Breaking News

ଚମତ୍କାର ୨୪: ରାଜନୀତିରେ ଶ୍ରୀଜଗନ୍ନାଥ

ଶ୍ରୀମନ୍ଦିର ପ୍ରତିଷ୍ଠା ପରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଶ୍ରୀଜଗନ୍ନାଥ ବର ଯାଚିଥିଲେ। ଇନ୍ଦ୍ରଦ୍ୟୁମ୍ନ କହିଥିଲେ, ‘ମୋତେ ନିର୍ବଂଶ କରିଦିଅନ୍ତୁ। ମୋ ପୂର୍ବ ପୁରୁଷ ମନ୍ଦିର ତୋଳିଥିଲେ ବୋଲି ଗର୍ବ କରିବାକୁ ମୋ ବଂଶରେ କେହି ନ ରୁହନ୍ତୁ।

ଶ୍ରୀମନ୍ଦିର ପ୍ରତିଷ୍ଠା ପରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଶ୍ରୀଜଗନ୍ନାଥ ବର ଯାଚିଥିଲେ। ଇନ୍ଦ୍ରଦ୍ୟୁମ୍ନ କହିଥିଲେ, ‘ମୋତେ ନିର୍ବଂଶ କରିଦିଅନ୍ତୁ। ମୋ ପୂର୍ବ ପୁରୁଷ ମନ୍ଦିର ତୋଳିଥିଲେ ବୋଲି ଗର୍ବ କରିବାକୁ ମୋ ବଂଶରେ କେହି ନ ରୁହନ୍ତୁ।’ ପୁରାଣର ଏହି କଥାଟି ସ୍ପଷ୍ଟ ବାର୍ତ୍ତା ଦେଉଛି, ଜଗନ୍ନାଥଙ୍କୁ ନେଇ ଯିଏ ଯାହା କରୁଛି ତାହାର ପ୍ରଚାର ପ୍ରସାର ଅନାବଶ୍ୟକ। ଏମିତିରେ ମହାପ୍ରଭୁଙ୍କ ପ୍ରଚାର ଆବଶ୍ୟକତା ବି କ’ଣ? ବାହାରେ ଓଡ଼ିଶା ଓ ଓଡ଼ିଆଙ୍କ ପରିଚୟ ହିଁ ଶ୍ରୀଜଗନ୍ନାଥ। ତାଙ୍କ ସାମ୍ନାରେ ରାଜନୀତି ତୁଚ୍ଛ… ରାଜନୈତିକ ନେତା ଗୌଣ। କିନ୍ତୁ ଆମ ରାଜନେତାମାନେ ଇନ୍ଦ୍ରଦ୍ୟୁମ୍ନଙ୍କ କଥାରୁ କିଛି ଶିକ୍ଷା ଲାଭ କରିନାହାନ୍ତି। ଶ୍ରୀଜଗନ୍ନାଥଙ୍କ ପାଇଁ କିଏ କ’ଣ କଲା, ତାହାକୁ ପ୍ରଚାର କରି ନିଜର ଆତ୍ମବଡ଼ିମା ଦେଖାଇବାକୁ ଓ ରାଜନୈତିକ ଫା‌ଇଦା ନେବାକୁ ସମସ୍ତେ ତତ୍ପର। ଏହାକୁ ନେଇ ଚାଲିଛି ଅଘୋଷିତ ପ୍ରତିଦ୍ବନ୍ଦ୍ବିତା। ୨୦୨୪ ବର୍ଷଟି ଏହାର ବଳିଷ୍ଠ ଉଦାହରଣ। ପରିକ୍ରମା ପ୍ରକଳ୍ପ, ଅର୍ପଣ ରଥ ଠାରୁ ଆରମ୍ଭ କରି ଚାରି ଦ୍ବାର ଖୋଲାଯିବା ଓ ରତ୍ନଭଣ୍ଡାର ଖୋଲିବା ପର୍ଯ୍ୟନ୍ତ ସବୁଥିରେ ଦେଖିବାକୁ ମିଳିଲା ଅଭାବନୀୟ ପ୍ରତିଯୋଗିତା। ଶ୍ରୀଜଗନ୍ନାଥ ଯେମିତି ପାଲଟିଛନ୍ତି ପ୍ରଚାରର ମାଧ୍ୟମ। ଏହା ଓଡ଼ିଆଙ୍କୁ ବ୍ୟଥିତ କରୁଛି। ପୂର୍ବ ସରକାର ଶ୍ରୀଜଗନ୍ନାଥଙ୍କୁ ନେଇ ଯେମିତି ଢଙ୍ଗରେ ପ୍ରଚାର କଲେ, ତାହା ଆଦୌ ଗ୍ରହଣୀୟ ହେଲାନି। ଫଳ କ’ଣ ହେଲା, ତାହା ସାରା ଦେଶ ଦେଖିଲା। ଏଥିରୁ ବର୍ତ୍ତମାନର ଶାସକ ଓ ସବୁ ଦଳର ରାଜନେତାମାନେ ଶିକ୍ଷା ଲାଭ କଲେ କି ନାହିଁ, ତାହା ଭବିଷ୍ୟତ କହିବ।

