Breaking News

ଶ୍ରଦ୍ଧାଞ୍ଜଳି: ସଂସାର ଛାଡ଼ିଲେ ସଂସ୍କାରକ

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ ଭାରତ ଜଣେ ଦୂରଦର୍ଶୀ ନେତା, ବିଶ୍ୱପ୍ରସିଦ୍ଧ ଅର୍ଥନୀତିଜ୍ଞ ଏବଂ ଅତୁଳନୀୟ ନିଷ୍ଠାର ସହ ଦେଶର ସେବା କରିଥିବା ରାଜନେତାଙ୍କୁ ହରାଇଛି। ଭାରତୀୟ ଅର୍ଥନୀତିର ନିରନ୍ତର ଅଭିବୃଦ୍ଧି ପାଇଁ ତାଙ୍କର ବଳିଷ୍ଠ ଅବଦାନ ରହିଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ ଭାରତ ଜଣେ ଦୂରଦର୍ଶୀ ନେତା, ବିଶ୍ୱପ୍ରସିଦ୍ଧ ଅର୍ଥନୀତିଜ୍ଞ ଏବଂ ଅତୁଳନୀୟ ନିଷ୍ଠାର ସହ ଦେଶର ସେବା କରିଥିବା ରାଜନେତାଙ୍କୁ ହରାଇଛି। ଭାରତୀୟ ଅର୍ଥନୀତିର ନିରନ୍ତର ଅଭିବୃଦ୍ଧି ପାଇଁ ତାଙ୍କର ବଳିଷ୍ଠ ଅବଦାନ ରହିଛି। ତାଙ୍କର ବୁଦ୍ଧି, ଦୂରଦୃଷ୍ଟି ଓ ଭାରତର ସେବା ପ୍ରତି ଅତୁଟ ପ୍ରତିବଦ୍ଧତା  ଦେଶକୁ ବିଭିନ୍ନ କ୍ଷେତ୍ରରେ ସମୃଦ୍ଧ କରିଛି। ଡ. ମନମୋହନ ସିଂହ ଏକାଧାରରେ ଜଣେ ରାଜନୀତିଜ୍ଞ, ଅର୍ଥନୀତିଜ୍ଞ, ଶିକ୍ଷାବିତ୍ ଓ ପ୍ରଶାସନିକ ଅଧିକାରୀ, ଯିଏ କି ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଜବାହରଲାଲ ନେହରୁ, ଇନ୍ଦିରା ଗାନ୍ଧୀ ଓ ନରେନ୍ଦ୍ର ମୋଦୀଙ୍କ ପରେ ସେ ହେଉଛନ୍ତି ଚତୁର୍ଥ ସର୍ବାଧିକ ସମୟ ଧରି କ୍ଷମତାରେ ରହିଥିବା ପ୍ରଧାନମନ୍ତ୍ରୀ। ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ଥିବା ସିଂହ ଭାରତର ପ୍ରଥମ ଶିଖ୍ ପ୍ରଧାନମନ୍ତ୍ରୀ ଥିଲେ। ଜବାହରଲାଲ ନେହରୁଙ୍କ ପରେ ସେ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ କି ପୂରା ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରଣ କରି ପୁନର୍ବାର ପ୍ରଧାନମନ୍ତ୍ରୀ ହୋଇଥିଲେ।

ମନମୋହନ ସିଂହଙ୍କୁ ଇତିହାସ ଭାରତର ଅର୍ଥନୈତିକ ସଂସ୍କାର ଓ ଉଦାରୀକରଣର ସ୍ଥପତି ଭାବେ ମନେ ରଖିବ। ୧୯୯୧ ଥିଲା ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ତତ୍କାଳୀନ ପ୍ରଧାନମନ୍ତ୍ରୀ ପି ଭି ନରସିଂହ ରାଓଙ୍କ ଶାସନ କାଳରେ ଅର୍ଥମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ ମନମୋହନ। ଦେଶରେ ଦେଖାଦେଇଥିଲା ବୈଦେଶିକ ମୁଦ୍ରାର ଘୋର ସଙ୍କଟ। ଆୟଠାରୁ ବ୍ୟୟ ବହୁଗୁଣା ଅଧିକ ରହିବାରୁ ବିଶାଳ ବିତ୍ତୀୟ ନିଅଣ୍ଟ ସ୍ଥିତିକୁ ସଙ୍ଗିନ କରିଥିଲା। