Breaking News

କଥାଟିଏ-ଯାଯାବର: ରାଜାଙ୍କ ଦଣ୍ଡ

ଥରେ ରାଜାଙ୍କ ବଗିଚାରୁ କାକୁଡ଼ି ଚୋରି କରୁଥିବା ବେଳେ କିଶୋରଟିଏ ଧରାପଡ଼ିଗଲା। ରାଜା ସବୁ ଶୁଣିଲା ପରେ କହିଲେ- ୟାକୁ ଫାଶୀ ଦେଇ ଦିଅ। ପାଖରେ ବସିଥିବା ମୁଲ୍ଲା ନସିରୁଦ୍ଦିନ ଏହାର ପ୍ରତିବାଦ କରି କହିଲେ...

ଥରେ ରାଜାଙ୍କ ବଗିଚାରୁ କାକୁଡ଼ି ଚୋରି କରୁଥିବା ବେଳେ କିଶୋରଟିଏ ଧରାପଡ଼ିଗଲା। ରାଜା ସବୁ ଶୁଣିଲା ପରେ କହିଲେ- ୟାକୁ ଫାଶୀ ଦେଇ ଦିଅ।
ପାଖରେ ବସିଥିବା ମୁଲ୍ଲା ନସିରୁଦ୍ଦିନ ଏହାର ପ୍ରତିବାଦ କରି କହିଲେ- ମହାରାଜ, କାକୁଡ଼ି ଚୋରି ଲାଗି ଫାଶୀ? ମାନୁଛି ପିଲାଟି ଭୁଲ୍ କରିଛି। ତା’କୁ ବୁଝାଇ ଦିଆଯାଇପାରେ, ତାକୁ ଦଣ୍ତ ଭାବେ କୋହଳ ଦଣ୍ତ ଦିଆଯାଇପାରେ। ଏକା ବେଳକେ ଫାଶୀ?
ରାଜା କହିଲେ- ମୁଲ୍ଲା, ତୁମକୁ ମୁଁ ବହୁତ ଭଲପାଏ ବୋଲି ତୁମେ ଆଜି ମୋ’ ବିଚାରକୁ ପ୍ରଶ୍ନ କରିବାର ସାହସ କରୁଛ! ମୋ’ ବଗିଚାରେ ପଶି କାକୁଡ଼ି ଚୋରି କରିବାର ଅର୍ଥ ହେଲା ବଡ଼ ଚୋରି ଲାଗି ବାଟ ଫିଟିବା। କାଲି ମୋ’ ଉଆସ ଭିତରୁ ରାଣୀଙ୍କ ଗହଣା ଚୋରି ହେବ ନାହିଁ ବୋଲି କିଏ କହିପାରିବ? ୟେ ସବୁ ବିଷର ମଞ୍ଜି। ତେଣୁ ୟାକୁ ନିସ୍ତାର ନାହିଁ।
ଏହା ଶୁଣି ମୁଲ୍ଲା ଉଠିପଡ଼ି ପ୍ରାଣ ବିକଳରେ ଦୌଡ଼ିବାକୁ ଲାଗିଲେ। ରାଜା ଆଚମ୍ବିତ ହୋଇ କହିଲେ- ମୁଲ୍ଲା ପାଗଳ ହୋଇଗଲେ କି? ଯାଅ, ତାଙ୍କୁ ଧରି ଆଣ।
ମୁଲ୍ଲା ଧରା ହୋଇ ଆସିଲେ। ସେ କିନ୍ତୁ ଛାଟିପିଟି ହେଉଥାଆନ୍ତି। ରାଜା ପଚାରିଲେ- ମୁଲ୍ଲା, କ’ଣ ହେଲା?
ମୁଲ୍ଲା କହିଲେ- କାଲି ରାତିରେ ମୁଁ ବସିଥିଲି। ହଠାତ୍‌ ମୋ’ ଉପର ଦେଇ ମୂଷାଟିଏ ଚାଲିଗଲା।
ରାଜା କହିଲେ- କିନ୍ତୁ ତୁମେ ଯେମିତି ହେଉଛ, ଲାଗୁଛି ତୁମ ଉପର ଦେଇ ହାତୀଟିଏ ଚାଲିଗଲା ଅବା!
ମୁଲ୍ଲା କହିଲେ- ଆପଣଙ୍କ କଥା ଶୁଣିବା ପରେ ମୋତେ ତ ସେୟା ଲାଗିଲାଣି। ଆଜି ମୂଷା ଚାଲିଗଲା ଅର୍ଥ ହାତୀ ଚାଲିବା ଲାଗି ବାଟ ଫିଟିଗଲା। କିଏ ଜାଣିଲା କାଲି ମୋ’ ଉପରେ ହାତୀଟିଏ ଚାଲି ନ ଯିବ? ତେଣୁ ମୁଁ ଯେତେ ଶୀଘ୍ର ମୋ’ ଘର ଛାଡ଼ି ପଳାଇବା ଲାଗି ଦୌଡୁଥିଲି।
ରାଜା କହିଲେ- ମୁଲ୍ଲା, ତୁମେ ଠିକ୍‌ ଫନ୍ଦି ଜାଣ। ତା’ ପରେ ସେ କହିଲେ- ପିଲାଟିକୁ ଛାଡ଼ିଦିଅ ଓ ତାକୁ ବୁଝାଇ ଦିଅ।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.