Breaking News

‘ସୋଆ’ରେ ପ୍ୟାରିସ୍ ପଦକ ବିଜେତା: ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ

ନିର୍ଭରଯୋଗ୍ୟ ରକ୍ଷଣଭାଗ ଖେଳାଳି ଅମିତ ରୋହିଦାସଙ୍କୁ ରେଡ୍‌କାର୍ଡ ମିଳିଲା। ସେତେବେଳକୁ ଖେଳର ପ୍ରାୟ ଦୁଇ-ତୃତୀୟାଂଶ ବାକି ଅଛି। ମାତ୍ର ୧୦ ଜଣ ଖେଳାଳିଙ୍କୁ ନେଇ ଭାରତ ପ୍ୟାରିସ୍ ଅଲିମ୍ପିକ୍ସ ପୁରୁଷ ହକି ପ୍ରତିଯୋଗିତାରେ କିପରି ଗ୍ରେଟ୍‌ ବ୍ରିଟେନ୍‌କୁ ପରାଜିତ କରି ପାରିଥିଲା?

ଭୁବନେଶ୍ୱର: ନିର୍ଭରଯୋଗ୍ୟ ରକ୍ଷଣଭାଗ ଖେଳାଳି ଅମିତ ରୋହିଦାସଙ୍କୁ ରେଡ୍‌କାର୍ଡ ମିଳିଲା। ସେତେବେଳକୁ ଖେଳର ପ୍ରାୟ ଦୁଇ-ତୃତୀୟାଂଶ ବାକି ଅଛି। ମାତ୍ର ୧୦ ଜଣ ଖେଳାଳିଙ୍କୁ ନେଇ ଭାରତ ପ୍ୟାରିସ୍ ଅଲିମ୍ପିକ୍ସ ପୁରୁଷ ହକି ପ୍ରତିଯୋଗିତାରେ କିପରି ଗ୍ରେଟ୍‌ ବ୍ରିଟେନ୍‌କୁ ପରାଜିତ କରି ପାରିଥିଲା? ଏହି ପ୍ରଶ୍ନ ଶୁକ୍ରବାର ଦିନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଭାରତୀୟ ହକି ଦଳର ୪ଜଣ ସ୍ୱନାମଧନ୍ୟ ଖେଳାଳିଙ୍କୁ ପଚାରିଥିଲେ।

ମଧ୍ୟଭାଗ ଖେଳାଳି ଶାମ୍‌‌ଶେର ସିଂହ କହିଥିଲେ ଯେ ଅମିତ୍‌ଙ୍କୁ ଖେଳରୁ ବାହାର କରିଦେବା ଭାରତୀୟ ଦଳ ପାଇଁ ଏକ ବଡ଼ ଧକ୍କା ଥିଲା। କାରଣ କ୍ୱାର୍ଟରଫାଇନାଲ୍‌ରେ ଗ୍ରେଟ୍‌ ବ୍ରିଟେନ୍‌କୁ ହରାଇବା କଷ୍ଟକର ବୋଲି ସମସ୍ତେ ଭାବୁଥିଲେ ବୋଲି ଶାମ୍‌ଶେର କହିଥିଲେ। “ଆମ ମଧ୍ୟରେ ଏକତା ଥିଲା ଏବଂ ଏହି ପରିସ୍ଥିତିରେ ଆମେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ସୁଟ୍ ଆଉଟ୍‌ରେ ଏହି ମ୍ୟାଚ୍‌ ୪-୨ ରେ ଜିତି ପାରିଥିଲୁ”।
ସୋଆ ଛାତ୍ରଛାତ୍ରୀଙ୍କ ସହ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଅବସରରେ ଶାମ୍‌ଶେରଙ୍କ ବ୍ୟତୀତ ଜର୍ମାନପ୍ରୀତ ସିଂହ, ରାଜକୁମାର ପାଲ ଓ ବରୁଣ କୁମାର ଯୋଗ ଦେଇଥିଲେ। ଏହି ୪ ଖେଳାଳି ଦିଲ୍ଲୀ ଏସ୍‌ଜି ପାଇପର୍ସ ଦଳ ପକ୍ଷରୁ ରାଉରକେଲାଠାରେ ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ହକି ଇଣ୍ଡିଆ ଲିଗ୍‌ରେ ଭାଗ ନେବା ପୂର୍ବରୁ ଭୁବନେଶ୍ୱରରେ ଅଭ୍ୟାସ କରୁଛନ୍ତି। ସେମାନଙ୍କ ସହିତ ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ଦିଗ୍‌ବିଜୟ ସିଂହଦେଓ ମଧ୍ୟ ଉପସ୍ଥିତ ଥିଲେ।

