Breaking News

ମର୍କଟମୁକ୍ତ ମନ

ଜାତିସଂଘ ଦ୍ବାରା ଏହି ଦିବସର ଘୋଷଣା କରାଯିବା ପରେ ଆଶା କରିବା କି, ପୃଥିବୀର ନେତାଗଣଙ୍କ ବିଶେଷ ଦୃଷ୍ଟି ଏହା ଉପ‌େର ପଡ଼ିବ? ଏବଂ କେହି କେହି ଏଥି ପ୍ରତି ଆକୃଷ୍ଟ ମଧ୍ୟ ହେବେ ଏବଂ ନିଜ ଜୀବନର ଏକ ଅଂଶରେ ପରିଣତ କରିବାକୁ ଚାହିଁବେ?

ଜାତିସଂଘ ଦ୍ବାରା ଏହି ଦିବସର ଘୋଷଣା କରାଯିବା ପରେ ଆଶା କରିବା କି, ପୃଥିବୀର ନେତାଗଣଙ୍କ ବିଶେଷ ଦୃଷ୍ଟି ଏହା ଉପ‌େର ପଡ଼ିବ? ଏବଂ କେହି କେହି ଏଥି ପ୍ରତି ଆକୃଷ୍ଟ ମଧ୍ୟ ହେବେ ଏବଂ ନିଜ ଜୀବନର ଏକ ଅଂଶରେ ପରିଣତ କରିବାକୁ ଚାହିଁବେ? ଯୁଦ୍ଧ ଓ ସଂଘର୍ଷ ପ୍ରବୃତ୍ତ ରାଷ୍ଟ୍ରର ନେତାମାନେ ନିଜ ମନ ପ୍ରାଙ୍ଗଣରୁ ମତିଭ୍ରଷ୍ଟ ମର୍କଟମାନଙ୍କୁ ତଡ଼ି ‘ଧ୍ୟାନ’ର ସୁଶୀତଳ ଛାୟା ମଧ୍ୟକୁ ପ୍ରବେଶ କରିବେ? ଯଦି ତାହା ହୁଏ, ତେବେ ସେମାନଙ୍କ ସହିତ ପୃଥିବୀ ମଧ୍ୟ ସନ୍ତାପମୁକ୍ତ ହୁଅନ୍ତା।

ଗଲା ଡିସେମ୍ବର ୨୧ ତାରିଖକୁ ଜାତିସଂଘ ପକ୍ଷରୁ ‘ଦ ୱର୍ଲଡ ମେଡିଟେସନ ଡେ’ ବା ‘ବିଶ୍ବ ଧ୍ୟାନ ଦିବସ’ ରୂପେ ଘୋଷଣା କରାଯାଇଛି; ଏଣିକି ଜୁନ ୨୧ ତାରିଖର ‘ବିଶ୍ବ ଯୋଗ ଦିବସ’ ଭଳି ‘ବିଶ୍ବ ଧ୍ୟାନ ଦିବସ’କୁ ପ୍ରତ୍ୟେକ ବର୍ଷ ଏହି ନିର୍ଦ୍ଦିଷ୍ଟ ତାରିଖରେ ପାଳନ କରାଯିବ। ପ୍ରାଚୀନ ଭାରତରେ ଭୂମିଷ୍ଠ ହୋଇଥିବା ଉଭୟ ‘ଯୋଗ’ ଏବଂ ’ଧ୍ୟାନ’ର ସୁକୋମଳ ସ୍ପର୍ଶ ପୃଥିବୀର ପ୍ରାୟ ସର୍ବତ୍ର ଅସଂଖ୍ୟ ସନ୍ତପ୍ତ ପ୍ରାଣକୁ ପୁଲକ, ପ୍ରଶାନ୍ତି ଏବଂ ଶୀତଳ ସାନ୍ତ୍ବନା ପ୍ରଦାନ କରି ଚାଲିଥିବା ବେଳେ ଏହି ଘୋଷଣା ଦ୍ବାରା ‘ଧ୍ୟାନ’ର ହୃଦୟସ୍ପର୍ଶୀ ପ୍ରଭାବ ଏକ ଔପଚାରିକ ସ୍ବୀକୃତି ମଧ୍ୟ ଲାଭ କରିଛି। ଏହା ମଧ୍ୟ ହେଉଛି ଭାରତୀୟ କୋମଳ ଶକ୍ତିର ପରାକାଷ୍ଠା। ଗବେଷକମାନଙ୍କ ମତରେ ‘ଧ୍ୟାନ’ର ଉତ୍ପତ୍ତି ସାତ ହଜାର ବର୍ଷରୁ ଅଧିକ ପ୍ରାଚୀନ ଏବଂ ବେଦ-ବେଦାନ୍ତ କାଳରେ ଏହା ଥିଲା ତପଶ୍ଚର୍ଯ୍ୟାର ଆଧାର ଓ କେନ୍ଦ୍ର। ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଶାକ୍ୟ ମୁନି ଗୌତମ ‘ଧ୍ୟାନ’କୁ ହିଁ ସାଧନାର ଭିତ୍ତି ରୂପେ ପ୍ରତିଷ୍ଠା କରିଥିଲେ ଏବଂ ୫୨୭ ଖ୍ରୀଷ୍ଟାବ୍ଦରେ ବୁଦ୍ଧଙ୍କ ପରମ ଶିଷ୍ୟ ବୋଧିଧର୍ମଙ୍କ ମାଧ୍ୟମରେ ‘ଧ୍ୟାନ’ ପହଞ୍ଚିଥିଲା ଚୀନ ଭୂଖଣ୍ଡରେ। ତା’ପରେ କାଳକ୍ରମେ ସିଲ୍‌କପଥର ଅଭିଯାତ୍ରୀମାନଙ୍କ ଜରିଆରେ ‘ଧ୍ୟାନ’ ପୃଥିବୀର ବିଭିନ୍ନ ପ୍ରାନ୍ତରେ ପ୍ରବେଶ କରି ଆଂଶିକ ପରିବର୍ତ୍ତିତ ରୂପରେ ପ୍ରତିଭାତ ହୋଇଛି, ଯେମିତି ବୌଦ୍ଧ ଧର୍ମାଚାରରେ ଏକାନ୍ତ ପ୍ରାଧାନ୍ୟ ପାଉଥିବା ‘ଧ୍ୟାନ’ ଜାପାନ ଏବଂ ଚୀନ‌େର ‘ଜୈନ ବୌଦ୍ଧ ଦର୍ଶନ ଓ ମାର୍ଗ’ ର ସୂତ୍ରପାତ ଘଟାଇଛି। ସୁତରାଂ, ଅନେକ ଶତାବ୍ଦୀ ପୂର୍ବରୁ ଦୂର ଦୂରାନ୍ତରେ ଓ ଅନେକ ‘ବିଦେଶୀ ସଂସ୍କୃତି ଏବଂ ଜନଜୀବନରେ ଭାରତର ଏକ ସୂକ୍ଷ୍ମ ଅସ୍ତିତ୍ବ ‘ଧ୍ୟାନ’ ରୂପରେ ରହି ଆସିଛି, ଯାହା ବିଶେଷ ପ୍ରଣିଧାନଯୋଗ୍ୟ।
ପ୍ରକାଶ ଥାଉ କି, ପ୍ରଜ୍ଞାଗତ ଉତ୍କର୍ଷର ଅତୁଳନୀୟ ଉଚ୍ଚତା ଅତିକ୍ରମ କରିଥିବା ପ୍ରାଚୀନ ଭାରତର ଦିବ୍ୟଦ୍ରଷ୍ଟା ଋଷିଗଣ ଅବଗତ ଥିଲେ ଯେ ଶରୀରର ସମସ୍ତ ଜୈବିକ ପ୍ରକ୍ରିୟା ଯେ ମନର ଚଳନ ଦ୍ବାରା ପ୍ରଭାବିତ ଓ ନିୟନ୍ତ୍ରିତ ଏବଂ ସେହି ପରିପ୍ରେକ୍ଷୀରେ ମନର ଏକାଗ୍ରତା ଉପରେ ମହତ୍ତ୍ବ ପ୍ରଦାନ କରୁଥିଲେ, ଯାହା ହେଉଛି ‘ଧ୍ୟାନ’। ପାଶ୍ଚାତ୍ୟ ମନସ୍ତତ୍ତ୍ବବିତ୍‌ ଏବଂ ସ୍ନାୟୁ ବିଜ୍ଞାନୀମାନେ ଅନେକ ପରୀକ୍ଷାନିରୀକ୍ଷା ପରେ ଏଇ ମାତ୍ର ବିଂଶ ଶତାବ୍ଦୀରେ ଏହାକୁ ବିଧିବଦ୍ଧ ସ୍ବୀକୃତି ପ୍ରଦାନ କରିଛନ୍ତି। ସ୍ନାୟୁ ବିଜ୍ଞାନୀମାନଙ୍କ ଗବେଷଣା କହିଥାଏ ଯେ ମନୁଷ୍ୟ ମସ୍ତିଷ୍କ ତା’ର ଚେତନାର ପ୍ରସାରଣକୁ ଆଦିଗନ୍ତ ବିସ୍ତାରୀ କରିପାରିବାର ସମ୍ଭାବନା ରଖିଥିଲେ ହେଁ ବସ୍ତୁତଃ ତାହା ଘଟି ନ ଥାଏ (କଦବା କ୍ବଚିତ ଘଟଣାକୁ ବାଦ ଦେଲେ)। ପ୍ରକୃତି, ସ୍ବଭାବ ଏବଂ ସମାଜରୁ ଆହରିତ ଆଦର୍ଶ, ମୂଲ୍ୟବୋଧ ଏବଂ ତର୍କ ଇତ୍ୟାଦି ଦ୍ବାରା ପ୍ରଭାବିତ ମନୁଷ୍ୟର ଚେତନା ଅଲକ୍ଷ୍ୟରେ ଏକ ନିର୍ଦ୍ଦିଷ୍ଟ ପରିଧି ମଧ୍ୟରେ ସୀମାବଦ୍ଧ ଓ ସଂକୁଚିତ ହୋଇ ରହିଯାଏ, ଯାହା ବ୍ୟକ୍ତିର ବ୍ୟକ୍ତିତ୍ବ, ଆଚରଣ ଏବଂ ଚରିତ୍ରରେ ପରିସ୍ଫୁଟିତ ହୋଇଥାଏ। ଏଭଳି ସ୍ଥଳେ ଦୈନନ୍ଦିନ ଜୀବନରେ ଆବିର୍ଭୂତ ହେଉଥିବା ଉଦ୍‌ବେଗ, ଭୟ, ଅସହାୟତା, ଅସ୍ବସ୍ତି, ହତାଶା, ମହତ୍ତ୍ବାକାଂକ୍ଷା, ପ୍ରତିଦ୍ବନ୍ଦ୍ବିତା ଇତ୍ୟାଦି ଦ୍ବାରା ସୃଷ୍ଟ ଚିତ୍ତ ଚାଞ୍ଚଲ୍ୟ, ମାନସିକ ଉଦ୍‌ବେଳନ, ଚାପ ଓ ଅବସାଦ ଆଦିରୁ ମୁକ୍ତ ରହି ଏକ ସୁଶୀତଳ, ଶାନ୍ତ ଓ ସ୍ଥିର ଚିତ୍ତବୃତ୍ତି ଲାଭ କରିବା ଅସଂଖ୍ୟଙ୍କ ସକାଶେ ଅସମ୍ଭବ ହୋଇ ପଡ଼େ। ସ୍ନାୟୁ ବିଜ୍ଞାନୀମାନଙ୍କ ମତରେ ଏହାର କାରଣ ହେଉଛି ମସ୍ତିଷ୍କର ‘ନ୍ୟୁରୋ ପ୍ଲାଷ୍ଟିସିଟି’ ନାମକ ଏକ ଅବସ୍ଥା, ଯାହାର ପରିଣାମ ହେଉଛି ଏକ ଅଶାନ୍ତ ଓ ଉଦ୍‌ବେଳନ ବିକ୍ଷୁବ୍‌ଧ ଚିତ୍ତ। ସେମାନେ ସହମତ ଯେ ଏଭଳି ସ୍ଥିତିରେ ମନକୁ ଚାପ ଓ ଉଦ୍‌ବେଗମୁକ୍ତ କରି ପ୍ରଶାନ୍ତିରେ ଅବଗାହନ କରାଇବାରେ ‘ଧ୍ୟାନ’ ହେଉଛି ଅନ୍ୟତମ ସର୍ବୋକୃଷ୍ଟ ମାର୍ଗ, ଯାହା ସମସ୍ତଙ୍କ ସକାଶେ ସର୍ବତ୍ର ଏବଂ ବିନା ମୂଲ୍ୟରେ ଉପଲବ୍‌ଧ।
