Breaking News

ବକ୍ସିଂ ଡେ’ ଟେଷ୍ଟ୍‌କୁ ନେଇ ଚର୍ଚ୍ଚା କାହିଁକି?

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଥିବା ବକ୍ସିଂ ଡେ’ ଟେଷ୍ଟ୍‌କୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମନରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି। ୫ ମ୍ୟାଚ୍ ବିଶିଷ୍ଟ ବର୍ଡର ଗାଭାସ୍କର-ଟ୍ରଫିର ପ୍ରଥମ ତିନିଟି ମ୍ୟାଚ୍ ପରେ ଉଭୟ...

ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଥିବା ବକ୍ସିଂ ଡେ’ ଟେଷ୍ଟ୍‌କୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମନରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି। ୫ ମ୍ୟାଚ୍ ବିଶିଷ୍ଟ ବର୍ଡର ଗାଭାସ୍କର-ଟ୍ରଫିର ପ୍ରଥମ ତିନିଟି ମ୍ୟାଚ୍ ପରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ଥିବାରୁ ଏହି ଟେଷ୍ଟ୍‌ର ଗୁରୁତ୍ବ ମଧ୍ୟ ବଢ଼ିଛି। ତେବେ ଶୃଙ୍ଖଳାର ଚତୁର୍ଥ ଟେଷ୍ଟ୍‌ର ଏଭଳି ନିଆରା ନାଁ କାହିଁକି ଏବଂ କେଉଁ ପରିସ୍ଥିତିରେ ରଖାଯାଇଛି, ସେ ପ୍ରଶ୍ନ ସ୍ବାଭାବିକ ଭାବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଆସନ୍ତୁ ଜାଣିବା ଏହି ବକ୍ସିଂ ଡେ’ ଟେଷ୍ଟ୍‌ର ନିଆରା ନାମକରଣ ଭିତରେ ଲୁଚି ରହିଥିବା ସେହି ରୋଚକ କାହାଣୀକୁ।

