Breaking News

ଧୂଳିଖେଳ ବଢ଼ାଏ ରୋଗ ପ୍ରତିରୋଧକତା

ପିଲାମାନେ ଘର ବାହାରେ ଧୂଳିଧୂସର ହୋଇ ଖେଳିବାକୁ ଅନେକ ବାରଣ କରିଥା’ନ୍ତି। ଏମିତି ଶରୀରକୁ ଅପରିଚ୍ଛନ୍ନ କରିବା ଦ୍ବାରା ନାନା ରୋଗଜୀବାଣୁ ସଂସ୍ପର୍ଶରେ ଆସିବାର ଆଶଙ୍କା ରହିଥାଏ।

ପିଲାମାନେ ଘର ବାହାରେ ଧୂଳିଧୂସର ହୋଇ ଖେଳିବାକୁ ଅନେକ ବାରଣ କରିଥା’ନ୍ତି। ଏମିତି ଶରୀରକୁ ଅପରିଚ୍ଛନ୍ନ କରିବା ଦ୍ବାରା ନାନା ରୋଗଜୀବାଣୁ ସଂସ୍ପର୍ଶରେ ଆସିବାର ଆଶଙ୍କା ରହିଥାଏ। ସୁତରାଂ ତାହା ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି ଅନେକଙ୍କର ଧାରଣା ରହି ଆସିଛି। ମାତ୍ର ଏଭଳି ଯତ୍ନଶୀଳ ଅଭିଭାବକମାନଙ୍କ ଧାରଣାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଭୁଲ ପ୍ରମାଣିତ କରିଛନ୍ତି। ପ୍ରକୃତରେ ପିଲାମାନେ ପ୍ରାରମ୍ଭିକ ଅବସ୍ଥାରେ ଏଭଳି ଧୂଳିଧୂସର ହୋଇ ଖେଳିଲେ ସେମାନଙ୍କ ଠାରେ କୌଣସି ପ୍ରକାର ଅବିଗୁଣ ବା ଆଲର୍ଜି ବିକଶିତ ହେବାର ଆଶଙ୍କା କମ୍ ରହେ ଏବଂ ସେମାନଙ୍କର ସ୍ବୟଂକ୍ରିୟ ରୋଗ ପ୍ରତିରୋଧକତାରେ ଉନ୍ନତି ଘଟିଥାଏ ବୋଲି ଏକାଧିକ ଗବେଷଣାରୁ ସ୍ପଷ୍ଟ ହୋଇଛି।

ପ୍ରାରମ୍ଭିକ ଅବସ୍ଥାରେ ଧୂଳିଧୂସର ହୋଇ ଖେଳିଲେ ପିଲାଙ୍କ ଠାରେ କୌଣସି ପ୍ରକାର ଅବିଗୁଣ ବା ଆଲର୍ଜି ବିକଶିତ ହେବାର ଆଶଙ୍କା କମ୍ ରହେ ଏବଂ ରୋଗ ପ୍ରତିରୋଧକ ଶକ୍ତି ଉନ୍ନତ ହୋଇଥାଏ

ଉଲ୍ଲେଖଯୋଗ୍ୟ, ଶିଶୁର ଆଦ୍ୟାବସ୍ଥାରେ ତାହାର ଶରୀରର ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହେବାକୁ ଆରମ୍ଭ କଲା ବେଳେ ଶରୀରର ରକ୍ଷାକାରୀ କୋଷଗୁଡ଼ିକ ନିଜସ୍ବ କୋଷ ଓ ବାହ୍ୟ ପଦାର୍ଥ ମଧ୍ୟରେ ତଫାତ୍ କ’ଣ, ତାହା ଶିଖିଥାଏ। ବୀଜାଣୁ ଓ ଭୂତାଣୁ ପରି ବାହ୍ୟ ରୋଗଜୀବାଣୁଗୁଡ଼ିକୁ ଠଉରେଇ ତଦନୁସାରେ ସେମାନଙ୍କ ଉପରେ ଆକ୍ରମଣ କରି ଶରୀରରୁ ହଟାଇଥାଏ। ତେଣୁ ବାଲ୍ୟକାଳରେ ଧୂଳିକଣା ବା ବାୟୁରେ ରହିଥିବା ଅଣୁଜୀବମାନଙ୍କ ସଂସ୍ପର୍ଶରେ ଶିଶୁଟି ଯେତେ ଅଧିକ ଆସିପାରିବ, ତାହାର ରୋଗପ୍ରତିରୋଧକତା ପ୍ରଣାଳୀ ସେତେ ଅଧିକ ବାହ୍ୟ ଶତ୍ରୁମାନଙ୍କୁ ଚିହ୍ନିପାରିବ। ଏପରିକି ପୋଷା ଜୀବ ରହୁଥିବା ଘରେ ବଢୁଥିବା ଶିଶୁଙ୍କର ରୋଗ ପ୍ରତିରୋଧକତା ଅନ୍ୟମାନଙ୍କ ଠାରୁ ଯଥେଷ୍ଟ ଅଧିକ ହୋଇଥାଏ ବୋଲି ମଧ୍ୟ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତ। ଅପରପକ୍ଷେ, ବାରଣ ଯୋଗୁଁ ବାହାରକୁ ଯାଇ ଖେଳିବା ବା ବୁଲାଚଲା କରିପାରୁ ନଥିବା ଶିଶୁମାନେ ଦୁର୍ବଳ ରୋଗ ପ୍ରତିରୋଧକତା ଯୋଗୁଁ ବାହ୍ୟ ରୋଗଜୀବାଣୁମାନଙ୍କର ଅଧିକ ଶିକାର ହୋଇଥା’ନ୍ତି। ତେଣୁ ଶିଶୁମାନଙ୍କୁ ବାହାରେ ଖେଳିବା ପାଇଁ ଉତ୍ସାହିତ କରିବା ସେମାନଙ୍କ ସ୍ବାସ୍ଥ୍ୟ ପକ୍ଷେ ହିତକର ବୋଲି ପରାମର୍ଶ ଦିଆଯାଇଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.