକା ପ୍ରସ୍ତୁତ କରାଯିବ। ପଦବି ପାଇଁ ଆବେଦନ ସମୟରେ ପରୀକ୍ଷାର୍ଥୀମାନଙ୍କ ପକ୍ଷରୁ ଦିଆଯାଇଥିବା ଜିଲ୍ଲା ସଂପର୍କିତ ପ୍ରିଫରେନ୍ସକୁ ବିଚାରକୁ ନିଆଯିବ। ସେହିପରି ପ୍ରଥମ କଟ୍-ଅଫ ମାର୍କ ଧାର୍ଯ୍ୟ ପରେ ସବୁ ପଦବି ପୂରଣ ହୋଇ ନପାରି ଖାଲିପଡ଼ିଲେ ଓସେପା ପୁନଃ କଟ୍ ଅଫ୍‌ ମାର୍କ ଧାର୍ଯ୍ୟ କରିପାରିବ ବୋଲି ହାଇକୋର୍ଟ ରାୟ ଦେଇଥିଲେ।

ମାଖୁନ ବାଗ ହତ୍ୟା ଘଟଣାରେ ୫ ଲକ୍ଷ ଟଙ୍କା କ୍ଷତିପୂରଣ 
ବରଗଡ଼ ଜିଲ୍ଲା  ଦେକୁଲବା ଗ୍ରାମର ବାସିନ୍ଦା ୫୪ ବର୍ଷୀୟ ମାଖୁନ ଭେଡେନ୍‌ ଥାନାକୁ ଯାଇ ୨୦୧୫, ଜୁଲାଇ ୧୭ରେ ନିଖୋଜ ହୋଇଯାଇଥିଲେ। ତାଙ୍କ ପୁଅ ବିରୋଧରେ ଥିବା ଏକ ମାମଲା‌ ସଂକ୍ରାନ୍ତରେ ହାଜର ହେବାକୁ ମାଖୁନ ଭେଡେନ୍‌ ଥାନାକୁ ଯାଇ ଆଉ ଫେରି ନଥିଲେ। ବହୁଚର୍ଚ୍ଚିତ ମାଖୁନ ବାଗ ହତ୍ୟା ମାମଲାରେ ପୀଡ଼ିତ ପରିବାରକୁ ୫ଲକ୍ଷ ଟଙ୍କା ଅନ୍ତରୀଣ କ୍ଷତିପୂରଣ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାଖୁନଙ୍କ ମୃତ୍ୟୁ ପାଇଁ ଦାୟୀ ପୁଲିସ ଅଧିକାରୀଙ୍କ ଦରମାରୁ ଏହି ଅର୍ଥ ଭରଣା କରାଯିବ ବୋଲି ହାଇକୋର୍ଟ କହିଥିଲେ। ଡକ୍ଟର୍‌ ଜଷ୍ଟିସ୍‌ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ପ୍ରଦାନ କରିଥିଲେ।
ପୂର୍ବତନ ବିଧାୟକଙ୍କୁ ଆଜୀବନ ଜେଲ୍‌
ପତ୍ନୀଙ୍କୁ ହତ୍ୟା ମାମଲାରେ ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋଙ୍କୁ ଆଜୀବନ କାରାଦଣ୍ଡ ପ୍ରଦାନ କରି ଭୁବନେଶ୍ବର ତୃତୀୟ ଅତିରିକ୍ତ ଦୌରା ଜଜ୍ ଅଦାଲତ ୨୦୨୩ ଜୁୁନ୍ ୨୭ରେ ଦେଇଥିବା ରାୟ ହାଇକୋର୍ଟରେ କାଏମ ରହିଥିଲା। ଅତିରିକ୍ତ ଦୌରା ଜଜ୍ ଅଦାଲତଙ୍କ ରାୟ ବିରୋଧରେ ଶ୍ରୀ ଗମାଙ୍ଗୋ ଦାୟର କରିଥିବା ଅପିଲକୁ ହାଇକୋର୍ଟ ଖାରଜ କରିଥିଲେ। ହାଇକୋର୍ଟରେ ଅପିଲ ଶୁଣାଣି ଚାଲିଥିବା ବେଳେ ଜାମିନରେ ଥିବା ଶ୍ରୀ ଗମାଙ୍ଗୋଙ୍କୁ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ୍‌ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ରାୟ ପ୍ରଦାନ କରିଥିଲେ।

 

 

 

ସୌଜନ୍ୟ-ସମ୍ୱାଦ

Comments are closed.