Breaking News

କୋହଲିଙ୍କ କାହାଣୀର ଶେଷ ଅଧ୍ୟାୟ

ଭାରତୀୟ କ୍ରିକେଟ୍ ଦଳର ପ୍ରଶିକ୍ଷକ ଭାବେ ନିଜ ବିବାଦୀୟ କାର୍ଯ୍ୟକାଳ ପାଇଁ ସବୁବେଳେ ନିନ୍ଦିତ ହୋଇ ଆସୁଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଗ୍ରେଗ୍ ଚାପେଲ ରବିବାର ଆଉ ଏକ କଥା ପାଇଁ ଚର୍ଚ୍ଚାକୁ ଆସିଛନ୍ତି।

ମେଲବର୍ଣ୍ଣ: ଭାରତୀୟ କ୍ରିକେଟ୍ ଦଳର ପ୍ରଶିକ୍ଷକ ଭାବେ ନିଜ ବିବାଦୀୟ କାର୍ଯ୍ୟକାଳ ପାଇଁ ସବୁବେଳେ ନିନ୍ଦିତ ହୋଇ ଆସୁଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଗ୍ରେଗ୍ ଚାପେଲ ରବିବାର ଆଉ ଏକ କଥା ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଭାରତୀୟ କିଂବଦନ୍ତି ବିରାଟ କୋହଲିଙ୍କ କ୍ରିକେଟ୍ କ୍ୟାରିୟର୍ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଚାପେଲ ଭବିଷ୍ୟବାଣୀ କରିଛନ୍ତି। ଫଳରେ କୋହଲିପ୍ରେମୀଙ୍କ ରୋଷର ଶିକାର ହୋଇଛନ୍ତି। ଏକ ଇଂରାଜୀ ଖବର କାଗଜକୁ ସାକ୍ଷାତକାର ଦେଇ ଚାପେଲ କହିଛନ୍ତି, କୋହଲି ସଂପ୍ରତି ଇପିଡିସ୍‌ (ଏଲିଟ୍ ପ୍ଲେୟାର ଡିକ୍ଲାଇନ୍ ସିଣ୍ଡ୍ରୋମ୍) ସମସ୍ୟାରେ ପୀଡ଼ିତ। ଇପିଡିଏସ୍ ଲକ୍ଷଣ ଷ୍ଟିଭେନ୍ ସ୍ମିଥ୍ ଓ ଜୋ ରୁଟ୍‌ଙ୍କ ଖେଳରେ ମଧ୍ୟ ଦେଖିବାକୁ ମିଳିଛି। ଏହି ସମସ୍ୟାର ସମ୍ମୁଖୀନ ବଡ଼ ଓ ମହାନ ଖେଳାଳିମାନେ ହିଁ ହୋଇଥା’ନ୍ତି। ହଠାତ୍ ସେମାନେ ଫର୍ମ ହରାଇବା ସହ ନିଜ ପୁରୁଣା ଚମକ ‌ଫେରି ପାଇବାକୁ ସଂଘର୍ଷ କରିଥା’ନ୍ତି। କୋହଲି ପୂର୍ବ ଭଳି ଆଉ ଆଧିପତ୍ୟଭରା ଆରମ୍ଭ ପାଉ ନାହାନ୍ତି। ନିରନ୍ତର ଆକ୍ରମଣ କଳାକୁ ଉପଯୋଗ କରୁନାହାନ୍ତି। ବରଂ ସେ ପ୍ରଥମେ ୨୦ରୁ ୩୦ ରନ୍ କରିବାକୁ ଚେଷ୍ଟା କରୁଛନ୍ତି। ଫଳରେ ବୋଲରମାନେ ତାଙ୍କ ଉପରେ ଚାପ ସୃଷ୍ଟି କରିବାକୁ ସକ୍ଷମ ହେଉଛନ୍ତି। ମୋ ମତରେ କୋହଲି ଏବେ ନିଜ କାହାଣୀର ଶେଷ ଅଧ୍ୟାୟ ଲେଖୁଛନ୍ତି। ଯାହା ତାଙ୍କ ପ୍ରଶଂସକଙ୍କୁ ଭଲ ଲାଗି ନପାରେ।

