ଧନଞ୍ଜୟ ସ୍ୱାଇଁ

ସୁରଞ୍ଜନ ବାବୁ ଜୁଡିସିଆଲ୍ ଏକାଡେମୀ, ରେଭେନ୍‌ସା ବିଶ୍ୱବିଦ୍ୟାଳୟର ସଂପ୍ରସାରିତ କ୍ୟାମ୍ପସ ଓ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଟପି ମହାନଦୀ କୂଳ ନରାଜ ଗଁାରେ ପହଞ୍ଚିଲା ବେଳକୁ ଖରାର ତେଜ ମଉଳିଲାଣି। ଝାଟି ଜଙ୍ଗଲ, ସିଦ୍ଧେଶ୍ୱର ମୁଣ୍ଡିଆ, ସିଦ୍ଧେଶ୍ୱର ଶିବ ମନ୍ଦିର, ମୟୂର ଭେଲି, ମୁଣ୍ଡଳି ବ୍ୟାରେଜ ଓ ନଦୀ ଘେରା ଏକ ନୈସର୍ଗିକ ଦୃଶ୍ୟାବଳୀର ସ୍ଥାନ ଏଇ ନରାଜ- ଯିଏ କଟକ ସହର ଠାରୁ ମାତ୍ର ୧୨ କିଲୋମିଟର ଦୂର ଏବଂ ଏହିଠାରୁ ମହାନଦୀର ପ୍ରଧାନ ଶାଖା ନଦୀ କାଠଯୋଡ଼ି ବାହାରିଛି। ବାରଙ୍ଗ ପଞ୍ଚାୟତ ସମିତିର ଏକ କୋଳାହଳପୂର୍ଣ୍ଣ ଗ୍ରାମ ପଞ୍ଚାୟତ ହେଉଛି ଏଇ ନରାଜ। ତଳଗଡ଼ ଓ ମାର୍ଥାପୁର ଗ୍ରାମକୁ ନେଇ ଏହା ଗଠିତ, ଯାହାର ଲୋକସଂଖ୍ୟା ପାଖାପାଖି ଆଠ ହଜାର। ଏହାର ମନୋରମ ପ୍ରାକୃତିକ ପରିବେଶ ପାଇଁ ବିଭିନ୍ନ ସ୍ଥାନରୁ ଦର୍ଶନାର୍ଥୀ ପରିଭ୍ରମଣ କରିବାକୁ ଏଠାକୁ ଛୁଟି ଆସିଥାନ୍ତି।
ମଗୁଶିରର ଶୀତ ସଞ୍ଜ ଧୀରେ ଧୀରେ ନଇଁ ଆସୁଥିଲା। ଦୂର ଚକ୍ରବାଳ ତଳେ ଅସ୍ତଗାମୀ ସୂର୍ଯ୍ୟଙ୍କର ଲୋହିତ ଆଭା ମହାନଦୀର ବିସ୍ତୀର୍ଣ୍ଣ ଜଳରାଶି ଉପରେ ମୁଠାମୁଠା ଅବିର ଯେମିତି ଗୋଳି ଦେଇଥିଲା। ସୂର୍ଯ୍ୟାସ୍ତ ବେଳର କମଳା ରଙ୍ଗ, ସିଦ୍ଧେଶ୍ୱର ମହାଦେବଙ୍କ ବୃଷଭର ଶ୍ୱେତ ଶୁଭ୍ର ରଙ୍ଗ ଓ ସିଦ୍ଧେଶ୍ୱର ପାହାଡ଼ ମୁଣ୍ଡିଆର ଘନ ସବୁଜିମା- ଏ ତିନି ରଙ୍ଗର ସମାବେଶ ଦେଖି ସୁରଞ୍ଜନ ବାବୁ ଏ ରଙ୍ଗର ବିଚିତ୍ର ବିନ୍ଧାଣୀଙ୍କୁ ମନ୍ଦିର ପ୍ରାଙ୍ଗଣରେ ଭକ୍ତି ନିବେଦନ କରୁଥିଲେ। ମୁଣ୍ଡ ଉପରେ ଶେଷ ମାର୍ଗଶିରର ଦ୍ୱାଦଶୀ ତିଥିର ଜହ୍ନ ରୁପା କିରଣ ଢାଳୁଥିଲା। ମାୟାଧର ମାନସିଂହଙ୍କ ‘ମହାନଦୀରେ ଜ୍ୟୋତ୍ସ୍ନା ବିହାର’ କବିତାର ପଙ୍‌କ୍ତିିଏ ମନେ ପଡୁଥିଲା:
“ଆହା କି ବିପୁଳ ଶୋଭା ଭାସେ ଆଖି ଆଗେ