ବକ୍ସିଂ ଡେ’ ଟେଷ୍ଟ୍ ହେଉଛି କ୍ରିକେଟ୍‌ର ଏକ ଅନନ୍ୟ ଉତ୍ସବ। ପ୍ରତିବର୍ଷ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍‌ (ଏମ୍‌ସିଜି) ସହ ବିଶ୍ବର ଏକାଧିକ ଷ୍ଟାଡିୟମ୍‌ରେ ଏହି ବକ୍ସିଂ ଡେ’ ଟେଷ୍ଟ୍‌ ଡିସେମ୍ବର ୨୬ ତାରିଖରୁ ଖେଳାଯାଇଥାଏ। ବକ୍ସିଂ ଡେ’ ଟେଷ୍ଟ୍‌ର ନାଁ ଖ୍ରୀଷ୍ଟମାସ୍‌ର ପରଦିନ ରାଜ୍ୟଗୋଷ୍ଠୀ ଦେଶଗୁଡ଼ିକରେ ପାଳନ ହେଉଥିବା ପାରମ୍ପରିକ ବକ୍ସିଂ ଡେ’ରୁ ଆସିଛି। ଡିସେମ୍ବର ୨୬କୁ ବକ୍ସିଂ ଡେ’ କୁହାଯିବାରେ ବି ଏକାଧିକ ମାନ୍ୟତା ରହିଛି। ଗୋଟିଏ ମାନ୍ୟତା ହେଉଛି ଖ୍ରୀଷ୍ଟମାସ୍‌ରେ କାମ କରୁଥିବା କର୍ମଚାରୀଙ୍କୁ ସେମାନଙ୍କ ସେବା ପାଇଁ ପରଦିନ ଛୁଟି ଦିଆଯାଇଥାଏ। ତା’ ସହିତ ଉପହାର ସ୍ବରୂପ ଏକ ବାକ୍ସ ବା ବକ୍ସ ଦିଆଯାଇଥାଏ। ଲୋକମାନେ ଡିସେମ୍ବର ୨୬ରେ ଏଭଳି ଉପହାରକୁ ପ୍ୟାକିଂ ଓ ବକ୍ସିଂ କରିବାରେ ବ୍ୟସ୍ତ ରହିଥା’ନ୍ତି। ଏଣୁ ଏହାକୁ ବକ୍ସିଂ ଡେ’ କୁହାଯାଇଥାଏ। ଅନ୍ୟଏକ ମାନ୍ୟତା ହେଉଛି ଖ୍ରୀଷ୍ଟମାସ୍‌ ରାତିରେ କିଛି ଉପହାର ଭର୍ତ୍ତି ବାକ୍ସ ଚର୍ଚ ବାହାରେ ରଖିଦିଆଯାଇଥାଏ। ପରଦିନ ଗରିବ ଓ ସାଧାରଣ ବର୍ଗର ଲୋକ ଏହି ବକ୍ସ ବା ବାକ୍ସଗୁଡ଼ିକୁ ସଂଗ୍ରହ କରିଥା’ନ୍ତି। ଏଣୁ ଏହାକୁ ବକ୍ସିଂ ଡେ’ କୁହାଯାଇଥାଏ। ମାନ୍ୟତା ଯାହା ହେଉନା କାହିଁକି, ଏହି ବକ୍ସିଂରୁ ହିଁ ବକ୍ସିଂ ଡେ’ ଏବଂ ବକ୍ସିଂ ଡେ’ରୁ ଆରମ୍ଭ ହେଉଥିବାରୁ ଡିସେମ୍ବର ୨୬ରୁ ଖେଳା ଯାଉଥିବା ଟେଷ୍ଟ୍‌କୁ ବକ୍ସିଂ ଡେ’ ଟେଷ୍ଟ୍‌’ କୁହାଯାଇଥାଏ। ଏହି ମାଇଲ୍‌ଖୁଣ୍ଟ ଟେଷ୍ଟ୍ ସବୁବେଳେ ଅଷ୍ଟ୍ରେଲିଆ କ୍ରିକେଟ୍ କ୍ୟାଲେଣ୍ଡରରେ ମଝି ପୃଷ୍ଠାର ମାନ୍ୟତା ପାଇଥାଏ। ଏହି ଦିନ ଏମ୍‌ସିଜି କ୍ରିକେଟ୍‌ର କ୍ରିୟା, ପ୍ରତିକ୍ରିୟା, ନାଟକ ଓ ଉଲ୍ଲସିତ ଦର୍ଶକଙ୍କ ମେଳା ପାଲଟିଥାଏ। ଏହି ମ୍ୟାଚ୍ ଖେଳିବାର ସ୍ବପ୍ନ ପ୍ରାୟତଃ ବିଶ୍ବର ସବୁଦେଶ ଦେଖିଥା’ନ୍ତି। ଏଣୁ ସବୁ କ୍ରିକେଟ୍‌ପ୍ରେମୀଙ୍କ ହୃଦୟରେ ବକ୍ସିଂ ଡେ’ ଟେଷ୍ଟ୍‌ର ସ୍ବତନ୍ତ୍ର ମହତ୍ତ୍ବ ରହିଛି। ଅଷ୍ଟ୍ରେଲିଆ ଘରୋଇ କ୍ରିକେଟ୍‌ରେ ବକ୍ସିଂ ଡେ’ ଟେଷ୍ଟ୍‌ର ପରମ୍ପରା ୧୮୬୫ରୁ ଆରମ୍ଭ ହୋଇଛି। ଆଧୁନିକ ବକ୍ସିଂ ଡେ’ ମ୍ୟାଚ୍ କିନ୍ତୁ ୧୯୫୦-୫୧ ଋତୁରୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଆସେସ୍ ଟେଷ୍ଟ୍‌ରୁ ଖେଳାଯାଉଛି।

 ‘ବକ୍ସିଂ ଡେ ଟେଷ୍ଟ୍‌’ରେ ଭାରତର ରେକର୍ଡ
ବକ୍ସିଂ ଡେ’ ଟେଷ୍ଟ୍‌’ରେ ଭାରତ ମିଶ୍ର ଫଳ ପାଇଆସିଛି। ‌ବକ୍ସିଂ ଡେ’ରେ ଖେଳିଥିବା ୧୪ ମ୍ୟାଚ୍‌ରୁ ଭାରତ ଚାରିଟି ଜିତିଛି। ୮ଟି ହାରିଥିଲା ବେଳେ ଦୁଇଟିକୁ ଅମୀମାଂସିତ ରଖିଛି। ୨୦୨୦ ଗସ୍ତରେ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ଅନଭିଜ୍ଞ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୮ ୱିକେଟ୍‌ରେ ହରାଇବା ଭାରତର ସବୁଠୁ ପ୍ରସିଦ୍ଧ ବକ୍ସିଂ ଡେ’ ଟେଷ୍ଟ୍‌ ବିଜୟର ମାନ୍ୟତା ପାଇଥାଏ। ରାହାଣେ ବ୍ୟକ୍ତିଗତ ଭାବେ ଏହି ମ୍ୟାଚ୍‌ରେ ଶତକୀୟ ପାଳି ଖେଳିଥିଲେ। ଭାରତୀୟ ବୋଲରମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ।

