Breaking News

ଏନ୍‌କାଉଣ୍ଟର୍‌ରେ ୩ ଖଲିସ୍ତାନୀ ଆତଙ୍କବାଦୀ ନିହତ: ପଞ୍ଜାବରେ ଥାନା ଉପରକୁ ଗ୍ରେନେଡ୍‌ ଫିଙ୍ଗିଥିଲେ

ପଞ୍ଜାବ ଗୁରୁଦାସପୁର ପୁଲିସ ଥାନା ସମେତ ୩ ଥାନା ଉପରକୁ ଗ୍ରେନେଡ୍‌ ଫିଙ୍ଗିଥିବା ତିନି ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଉତ୍ତରପ୍ରଦେଶରେ ଏନକାଉଣ୍ଟର୍‌ କରାଯାଇଛି। ଉତ୍ତରପ୍ରଦେଶର ପିଲିଭିଟ୍‌ ଠାରେ ପୁଲିସ...

ଲକ୍ଷ୍ନୌ: ପଞ୍ଜାବ ଗୁରୁଦାସପୁର ପୁଲିସ ଥାନା ସମେତ ୩ ଥାନା ଉପରକୁ ଗ୍ରେନେଡ୍‌ ଫିଙ୍ଗିଥିବା ତିନି ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଉତ୍ତରପ୍ରଦେଶରେ ଏନକାଉଣ୍ଟର୍‌ କରାଯାଇଛି। ଉତ୍ତରପ୍ରଦେଶର ପିଲିଭିଟ୍‌ ଠାରେ ପୁଲିସ ସହ ଗୁଳିବିନିମୟରେ ସେମାନଙ୍କ ମୃତ୍ୟୁ ଘଟିଥିବା ଓ ସେମାନଙ୍କ ନିକଟରୁ ଦୁଇଟି ଏକେ ରାଇଫଲ୍‌, ଦୁଇଟି ଗ୍ଲକ୍‌ ପିସ୍ତଲ, ବିପୁଳ ଅଫୁଟା ଗୁଳି ଜବତ କରାଯାଇଛି।

ଗୁରୁଦାସପୁର ପୁଲିସ ଥାନା ସମେତ ୩ ଥାନା ଉପରକୁ ବୋମା ଫିଙ୍ଗିଥିବା ଘଟଣାରେ ଖଲିସ୍ତାନ ଜିନ୍ଦାବାଦ ଫୋର୍ସର ଗୁରୁବିନ୍ଦର ସିଂହ, ବ‌ୀରେନ୍ଦ୍ର ସିଂହ ଓ ଜସନପ୍ରୀତ ସିଂହ ଉତ୍ତରପ୍ରଦେଶର ପିଲିଭିଟ୍‌ର ପୂରଣପୁର ଥାନା ଅଧୀନରେ ଏକ ଘରେ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା। ଉତ୍ତରପ୍ରଦେଶ ପୁଲିସ ଓ ପଞ୍ଜାବ ପୁଲିସର ଏକ ଟିମ୍‌ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପୁଲିସକୁ ଦେଖି ସେମାନେ ଗୁଳି ଚଳାଇଥିଲେ। ପୁଲିସର ପାଲଟା ଗୁଳିମାଡ଼ରେ ତିନିଜଣଙ୍କ ମୃତ୍ୟୁ ଘଟିଛି ବୋଲି ପଞ୍ଜାବ ଡିଜିପି ଗୗରବ ଯାଦବ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି।

ଉତ୍ତରପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଏହି ଏନ୍‌କାଉଣ୍ଟରକୁ ‘ଅତୀବ ସାହସିକ’ ଓ ଦୁଇ ରାଜ୍ୟର ପୁଲିସ ମଧ୍ୟରେ ଉତ୍ତମ ସମନ୍ବୟର ପ୍ରଭାବ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଗତ ଶୁକ୍ରବାର ଗୁରୁଦାସପୁରର ବାଙ୍ଗର ପୁଲିସ ଫାଣ୍ଡି, ମଙ୍ଗଳବାର ଅମୃତସରର ଇସଲାମାବାଦ ପୁଲିସ ଥାନା ଓ ଗୁରୁଦାସପୁରର ବକ୍ସିୱାଲ୍‌ ପୁଲିସ ଥାନା ଉପରେ ବୋମା ମାଡ଼ ହୋଇଥିଲା। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଏହି ବିସ୍ଫୋରଣ ନିମନ୍ତେ ଖଲିସ୍ତାନୀ ଜିନ୍ଦାବାଦ ଫୋର୍ସ ନିଜକୁ ଦାୟୀ କରିଥିଲା।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.