କେମନ୍ତେ ବର୍ଣ୍ଣିବି ମୋର ମୁଗ୍‌ଧ ଅନୁଭବ
ଚକ୍ଷୁ ମୋର ଅନ୍ଧ ହୁଏ ଜୋଛନା ପରାଗେ
ବାଣୀ ମୋର ନାହିଁ ଫୁଟେ ମାନି ପରାଭବ।”
ମହାନଦୀର ଦକ୍ଷିଣ ତୀରବର୍ତ୍ତୀ ଓ ପାହାଡ଼ ଉପରେ ଦଣ୍ଡାୟମାନ ସିଦ୍ଧେଶ୍ୱର ଦେବାଳୟରୁ ଭାସି ଆସୁଥିବା ଘଣ୍ଟା ଧ୍ୱନି ଶୁଣି ସୁରଞ୍ଜନ ବାବୁ ମନ୍ଦିରର ସଞ୍ଜ ଆଳତି ଦେଖିବାକୁ ଅଗ୍ରସର ହେଲେ। ମନ୍ଦିରର ଦ୍ୱାର ପଶ୍ଚିମାଭିମୁଖୀ ଓ ମୂଳତଃ ଏହା ଗୋଟିଏ ଗୁମ୍ଫା ଭାବରେ ପ୍ରତୀୟମାନ ହୁଏ। ଲେଖକ ଜୟକୃଷ୍ଣ ସାମଲ ତାଙ୍କର ପୁସ୍ତକ ‘ସମୟ ସ୍ରୋତରେ ଓଡ଼ିଶାର ନଦୀ’ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ, “ମନ୍ଦିରର ପୂର୍ଣ୍ଣ ପୀଠ, ଗର୍ଭଗୃହ ଓ ଜଗମୋହନ ମୁଗୁନି ପଥର ଖଣ୍ଡରେ ପୁନଃ ପ୍ରତି ରୂପାୟନ କରା ଯାଇଅଛି। ମୁଗୁନି ପଥରର ପ୍ଲାଟ୍‌ଫର୍ମ ଉପରେ ୪.୧୧୪୮ ମିଟର ଉଚ୍ଚତାର ମୂଳ ମନ୍ଦିର ନିର୍ମାଣ କରାଯାଇଛି। ମନ୍ଦିରର ଗଣ୍ଡି ପଞ୍ଚରଥ ଢାଞ୍ଚାରେ ପ୍ରତିନିଧିତ୍ୱ କରେ। ଅଙ୍ଗଶିଖର ଶୃଙ୍ଖଳା ମଧ୍ୟ ଉଲ୍ଲେଖନୀୟ। ଜଗମୋହନରେ ଗଣେଶ, ଅଷ୍ଟଭୁଜ ବିଶିଷ୍ଟ ମହିଷମର୍ଦ୍ଦିନୀ ଦୁର୍ଗା, ବିଷ୍ଣୁ ଓ ଶିବ ମୂର୍ତ୍ତି ରଖାଯାଇଛି। ମହିଷମର୍ଦ୍ଦିନୀ ଦୁର୍ଗା ମୂର୍ତ୍ତିର ଆକୃତି ଗଠନରୁ ଏହା ଅଷ୍ଟମ ଶତାବ୍ଦୀର ବୋଲି ଐତିହାସିକମାନେ ମତ ଦିଅନ୍ତି। ଏହି ମନ୍ଦିରର ପାର୍ଶ୍ବରେ ଦକ୍ଷିଣ ହସ୍ତରେ ପାତ୍ର ଓ ବାମ ହସ୍ତରେ ଗୋଟିଏ ଯଷ୍ଟି ଥିବା ଭିକ୍ଷାୟତନ ଶିବ ମୂର୍ତ୍ତି ସମପାଦ ଭଙ୍ଗୀରେ ଦଣ୍ଡାୟମାନ।”
ସିଦ୍ଧେଶ୍ୱର ଶିବ ମନ୍ଦିର ସନ୍ନିକଟ ଯେଉଁ ଅଣଓସାରିଆ ରାସ୍ତାଟି ମୁଣ୍ଡଳି ବ୍ୟାରେଜ ଆଡ଼କୁ ଲମ୍ବି ଯାଇଛି, ତା’ରି କଡ଼ରେ ଅନୁଚ୍ଚ ପାହାଡ଼ଟିଏ। ସ୍ଥାନୀୟ ଭାଷାରେ ଏହାକୁ ସିଦ୍ଧେଶ୍ୱର ମୁଣ୍ଡିଆ କୁହନ୍ତି। ସେହି ରାସ୍ତା ଦେଇ ଯାଉଥିବା ପ୍ରତ୍ୟେକ ଲୋକ ଘଡ଼ିଏ ଅଟକିଯାଏ, ଯେତେବେଳେ ମୟୂରମାନେ ଗଛ ଡାଳରୁ ପୁଚ୍ଛ ମେଲାଇ ଉଡ଼ି ଆସନ୍ତି