ହେଡ୍ ମୁଣ୍ଡବ୍ୟଥାର କାରଣ
ଚଳିତ ଅଷ୍ଟ୍ରେଲିଆ ଗସ୍ତ‌ରେ ଅଷ୍ଟ୍ରେଲିଆର ମଧ୍ୟକ୍ରମ ବ୍ୟାଟର୍‌ ଟ୍ରାଭିସ୍ ହେଡ୍ ଭାରତୀୟ କ୍ରିକେଟ୍ ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛନ୍ତି। ଏପରିକି ସେ ହିଁ ସମ୍ଭବତଃ ଦୁଇ ଦଳ ମଧ୍ୟରେ ଥିବା ବଡ଼ ପାର୍ଥକ୍ୟ ଭାବେ ଉଭା ହୋଇଛନ୍ତି। ଆଡିଲେଡ୍ ଓ ବ୍ରିସବେନ୍‌ରେ ଶତକ ଅର୍ଜନ କରିବା ସହ ସେ ମଧ୍ୟ ଶୃଙ୍ଖଳାର ସର୍ବୋଚ୍ଚ ରନ୍ ସଂଗ୍ରହକାରୀ ହୋଇଛନ୍ତି। ତେବେ କେବଳ ଏହି ଶୃଙ୍ଖଳା ନୁହେଁ ଅତୀତରେ ମଧ୍ୟ ହେଡ୍ ଅନେକବାର ଭାରତକୁ ହରଡ଼ଘଣାରେ ପକାଇଛନ୍ତି। ୨୦୨୩ ଦିନିକିଆ ବିଶ୍ବକପ୍‌ ଫାଇନାଲ୍ ଓ ଆଇସିସି ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ହେଡ୍‌ ହିଁ ଭାରତର ପ୍ରମୁଖ ଶତ୍ରୁ ପାଲଟିଥିଲେ। ତାଙ୍କ ପାଇଁ ଭାରତ ଦୁଇଟି ଆଇସିସି ଟ୍ରଫିରୁ ବଞ୍ଚିତ ହୋଇଥିଲା। ପର୍ଥରେ ଖେଳାଯାଇଥିବା ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ର ପ୍ରଥମ ପାଳିରେ ହେଡ୍ ମାତ୍ର ୧୧ ରନ୍ କରିଥିଲେ। ତେବେ ପରବର୍ତ୍ତୀ ତିନିଟି ପାଳିରେ ୮୯, ୧୪୦ ଓ ୧୫୨ ରନ୍ କରି ଭାରତୀୟ ବୋଲରଙ୍କୁ ନୟାନ୍ତ କରିଛନ୍ତି। ସେଥିପାଇଁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ ତାଙ୍କୁ ଟ୍ରାଭିସ୍ ହେଡ୍‌ ନୁହେଁ ହେଡାକ୍‌ର ନାଁ ଦେଇଛନ୍ତି।