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ସହାୟତା ଲୋଡ଼ାଯାଇଥିଲା। ସୁନା ବନ୍ଧା ରଖି ପାଣ୍ଠି ଯୋଗାଡ଼ କରାଯାଇଥିଲା। ଦେବାଳିଆ ହେବାକୁ ବସିଥିଲା ଭାରତ। ସେହି ସମୟରେ ନିଜର ବିଚକ୍ଷଣ ଅର୍ଥନୈତିକ ଜ୍ଞାନ ବଳରେ ମନମୋହନ ଅର୍ଥନୈତିକ ସଂସ୍କାରର ପ୍ରସ୍ତାବ ଦେଇଥିଲେ। ଅର୍ଥନୀତିରେ ଆରମ୍ଭ କରିଥିଲେ ଉଦାରୀକରଣର ଯୁଗ। ଲାଇସେନ୍ସ ରାଜ୍‌କୁ ଶେଷ କରିଥିଲେ। ଟିକସରେ କରିଥିଲେ ବଡ଼ ପରିବର୍ତ୍ତନ। ବିଭିନ୍ନ କ୍ଷେତ୍ରରେ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଲାଗି ବାଟ ଖୋଲିଥିଲେ।
୧୯୯୧ରେ ମନମୋହନ ନେଇଥିବା ପଦକ୍ଷେପର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ଦୀର୍ଘକାଳ ଧରି ରହିଥିଲା। ଦେଶର ଅର୍ଥନୀତି, ବ୍ୟବସାୟ ଢାଞ୍ଚା ଓ ଆର୍ଥିକ ଦୃଶ୍ୟପଟ ସମ୍ପୂର୍ଣ୍ଣ ବଦଳିଯାଇଥିଲା। ସରକାରୀ ଉଦ୍ୟୋଗଗୁଡ଼ିକର ଘରୋଇକରଣ ବାଟ ଫିଟିଥିଲା। ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢ଼ିବା ଲାଗି ଯେଭଳି ସବୁଠୁ ବଡ଼ ବଳ ମିଳିଯାଇଥିଲା। ତାଙ୍କର ଏହି ଚମତ୍କାର ପଦକ୍ଷେପ ପ୍ରଭାବରେ ଦେଶରେ ଅନେକ ନୂଆ ଶିଳ୍ପ କାରଖାନା ଗଢ଼ି ଉଠିଥିଲା। ଲୋକଙ୍କ ପାଖରେ ଅଧିକ ଟଙ୍କା ପହଞ୍ଚିଥିଲା। ଭାରତ ଏକ ବିଶାଳ ଉପଭୋକ୍ତା ବଜାର ଭାବେ ଉଭା ହୋଇଥିଲା। ଆମଦାନି ଓ ରପ୍ତାନି ନିୟମ  କୋହଳ କରାଯିବାରୁ ବ୍ୟବସାୟ କରିବା ବେଶ୍ ସହଜ ହୋଇଥିଲା। ଦେଶରେ ବହୁ ସଂଖ୍ୟାରେ ନୂଆ ଉଦ୍ୟୋଗୀ ସୃଷ୍ଟି ହୋଇଥି‌ଲେ। ସାରା ବିଶ୍ବରୁ ବହୁ ଜିନିଷ ଭାରତ ଆସିଥିଲା। ତାଙ୍କ ଅମଳରେ ୧୯୯୨ରେ ଭାରତର ସର୍ବବୃହତ୍‌ ଷ୍ଟକ୍ ଏକ୍ସଚେଞ୍ଜ ‘ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ’ ପ୍ରତିଷ୍ଠା କରାଯାଇଥିଲା। ଦେବାଳିଆ ହେବାକୁ ଯାଉଥିବା ଏକ ଦେଶକୁ ଦ୍ରୁତ ବିକାଶ ପଥରେ ସ୍ଥାନିତ କରିବା ପ୍ରତି ମନମୋହନଙ୍କ ଅବଦାନ ଚିରସ୍ମରଣୀୟ ରହିବ।

ମନମୋହନ ସିଂହ ଜାତିସଂଘ ସଂସ୍ଥା ‘ଅଙ୍କଟାଡ’ରେ ୧୯୬୬ରୁ ୧୯୬୯ ପର୍ଯ୍ୟନ୍ତ କାମ କରିଥିଲେ। ଏହାପରେ ତାଙ୍କୁ ବହିର୍ବାଣିଜ୍ୟ ମନ୍ତ୍ରାଳୟର ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଥିଲା। ୧୯୬୯ରୁ ୧୯୭୧ ପର୍ଯ୍ୟନ୍ତ ସେ ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସରେ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ। ୧୯୭୨ରେ ତାଙ୍କୁ ଅର୍ଥ ମନ୍ତ୍ରାଳୟର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଏବଂ ୧୯୭୬ ମସିହାରେ ଅର୍ଥ ମନ୍ତ୍ରାଳୟର ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା। ୧୯୮୦ରୁ ୧୯୮୨ ପର୍ଯ୍ୟନ୍ତ ସେ ଯୋଜନା ଆୟୋଗରେ କାର୍ଯ୍ୟ କରିଥିଲେ। ୧୯୮୨ରୁ ୧୯୮୫ ମସିହା ପର୍ଯ୍ୟନ୍ତ ସେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଏବଂ ୧୯୮୫ରୁ ୧୯୮୭ ମସିହା ପର୍ଯ୍ୟନ୍ତ ଯୋଜନା ଆୟୋଗର ଉପାଧ୍ୟକ୍ଷ ପଦ ସମ୍ଭାଳିଥିଲେ। ୧୯୮୭ରୁ ୧୯୯୦ ପର୍ଯ୍ୟନ୍ତ ଜେନେଭାଠାରେ ଅବସ୍ଥିତ ସାଉଥ୍‌ କମିସନ ମହାସଚିବ ପଦରେ ଅବସ୍ଥାପିତ ହୋଇଥିଲେ। ୧୯୯୦ ନଭେମ୍ବରରେ ସେ ଭାରତ ଫେରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କର ଅର୍ଥନୈତିକ ଉପଦେଷ୍ଟା ହୋଇଥିଲେ। ୧୯୯୧ ମସିହାରେ ସେ ବିଶ୍ବବିଦ୍ୟାଳୟ ମଞ୍ଜୁରି ଆୟୋଗର ଅଧ୍ୟକ୍ଷ ହୋଇଥିଲେ।

୨୦୦୪-୨୦୦୯
୨୦୦୪ ସାଧାରଣ ନିର୍ବାଚନରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ସହଯୋଗୀ ଦଳମାନଙ୍କୁ ନେଇ ମିଳିତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) ଗଠନ କରି ସରକାର ଗଠନ ପାଇଁ ଦାବି କରିଥିଲା। ଆଶ୍ଚର୍ଯ୍ୟଜନକ ପଦକ୍ଷେପ ସ୍ୱରୂପ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦ ପାଇଁ ୟୁପିଏ ପ୍ରାର୍ଥୀ ଭାବେ ମନମୋହନ ସିଂହଙ୍କ ନାମ ଘୋଷଣା କରିଥିଲେ। ମନମୋହନ କେବେ ସିଧାସଳଖ ନିର୍ବାଚନ ଜିତି ନ ଥିଲେ ମଧ୍ୟ ଜଣେ ଦୁର୍ନୀତିମୁକ୍ତ ସ୍ୱଚ୍ଛ ରାଜନେତା ଭାବରେ ଲୋକପ୍ରିୟତା ଥିଲା। ୨୨ ମେ ୨୦୦୪ରେ ସେ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏହି ସମୟରେ ସେ ଭାରତୀୟ ବଜାରରେ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଜାରି ରଖିଥିଲେ। ୨୦୦୫ ମସିହାରେ ଏକ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (ମନରେଗା) ପ୍ରଣୟନ କରିଥିଲା। ବାଜପେୟୀଙ୍କ ସରକାର ଆରମ୍ଭ କରିଥିବା ସୁବର୍ଣ୍ଣ ଚତୁର୍ଭୁଜ ଏବଂ ରାଜପଥ ଆଧୁନିକୀକରଣ କାର୍ଯ୍ୟକ୍ରମକୁ ସେ ଜାରି ରଖିଥିଲେ। ବ୍ୟାଙ୍କିଙ୍ଗ୍ ଓ ଆର୍ଥିକ କ୍ଷେତ୍ର ତଥା ରାଷ୍ଟ୍ରାୟତ୍ତ କମ୍ପାନିଗୁଡ଼ିକର ସଂସ୍କାର ପାଇଁ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୦୭ ଏବଂ ୨୦୦୮ ପ୍ରାରମ୍ଭରେ ମୁଦ୍ରାସ୍ଫୀତିର ବୈଶ୍ୱିକ ସମସ୍ୟା ଭାରତକୁ ପ୍ରଭାବିତ କରିଥିଲା।
