ମହାନଗର

Welcome 2026: ସ୍ବାଗତ ୨୦୨୬: ଝୁମିଲା ସହର, ବୋହିନେଲେ ୫୨୫ କ୍ବିଣ୍ଟାଲ୍‌ ଖାସି

୨୦୨୫ ମସିହାର ଶେଷ ଦିନ ପୁଣି ବୁଧବାର। ସରକାରୀ ଅଫିସ୍‌ ଖୋଲାଥିଲେବି ଲୋକଙ୍କ ବୁଲାବୁଲି ଭୋଜିଭାତ ବେସ୍‌ ଜମିଥିଲା। ସଞ୍ଜରେ ହୋଟେଲ୍‌, କ୍ଲବ୍‌, ରିସର୍ଟ, ପବ୍‌, ମଲ୍‌, ଆପାର୍ଟମେଣ୍ଟ, କଲୋନିଗୁଡ଼ିକରେ ଆରମ୍ଭ ହୋଇଯାଇଥିଲା ଉତ୍ସବ।

ଭୁବନେଶ୍ବର: ୨୦୨୫ ମସିହାର ଶେଷ ଦିନ ପୁଣି ବୁଧବାର। ସରକାରୀ ଅଫିସ୍‌ ଖୋଲାଥିଲେବି ଲୋକଙ୍କ ବୁଲାବୁଲି ଭୋଜିଭାତ ବେସ୍‌ ଜମିଥିଲା। ସଞ୍ଜରେ ହୋଟେଲ୍‌, କ୍ଲବ୍‌, ରିସର୍ଟ, ପବ୍‌, ମଲ୍‌, ଆପାର୍ଟମେଣ୍ଟ, କଲୋନିଗୁଡ଼ିକରେ ଆରମ୍ଭ ହୋଇଯାଇଥିଲା ଉତ୍ସବ। କେଉଁଠି କଲୋନି ଲୋକେ ମିଶି ରୋଷେଇରେ ମାତିଥିଲେ ତ କେଉଁ ହୋଟେଲ୍‌ରେ ନର୍ତ୍ତକୀଙ୍କ ନୃତ୍ୟ ଦର୍ଶକଙ୍କ ମନ ଜିଣୁଥିଲା। ଭୁବନେଶ୍ବରର ସବୁ ମଲ୍‌, ହଲ୍‌ ଓ ରେସ୍ତୋରାଁ ସଜେଇ ହୋଇଥିଲା। ସେଥି‌ରେ ପୁଣି ଲାଇଭ୍‌ ମ୍ୟୁଜିକ୍‌ ସାଙ୍ଗକୁ ଡିଜେର ଧକ୍‌ ଧକ୍‌ ଶବ୍ଦ ପ୍ରାୟ ସହର ସବୁ ସ୍ଥାନରେ ହୃଦ୍‌ସ୍ପନ୍ଦନ ବଢ଼ାଇ ଦେଉଥିଲା। ଅନେକ ସ୍ଥାନରେ କଣ୍ଠଶିଳ୍ପୀଙ୍କ ଯାଦୁର ତାଳେତାଳେ ଝୁମିଥିଲେ ଦର୍ଶକ। ରାତ୍ରୀ ଭୋଜନରେ ଖାଦ୍ୟ-ପାନୀୟ ବି ଜମିଥିଲା। କଣ୍ଟାର ଟିକ୍‌ ଟିକ୍‌ ଶବ୍ଦ ସହ ଆଙ୍କରଙ୍କ ମତୁଆଲା କଣ୍ଠରେ ଆରମ୍ଭ ହୋଇଯାଇଥିଲା କାଉଣ୍ଟଡାଉନ୍‌। ରାତି ୧୨ ବାଜିବା କ୍ଷଣି ରାଜଧାନୀ ପ୍ରକମ୍ପିତ ହୋଇଥିଲା ‘ହାପି ନିୟୁ ଇୟର’ ଧ୍ବନୀରେ। ଏମିତି ପୁରୁଣା ବର୍ଷ ୨୦୨୫କୁ ବିଦାୟ ଓ ନୂଆ ବର୍ଷ ୨୦୨୬କୁ ହୋଇଥିଲା ସ୍ବାଗତ। କମିସନରେଟ୍‌ ପୁଲିସର କଡ଼ା କଟକଣା ସତ୍ତ୍ବେ ଭୁବନେଶ୍ବରର ହୋଟେଲ୍‌, ବାର୍‌, କ୍ଲବ୍‌ଗୁଡ଼ିକରେ ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଥିଲା।

