ମହାନଗର

BMC: ହଟିବ ବକେୟା ରଖିଥିବା ଏଜେନ୍ସିଙ୍କ ହୋର୍ଡିଂ: ବାକି ପଡ଼ିଛି ୧୫ କୋଟିରୁ ଅଧିକ ଟଙ୍କା

ବିଜ୍ଞାପନ ହୋର୍ଡିଂ ଲଗାଉଥିବା ଏଜେନ୍ସିମାନେ ୧୫ କୋଟିରୁ ଅଧିକ ଟଙ୍କା ବାକି ରଖିଛନ୍ତି। ନୋଟିସ୍ ପରେ ବି ଶୁଣୁନାହାନ୍ତି। ଯେଉଁଠି ଆର୍ଥିକ ଅଚଳାବସ୍ଥା ଭିତରେ ଉନ୍ନୟନ କାର୍ଯ୍ୟ ଅଟକି ଯାଉଛି, ସେଠାରେ ଏହି ଏଜେନ୍ସିମାନଙ୍କୁ କାହିଁକି ଦରଦ ଦେଖାଯାଉଛି ବୋଲି କର୍ପୋରେଟର୍‌ମାନେ....

ଭୁବନେଶ୍ୱର: ବିଜ୍ଞାପନ ହୋର୍ଡିଂ ଲଗାଉଥିବା ଏଜେନ୍ସିମାନେ ୧୫ କୋଟିରୁ ଅଧିକ ଟଙ୍କା ବାକି ରଖିଛନ୍ତି। ନୋଟିସ୍ ପରେ ବି ଶୁଣୁନାହାନ୍ତି। ଯେଉଁଠି ଆର୍ଥିକ ଅଚଳାବସ୍ଥା ଭିତରେ ଉନ୍ନୟନ କାର୍ଯ୍ୟ ଅଟକି ଯାଉଛି, ସେଠାରେ ଏହି ଏଜେନ୍ସିମାନଙ୍କୁ କାହିଁକି ଦରଦ ଦେଖାଯାଉଛି ବୋଲି କର୍ପୋରେଟର୍‌ମାନେ ଅଭିଯୋଗ ଆଣିବା ସହ କଡ଼ା ଆଭିମୁଖ୍ୟ ପୋଷଣ କରିବାକୁ ମତ ଦେଇଥିଲେ। ଏଣୁ ଯେଉଁ ଏଜେନ୍ସିମାନେ ହୋର୍ଡିଂ ଟଙ୍କା ବାକି ରଖିଛନ୍ତି, ସେମାନଙ୍କ ହୋର୍ଡିଂ ହଟାଇବାକୁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ନିଷ୍ପତ୍ତି ନେଇଛି। ଜାନୁଆରି ୨ରୁ ଏହି ଅଭିଯାନ ଆରମ୍ଭ ହେବ।
ଅପରପକ୍ଷେ ପୂର୍ବରୁ ଜନପଥ ହୋର୍ଡିଂ ଟିକସ ଭୁବନେଶ୍ବର ସ୍ମାର୍ଟ ସିଟି ଆଦାୟ କରୁଥିଲା ଓ ଏହା ସ୍ମାର୍ଟ ସିଟି ଖାତାକୁ ଯାଉଥିଲା। ଏବେ ବିଏମ୍‌ସି ଏହି ଟିକସ ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି। ସେପଟେ ଦୟା ୱେଷ୍ଟ କେନାଲ୍ ପୁନରୁଦ୍ଧାର, ଟିଟିଏସ୍, ବାୟୋ ମାଇନିଂ ସହ ଅନେକ ବଡ଼ ବଡ଼ ପ୍ରକଳ୍ପ କାମ ଚଳିତ ବର୍ଷ ଆରମ୍ଭ କରିବାକୁ ଯୋଜନା କରାଯାଇଛି। ସମସ୍ତ ଶୌଚାଳୟର ପରିଚାଳନା ତ୍ରୁଟିଶୂନ୍ୟ କରିବା ସହ ନବୀକରଣ କରାଯିବ। ୫ହଜାର ବର୍ଗଫୁଟରୁ ଅଧିକ ସ୍ଥାନରେ କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଏନ୍ଓସି ଦେବା ପୂର୍ବରୁ ପ୍ଲାନିଂ ଷ୍ଟାଣ୍ଡିଂ କମିଟିକୁ ଅବଗତ କରାଯିବ। ନିୟମ ଉଲ୍ଲଘଂନ କରି ବହୁତଳ ଆପାର୍ଟମେଣ୍ଟ ନିର୍ମାଣ କଲେ, ଜରିମାନା ଆଦାୟ ହେବ ଓ ଆବଶ୍ୟକ ସ୍ଥଳେ ଏହାକୁ ସିଲ୍ କରାଯିବ। ବିଏମ୍‌ସି ମାର୍କେଟ୍‌କୁ ଛାଡ଼ି ଅନ୍ୟ ମାର୍କେଟ୍‌ର ସମସ୍ତ ବ୍ୟବସାୟୀଙ୍କଠାରୁ ୟୁଜର୍ସ ଫି ଆଦାୟ କରାଯିବ।
ବିଏମ୍‌ସିର ୩୭ତମ ସାଧାରଣ ପରିଷଦ ବୈଠକ ଆଜି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବିଏମ୍‌ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *

Back to top button