Breaking News

ହୁଗୁଳି ଗଲାଣି ରାଜଧାନୀ ଟ୍ରାଫିକ୍‌: ଜାତୀୟ ରାଜପଥରେ ବାଟ ଓଗାଳୁଛି ବସ୍‌

କେବଳ ରାତିରେ, ପର୍ବପର୍ବାଣୀରେ କିମ୍ବା ବଡ଼ବଡ଼ିଆଙ୍କ ଗସ୍ତ ସମୟରେ ନୁହେଁ, ବରଂ ସାଧାରଣ ଦିନରେ ବି ଘରୁ ବାହାରିବା କଷ୍ଟକର ହେଲାଣି। ରାଜଧାନୀ ଟ୍ରାଫିକ୍‌ ବ୍ୟବସ୍ଥା ହୁଗୁଳି ଗଲାଣି। ଥରେ ଘରୁ ବାହାରିଗଲେ କେତେବେ‌ଳେ ପହଞ୍ଚିବ ଠିକଣା ନାହିଁ।

ଭୁବନେଶ୍ବର: କେବଳ ରାତିରେ, ପର୍ବପର୍ବାଣୀରେ କିମ୍ବା ବଡ଼ବଡ଼ିଆଙ୍କ ଗସ୍ତ ସମୟରେ ନୁହେଁ, ବରଂ ସାଧାରଣ ଦିନରେ ବି ଘରୁ ବାହାରିବା କଷ୍ଟକର ହେଲାଣି। ରାଜଧାନୀ ଟ୍ରାଫିକ୍‌ ବ୍ୟବସ୍ଥା ହୁଗୁଳି ଗଲାଣି। ଥରେ ଘରୁ ବାହାରିଗଲେ କେତେବେ‌ଳେ ପହଞ୍ଚିବ ଠିକଣା ନାହିଁ। ଆମ୍ବୁଲାନ୍ସ୍‌ ହେଉ କି ଦମକଳ, କେହି ବି ଏହି କଷ୍ଟରୁ ନିସ୍ତାର ପାଉନାହାନ୍ତି। ବର୍ଷା ବେଳେ ଯଦି ଟ୍ରାଫିକ୍‌ରେ ଫସିଲ ତେବେ ଗାଡ଼ି ସହ ଭାସିଯିବା ଅସମ୍ଭବ ନୁହେଁ। ଦିନକୁ ଦିନ ଏହି ଯନ୍ତ୍ରଣା ବଢ଼ିବଢ଼ି ଚାଲିଥିବା ବେଳେ କମିସନରେଟ୍‌ ଟ୍ରାଫିକ୍‌ ପୁଲିସ ବି ହାତ‌ ଟେକି ଦେଇଛି। ଟ୍ରାଫିକ୍‌ ଡିସିପି ପଦ ଏକ ପ୍ରକାର ଥଇଥାନ କେନ୍ଦ୍ର ପାଲଟିଛି। କମ୍‌ ସମୟ ବ୍ୟବଧାନରେ ଅଧିକାରୀ ବଦଳିଯାଉଥିବାରୁ ଯୋଜନା ନାଲି ଫିତା ତଳେ ରହିଯାଉଛି। ଆଗକୁ ନୂଆବର୍ଷ, ପ୍ରବାସୀ ଭାରତୀୟ ସମ୍ମିଳନୀ ଆସୁଛି। ଏବେଠୁ ନ ସୁଧୁରିଲେ  ସମସ୍ତେ ନାକରେ କାନ୍ଦିବା ଥୟ ହୋଇଛି।