 

ସ୍ବସ୍ତି ଗ୍ରାଣ୍ଡ୍‌ ‘ନିୟୁ ଇୟର ହଙ୍ଗାମା’, ଲାଇଭ୍‌ ମ୍ୟୁଜିକ୍‌ର ତାଳେ ତାଳେ ଝୁମିଥିଲେ ଦର୍ଶକ। ସେହିପରି ହୋଟେଲ୍‌ ଏମ୍ପାୟର୍ସ, ହୋଟେଲ୍‌ କ୍ରାଉନ୍‌, ସାଣ୍ଡି ଟାୱାର, ହୋଟେଲ୍‌ ୱେଲ୍‌କମ୍‌, ହୋଟେଲ୍‌ ମେ’ ଫେୟାର, ହୋଟେଲ୍‌ ପର୍ଲ ଭଳି ପ୍ରାୟ ଛୋଟବଡ଼ ୩୦୦ ହୋଟେଲ୍‌ରେ ଜମିଥିଲା ଜିରୋ ନାଇଟ୍‌ ମସ୍ତି। ଭୁବନେଶ୍ବର କ୍ଲବ୍‌ରେ ସହରର ଭିଆଇପି, ଭିଭିଆଇପିମାନେ ସେଲିବ୍ରେସନରେ ସାମିଲ ହୋଇଥିଲେ। ଏଥିସହ ୧୦ ହଜାରରୁ ଅଧିକ ଆପାର୍ଟମେଣ୍ଟ ଓ କଲୋନିରେ ମଧ୍ୟ ସାରା ରାତି ଉତ୍ସବ ମନା ଯାଇଥିଲା। ଏସ୍‌ପ୍ଲାନେଡ୍‌, ଡିଏନ୍ ରେଗାଲିଆ, ଉତ୍କଳ କନିକା ଗ୍ୟାଲେରିଆ ଭଳି ଅନେକ ମଲ୍‌ରେ ମଧ୍ୟ ଲୋକଙ୍କ ଭିଡ଼ ଥିଲା। ରାଜଧାନୀର ଅଧିକାଂଶ ବସ୍ତିରେ ସନ୍ଧ୍ୟାରୁ ଭୋଜି ଭାତର ଆସର ଜମିଥିଲା। ଏଠି ଡିଜେ ବଜାଇ ନାଚିଥିଲେ ବସ୍ତିବାସିନ୍ଦା। ରାତିଅଧରେ ଆଉ କିଛି ସାମାଜିକ ସଙ୍ଗଠନ ନିଆରା ଢଙ୍ଗ‌ରେ ନୂଆ ବର୍ଷ ପାଳନ ପାଇଁ ବାହାରିଥିଲେ। ହାତରେ କମ୍ବଳ ଓ ଖାଦ୍ୟ ପୁଡ଼ିଆ ଧରି ବାହାରେ ଶୋଇଥିବା ନିରାଶ୍ରୟଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ଠିକ୍‌ ସେମିତି ଅନେକ ଯୁବକ ଯୁବତୀ ରାତି ଅନିଦ୍ରା ହୋଇ ରାସ୍ତା ଓ କାନ୍ଥରେ ନୂଆ ବର୍ଷର ଶୁଭେଚ୍ଛା ବାର୍ତ୍ତା ଲେଖିଥିଲେ। ୧୨ଟା ପର୍ଯ୍ୟନ୍ତ ସେଲିବ୍ରେସନ ପାଇଁ ଅନୁମତି ଥିଲେ ହେଁ କିଛି ସ୍ଥାନରେ ସକାଳ ପର୍ଯ୍ୟନ୍ତ ଚାଲିଥିଲା ନିୟୁ ଇୟର ପାର୍ଟି।