ମହାପ୍ରଭୁ ପାଇଲେନି ଅର୍ପଣ ଚାଉଳ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ସାରା ରାଜ୍ୟରେ ମହାପ୍ରଭୁଙ୍କ ନାଁରେ ଅର୍ପଣ ରଥ ବୁଲିଲା। ଏହି ରଥକୁ ପ୍ରଭାବୀ ଢଙ୍ଗରେ ବୁଲାଇବା ପାଇଁ ରାଜ୍ୟ ସରକାର ସବୁ ପୌରପାଳିକା ଓ ବ୍ଲକ୍‌କୁ ନିର୍ଦ୍ଦେଶ ଦେଲେ। ଶାସକ ବିଜେଡିର ନେତା ଓ କର୍ମୀମା‌ନେ ଏଥିରେ ଅଗ୍ରଭାଗରେ ରହିଲେ। ଅର୍ପଣ ରଥ ବୁଲାଇ ଗାଁ ଗାଁରେ ବିଜେଡି ସମର୍ଥନରେ ଏକ ପରିବେଶ ସୃଷ୍ଟି ପାଇଁ ଉଦ୍ୟମ ହେଲା। ପୁଣି ବିଭିନ୍ନ ସ୍ଥାନରେ ଅର୍ପଣ ରଥକୁ ଯେପରି ବୁଲାଗଲା, ସେଥିରେ ମହାପ୍ରଭୁଙ୍କୁ ଅପମାନିତ କରାଯାଉଥିବା ଦେଖାଯାଇଥିଲା। ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ସରକାରଙ୍କୁ ଘେରିଥିଲେ। ଅର୍ପଣ ରଥ ମାଧ୍ୟମରେ ସଂଗ୍ରହ ହୋଇଥିବା ଚାଉଳ, ନଡ଼ିଆ ଓ ଗୁଆକୁ ନେଇ ବି ବିବାଦ ଦେଖାଦେଇଥିଲା। ଅର୍ପଣ ଚାଉଳରୁ ମହାପ୍ରସାଦ ପ୍ରସ୍ତୁତ କରି ଭକ୍ତଙ୍କୁ ବାଣ୍ଟିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା। କିନ୍ତୁ ସେଥିରେ ଉଷୁନା ଚାଉଳ ମିଶିଥିବାରୁ କିପରି ମହାପ୍ରସାଦ ରନ୍ଧା ଯିବ ବୋଲି ବିବାଦ ଦେଖାଦେଲା। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ଚାଉଳରୁ ମହାପ୍ରସାଦ ପ୍ରସ୍ତୁତ କରାଯାଇ ଭକ୍ତଙ୍କୁ ବଣ୍ଟାଯାଇଥିଲା। ୧୦ ହଜାର କ୍ବିଣ୍ଟାଲରୁ ଅଧିକ ଚାଉଳ ପଡ଼ି ପଡ଼ି ନଷ୍ଟ ହୋଇଯାଇଥିଲା। ଶେଷରେ ଅକ୍ଟୋବର ମାସରେ ଅବଶିଷ୍ଟ ଚାଉଳକୁ ପାଖାପାଖି ୩ କୋଟି ଟଙ୍କାରେ ନିଲାମ କରାଯାଇଥିଲା।