ବିସିସିଆଇ ନଜରରେ ଗମ୍ଭୀର
ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳା ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଓ ତୃତୀୟ ଟେଷ୍ଟ୍‌ରେ ଭାରତୀୟ ଦଳର ଦୁର୍ବଳ ପ୍ରଦର୍ଶନ ନୂଆ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ସବୁଠୁ ବେଶି ଅଡ଼ୁଆରେ ପକାଇଛି। ଅଷ୍ଟ୍ରେଲିଆରେ ଦଳ ଆଶାଜନକ ପ୍ରଦର୍ଶନ କରୁନଥିଲା ବେଳେ କିଂବଦନ୍ତି ସ୍ପିନର ଆର୍‌ ଅଶ୍ବିନଙ୍କ ଅବସର ବମ୍ ତାଙ୍କ ପାଇଁ ସବୁଠୁ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଛି। ଅନେକ ତାଙ୍କ ପ୍ରଶିକ୍ଷଣ ଦକ୍ଷତା ଏବଂ ଅଭିଜ୍ଞତା ନେଇ ପ୍ରଶ୍ନ ଉଠାଇବା ଆରମ୍ଭ କରି ଦେଇଛନ୍ତି। ଦଳର ବରିଷ୍ଠ ଖେଳାଳିଙ୍କ ସହ ତାଙ୍କ ସମୀକରଣ ଠିକ୍ ନଥିବାର ବି ଚର୍ଚ୍ଚା ହେଉଛି। ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତ ୮ଟି ଟେଷ୍ଟ୍‌ ଖେଳି ୪ଟିରେ ପରାଜିତ ହେବା ମଧ୍ୟ ତାଙ୍କ ବିରୋଧରେ ଯାଉଛି। ଭାରତର ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍ ଫାଇନାଲ୍ ଖେଳିବା ଆଶା ଧୀରେଧୀରେ ମଉଳି ଯିବା ମଧ୍ୟ ଗମ୍ଭୀରଙ୍କ ପାଇଁ ଆଉ ଏକ ବଡ଼ ସମସ୍ୟା ଭାବେ ଉଭା‌ ହୋଇଛି। ଭାରତୀୟ ଦଳର ପରିଚାଳନା ଲାଗି ଗମ୍ଭୀରଙ୍କୁ ବିସିସିଆଇ ଅସୀମ କ୍ଷମତା ପ୍ରଦାନ କରିଛି। ତେବେ ଏଭଳି ସ୍ଥିତି ଯଦି ଲାଗି ‌ରହେ, ତାହେଲେ ଗମ୍ଭୀରଙ୍କ କାର୍ଯ୍ୟକାଳ ସମୟ ପୂର୍ବରୁ ଶେଷ ହୋଇଯିବାର ଯଥେଷ୍ଟ ଆଶଙ୍କା ରହିଥିବା କ୍ରିକେଟ୍ ପଣ୍ଡିତମାନେ ଭବିଷ୍ୟବାଣୀ କରିଛନ୍ତି।