ଡବ୍‌ଲ୍ୟୁଟିସି ଫାଇନାଲ୍‌
ଭାରତକୁ ସୁଯୋଗ ଦେଇପାରେ ପାକିସ୍ତାନ
ଚଳିତ ବର୍ଡର ଗାଭାସ୍କର ଟ୍ରଫି ଶୃଙ୍ଖଳାରେ ଭାରତ ଯଦି ହାରିଯାଏ ତେବେ ଚଳିତ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍ (ଡବ୍‌ଲ୍ୟୁଟିସି) ଫାଇନାଲ୍‌ ଖେଳିବା ରାସ୍ତା ଏକ ପ୍ରକାର ବନ୍ଦ ହୋଇଯିବ। କିନ୍ତୁ ଗୋଟିଏ ବିକଳ୍ପ ଭାରତକୁ ଫାଇନାଲ୍‌ରେ ପହଞ୍ଚାଇବା ସମ୍ଭାବନା ରହିଛି। ଫାଇନାଲ୍ ଖେଳିବା ‌ଦୌଡ଼ରେ ଗତଥରର ବିଜେତା ଅଷ୍ଟ୍ରେଲିଆ, ଦୁଇ ଥର ଉପବିଜେତା ଭାରତ ଓ ଦକ୍ଷିଣ ଆଫ୍ରିକା ଦୃଢ଼ ଦାବିଦାର ରହିଛନ୍ତି। ଶ୍ରୀଲଙ୍କା ପାଇଁ ବି କଷ୍ଟକର ହେଲେ ବି ପ୍ରଥମ ଥର ଫାଇନାଲ୍ ଖେଳିବା ସୁଯୋଗ ଉନ୍ମୁକ୍ତ ରହିଛି। ଏବେ ସୁଦ୍ଧା ଶୀର୍ଷରେ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାକୁ ପାକିସ୍ତାନ ଯଦି ୨-୦ରେ ଜିତିପାରିବ ତେବେ ଭାରତ ପାଇଁ ବାଟ ଫିଟିଯିବ। କିନ୍ତୁ ଭାରତ ଯଦି ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ମେଲବର୍ଣ୍ଣ ଓ ସିଡ୍‌ନି ଟେଷ୍ଟ୍‌ ଜିତିଥିବ ତେବେ ସିଧାସଳଖ ଫାଇନାଲ୍‌ରେ ପହଞ୍ଚିଯିବ ଏବଂ ପାକିସ୍ତାନର ସହଯୋଗ ଆଶା ରଖିବ ନାହିଁ। ବିଜିଟି ହାରିଥିଲେ ମଧ୍ୟ ପାକିସ୍ତାନ ୧-୦ରେ ଜିତିଲେ ଭାରତ ପାଇଁ ସୁଯୋଗ ରହିବ।

ସାମ୍ବାଦିକ ସମ୍ମିଳନୀ ବିବାଦ ଘନେଇଲା
ଭାରତୀୟ ଅଲରାଉଣ୍ଡର୍‌ ରବୀନ୍ଦ୍ର ଜାଡ଼େଜାଙ୍କ ସାମ୍ବାଦିକ ସମ୍ମିଳନୀକୁ ନେଇ ସୃଷ୍ଟି ହୋଇଥିବା ବିବାଦ କ୍ରମଶଃ ଘନେଇବାରେ ଲାଗିଛି। ଏଥିଲାଗି ଭାରତ ଓ ଅଷ୍ଟ୍ରେଲିଆ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ରବିବାର ଖେଳାଯିବାକୁ ଥିବା ପ୍ରଦର୍ଶନୀ ମ୍ୟାଚ୍‌ ବାତିଲ ହୋଇଯାଇଛି। ଏହି ମ୍ୟାଚ୍‌ କ୍ରିକେଟ୍‌ ଅଷ୍ଟ୍ରେଲିଆ ଆୟୋଜନ କରିଥିଲା। ତେବେ ଟିମ୍ ଇଣ୍ଡିଆ ସହ ଯାତ୍ରା କରୁଥିବା ଭାରତୀୟ ଗଣମାଧ୍ୟମ ପ୍ରତିନିଧିମାନେ ଏହାକୁ ବର୍ଜନ କରିଥିଲେ। ଭାରତୀୟ କ୍ରିକେଟ୍ ଦଳର ଗଣମାଧ୍ୟମ ପ୍ରବନ୍ଧକ ଏବଂ କିଛି ଭାରତୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ କିଛି ଅଷ୍ଟ୍ରେଲିଆ ଗଣମାଧ୍ୟମ ପ୍ରତିନିଧି ଅସଦ୍‌ ବ୍ୟବହାର କରିବା କାରଣ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଶନିବାର ଜାଡ଼େଜା ଏକ ସାମ୍ବାଦିକ ସମ୍ମିଳନୀରେ ହିନ୍ଦୀ ଭାଷାରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ହିନ୍ଦୀରେ ଦେଇଥିଲେ। ତେବେ ସେ ଇଂରାଜୀରେ କାହିଁକି ଉତ୍ତର ଦେଉନାହାନ୍ତି ବୋଲି ପ୍ରତିବାଦ କରି ଅଷ୍ଟ୍ରେଲୀୟ ଗଣମାଧ୍ୟମ ପ୍ରତିନିଧିମାନେ ହଟ୍ଟଗୋଳ କରିଥିଲେ।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.