୧୨୦ ଟନ୍‌ ମାଛ ଓ ୧୯୫ ଟନ୍‌ ଚିକେନ୍‌
ଯୋଗାଇ ପାରିଲେନି ବେପାରୀ  ୭ କୋଟିରୁ ଅଧିକ ଟଙ୍କାର ରେକର୍ଡ ଆମିଷ ବିକ୍ରି

ଭୁବନେଶ୍ବର: ଧନଲକ୍ଷ୍ମୀଙ୍କ ଗୁରୁବାର ପଡ଼ିଛି ନୂଆବର୍ଷ। ଏଥିପାଇଁ ଆମିଷିଆଙ୍କ ମୁହଁ ଆମ୍ବିଳା। ଏଣୁ ଆଜି ନୂଆବର୍ଷର ସ୍ବାଗତ ଧୁମ୍‌ଧାମ୍‌ରେ ହୋଇଛି। ରାଜଧାନୀରେ କୁହୁଡ଼ିଆ ପାଗରେ ଭୋଜିଭାତର ଆସର ଜମିଛି। ରାଜଧାନୀର ବିଭିନ୍ନ ବଣଭୋଜି ସ୍ଥଳୀ ଯଥା ଶିଖରଚଣ୍ଡୀ, ଧଉଳି, ଡେରାସ ଓ ଜୟଦେବ ବାଟିକାରେ ଭୋଜିଭାତ ସହ ନାଚଗୀତରେ ପୁରୁଣା ବର୍ଷକୁ ବିଦାୟ ଦିଆଯାଇଛି। ସେପଟେ ନୂଆବର୍ଷ ଦିନ ଆମିଷ ବେପାର ମାନ୍ଦା ପଡ଼ିବ ବୋଲି ଆମିଷ ବଜାର ପୂର୍ବପ୍ରସ୍ତୁତି ସାରିଥିଲା। ସକାଳୁ ବିଳମ୍ବିତ ପୂର୍ବାହ୍ନ ପର୍ଯ୍ୟନ୍ତ ଆମିଷ ବଜାରରେ ହାଉଜାଉ ଭିଡ଼ ଦେଖିବାକୁ ମିଳିଥିଲା। ଘରୁ ଘରୁ ଆମିଷର ବାସ୍ନା ଭାସି ଆସୁଥିଲା। ଏଥିସହ ବିଭିନ୍ନ ହୋଟେଲ, କ୍ଲବ୍‌, ପବ୍‌, ବାର୍‌, ରେସ୍ତୋରାଁରେ ଆଜି ନୂଆବର୍ଷର ସ୍ବାଗତ ପାଇଁ ସ୍ବତନ୍ତ୍ର ଡିନର୍‌ର ଆୟୋଜନ ହୋଇଥିଲା। ସି ଫୁଡ୍‌ଠାରୁ ଆରମ୍ଭ କରି ଇଣ୍ଡିଆନ୍‌, ଇଟାଲିୟାନ୍‌, ଚାଇନିଜ୍ ଓ କୋରିଅନ୍‌ ଫୁଡ୍‌ର ଭବ୍ୟ ପସରା ହୋ‌ଟେଲ ମେନ୍ୟୁରେ ସାମିଲ ହୋଇଥିଲା। ଏଣୁ ଆମିଷ ବଜାର ଆଜି ରେକର୍ଡ ସ୍ତରରେ ବେପାର କରିଛି। କେବଳ ରାଜଧାନୀରେ ଆଜି(ବୁଧବାର) ୭ କୋଟି ୧ ଲକ୍ଷ ୩୧ ହଜାର ଟଙ୍କାର ଆମିଷ ବିକ୍ରି ହୋଇଥିବା ଅଲ୍‌ ଓଡ଼ିଶା ନନ୍‌ଭେଜ୍‌ ଟ୍ରେଡର୍ସ ଫେଡେରେସନ୍‌ର ରାଜ୍ୟ ସଭାପତି ଶେଖ୍‌ ମୁନ୍ତାକିମ୍‌ ବକ୍ସ କହିଛନ୍ତି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button