ଚାରି ଦ୍ବାର ଖୋଲିଲା 

ଶ୍ରୀମନ୍ଦିର ଚାରିଦ୍ବାର ଖୋଲାଯିବା ବି ଏଥର ଏକ ରାଜନୈତିକ ପ୍ରସଙ୍ଗ ଥିଲା। ଶ୍ରୀମନ୍ଦିରରରେ ଅସମ୍ଭାଳ ଗହଳି ହେଉଥିଲେ ବି ବିଜେଡି ସରକାର ଚାରି ଦ୍ବାର ଖୋଲି ନଥିଲେ। ବିଭିନ୍ନ ମହଲରେ ଏ ନେଇ ଦାବି ହେଉଥିଲେ ବି ସରକାର ଟାଳି ଦେଉଥିଲେ। ବିଜେପି ଏହାକୁ ନିର୍ବାଚନରେ ପ୍ରସଙ୍ଗ କଲା। କ୍ଷମତାକୁ ଆସିଲେ ଚାରି ଦ୍ବାର ଖୋଲିବେ ବୋଲି ପ୍ରତିଶ୍ରୁତି ଦେଲେ। ସରକାର ପ୍ରତିଶ୍ରୁତି ବି ପାଳି‌ଲେ। ସରକାର ଗଠନ ହେବାର ୨୪ ଘଣ୍ଟା ଭିତରେ ଚାରି ଦ୍ବାର ଖୋଲାଗଲା। ଅବଶ୍ୟ ଏହା ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣରେ ବିଶେଷ ସହାୟକ ହୋଇ ନାହିଁ। କିନ୍ତୁ ରାଜ‌ନୀତିରେ ଏହି ପ୍ରସଙ୍ଗଟି ବିଜେପିରୁ ଫାଇଦା ଦେଇଥିଲା।

ନିର୍ବାଚନ ପ୍ରଚାରରେ ରତ୍ନଭଣ୍ଡାର

ମହାପ୍ରଭୁଙ୍କ ରତ୍ନଭଣ୍ଡାର ଏଥର ନିର୍ବାଚନରେ ବଡ଼ ପ୍ରସଙ୍ଗ ପାଲଟିଯାଇଥିଲା। ଏପରିକି ନିର୍ବାଚନୀ ବିଜ୍ଞାପନରେ ଏହା  ଉଲ୍ଲେଖ ଥିବା ଦେଖିବାକୁ ମିଳିଥିଲା। ବିଜେଡି ସରକାର ସମୟରେ ରତ୍ନଭଣ୍ଡାର କାହିଁକି ଖୋଲାଗଲାନି, ତାହା ରହସ୍ୟଜନକ ହୋଇ ରହିଗଲା। ରତ୍ନଭଣ୍ଡାର ଚାବି କିପରି ହଜିଲା ବୋଲି ବିରୋଧୀ ବିଜେପି ଜବାବ ମାଗିଲା। ଏପରିକି ଚାବି ହଜିବା ପଛରେ ତତ୍‌କାଳୀନ ସରକାରର କାର୍ପଟ୍‌ଦାରମାନଙ୍କୁ ଦାୟୀ କଲେ ବିଜେପି ନେତା। ବିଜେପି ଶାସନକୁ ଆସିଲା ପରେ ରତ୍ନଭଣ୍ଡାର ଖୋଲାଯିବ ବୋଲି ପ୍ରତିଶ୍ରୁତି ଦିଆଗଲା। ନୂଆ ସରକାର ପ୍ରତିଶ୍ରୁତି ପାଳନ କରି ରତ୍ନଭଣ୍ଡାର ଖୋଲିଲେ। କେବଳ ଗଣତି, ମଣତି ବାକି ରହିଛି। ରତ୍ନଭଣ୍ଡାରରୁ ଚୋରି ହୋଇଛି ବୋଲି ଯେଉଁ ଆରୋପ ବିରୋଧୀ ଲଗାଉଥିଲେ ତାହ ଏ ଯାଏ ପ୍ରମାଣିତ ହୋଇନି। କିନ୍ତୁ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପୂର୍ବ ସରକାର ଏକ ତଦନ୍ତ କମିସନ୍ ଗଠନ କରିଥିଲେ। କିନ୍ତୁ ପୂର୍ବ ସରକାର କମିସନଙ୍କ ରିପୋର୍ଟକୁ ସାର୍ବଜନୀନ କରି ନଥି‌ଲେ। ବର୍ତ୍ତମାନର ସରକାର ରତ୍ନଭଣ୍ଡାର ଖୋଲିଥିଲେ ବି ସେହି ରିପୋର୍ଟକୁ ସାର୍ବଜନୀନ କରି ନାହାନ୍ତି। ଫଳରେ ପ୍ରସଙ୍ଗଟି ଲୋକଙ୍କ ମନରେ ରହସ୍ୟାବୃତ୍ତ ହୋଇ
ରହିଛି।

ଅପବାଦ ଦେଲା ବଳଭଦ୍ରଙ୍କ ପହଣ୍ଡିରେ ଅଘଟଣ

ରାରି ଦ୍ବାର ଖୋଲି ରାଜନୈତିକ ଫାଇଦା ନେବାକୁ ବିଜେପି ଜୋର୍‌ଦାର ପ୍ରଚାର କରିଥିଲା। କିନ୍ତୁ ସେହି ଖୁସି ବେଶୀ ଦିନ ରହିଲା ନାହିଁ। ରଥଯାତ୍ରାରେ ଏମିତି ଅଭାବନୀୟ ଘଟଣା ଘଟିଲା, ଯାହା କି ଶ୍ରଦ୍ଧାଳୁମାନଙ୍କୁ ଭୀଷଣ ଆଘାତ ଦେଲା। ଶ୍ରୀଗୁଣ୍ଡିଚା ମନ୍ଦିରରେ  ବଡ଼ ଠାକୁର ଶ୍ରୀବଳଭଦ୍ର ଆଡ଼ପମଣ୍ଡପକୁ ବିଜେ ପାଇଁ ପହଣ୍ଡିରେ ଯାଉଥିଲା ବେଳେ ରଥ ଉପରୁ ଖସି ମୁହଁ ମାଡ଼ି ହୋଇ ଚାରମାଳ ଉପରେ ପଡ଼ିଥିଲେ। କିଛି ସେବାୟତଙ୍କ ବିଶୃଙ୍ଖଳିତ ଆଚରଣ ଓ ରଥ ଉପରକୁ ଅଣସେବକ ଚଢ଼ିବାର ପରିଣାମ ଏହା ଥିଲା। ସରକାର ଏଥି ପାଇଁ ସମାଲୋଚିତ ହେଲେ। ସରକାରଙ୍କ ଅପାରଗତାକୁ ବିରୋଧୀ ଭର୍ତ୍ସନା କଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଘଟଣାର ତଦନ୍ତ ହୋଇଛି। କିନ୍ତୁ ବର୍ଷ ‌ଶେଷ ସୁଦ୍ଧା କାହାରିକୁ ଦୋଷୀ ସାବ୍ୟସ୍ତ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇନି।

