Breaking News

ସଂସଦରେ ହାଇଡ୍ରାମା: ରାହୁଲଙ୍କ ଧକ୍କାରେ ସାଂସଦ ପ୍ରତାପ ଷଡ଼ଙ୍ଗୀ, ମୁକେଶ ଆହତ

ସଂସଦର ଶୀତକାଳୀନ ଅଧିବେଶନ ଶୁକ୍ରବାର ଶେଷ ହେବ। ଏହାର ଦିନକ ପୂର୍ବରୁ ଆଜି ସଂସଦ ଭବନରେ ଦିନସାରା ହାଇଡ୍ରାମା ଦେଖିବାକୁ ମିଳିଛି। ସମ୍ବିଧାନ ଉପରେ ହୋଇଥିବା ବିତର୍କରେ ମଙ୍ଗଳବାର...

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଶୁକ୍ରବାର ଶେଷ ହେବ। ଏହାର ଦିନକ ପୂର୍ବରୁ ଆଜି ସଂସଦ ଭବନରେ ଦିନସାରା ହାଇଡ୍ରାମା ଦେଖିବାକୁ ମିଳିଛି। ସମ୍ବିଧାନ ଉପରେ ହୋଇଥିବା ବିତର୍କରେ ମଙ୍ଗଳବାର ରାଜ୍ୟସଭାରେ ସମ୍ବିଧାନ ପ୍ରଣେତା ଭିମରାଓ ଆମ୍ବେଦକରଙ୍କ ଉପରେ ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ମନ୍ତବ୍ୟକୁ ବିରୋଧ କରି କଂଗ୍ରେସ ସାଂସଦମାନେ ପ୍ରତିବାଦ ଚଳାଇଛନ୍ତି। ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରୁ ସେମାନେ ବାହାରି ସଂସଦ ଭବନ ଭିତରକୁ ପ୍ରବେଶ କରୁଥିଲେ। ଏହି ସମୟରେ ସଂସଦର ମୁଖ୍ୟ ପ୍ରବେଶ ପଥ ମକର ଦ୍ବାର ନିକଟରେ ପୂର୍ବରୁ ସରକାରୀ ଦଳର ସାଂସଦମାନେ ପ୍ରତିବାଦ କରୁଥିଲେ। ସଂସଦ ଭିତରକୁ ପ୍ରବେଶ କରିବା ସମୟରେ ସରକାରୀ ସାଂସଦ ଏବଂ ବିରୋଧୀ ସାଂସଦଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଧକ୍କା ଦେଇଛନ୍ତି ବୋଲି ସରକାରୀ ଦଳର ସାଂସଦମାନେ ଅଭିଯୋଗ କରିଛନ୍ତି। ଏଥିରେ ବିଜେପିର ଦୁଇ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ମୁକେଶ ରାଜପୁତ ଆହତ ହୋଇଛନ୍ତି। ଉଭୟଙ୍କ ମୁଣ୍ଡ ଏବଂ ଅଣ୍ଟାରେ ଆଘାତ ଲାଗିଛି। ‌ଉଭୟ ସାଂସଦଙ୍କୁ ରାମ ମ‌ନୋହର ଲୋହିଆ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ସେମାନଙ୍କୁ ହସ୍ପିଟାଲରେ ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦମାନେ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ ଯୋଗେ ସେମାନଙ୍କ ସହ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି। ଉଭୟ ସାଂସଦଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ସେମାନଙ୍କୁ ଆଇସିୟୁରେ ରଖାଯାଇଛି।

ରାହୁଲ ଗାନ୍ଧୀଙ୍କ ସହ ଧସ୍ତାଧସ୍ତି ବେଳେ ୨ ସାଂସଦ ଆହତ ହେବାପରେ ରାଜନୀତି ସଂସଦରୁ ଯାଇ ଥାନାରେ ପହଞ୍ଚିଛି। ବିଜେପି ସାଂସଦ ଅନୁରାଗ ଠାକୁର ଏବଂ ବାଂଶୁରୀ ସ୍ବରାଜ ପ୍ରମୁଖ ସଂସଦ ମାର୍ଗ ଥାନାରେ ବିରୋଧୀ ଦଳ ନେତାଙ୍କ ବିରୋଧରେ ଏତଲା ଦେଇଛନ୍ତି। ରାହୁଲଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫାରେ ଅଭିଯୋଗ କରିଛନ୍ତି। ଧାରା ୧୦୯, ୧୧୫, ୧୧୭, ୧୨୫, ୧୩୧ ଏବଂ ୩୫୧ରେ ଅଭିଯୋଗ କରାଯାଇଛି।  ଫାଙ୍ଗନନ କୋନୟାକ ମଧ୍ୟ ରାହୁଲଙ୍କ ବିରୋଧରେ ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି। ରାହୁଲ ତାଙ୍କ ଏତେ ନିକଟକୁ ଚାଲି ଆସିଥିଲେ ଯେ ସେ ଅସହଜ ମନେ କରିଥିବା କହିଛନ୍ତି। ତାଙ୍କ ମର୍ଯ୍ୟାଦା ଏବଂ ଆତ୍ମସମ୍ମାନକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶକ୍ତ ଆଘାତ ଦେଇଛନ୍ତି ବୋଲି ସେ ଉଳ୍ଲେଖ କରିଛନ୍ତି। ପ୍ରତାପ ଷଡ଼ଙ୍ଗୀଙ୍କୁ ମୁଣ୍ଡରେ ଦୁଇଟି ଷ୍ଟିଚ୍‌ ପଡ଼ିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଉଭୟଙ୍କ ମସ୍ତିଷ୍କରେ ଆଘାତ ଲାଗିଛି। କିନ୍ତୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେମାନେ ଡାକ୍ତରଖାନାରେ ଦୁଇ କିମ୍ବା ଅଧିକ ଦିନ ରହିବେ ବୋଲି ରାଜନାଥ କହିଛନ୍ତି। ରାହୁଲଙ୍କ ବିରୋଧରେ ବିଜେପିର ଏତଲା ପରେ କଂଗ୍ରେସର କେତେକ ସାଂସଦ ସଂସଦ ମାର୍ଗ ଥାନାରେ ପହଞ୍ଚି ପାଲଟା ଅଭିଯୋଗ କରିଛନ୍ତି। ୮୪ ବର୍ଷୀୟ କଂଗ୍ରେସ ସଭାପତି ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଠେଲି ଦେବା ସହିତ ତାଙ୍କୁ ଖରାପ ବ୍ୟବହାର କରାଯାଇଛି ବୋଲି କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଛନ୍ତି। ବିଜେପି ଗଣତନ୍ତ୍ରକୁ ହତ୍ୟା କରିଛି। ପ୍ରଥମ ଥର ପାଇଁ ଶାସକ ଦଳ ପକ୍ଷରୁ ମକର ଦ୍ବାର ନିକଟରେ ପ୍ରତିବାଦ କରାଯାଇଛି ବୋଲି ସେ କହିଛନ୍ତି।

ରାହୁଲଙ୍କ ଧକ୍କାରେ ସାଂସଦ ପ୍ରତାପ ଷଡ଼ଙ୍ଗୀ, ମୁକେଶ ଆହତ
କଂଗ୍ରେସର ଆରୋପ; ଖଡ୍‌ଗେଙ୍କୁ ଠେଲିଦେଲେ ବିଜେପି ସାଂସଦ

ଥାନରେ ପରସ୍ପର ବିରୋଧରେ ଏତଲା ଦେବା ପରେ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ତଥ୍ୟ ରଖାଯାଇଛି। ଅପରାହ୍ଣରେ ପ୍ରଥମେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ଯୋଗଦେଇ ରାହୁଲ କହିଥିଲେ ଆମେ ସଂସଦ ଭବନ ଆଡ଼କୁ ଯାଉଥିଲୁ। କିନ୍ତୁ ବିଜେପି ସାଂସଦମାନେ ବାଡ଼ି ଧରି ପ୍ରବେଶ ପଥକୁ ବନ୍ଦ କରିଥିଲେ। ଏ ଯେ‌ଉଁ ଧସ୍ତାଧସ୍ତି ହୋଇଛି ତାହା ଆମ୍ବେଦକରଙ୍କ ସଂପର୍କରେ ଶାହ ଦେଇଥିବା ମନ୍ତବ୍ୟ ଏବଂ ଆଦାନୀ ଗ୍ରୁପ୍ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶିଳ୍ପପତି ଗୌତମ ଆଦାନୀଙ୍କ ମଧ୍ୟରେ ଥିବା ସଂପର୍କକୁ ବିଜେପି ଲୁଚାଇବାକୁ ଚେଷ୍ଟା କରୁଛି। ବିଜେପି ଓ ଆରଏସ୍‌ଏସ୍‌ ଆମ୍ବେଦକରଙ୍କ ଇତିହାସକୁ ଲୋକଙ୍କ ମନରୁ ଲିଭାଇ ଦେବାକୁ ଉଦ୍ୟମ କରୁଛନ୍ତି। ସେମାନେ ମୁଖ୍ୟତଃ ସମ୍ବିଧାନ ଏବଂ ଆମ୍ବେଦକର ବିରୋଧୀ ବୋଲି ରାହୁଲ କହିଥିଲେ। ଖଡ଼ଗେ କହିଥିଲେ ମୋତେ ଠେଲି ଦିଆଯାଇଥିଲା। ଏହାପରେ ଆମେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ସେମାନେ କରୁଛନ୍ତି।