ଖାଦ୍ୟ ଗ୍ରହଣ କରିବାକୁ। ପୁଲିସ ଫାୟାରିଂ ରେଞ୍ଜ ପାଖ ସିଦ୍ଧେଶ୍ୱର ମୁଣ୍ଡିଆରେ ଏକଦା ତିନିଟି ମୟୂର ଥିଲା ବେଳେ ଏବେ ସେମାନଙ୍କ ସଂଖ୍ୟା ପାଖାପାଖି ଦୁଇଶହ ହେଲାଣି। ୧୯୯୯ ମହାବାତ୍ୟା ପରେ ତିନିଟି ମୟୂରଙ୍କୁ ସେହି ମୁଣ୍ଡିଆରେ ଦେଖି ପୁଲିସ ଫାୟାରିଂ ରେଞ୍ଜରେ କାର୍ଯ୍ୟ କରୁଥିବା ଗ୍ରାମରକ୍ଷୀ ପାଣୁ ବେହେରା ସେମାନଙ୍କର ଆଦର ଯତ୍ନ କରିବାକୁ ଲାଗିଲେ। କାଳକ୍ରମେ ମୟୂର ପ୍ରେମରେ ପଡ଼ିଗଲେ ପାଣୁ। ତାଙ୍କରି ଡାକ ବାରି ଧାଇଁ ଆସିଲେ ନିରୀହ ପକ୍ଷୀମାନେ ତାଙ୍କ ହାତରୁ ଖାଦ୍ୟ ଗ୍ରହଣ କରିବାକୁ। ୨୦୧୭ ମସିହାରେ ପାଣୁଙ୍କ ଦେହାନ୍ତ ପରେ ମୟୂର ଭେଲିରେ ମୟୂରମାନଙ୍କ ସୁରକ୍ଷା ଦାୟିତ୍ୱ ଏବେ ତାଙ୍କ ନାତି କାହ୍ନୁ ବେହେରାଙ୍କ ହାତରେ। ପୁଲିସ ଫାୟାରିଂ ରେଞ୍ଜରେ ସିଏ ମଧ୍ୟ ଗ୍ରାମରକ୍ଷୀ ଭାବରେ କାର୍ଯ୍ୟରତ। ମାତ୍ର ତାଙ୍କର ସମର୍ପଣ ଭାବ, ସ୍ନେହ, ଆଦରରେ କେବଳ ମୟୂରମାନେ ସୁରକ୍ଷିତ ନୁହନ୍ତି, ଅନ୍ୟାନ୍ୟ ପକ୍ଷୀ ଜାତି ଯଥା ଜଙ୍ଗଲୀ ଗୁଣ୍ଡୁରୀ, ପାରା, ବଣି, କପୋତ, ବାଇଚଢ଼େଇ, ଘରଚଟିଆ, ବଣକୁକୁଡ଼ା ଇତ୍ୟାଦି ମଧ୍ୟ ନିରାପଦ ମଣନ୍ତି। ମାତ୍ର ମୟୂରଙ୍କ ସୁରକ୍ଷା ଲାଗି ସରକାରୀ ପ୍ରୋତ୍ସାହନ କିମ୍ବା ମୟୂର ସୁରକ୍ଷା ପାଇଁ ଯୋଜନା ଏ ଯାବତ୍ ପ୍ରଣୟନ କରାଯାଇନି ବୋଲି କ୍ଷୋଭ ପ୍ରକାଶ କରନ୍ତି କାହ୍ନୁ। ପୁନଶ୍ଚ ନିକଟରେ ପୁଲିସ ଫାୟାରିଂ ରେଞ୍ଜର ଅବସ୍ଥିତି ଭବିଷ୍ୟତରେ ଏହି ମୟୂର ଭେଲି ଉପରେ ନିଶ୍ଚିତ ପ୍ରତିକୂଳ ପ୍ରଭାବ ପକାଇପାରେ ବୋଲି କୁହନ୍ତି ସ୍ଥାନୀୟ ଅଧିବାସୀଗଣ। କଟକରେ କଂକ୍ରିଟ ଜଙ୍ଗଲ ବଢ଼ି ଚାଲିଥିଲା ବେଳେ ସହରଠାରୁ ମାତ୍ର ୧୨ କିଲୋମିଟର ଦୂର ନରାଜର ଏହି ପାହାଡ଼ ମୁଣ୍ଡିଆ ଓ ଏହାର ଆଖପାଖ ଅଞ୍ଚଳ ପ୍ରକୃତିପ୍ରେମୀଙ୍କ ପାଇଁ ଏକ ଅଘୋଷିତ ଅଭୟାରଣ୍ୟ ପାଲଟିଛି ବୋଲି ସୁରଞ୍ଜନ ବାବୁ ଅନୁଭବ କରୁଥିଲେ।