ସର୍ଟ ପିଚ୍‌କୁ ଅସ୍ତ୍ର କରିବେ ଆକାଶଦୀପ
ଫର୍ମରେ ଥିବା ଅଷ୍ଟ୍ରେଲୀୟ ବ୍ୟାଟର୍ ଟ୍ରାଭିସ୍ ହେଡ୍‌ଙ୍କୁ ରୋକିବା ଲାଗି ଭାରତୀୟ ଯୁବ ଦ୍ରୁତ ବୋଲର ଆକାଶଦୀପ ସର୍ଟ ପିଚ୍ ଓ ବାଉନ୍ସର୍ ବଲ୍‌କୁ ଅସ୍ତ୍ର କରିବେ। ଏହି ସଙ୍କେତ ‌ସେ ନିଜେ ଦେଇଛନ୍ତି। ହେଡ୍‌ଙ୍କ ବିରୋଧରେ ଭାରତୀୟ ଖେଳାଳିମାନେ କରିଥିବା ଯୋଜନା ବିଷୟରେ ଅଧିକ କିଛି କହି ନଥିଲେ ମଧ୍ୟ ଶୃଙ୍ଖଳିତ ବୋଲିଂ ଉପରେ ଜୋର ଦେଇଛନ୍ତି ସେ। ସେହିଭଳି ଆବଶ୍ୟକ ହେଲେ ସର୍ଟ ପିଚ୍ ବଲ୍‌ କରିବୁ, ଏବେ କିନ୍ତୁ ସବୁ କିଛି କହି ହେବନି, ସେମାନେ (ଅଷ୍ଟ୍ରେଲୀୟ ଖେଳାଳି) ଜାଣିଲେ ଆଗୁଆ ପ୍ରତିଯୋଜନା କରିନେବେ ବୋଲି ରବିବାର ଦେଇଥିବା ସାକ୍ଷାତକାରରେ ଆକାଶଦୀପ କହିଛନ୍ତି। ସେହିଭଳି ହେଡ୍‌ଙ୍କ ଲୟ ବିଗାଡ଼ିବା ସହ ନିର୍ଦ୍ଦିଷ୍ଟ ସ୍ଥାନକୁ ଆକ୍ରମଣ କରିବାକୁ ବ୍ୟକ୍ତିଗତ ଭାବେ ସେ ଲକ୍ଷ୍ୟ ରଖିଛନ୍ତି।

ଦୁଇ ସ୍ପିନର୍‌ ଖେଳାଇବା ସମ୍ଭାବନା
ମେଲବର୍ଣ୍ଣ ଟେଷ୍ଟ୍‌ରେ ଭାରତ ଦୁଇଜଣ ସ୍ପିନରଙ୍କୁ ଖେଳାଇବାର ସମ୍ଭାବନାକୁ ଅଗ୍ରାହ୍ୟ କରିନାହାନ୍ତି ଅଧିନାୟକ ରୋହିତ ଶର୍ମା। ସେ କହିଛନ୍ତି, ପରିବେଶକୁ ଦେଖି ଆମେ ଚୂଡ଼ାନ୍ତ ଏକାଦଶ ବିଷୟରେ ନିଷ୍ପତ୍ତି ନେବୁ। ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍ (ଏମ୍‌ସିଜି) କ୍ୟୁରେଟର୍ କିନ୍ତୁ ଦ୍ରୁତ ବୋଲରଙ୍କୁ ସେଠାକାର ପିଚ୍ ସୁହାଇବ ବୋଲି ମତ ଦେଇଛନ୍ତି। ସେ କହିଛନ୍ତି, ପ୍ରଥମ ଦିନରେ ମେଲବର୍ଣ୍ଣ ତାପମାତ୍ରା ୪୦ ଡିଗ୍ରି ଛୁଇଁବାର ପୂର୍ବାନୁମାନ ଥିବାରୁ ମୁଁ ଆଶା କରୁଛି ଏମ୍‌ସିଜି ପିଚ୍ ପେସରଙ୍କ ପାଇଁ ଭୂସ୍ବର୍ଗ ପାଲଟିବ। ସେପଟେ ଯଦି ଅଧିନାୟକ ରୋହିତ ଓ ପ୍ରଶିକ୍ଷକ ଗୌତମ ଗମ୍ଭୀର ଦ୍ବିତୀୟ ସ୍ପିନର ଖେଳାଇବାକୁ ନିଷ୍ପତ୍ତି ନିଅନ୍ତି, ତାହେଲେ ରବୀନ୍ଦ୍ର ଜାଡ଼େଜାଙ୍କ ସହ ୱାସିଂଟନ୍ ସୁନ୍ଦର ଚୂଡ଼ାନ୍ତ ଏକାଦଶରେ ରହିପାରନ୍ତି। ନୂଆ ଅସ୍ତ୍ର ଭାବେ ତନୁଷ କୋଟିଆନ୍‌ଙ୍କ ନାଁ ମଧ୍ୟ ବିଚାରକୁ ନେଇପାରେ ଦଳୀୟ ମ୍ୟାନେଜ୍‌ମେଣ୍ଟ୍। ତେବେ ସେ ମଙ୍ଗଳବାର ଅଷ୍ଟ୍ରେଲିଆ ପହଞ୍ଚିବାର ଥିବାରୁ ମେଲବର୍ଣ୍ଣ ଟେଷ୍ଟ୍ ଖେଳିବାର ସମ୍ଭାବନା କମ୍ ରହିଛି। ଅବଶ୍ୟ  ମହମ୍ମଦ ସାମି ଅଷ୍ଟ୍ରେଲିଆ ଯିବାରୁ ବାଦ୍ ପଡ଼ିଥିବାରୁ  ଭାରତୀୟ ବୋଲିଂ ଆକ୍ରମଣର ନେତୃତ୍ବ ପୁଣି ଥରେ ଯଶପ୍ରୀତ ବୁମ୍‌ରା ନେବେ।