ରାହୁଲଙ୍କ ନଁାରେ ବିଜେପିର ଏତଲା
କଂଗ୍ରେସ ବି ଏତଲା ଦେଲା
ରାହୁଲଙ୍କ ବିରୋଧରେ ମହିଳା ସାଂସଦଙ୍କ ଅଭିଯୋଗ 
ସାମ୍ବାଦିକ ସମ୍ମିଳନୀରେ ପରସ୍ପରକୁ ଦୋଷଦେଲେ

ଅନ୍ୟପକ୍ଷରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ସାମ୍ବାଦିକ ସମ୍ମିଳନୀରେ ମହିଳା ସାଂସଦ ଏବଂ ବୟସ୍କ ସାଂସଦଙ୍କୁ ଆକ୍ରମଣ କରିଥିବାରୁ ରାହୁଲ ଗାନ୍ଧୀ ଓ କଂଗ୍ରେସ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି। ହିଂସାକୁ ଯଥାର୍ଥ ବୋଲି କୁହାଯାଇ ପାରିବ ନାହିଁ। ବିଜେପି ସାଂସଦମାନେ କଂଗ୍ରେସ ସାଂସଦମାନଙ୍କ ରାସ୍ତା ଅବରୋଧ କରି ନଥିଲେ। ବରଂ ରାହୁଲ ଗାନ୍ଧୀ ଆଇନକୁ ଅବଜ୍ଞା କରିଥିଲେ। ପ୍ରବେଶ ପଥରେ ଛିଡ଼ା ହୋଇଥିବା ବ୍ୟକ୍ତିଙ୍କ ଅନୁମତି ନନେଇ ଆଗକୁ ଯିବାକୁ ପ୍ରୟାସ କରିଥିଲେ। କଂଗ୍ରେସର ସାମ୍ବାଦିକ ସମ୍ମିଳନୀରେ ସେମାନଙ୍କ ଔଦ୍ଧତ୍ୟ ପ୍ରଦର୍ଶିତ ହୋଇଛି। ରାହୁଲ ଗାନ୍ଧୀ ଆଜି ଯାହା କରିଛନ୍ତି ତାହା ସଭ୍ୟ ସମାଜ ଦ୍ବାରା କେବେ ବି ଚିନ୍ତା କରାଯାଇ ପାରିବ ନାହିଁ ବୋଲି ଶିବରାଜ କହିଛନ୍ତି। ବିଜେପି ସାଂସଦ ଅନୁରାଗ ସିଂହ ଠାକୁର କହିଛନ୍ତି ଯେ ସୁରକ୍ଷାକର୍ମୀମାନେ ଯେତେବେଳେ ନିର୍ଦ୍ଧାରିତ ପଥରେ ସଂସଦ ଭିତରକୁ ଯିବା ପାଇଁ ରାହୁଲ ଗାନ୍ଧୀ ଓ ଇଣ୍ଟି ମେଣ୍ଟର ଅନ୍ୟ ସାଂସଦମାନଙ୍କୁ କହିଥିଲେ ସେତେବେଳେ ସେ ରାଗି ଯାଇଥିଲେ। ନିର୍ଦ୍ଧାରିତ ପଥରେ ନଯାଇ ସେମାନେ ଆନ୍ଦୋଳନରତ ଏନ୍‌ଡିଏ ସାଂସଦମାନଙ୍କ ଆଡ଼କୁ ମାଡ଼ି ଆସିଥିଲେ।

ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଦାବି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କରିଥିବାବେଳେ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେପି ସଭାପତି ଜେ ପି ନଡ୍ଡା ରାହୁଲଙ୍କ ଆଚରଣକୁ ନିନ୍ଦା କରିଛନ୍ତି। ଆହତ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଠେଲିଦେଲେ। ସେହି ସାଂସଦଜଣକ ମୋ ଉପରେ ପଡ଼ିଯିବାରୁ ମୁଁ ମଧ୍ୟ ପଡ଼ିଗଲି। ରାହୁଲ ଆସିବା ସମୟରେ ମୁଁ ଶିଡ଼ି ନିକଟରେ ଛିଡ଼ା ହୋଇଥିଲି ବୋଲି ପ୍ରତାପ କହିଛନ୍ତି। ସଂସଦ ବାହାରେ ଏଭଳି ସ୍ଥିତି ଲାଗି ରହିଥିବାବେଳେ ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ପ୍ରଥମେ ଅପରାହ୍ଣ ୨ଟା ଏବଂ ପରେ ଦିନକ ପାଇଁ ମୁଲତବୀ କରି ଦିଆଯାଇଛି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.