‘ଧ୍ୟାନ’ କ’ଣ ବୋଲି ଏକ ପ୍ରଶ୍ନର ଉତ୍ତରରେ ବିଂଶ ଶତାବ୍ଦୀର ପ୍ରସିଦ୍ଧ ପଥପ୍ରଦର୍ଶକ ଓଶୋ ରଜନୀଶଙ୍କ ଦ୍ବାରା ବର୍ଣ୍ଣିତ ପ୍ରାଚୀନ ଚୀନୀୟ କବି ଝାଙ୍ଗ ଝିଙ୍ଗଙ୍କ ଜୀବନରେ ସହସା‌ ଘଟିତ ହୋଇଯାଇଥିବା ଏକ ହୃଦୟଗ୍ରାହୀ ଘଟଣା ସ୍ମରଣକୁ ଆ‌ସିଥାଏ। ସୌନ୍ଦର୍ଯ୍ୟ ଶାସ୍ତ୍ର ବା ‘ଏସ୍‌ଥେଟିକ୍‌ସ’ର ଅଦ୍ବିତୀୟ ବିଦ୍ବାନ ତଥା କବି ଝାଙ୍ଗ ଝିଙ୍ଗ ସେ ଦିନ ଏକାଦିକ୍ରମେ ଦୀର୍ଘ କାଳ ଧରି ସୌନ୍ଦର୍ଯ୍ୟ ତତ୍ତ୍ବ ପଠନ‌େର ବ୍ୟାପୃତ ରହିବା ପରେ ନିଶାର୍ଧରେ ଯେତେବେଳେ ନିଜ ଅଧ୍ୟୟନରୁ ଉଠି ଆସି ଝରକାର ପରଦା ମେଲି ଦିଅନ୍ତି, ବାହାରର ଦୃଶ୍ୟ ତାଙ୍କୁ ଆତ୍ମବିସ୍ମୃତ କରିପକାଏ; ପୂର୍ଣ୍ଣିମା ରାତ୍ରିରେ ଜ୍ୟୋତ୍ସ୍ନାବିଧୌତ ପାହାଡ଼ମାଳା, ପାହାଡ଼ର ପାଦ ଦେଶରେ ରଜତ ଶୁଭ୍ରାଲୋକରେ ଝଲମଲ ସ୍ଥିର ସରୋବର, ଦିଗବଳୟର କାନଭାସରେ ଅଙ୍କା ହେଲା ଭଳି ଚିନାର ଗଛର ଧାଡ଼ି; ହଠାତ୍‌ ଏକ ଜଳ ପକ୍ଷୀର ରାବରେ ଚିରି ହୋଇଯାଏ ନିଶାର୍ଧର ନିରବତା ଏବଂ ସେହି କ୍ଷଣ ଝାଙ୍ଗ ଝିଙ୍ଗଙ୍କ ମନ ସତେ ଯେମିତି ଏକ ଦିବ୍ୟ ଆଲୋକରେ ଉଦ୍‌ଭାସିତ ହୋଇଯାଏ, ଯେମିତି ହୋଇଥିଲା ନିରଂଜନା ତଟରେ ପିପ୍ପଳ ବୃକ୍ଷ ମୂଳରେ ଗୌତମ ବୁଦ୍ଧଙ୍କର। ଝାଙ୍ଗ ଝିଙ୍ଗଙ୍କ ମୁଖରୁ ନିସୃତ ହୋଇଯାଏ ସେହି ନୈସର୍ଗିକ ସୌନ୍ଦର୍ଯ୍ୟକୁ ପରିଭାଷିତ କରିବା ଲାଗି ଏକ ଅନିର୍ବଚନୀୟ ଧାଡ଼ି: ‘ପରଦା ମେଲି ଦିଅ ଓ ଚାହଁ।’ ଓଶୋଙ୍କ ମତରେ ଏହା ହିଁ ଥିଲା ଝାଙ୍ଗ ଝିଙ୍ଗଙ୍କ ସକାଶେ ‘ଧ୍ୟାନ’ର ସେହି ଅପୂର୍ବାନୁମେୟ ଅନୁଭୂତି; ଯାହା ତାଙ୍କ ସକାଶେ କ୍ଷଣିକରେ ସଂଘଟିତ ହୋଇଗଲା, ଅଥଚ ଶାକ୍ୟମୁନି ଗୌତମଙ୍କ ଲାଗି ଲୋଡ଼ିଥିଲା ଦୀର୍ଘ ୪୯ ଦିନର ସାନ୍ଦ୍ର ତପସ୍ୟା। ଓଶୋଙ୍କ ମତରେ ବିଚାର ଓ ଭାବନାର ପରଦା ଅପସାରଣ କରି ମନକୁ ଆଲୋକିତ କରିବାର ପ୍ରକ୍ରିୟା ହେଉଛି ‘ଧ୍ୟାନ’।
ପ୍ରଶ୍ନ ହେଲା, ମନକୁ ଘେରି ରହିଥିବା ମୋଟା ପରଦାକୁ ମେଲି ଦେବା ବା ରମ୍ୟ ଚଞ୍ଚଳ ମନଟିକୁ ଆୟତ୍ତକୁ ଆଣି ଏକାଗ୍ର କରିବା କ’ଣ ଏକ ସହଜ ବ୍ୟାପାର? ଏ ସଂକ୍ରାନ୍ତରେ ପ୍ରସିଦ୍ଧ ଜୈନ ଗୁରୁ ବାନ୍‌କେଙ୍କୁ କେନ୍ଦ୍ର କରି ରହିଥିବା ଚଟୁଳ କାହାଣୀଟିଏ ମନକୁ ଆସେ। ‘ଧ୍ୟାନ’ ଶିଖିବାକୁ ଉଦ୍‌ଗ୍ରୀବ ଜଣେ ଶିଷ୍ୟକୁ ସମସ୍ତ ଉପାୟ ବୁଝାଇ ସାରିବା ପରେ ବାନ୍‌କେଙ୍କ ଶେଷ ପରାମର୍ଶ ଥିଲା: ମନ ଭିତରକୁ ମାଙ୍କଡ଼ମାନଙ୍କୁ ପଶିିବାକୁ ଦେବନାହିଁ। ଯୁବକ ମନ‌େର ହଠାତ୍‌ ପ୍ରଶ୍ନ ଉଠିଥିବ ‘ଧ୍ୟାନ’ ସହିତ ମାଙ୍କଡ଼ର ସଂପର୍କ କ’ଣ? କିନ୍ତୁ, କହିବା ବାହୁଲ୍ୟ, ସେ ଏହାର ଉତ୍ତର ପାଇ ଯାଇଥିବ ଯେତେବେଳେ ସେ ଦେଖିଥିବ ଯେ ଏକାଗ୍ରତା ହାସଲ କରିବାର ଅଭ୍ୟାସ କାଳରେ ମାଙ୍କଡ଼ମାନେ ତା’ର ମନ ପ୍ରାଙ୍ଗଣ ଭିତରକୁ ବାରମ୍ବାର ପ୍ରବେଶ କରି ତା’କୁ ଅଥୟ କରି ପକାଉଛନ୍ତି। ଉ‌େଳ୍ଲଖ‌ ଥାଉ କି, ଅସହାୟ ଯୁବକଟି ବାନ୍‌କେଙ୍କୁ ମାଙ୍କଡ଼ମାନଙ୍କ ଠାରୁ ମୁକ୍ତ ହେବାର ଉପାୟ ପଚାରିଥିଲା ଏବଂ ବାନ୍‌କେଙ୍କ ଦୁଇ ଶବ୍ଦ ବିଶିଷ୍ଟ ଉତ୍ତର ଥିଲା ଯେ ‘ସେମାନଙ୍କୁ ତଡ଼’। ମାଙ୍କଡ଼ମାନଙ୍କୁ ତଡ଼ିବା ଏକ ସହଜ ବ୍ୟାପାର ହୋଇ ନ ଥିଲେ ହେଁ ସୁଖର ବିଷୟ ଯେ ଇତିମଧ୍ୟରେ ‘ଧ୍ୟାନ’ର ତାଲିମ ପ୍ରଦାନ କରିବା ଲାଗି ଅସଂଖ୍ୟ ଗୁରୁ, ସାମାଜିକ ଗଣମାଧ୍ୟମରେ ସକ୍ରିୟ ସହାୟକ ଏବଂ ‘ଆପ୍‌’ମାନ ଉପଲବ୍‌ଧ ହେଲାଣି। ‘ଧ୍ୟାନ’ର ଜଟିଳ ସୂତ୍ର ମଧ୍ୟକୁ ପ୍ରବେଶ ନ କରି ଜଣେ ସାଧାରଣ ବ୍ୟକ୍ତି ନିଜ ଦୈନନ୍ଦିନ ଜୀବନର ବ୍ୟସ୍ତତା ଭିତରେ ମଧ୍ୟ ସ୍ବଳ୍ପ ସମୟ ଲାଗି ‘ଧ୍ୟାନ’ର ଅଭ୍ୟାସ କରିପାରିବ ଓ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ଆଣି ପାରିବ, ସେଭଳି ମାର୍ଗମାନ ମଧ୍ୟ ବିକଶିତ ହେବାେର ଲାଗିଲେଣି। ପ୍ରକାଶ ଥାଉ କି ସଂପ୍ରତି ‘ଧ୍ୟାନ’କୁ କେନ୍ଦ୍ର କରି ଗଢ଼ି ଉଠିଥିବା ବିଶାଳ ବ୍ୟବସାୟର ଆକାର ହେଉଛି ପ୍ରାୟ ୮ ବିଲିଅନ୍ ଡଲାର୍, ଯହିଁରେ ପ୍ରଶିକ୍ଷଣ, ପୁସ୍ତକ, ଅନ୍ୟାନ୍ୟ ଉପକରଣ, ଆପ୍‌ ଏବଂ କୋଳାହଳମୁକ୍ତ ପରିବେଶ ଲାଗି ବିଜନ ଆବାସ ଏବଂ ସ୍ଥାନର ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ। କହିବା ବାହୁଲ୍ୟ ଯେ ଜାତିସଂଘର ଘୋଷଣା ପରେ ଏହି ବ୍ୟବସାୟ ଆହୁରି ପରିପୁଷ୍ଟ ହେବ।
ଜାତିସଂଘ ଦ୍ବାରା ଏହି ଦିବସର ଘୋଷଣା କରାଯିବା ପରେ ଆଶା କରିବା କି, ପୃଥିବୀର ନେତାଗଣଙ୍କ ବିଶେଷ ଦୃଷ୍ଟି ଏହା ଉପ‌େର ପଡ଼ିବ? ଏବଂ କେହି କେହି ଏଥି ପ୍ରତି ଆକୃଷ୍ଟ ମଧ୍ୟ ହେବେ ଏବଂ ନିଜ ଜୀବନର ଏକ ଅଂଶରେ ପରିଣତ କରିବାକୁ ଚାହିଁବେ? ଯୁଦ୍ଧ ଓ ସଂଘର୍ଷ ପ୍ରବୃତ୍ତ ରାଷ୍ଟ୍ରର ନେତାମାନେ ନିଜ ମନ ପ୍ରାଙ୍ଗଣରୁ ମତିଭ୍ରଷ୍ଟ ମର୍କଟମାନଙ୍କୁ ତଡ଼ି ‘ଧ୍ୟାନ’ର ସୁଶୀତଳ ଛାୟା ମଧ୍ୟକୁ ପ୍ରବେଶ କରିବେ? ଯଦି ତାହା ହୁଏ, ତେବେ ସେମାନଙ୍କ ସହିତ ପୃଥିବୀ ମଧ୍ୟ ସନ୍ତାପମୁକ୍ତ ହୁଅନ୍ତା। ଅବଶ୍ୟ ସମସ୍ତେ କହିବେ ଯେ ଏଭଳି ଆଶା ଅକାରଣ, ଅଥଚ ଆମେ କହିବୁ ଯେ ଅକାରଣ ହୋଇପାରେ, କିନ୍ତୁ ଏକାନ୍ତ ଅସମ୍ଭବ ମଧ୍ୟ ନୁହେଁ!

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.