ରୋହିତଙ୍କ ଆଣ୍ଠୁରେ ଯନ୍ତ୍ରଣା ନାହିଁ
ବକ୍ସିଂ ଡେ’ ଟେଷ୍ଟ୍‌ ପୂର୍ବରୁ ରୋହିତଙ୍କ ଆଣ୍ଠୁ ଯନ୍ତ୍ରଣାକୁ ନେଇ ସୃଷ୍ଟି ‌ହୋଇଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି। ମଙ୍ଗଳବାରର ସାମ୍ବାଦିକ ସମ୍ମିଳନୀରେ ତାଙ୍କ ଆଣ୍ଠୁରେ କୌଣସି ସମସ୍ୟା ନାହିଁ ବୋଲି ନିଜେ ରୋହିତ କହିଛନ୍ତି। ସେହିଭଳି ତାଙ୍କ ବ୍ୟାଟିଂ ସ୍ଥାନକୁ ନେଇ ଅଯଥା ଚିନ୍ତା ନ କରିବାକୁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି। ‘‘କିଏ କେଉଁଠି ବ୍ୟାଟିଂ କରିବେ, ଆସନ୍ତୁ ସେ ଚିନ୍ତା ଆଉ କରିବାନି। ମୁଁ ଏହି ବିଷୟ ଏଠାରେ ଚର୍ଚ୍ଚା କରିବାକୁ ଚାହେନି। ଦଳର ସ୍ବାର୍ଥ ପାଇଁ ଯାହା ଠିକ୍ ଲାଗିବ, ଆମେ ତାହା କରିବୁ’’ ବୋଲି କହିଥିଲେ ସେ। ସେହିଭଳି ଋଷଭ ପନ୍ତ, ଶୁବମନ ଗିଲ୍ ଓ ଯଶସ୍ବୀ ଜୟସ୍ବାଲଙ୍କୁ ନେଇ ଚାଲିଥିବା ଚର୍ଚ୍ଚାରେ ବିରାମ ଲଗାଇବାକୁ ଯାଇ ରୋହିତ ମତ ରଖିଥିଲେ ଯେ ଏମାନେ ସମସ୍ତେ ଦାୟିତ୍ବବାନ ଖେଳାଳି। ନିଜନିଜ ଦାୟିତ୍ବ ଭଲଭାବରେ ଜାଣିଛନ୍ତି। ଏଣୁ ସେମାନଙ୍କୁ କିଛି ପରାମର୍ଶ ଦେବାର ନାହିଁ।

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.