Breaking News

ଏଥର ଗୋଟିଏ ଦିନରେ ରାଜ୍ୟ ସାରା ପକ୍ଷୀ ଗଣନା, ଫୋକସରେ ଫ୍ଲେମିଙ୍ଗୋ

ଭୁବନେଶ୍ୱର,୨୦/୧୨: ବଗ ଭଳି ଲମ୍ବା ଲମ୍ବା ଗୋଡ଼ । ଧଳା ଗେରୁଆ ରଙ୍ଗ ମିଶା ଚେହେରାକୁ କଳା  ମଚମଚ ଥଣ୍ଟ । ଚିଲିକା, ଭିତରକନିକା ଓ ହୀରାକୁଦ  ଜଳ ଭଣ୍ଡାରରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି  ଫ୍ଲେମିଙ୍ଗୋ । ଏହି ବିଦେଶୀ ପକ୍ଷୀର ଠିକଣା କେଉଁଠି? କେତେ ଦୂରରୁ ଏମାନେ ଉଡି ଓଡିଶା ଆସୁଛନ୍ତି?  ଏମାନେ ସାଇବେରିଆରୁ ଆସୁଛନ୍ତି ନା ଅନ୍ୟ କେଉଁଠି  ଇଲାକା ଏମାନଙ୍କ ଏନ୍ତୁଡିଶାଳ । ଆଗାମୀ ପକ୍ଷୀ ଗଣନା ବେଳେ ବନ ବିଭାଗ ଏନେଇ ଗବେଷଣା କରିବ ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ)  ପ୍ରେମ କୁମାର ଝା କହିଛନ୍ତି, ଜାନୁଆରୀ ୧୮ରେ  ଆରମ୍ଭ ହେବାକୁ ଥିବା ପକ୍ଷୀ ଗଣନା ବେଳେ ଫ୍ଲେମିଙ୍ଗୋ ପକ୍ଷୀ କେଉଁଠୁ ଆସୁଛନ୍ତି, ତାହା  ଟ୍ରାକିଙ୍ଗ କରାଯିବ । ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ  (ଡବ୍ଲୁଆଇଆଇ) ଏହି ଗବେଷଣାର ମଙ୍ଗ ଧରିବେ । ବନ ବିଭାଗ ଅଧିକାରୀମାନେ ସହଯୋଗ କରିବେ ।  ୧୦ଟି ଫ୍ଲେମିଙ୍ଗୋର ଗୋଡ଼ରେ ସାଟେଲାଇଟ ଟ୍ରାକିଙ୍ଗ  ରିଙ୍ଗ ଲଗାଯିବ । ନିଜ ଇଲାକାକୁ ଫେରିବା ବେଳେ  ପକ୍ଷୀମାନଙ୍କର ଗତିବିଧିକୁ ଟ୍ରାକ କରାଯିବ । ଶୀତ  ପରେ କେଉଁ ଦେଶକୁ ଫେରୁଛନ୍ତି, ତାହା ଏହି ସାଟେଲାଇଟ ଟ୍ରାକିଙ୍ଗ ରିଙ୍ଗ୍‌ ଦ୍ୱାରା ସ୍ପଷ୍ଟ ହୋଇଯିବ ।

ଶ୍ରୀ ଝା କହିଛନ୍ତି, ଶୀତ ଋତୁ ଆରମ୍ଭରେ ଓଡ଼ିଶାର  ଚିଲିକା, ଭିତରକନିକା ଓ ହୀରାକୁଦ ଜଳ ଭଣ୍ଡାରରେ  ବିଦେଶାଗତ ପକ୍ଷୀଗୁଡି଼କର ସମାଗମ ହୋଇଥାଏ ।  ଚଳିତଥର ରାଜ୍ୟବ୍ୟାପୀ ଗୋଟିଏ ଦିନରେ ହିଁ ପକ୍ଷୀ  ଗଣାଯିବ । ଜାନୁଆରୀ ୧୬ରୁ ଗଣନା ପ୍ରକ୍ରିୟା ଆରମ୍ଭ ହେବ । ସେଦିନ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ଓ  ପକ୍ଷୀ ବିଶେଷଜ୍ଞ ଓ ପକ୍ଷୀ ସୁରକ୍ଷା ସମିତି ସଦସ୍ୟଙ୍କୁ  ଗଣନାରେ ସାମିଲ କରାଯିବ । ତା’ ପରଦିନ  ପରୀକ୍ଷାମୂଳକ ଭାବେ ପକ୍ଷୀ ଗଣନା ଚାଲିବ । ୧୮  ତାରିଖରେ ସମସ୍ତ ଜଳାଶୟ ଓ ଜଳଭଣ୍ଡାରରେ  ଜିପିଏସ୍‌, ଟେଲିସ୍କୋପ୍‌, ବାଇନାକୁଲାର,  ସ୍ପୋଟିଂସ୍କୋପ୍‌ ଜରିଆରେ ପକ୍ଷୀ ଗଣାଯିବ ।

ପୂର୍ବତନ ପିସିସିଏଫ ବିଜୟ କେତନ ପଟ୍ଟନାୟକ  କହିଛନ୍ତି, ଓଡି଼ଶା ପର୍ଯ୍ୟଟନର ଏକ ଅଭିନ୍ନ ଅଙ୍ଗ  ପାଲଟିଛି ଫ୍ଲେମିଙ୍ଗୋ । ଶୀତଦିନେ ଏମାନେ ସୂଦୁର  ସାଇବେରିଆରୁ ଉଡି଼କି ଆସନ୍ତି । ଗୁଜରାଟରୁ ବି  ଆସୁଥିବା ଦେଖାଯାଉଛି । ଶୀତ ସରିବା ପରେ  ନିଜ ଇଲାକାକୁ ଫେରିଯାନ୍ତି । କିନ୍ତୁ ୩-୪ ବର୍ଷ  ଧରି କିଛି ଫ୍ଲେମିଙ୍ଗୋଗୁଡି଼କ ଚିଲିକାରେ ରହୁଛନ୍ତି ।  ଡବ୍ଲୁଆଇଆଇର ଗବେଷଣା ପରେ ପକ୍ଷୀଗୁଡି଼କ ପ୍ରକୃତ ଠିକଣା ଜଣାପଡି଼ବ । ପ୍ରତି ଜଳାଶୟରେ ଗୋଟିଏ  ଦୁଇଟି ଫ୍ଲେମିଙ୍ଗା ଗୋଡ଼ରେ ସାଟେଲାଇଟ ଟ୍ରାକିଙ୍ଗ  ରିଙ୍ଗ୍‌ ଲଗାଇବାକୁ ବନ କର୍ମଚାରୀ ଯୋଜନା କରିଛନ୍ତି ।

 

 

 

 

ସୌଜନ୍ୟ – ପ୍ରମେୟ

Comments are closed.