ପ୍ୟାରିସ୍‌ରେ ଅନୁଷ୍ଠିତ ଏହି କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଉପସ୍ଥିତ ଥିବା ଶ୍ରୀ ସିଂହଦେଓ କହିଥିଲେ ଯେ ଅମିତଙ୍କୁ ରେଡ୍‌କାର୍ଡ ମିଳିବା ପରେ ଏହି ମ୍ୟାଚ୍‌ରେ ଭାରତ ଜିତିବ ବୋଲି କେହି ଚିନ୍ତା କରି ନ ଥିଲେ। ମାତ୍ର ଭାରତୀୟ ଦଳ ଅଭୂତପୂର୍ବ ପ୍ରଦର୍ଶନ କରି ଏହି ମ୍ୟାଚ୍‌ରେ ବିଜୟୀ ହୋଇପାରିଥିଲା। ମଧ୍ୟଭାଗ ଖେଳାଳି ରାଜକୁମାର ପାଲ କହିଲେ ଭାରତୀୟ ଦଳରେ ସବୁ ଖେଳାଳି ପରସ୍ପରକୁ ସାହାଯ୍ୟ ଓ ସହଯୋଗ କରିଥାନ୍ତି। ନିଜ କ୍ରୀଡା ଜୀବନର ଆରମ୍ଭରୁ ତାଙ୍କ ବିରୁଦ୍ଧରେ ହୋଇଥିବା ଏକ ଅଭିଯୋଗ ତାଙ୍କ କ୍ୟାରିୟରକୁ ନଷ୍ଟ କରିଦେବାକୁ ଯାଉଥିଲା ବୋଲି ଜର୍ମାନ୍‌ପ୍ରୀତ ସିଂହ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ। ଏହି ଅଭିଯୋଗ ମୋତେ ନିରାଶ କରିଥିଲା। ମାତ୍ର ମୋର ପରିବାରବର୍ଗ ମୋତେ ସଂପୂର୍ଣ୍ଣ ସମର୍ଥନ କରିଥିଲେ। ମୁଁ ମଧ୍ୟ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସମସ୍ତ ଉଦ୍ୟମ କରି ନିଜକୁ ପ୍ରସ୍ତୁତ କରିଥିଲି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ବରୁଣ କୁମାର କହିଥିଲେ ‘‘ଯଦିଓ ଦେଶରେ କ୍ରିକେଟ‌୍ ପ୍ରତି ଅଧିକ ସମର୍ଥନ ରହିଛି, ଭାରତୀୟ ଦଳ ଟୋକିଓ ଓ ପ୍ୟାରିସ୍ ଅଲିମ୍ପିକ୍ସରେ କ୍ରମାଗତ କାଂସ୍ୟ ପଦକ ଲାଭ କରିବା ପରେ ହକି ପ୍ରତି ଆଗ୍ରହ ବୃଦ୍ଧି ପାଉଛି।

ଆପଣମାନେ ହକିକୁ ସମର୍ଥନ ଜଣାଇ ଏହାର ଉନ୍ନତି ପାଇଁ ଚେଷ୍ଟା କରିବା ଆବଶ୍ୟକ ବୋଲି ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ।
ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଖେଳାଳିଙ୍କୁ ସ୍ୱାଗତ କରିବା ସହ ସେମାନେ ଭାରତର ଗୌରବ ବୋଲି ପ୍ରକାଶ କରିଥିଲେ। ଜର୍ମାନପ୍ରୀତ ସିଂହ ଛାତ୍ରଛାତ୍ରୀଙ୍କୁ ହକି ଇଣ୍ଡିଆ ଲିଗ୍‌ରେ ଦିଲ୍ଲୀ ଏସ୍‌ଜି ପାଇପର୍ସ ଦଳକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମକୁ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ପରିଚାଳନା କରିଥିଲେ। ସୋଆରେ ଏହି ଅଲିମ୍ପିକ୍ ପଦକ ବିଜେତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଖେଳାଳିଙ୍କୁ ନିଜ ଗହଣରେ ପାଇ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ହୋଇଥିଲେ।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.