Breaking News

ସରିଲା ଅଧିବେଶନ, ଚର୍ଚ୍ଚାରେ ଓଡ଼ିଶା ସାଂସଦ: ପ୍ରିୟଙ୍କାଙ୍କୁ ଅପରାଜିତାଙ୍କ ବ୍ୟାଗ୍‌ ଉପହାର

ଆଜି ଶେଷ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ। ଉଭୟ ଲୋକସଭା ଓ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ଗତ ମାସ ୨୫ରୁ ଆରମ୍ଭ ହୋଇଥିବା ଉକ୍ତ ଅଧିବେଶନରେ ଗୌତମ ଆଦାନୀ, ଜର୍ଜ ସୋରସ୍‌, ଆମ୍ବେଦକର ବିବାଦ...

ନୂଆଦିଲ୍ଲୀ: ଆଜି ଶେଷ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ। ଉଭୟ ଲୋକସଭା ଓ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ଗତ ମାସ ୨୫ରୁ ଆରମ୍ଭ ହୋଇଥିବା ଉକ୍ତ ଅଧିବେଶନରେ ଗୌତମ ଆଦାନୀ, ଜର୍ଜ ସୋରସ୍‌, ଆମ୍ବେଦକର ବିବାଦ, ରାହୁଲ ଗାନ୍ଧୀଙ୍କ ବିରୋଧରେ ଏତଲା, ସଂସଦ ଭବନ ପରିସରରେ ଶାସକ ଓ ବିରୋଧୀ ଦଳର ସାଂସଦମାନଙ୍କ ମଧ୍ୟରେ ଠେଲାପେଲା ଭଳି ପ୍ରସଙ୍ଗ ଓ ଘଟଣା ଯୋଗୁ ସୁରୁଖୁରୁରେ ଚାଲିପାରିନଥିଲା। ଏଥର ବିଭିନ୍ନ ପ୍ରସଙ୍ଗକୁ ନେଇ ଓଡ଼ିଶାର ସାଂସଦମାନେ ଚର୍ଚ୍ଚାରେ ଥିଲେ।

ସଂସଦ ଭବନ ପରିସରରେ ଏନ୍‌ଡିଏ ଓ ଇଣ୍ଡି ମେଣ୍ଟ ସାଂସଦଙ୍କ ମଧ୍ୟରେ ଠେଲାପେଲାରେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆହତ ହେବା ଚଳିତ ଅଧିବେଶନରେ ସବୁଠାରୁ ଚର୍ଚ୍ଚିତ ଘଟଣା ଥିଲା। ସେହିଭଳି ଆଜି ସଂସଦ ଅଧିବେଶନର ଶେଷ ଦିବସରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ୧୯୮୪ ଲେଖାଥିବା ଏକ ବ୍ୟାଗ ଉପହାର ଦେବା ସଂସଦ ପରିସରରେ ଆଲୋଚନାର ପ୍ରସଙ୍ଗ ପାଲଟିଥିଲା। ଅନ୍ୟ ପକ୍ଷରେ ଅଧିବେଶନ କାଳରେ ଯେଉଁ ସବୁ ଚର୍ଚ୍ଚା ଆଲୋଚନା ସଦନରେ ହୋଇଥିଲା ସେଥିରେ ଓଡ଼ିଶାର ସାଂସଦମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ସଂସଦରେ ଭାରତୀୟ ସମ୍ବିଧାନର ୭୫ବର୍ଷ ଗୌରବଶାଳୀ ଯାତ୍ରା ଆଲୋଚନାରେ ‌ରାଜ୍ୟସଭାରେ ୫ଜଣ ବିଜେଡି ତଥା ଲୋକସଭାରେ ଦୁଇଜଣ ବିଜେପି ଓଡ଼ିଆ ସାଂସଦ ଭାଗ ନେଇଥିଲେ।

ରାଜ୍ୟସଭାରେ ବିଜେଡି ସାଂସଦ ସୁଲତା ଦେଓଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ସମାଲୋଚନା କରିବା ତଥା ବିଜେପି ସାଂସଦ ସୁଜିତ କୁମାରଙ୍କ ସହ କଥା କଟାକଟି ସବୁଆଡ଼େ ଅଲୋଚନାର ପ୍ରସଙ୍ଗ ପାଲଟିଥିଲା। ଅଧିବେଶନ କାଳରେ  ଓଡ଼ିଶାର କେତେକ ସାଂସଦ କିଛି କେନ୍ଦ୍ରମନ୍ତ୍ରୀଙ୍କ ସହ ଭେଟଘାଟ ମଧ୍ୟ ରାଜନୈତିକ ଆଲୋଚନାରେ ଉଷ୍ମତା ଆଣିଦେଇଥିଲା। ବିଜେପି ସାଂସଦମାନେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସେନେୱାଲ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ‌ମୋହନ ନାଇଡ଼ୁଙ୍କୁ ସାକ୍ଷାତ କରି ରାଜ୍ୟର ବିଭିନ୍ନ ଦାବି ଜଣାଇଥିବା ବେଳେ ବିଜେଡିର ସାଂସଦମାନେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ପୂର୍ବତଟରୁ ୱାଲଟିୟର୍‌ ଡିଭିଜନକୁ ଅଲଗା ନ କରାଯିବା ଓ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍‌ ପାଟିଲଙ୍କୁ ଭେଟି ପୋଲାଭରମ ପ୍ରକଳ୍ପ ସଂପର୍କିତ ଓଡ଼ିଶାର ଆପତ୍ତିକୁ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ବିଜେଡିର ସାତ ରାଜ୍ୟସଭା ସାଂସଦ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସହିତ ଶେଷ ନିଶ୍ବାସ ପର୍ଯ୍ୟନ୍ତ ରହିବା‌ ନେଇ ସ୍ପଷ୍ଟୀକରଣ ଦେବା ଅନ୍ୟଏକ ପ୍ରମୁଖ ଘଟଣା ଥିଲା। ଚଳିତ ଅଧି‌ବେଶନରେ ବିଜେଡି ପତିଆରା ବଜାୟ ରଖିବାର ଲଢ଼େଇ ଜାରି ରଖିବାର ପ୍ରୟାସ କରିଥିବାବେଳେ ଭୁବନେଶ୍ବର ଏମ୍‌ସ ପରିଚାଳନା ପରିଷଦ ସଦସ୍ୟତା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପରାଜୟ ବିଜେଡି ସାଂସଦଙ୍କୁ ନିରାଶ କରିଥିଲା।

 

 

ସୌଜନ୍ୟ-ସମ୍ୱାଦ

Comments are closed.