୨୦୦୯-୨୦୧୪
୨୦୦୯ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ମେ’ ୨୨ତାରିଖରେ ମନମୋହନ ସିଂହ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ୨୦୧୪ ପର୍ଯ୍ୟନ୍ତ ତାଙ୍କ ସରକାରର ଶାସନ ଚାଲିଥିଲା। କିନ୍ତୁ ୨୦୧୨ରେ ଭାରତର ସଂସଦରେ ସିଏଜି ଦାଖଲ କରିଥିବା ରିପୋର୍ଟରେ କୋଇଲା ବ୍ଲକ୍ ଆବଣ୍ଟନରେ ଦୁର୍ନୀତି ହୋଇଥିବା ଦର୍ଶାଯାଇଥିଲା।  କୋଇଲା ସମେତ ଆଉ କେତେକ ଦୁର୍ନୀତିକୁ ନେଇ ଜନ-ଅସନ୍ତୋଷ କାରଣରୁ ୨୦୨୪ ନିର୍ବାଚନରେ କଂଗ୍ରେସ ହାରିଲା ଏବଂ ବିଜେପି ସରକାର ଗଠନ କଲା। ତେବେ ମନମୋହନ ସିଂହଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର ଅମଳରେ ଅନେକ ଦୁର୍ନୀତି ଅଭିଯୋଗ ଆସିଥିଲେ ବି ସିଂହଙ୍କ ନିର୍ମଳ ଭାବମୂର୍ତ୍ତି ଅକ୍ଷୁଣ୍ଣ ରହିଥିଲା।

ବୈଦେଶିକ ନୀତି
ପି ଭି ନରସିଂହ ରାଓ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବୈଦେଶିକ ନୀତିକୁ ମନମୋହନ ସିଂହ ଜାରି ରଖିଥିଲେ। ସେ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପାକିସ୍ତାନ ସହ ଶାନ୍ତି ପ୍ରକ୍ରିୟା ଜାରି ରଖିଥିଲେ। ଉଭୟ ଦେଶର ଶୀର୍ଷ ନେତାଙ୍କ ଉଚ୍ଚସ୍ତରୀୟ ଗସ୍ତ ତାଙ୍କ କାର୍ଯ୍ୟକାଳକୁ ଦର୍ଶାଇଛି। ସିଂହଙ୍କ କାର୍ଯ୍ୟକାଳରେ ଚୀନ୍ ସହ ସୀମା ବିବାଦର ଅନ୍ତ ଘଟାଇବା ପାଇଁ ପ୍ରୟାସ କରାଯାଇଛି। ୨୦୧୦ ସୁଦ୍ଧା ଚୀନ୍ ଭାରତର ଦ୍ବିତୀୟ ବୃହତ୍ତମ ବାଣିଜ୍ୟ ସହଯୋଗୀ ଥିଲା। ମନମୋହନଙ୍କ ସରକାର ଆମେରିକା ସହ ସୁଦୃଢ଼ ସମ୍ପର୍କ ଦିଗରେ କାର୍ଯ୍ୟ କରିଥିଲେ। ୨୦୦୫ ଜୁଲାଇରେ ସେ ଆମେରିକା ଗସ୍ତ କରି ଭାରତ-ଆମେରିକା ବେସାମରିକ ପରମାଣୁ ଚୁକ୍ତି ଉପରେ ଆଲୋଚନା ଆରମ୍ଭ କରିଥିଲେ। ଏହାପରେ ୨୦୦୬ ମାର୍ଚ୍ଚରେ ଜର୍ଜ ଡବ୍ଲୁ ବୁଶଙ୍କ ଭାରତ ଗସ୍ତ ହୋଇଥିଲା, ଯେଉଁ ସମୟରେ ପରମାଣୁ ଚୁକ୍ତି ସମ୍ପର୍କରେ ଘୋଷଣା କରାଯାଇଥିଲା। ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଶାସନ କାଳରେ ସିଂହ ହ୍ୱାଇଟ୍ ହାଉସ୍ ଗସ୍ତ କରିଥିଲେ। ନଭେମ୍ବର ୨୦୦୯ରେ ଏହି ଗସ୍ତ ହୋଇଥିଲା ଏବଂ ବାଣିଜ୍ୟ ଓ ପରମାଣୁ ଶକ୍ତି ସମେତ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ମନମୋହନଙ୍କ ସମୟରେ ଇଂଲଣ୍ଡ, ଫ୍ରାନ୍ସ ଓ ଜର୍ମାନୀ ଭଳି ଜାପାନ ଓ ୟୁରୋପୀୟ ସଂଘର ଦେଶମାନଙ୍କ ସହିତ ସମ୍ପର୍କରେ ସୁଧାର ଆସିଥିଲା। ଇରାନ ସହ ସମ୍ପର୍କ ଜାରି ରହିଥିଲା ଏବଂ ଇରାନ-ପାକିସ୍ତାନ-ଭାରତ ଗ୍ୟାସ ପାଇପଲାଇନକୁ ନେଇ ଆଲୋଚନା ଚାଲିଥିଲା। ନୂଆଦିଲ୍ଲୀ ଏପ୍ରିଲ ୨୦୦୬ରେ ଭାରତ-ଆଫ୍ରିକା ଶିଖର ସମ୍ମିଳନୀ ଆୟୋଜନ କରିଥିଲା ଯେଉଁଥିରେ ୧୫ଟି ଆଫ୍ରିକୀୟ ରାଷ୍ଟ୍ରର ନେତା ଯୋଗ ଦେଇଥିଲେ। ଅନ୍ୟ ବିକାଶଶୀଳ ଦେଶ ବିଶେଷକରି ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ସହ ସମ୍ପର୍କରେ ସୁଧାର ଆସିଥିଲା।  ଇସ୍ରାଏଲ ସହ ସମ୍ପର୍କ ବିସ୍ତାର କରିବାକୁ ମଧ୍ୟ ମନମୋହନଙ୍କ ସରକାର ବିଶେଷ ଆଗ୍ରହୀ ଥିଲେ। ୨୦୦୩ ମସିହାରୁ ଉଭୟ ଦେଶ ପରସ୍ପରଠାରେ ଉଲ୍ଲେଖନୀୟ ପୁଞ୍ଜିନିବେଶ କରିଛନ୍ତି ଏବଂ ଇସ୍ରାଏଲ ଏବେ ଭାରତର ସର୍ବବୃହତ୍ ପ୍ରତିରକ୍ଷା ସହଯୋଗୀ ହେବା ପାଇଁ ରୁଷ୍‌ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି।

ମେଧାବୀ ମନମୋହନ
ମନମୋହନ ଅମୃତସରର ହିନ୍ଦୁ କଲେଜ ଏବଂ ପଞ୍ଜାବ ବିଶ୍ବବିଦ୍ୟାଳୟରୁ ୧୯୫୨ ଓ ୧୯୫୪ ମସିହାରେ ଅର୍ଥନୀତିରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ସେ ଜଣେ ମେଧାବୀ ଛାତ୍ର ଥିଲେ । ପଞ୍ଜାବ ବିଶ୍ବବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବା ପରେ ସେ ବ୍ରିଟେନ ଯାଇ ସେଠାକାର କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରୁ ୩ ବର୍ଷିଆ ଡିଗ୍ରି ପାଠ୍ୟକ୍ରମ ସଂପନ୍ନ କରିଥିଲେ। ଏହାପରେ ଭାରତ ଫେରିଆସି ପଞ୍ଜାବ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରିଥିଲେ। ୧୯୬୨ ମସିହାରେ ସେ ପୁଣି ବ୍ରିଟେନର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟକୁ ଡିଫିଲ୍‌ କରିବା ପାଇଁ ଯାଇଥିଲେ। ଡିଫିଲ୍ ଶେଷ କରି ସେ ଭାରତ ଫେରିଆସିଥିଲେ। ପଞ୍ଜାବ ବିଶ୍ବବିଦ୍ୟାଳୟରେ ସେ ଅର୍ଥନୀତିର ଅଧ୍ୟାପକ, ରିଡର ଏବଂ ପ୍ରଫେସର ଭାବେ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟ କରିଛନ୍ତି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.