ସଞ୍ଜ ନଇଁ ଆସିଲା ଆଗରୁ ମହାନଦୀ ଘାଟରେ କୂଳ ଫେରନ୍ତା ଡଙ୍ଗା ସବୁ ଲାଗି ସାରିଥିଲେ। ଲେଉଟାଣି ରାସ୍ତାରେ ସୁରଞ୍ଜନ ବାବୁ ମନେ ମନେ ଭାବୁଥିଲେ ଆଜି ସିନା ଉପର ମୁଣ୍ଡରେ ବନ୍ଧ ବାନ୍ଧି ଛତିଶଗଡ଼ ମହାନଦୀର ପାଣି ଅଟକାଇ ଶୁଖିଲା କରିଦେଇଛି, କିନ୍ତୁ ଦିନ ଥିଲା ଏହାରି ତୁଠର ଚହଲା ପାଣିରେ ଭୁଆସୁଣୀ ତା’ର ମୁହଁର ଛାଇକୁ ଦେଖି ପଣତରେ ପଣତେ କଥା ଗଣ୍ଠେଇ ରଖିଥିଲା। ତା’ର ନୀଳ ଢେଉରେ କେତେ ନୃତ୍ୟ ଓ ଛନ୍ଦ, କେତେ ତାଳ ଓ ଲୟ ଭରି ରହିଥିଲା। ଓଡ଼ିଶାର ଏହି ବୃହତ୍ତମ ନଦୀର ପ୍ରତିଟି ବାଲିକଣାକୁ ନେଇ କେତେ କାହାଣୀ ଓ କିଂବଦନ୍ତି ରଚିତ, କେତେ ପୁରାଣ ଓ ପରମ୍ପରାରେ ପରିପୁଷ୍ଟ, ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଏ ନଈ ତା’ର କଳକଳ, ଛଳଛଳ ସ୍ରୋତରେ ଯେମିତି ବଖାଣୁଛି କଳା, ସଂସ୍କୃତିର କଥା ଓ ଉତ୍କଳର ବିଜୟ ଗାଥା। ଏହାରି କୂଳେ କୂଳେ ସମଲେଶ୍ୱରୀ, ସିଦ୍ଧେଶ୍ୱର, ନୀଳମାଧବ, ଚର୍ଚ୍ଚିକା, ନୃସିଂହନାଥ, ଭଟ୍ଟାରିକା, ଧବଳେଶ୍ୱର, ଚଣ୍ଡୀ, ଗଡ଼ଚଣ୍ଡୀ ଆଦି ଦେବଦେବୀଙ୍କର ମନ୍ଦିର ବିଦ୍ୟମାନ ରହି ଓଡ଼ିଶାର ଆଧ୍ୟାତ୍ମିକ ଜନଜୀବନକୁ ମହିମାନ୍ୱିତ କରିଛି। ହଜାର ହଜାର ବର୍ଷ ଧରି ଓଡ଼ିଶାର ଜନଜୀବନ ସହ ଜଡ଼ିତ ହେବା ସହ ଓଡ଼ିଶାକୁ ଶସ୍ୟଶ୍ୟାମଳା କରି ଶେଷରେ ସାଗରର ଉତ୍ତୁଙ୍ଗ ତରଙ୍ଗମାଳାରେ ସମ୍ମିଳିତ ହୋଇଛି। ସୁରଞ୍ଜନ ବାବୁ ଆଞ୍ଜୁଳାଏ ମହାନଦୀର ଜଳ, ପାପୁଲିଏ ଜହ୍ନର କିରଣ ଓ ମୟୂର ଭେଲିରେ ସଂଗ୍ରହ କରିଥିବା ମୁଠାଏ ମୁଲାୟମ ଘନ ନୀଳ ପର ଧରି ଫେରୁଥିଲା ବେଳେ ତାଙ୍କର ଆଦ୍ୟ କୈଶୋରରେ ପଢ଼ିଥିବା କବିତା ପଦିଏ ମନେ ପଡ଼ି ଯାଉଥିଲା:
“କଳାମେଘ ଦେଖି ନାଚେ ମୟୂର
କଣ୍ଠ ଦିଶେ ତା’ର କି ମନୋହର
ସାପର ଅଟେ ସେ ବଡ଼ ବଇରୀ
ସାପ ଦେଖି ତା’କୁ ପଳାଏ ଡରି।”
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୦୦୬୩୬