ଭିଡ଼ ଅଡ଼ୁଆ ତୁଟୁନି

ଶ୍ରୀମନ୍ଦିରରେ ଦିନକୁ ଦିନ ଭିଡ଼ ଅସମ୍ଭାଳ ହେଉଛି। ସରକାର ବଦଳିଥିଲେ ବି ସ୍ଥିତି ବଦଳିନି। ଛୁଟି ଦିନ ଓ ଅନ୍ୟ ପର୍ବପର୍ବାଣିରେ ସ୍ଥିତି ସଙ୍ଗୀନ ହୋଇପଡ଼ୁଛି। ଦଳାଚକଟା ସ୍ଥିତି ସୃଷ୍ଟି ହେଉଛି। ଫରକ ଏତିକି ଯେ ପୂର୍ବରୁ ଭିଡ଼ ପାଇଁ ରାଜ୍ୟର ବିଜେଡି ସରକାରଙ୍କ ପାରିବାପଣିଆକୁ ପ୍ରଶ୍ନ କରୁଥିଲା ବିଜେପି। ଆଉ ଏବେ ଠିକ୍ ଓଲଟା। ବିଜେପି ସରକାରର ଅଭିଜ୍ଞତାର ଅଭାବ ଓ ଅପାରଗତା ଯୋଗୁ ଶ୍ରଦ୍ଧାଳୁମାନେ କଲବଲ ହେଉଛନ୍ତି ବୋଲି ବିଜେଡି ଅଭିଯୋଗ କରୁଛି। ସମୟ ଅନୁଯାୟୀ ରାଜନୈତିକ ଦଳର ସ୍ବର ବଦଳୁଛି ସତ। କିନ୍ତୁ ସମସ୍ୟା ଯେଉଁଠି ଥିଲା ସେଇଠି ଅଟକିଯାଇଛି। ସମାଧାନର ବାଟ ବାହାର କରିବା ଅପେକ୍ଷା ତାହାକୁ ନେଇ ରାଜନୀତିର ରୁଟି ସେକିବାକୁ ନେତାମାନେ ପସନ୍ଦ କରିଛନ୍ତି। ଆଗକୁ ଧାଡ଼ି ଦର୍ଶନ ପାଇଁ ଆଇନ ମନ୍ତ୍ରୀ ଘୋଷଣା କରିଥିବାରୁ ତାହା କେତେଦୂର ଫଳପ୍ରଦ ହେଉଛି, ଆଗାମୀ ବର୍ଷରେ ଜଣାପଡ଼ିବ।

ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରଚାର

ଶ୍ରୀମନ୍ଦିର ଇତିହାସରେ ପରିକ୍ରମା ପ୍ରକଳ୍ପ ନିଶ୍ଚିତ ଭାବେ ଏକ ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟ ଭାବେ ରହିବ। ୨୦୨୪ ଜାନୁଆରି ମାସ ୧୭ ତାରିଖରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକାର୍ପିତ ହୋଇଥିଲା। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୪୮୫.୭୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିରୁ ପ୍ରାୟ ୩୦୦ କୋଟି ଟଙ୍କା ଖର୍ଚ୍ଚ ସରିଛି। ପ୍ରକଳ୍ପ କାମ ବି ଜାରି ରହିଛି। ଶ୍ରୀମନ୍ଦିର ୭୫ ମିଟର ପରିଧିରେ ବଫର୍‌ଜୋନ୍, ଲ୍ୟାଣ୍ଡସ୍କେପିଂ ଜୋନ୍, ପରିକ୍ରମା ଓ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଯିବାର ବ୍ୟବସ୍ଥା ହୋଇଛି। ବିଶ୍ରାମ ଗୃହ, ପାନୀୟ ଜଳ, ଦାନ ଗ୍ରହଣ କେନ୍ଦ୍ର, ସୂଚନା କେନ୍ଦ୍ର ଆଦି ରହିଛି। ଭକ୍ତଙ୍କ ସୁବିଧା ପାଇଁ ଅନେକ କାମ କରାଯାଇଛି। ନିଜେ ଗଜପତି ମହାରାଜ ମଧ୍ୟ ଏହି କାମକୁ ପ୍ରଶଂସା କରିଛନ୍ତି। ତେବେ ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ବି କିଛି କମ୍ ହୋଇନି। ଏଥିରୁ ରାଜନୈତିକ ଫାଇଦା ନେବାକୁ ବିଜେଡି ଜୋର୍‌ଦାର ଉଦ୍ୟମ କରିଥିଲା। ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥଙ୍କ ପାଇଁ କେତେ ବ୍ୟାକୁଳ, ତାହାକୁ ଦେଖାଇବାକୁ ବିଜେଡି ନେତାମାନେ ଦିନରାତି ଲାଗି ପଡ଼ିଥିଲେ। ବିଜେପି ବି ସହଜରେ ବିଜେଡିକୁ ସବୁ ଶ୍ରେୟ ଦେବାକୁ ଚାହି ନଥିଲା। ପରିକ୍ରମା ପ୍ରକଳ୍ପର ତ୍ରୁଟି ବାହାର କରି ସରକାରଙ୍କୁ ଘେରିଥିଲା। ଏପରିକି ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ଉତ୍ସବର ପରିବେଶକୁ ଓଡ଼ିଶାରେ ଫିକା କରିବା ପାଇଁ ବିଜେଡି ସରକାର ତରବରିଆ ଭାବେ ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ କଲେ ବୋଲି ବିଜେପି ନେତାମାନେ ଆରୋପ ଲଗାଇଲେ।

ମେଘନାଦ ପାଚେରିର ଫାଟକୁ ନେଇ ବୟାନବାଜି

ଏ ବର୍ଷ ମେଘନାଦ ପା‌ଚେରିରେ ଫାଟ ଦେଖାଦେଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ସଙ୍ଗେ ସଙ୍ଗେ ଏହା ରାଜନୈତିକ ପ୍ରସଙ୍ଗ ପାଲଟିଗଲା। ଫାଟ ପାଇଁ ଉଭୟ ବିଜେଡି ଓ ବିଜେପି ପରସ୍ପରକୁ ଦୋଷ ଲଦିଲେ। ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବ ଏଏସ୍‌ଆଇର। ଏହି ସଂସ୍ଥା କେନ୍ଦ୍ର ସରକାରଙ୍କ ଅଧୀନରେ। ତେଣୁ ବିଜେଡି ଏଏସ୍‌ଆଇକୁ ଦୋଷ ଦେବାରୁ ବିଜେପି ଚିହିଁକି ଉଠିଲା। ପରିକ୍ରମା ପ୍ରକଳ୍ପ ବେଳେ ଠିକ୍ ଭାବେ କାମ କରାଯାଇ ନଥିବାରୁ ମେଘନାଦ ପାଚେରିକୁ ବିପଦ ହେଲା ବୋଲି ବିଜେପି ପାଲଟା ଅଭି‌ଯୋଗ କଲା। ତେବେ ଏହି ପ୍ରସଙ୍ଗରେ ଏଏସ୍ଆଇ ଓ ଶ୍ରୀମନ୍ଦିର ପ୍ରଶାସନର ଉଚ୍ଚସ୍ତରୀୟ ବୈଠକ ବସି ଏହାର ଆବଶ୍ୟକ ମରାମତି କରିବାକୁ ନିଷ୍ପତ୍ତି ହୋଇଥିଲା। ଆବଶ୍ୟକ କାମ ପରେ ଏବେ ପାଚେରିରେ ପାଣି ଗଳିବା ବନ୍ଦ ହୋଇଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.