Breaking News

ଫ୍ରାଇଡେ ରିଲିଜ୍‌: ଆଜି ମୁକ୍ତିଲାଭ କରିବ ‘ପରବ୍’

ଓଡ଼ିଶା ଆନ୍ଧ୍ର ସୀମାନ୍ତର ସତ ଘଟଣା ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ପରବ୍‌’ ଶୁକ୍ରବାର ମୁକ୍ତିଲାଭ କରିବ। ୧୯୩୬ ମସିହା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ପରେ ଆନ୍ଧ୍ରପ୍ରଦେଶରେ...

ଭୁବନେଶ୍ବର: ଓଡ଼ିଶା ଆନ୍ଧ୍ର ସୀମାନ୍ତର ସତ ଘଟଣା ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ପରବ୍‌’ ଶୁକ୍ରବାର ମୁକ୍ତିଲାଭ କରିବ। ୧୯୩୬ ମସିହା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ପରେ ଆନ୍ଧ୍ରପ୍ରଦେଶରେ ରହି ଯାଇଥିବା ଓଡ଼ିଆମାନଙ୍କ ଦୁଃଖ, ଯନ୍ତ୍ରଣା ସମେତ ସୀମାନ୍ତରେ ଦୁଇ ରାଜ୍ୟ ଭିତରେ ଲାଗି ରହିଥିବା ବିବାଦ ଚଳଚ୍ଚିତ୍ର କାହାଣୀକୁ ବଳିଷ୍ଠ କରିଛି। ଜେପି ମୋସନ ପିକ୍ଚର୍ସ ବ୍ୟାନର ନିବେଦିତ ତଥା ଦୀପେନ୍ଦ୍ର ସାମଲଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ର ଓଡ଼ିଆ, ହିନ୍ଦୀ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ। ଏ ଚଳଚ୍ଚିତ୍ରରେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ଏକାଠି ପରଦାରେ ଦେଖିବେ ଦର୍ଶକ। ଏଥିସହ ଅଭିନେତା ଦୀପନ୍ୱିତ ଦାସ ମହାପାତ୍ର, ସୂର୍ଯ୍ୟମୟୀ ମହାପାତ୍ର, ବରିଷ୍ଠ ଅଭିନେତା ଚୌଧୁରୀ ଜୟ ପ୍ରକାଶ ଦାସଙ୍କ ସମେତ ଅନେକ ଆଗଧାଡ଼ିର କଳାକାର ଅଭିନୟ କରିଛନ୍ତି। ଶୁକ୍ରବାର ଓଡ଼ିଆ ଭାଷାରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରୁଥିବା ବେଳେ ଆସନ୍ତା ଜାନୁଆରି ୨ରେ ଅନ୍ୟ ଦୁଇ ଭାଷାରେ ରିଲିଜ୍‌ ହେବ।

ପରଦାରେ କହିବ ସୀମାନ୍ତ ଦୁଃଖ

ଆଜି ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ପରବ୍‌ ଟିମ୍‌ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଆ ସିନେପ୍ରେମୀଙ୍କୁ ପରବ୍‌ ଚଳଚ୍ଚିତ୍ର ଦେଖିବାକୁ ନିବେଦନ କରିଛନ୍ତି। ଏହାପରେ ଶ୍ରୀୟା ସିନେମା ହଲ୍‌ରେ ଏକ ସ୍ବତନ୍ତ୍ର ସ୍କ୍ରିନିଂ କରାଯାଇଥିଲା। ଶୁକ୍ରବାର କଟକ ବୃନ୍ଦାବନ ହଲ୍‌ରେ ମଧ୍ୟାହ୍ନ ୧୨ଟାରେ ଏହାର ପ୍ରିମିୟର ସୋ ରହିଛି। ସେହିପରି ଭୁବନେଶ୍ବର ଶ୍ରୀୟା ହଲ୍‌ରେ ସନ୍ଧ୍ୟା ୬ଟାରେ କଳାକାରମାନେ ଦର୍ଶକଙ୍କ ସହ ଚଳଚ୍ଚିତ୍ର ଦେଖିବାକୁ ବ୍ୟବସ୍ଥା ରହିଛି ବୋଲି ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ କହିଛନ୍ତି। ଶୁକ୍ରବାର ଭୁବନେଶ୍ବର ଏସ୍‌ପ୍ଲାନେଡ୍‌ରେ ସକାଳ ୭ଟା୧୫ ଓ ଦିନ ୧୦ଟା, ଡିଏନ୍‌ ରେଗାଲିଆରେ ଦିନ ୧ଟା ୫ ଓ ସନ୍ଧ୍ୟା ୭ଟା ୨୫‌, ସିମ୍ଫୋନି ମଲ୍‌ରେ ସନ୍ଧ୍ୟା ୭ଟା ୩୦ ଏବଂ ଉତ୍କଳ କନିକା ଗ୍ୟାଲେରିଆରେ ଅପରାହ୍ନ ୪ଟା ୨୫ ଓ ରାତି ୧୦ଟା ୪୫ରେ ସୋ’ ଲାଗିଛି। ତେବେ ଚଳଚ୍ଚିତ୍ରରୁ ଆୟର କିଛି ଭାଗ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଆହ୍ୱାନ’ ଜରିଆରେ ସମାଜ ପାଇଁ ଦିଆଯିବ ବୋଲି ପ୍ରଯୋଜକ ଶ୍ରୀ ସାମଲ ଘୋଷଣା କରିଛନ୍ତି।

 

 

 

ସୌଜନ୍ୟ-ଧରିତ୍ରୀ

 

Comments are closed.