ଜାତୀୟ ରାଜପଥରେ ବାଟ ଓଗାଳୁଛି ବସ୍‌
ଭୁବନେଶ୍ବର ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ଜାମ୍‌ ହେଲେ ସାରା ସହର ପ୍ରଭାବିତ ହେଉଛି। ପଳାସୁଣୀ ଠାରୁ ଆରମ୍ଭ କରି ବରମୁଣ୍ଡା ଓ ବରମୁଣ୍ଡାରୁ ପଳାସୁଣୀ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଲମ୍ବା ଲାଇନ୍‌ରେ ବହୁ ସମୟ ଧରି ବସ୍‌ ଛିଡ଼ା ହୋଇ ରହୁଛନ୍ତି। ନିଜ ଭିତରେ ପ୍ରତିଯୋଗିତା କରି ରାସ୍ତାକୁ ଏଭଳି କବ୍‌ଜା କରୁଛନ୍ତି। ଅନ୍ୟ ଗାଡ଼ିକୁ ବାଟ ଛାଡ଼ୁ ନଥିବାରୁ ରାଜପଥ ଉପରେ ଗାଡ଼ି ଧାଡ଼ି ହୋଇ ଛିଡ଼ା ହେଉଛି। ଗୋଟିଏ ଗୋଟିଏ ଛକରେ ୫ଟି ବସ୍‌ ରାସ୍ତାର ଦୁଇ ଲେନ୍‌ ଦଖଲ କରୁଛନ୍ତି। ୪ ବର୍ଷ ତଳେ ବସ୍‌ମାନଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ ହୋଇଥିଲା‌। ହେଲେ ଟ୍ରାଫିକ୍‌ ମୁଖିଆ ବଦଳିବା‌ ପରେ ଆଉ କେହି ମାନୁ ନାହାନ୍ତି। ସହର ଭିତରେ ଓ ଏନ୍‌ଏଚ୍‌ କଡ଼ରେ ବସ୍‌ଷ୍ଟାଣ୍ଡ ପାଇଁ ଜାଗା ଚିହ୍ନଟ କରିବାକୁ ବିଡିଏ ଏକ ଘରୋଇ ସଂସ୍ଥା ଜରିଆରେ ସର୍ଭେ କରିଥିଲା। ସର୍ଭେରେ ୧୦ଲକ୍ଷରୁ ଊର୍ଦ୍ଧ୍ବ ଖର୍ଚ୍ଚ କରି ରିପୋର୍ଟ ପ୍ରସ୍ତୁତ କରିଥିଲା। ହେଲେ ତାହା କାର୍ଯ୍ୟକାରୀ ହେଉନାହିଁ। ଯିଏ ଯେଉଁଠି ପାରୁଛି ବସ୍‌ ଛିଡ଼ା କରୁଥିବାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି।

କାଳ ହୋଇଛି ରଙ୍ଗ୍‌ରୁଟ୍‌ ଚାଳନା

ରଙ୍ଗରୁଟ୍‌ରୁ ଗାଡ଼ିଚାଳନା ଖଣ୍ଡଗିରି ଅଞ୍ଚଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। କଳିଙ୍ଗ ବିହାର ଛକରୁ ରେଗାଲିଆ ମଲ୍‌ ଆଡ଼କୁ ରଙ୍ଗରୁଟ୍‌ରେ ଯାଉଥିବାରୁ  ଦୁର୍ଘଟଣା ଘଟୁଛି। ଥରେ ଦୁର୍ଘଟଣା ଘଟିଲେ ଘଣ୍ଟାଏ ପର୍ଯ୍ୟନ୍ତ ଜାମ୍‌ ହୋଇଯାଉଛି। କେହି ଜଗିବାକୁ ନାହାନ୍ତି। ଦିନେ ହେଲେ କେହି ଏଠାରେ ଟ୍ରାଫିକ୍‌ ପୁଲିସ ଦେଖିନାହାନ୍ତି। ଅନୁରୂପ ଭାବେ ଡୁମୁଡୁମା ଅଣ୍ଡରପାସ୍‌, ଖଣ୍ଡଗିରିବାରି ରାସ୍ତା, ତପୋବନରୁ ବରମୁଣ୍ଡା, ଜାଗମରାରୁ ଖଣ୍ଡଗିରି ଛକ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ରାସ୍ତା ଉପରେ ବସ୍‌ ପାର୍କିଂ ଟ୍ରାଫିକ୍‌ ଜାମ୍‌ର ଆଉ ଏକ ମୁଖ୍ୟ କାରଣ। ସର୍ଭିସ୍‌ ରୋଡ୍‌ରେ ଘଣ୍ଟାଘଣ୍ଟା ଅଟକି ରହୁଥିବାରୁ ଜାମ୍‌ ହେଉଛି। ଏହାର ସୁପରିଚାଳନା ପାଇଁ କର୍ମଚାରୀ ଥିଲେ ମଧ୍ୟ ହାତଗୁଞ୍ଜା ନେଇ ଏଭଳି କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି।

ସହରସାରା ମନୁଷ୍ୟକୃତ ଜାମ୍‌
କଳ୍ପନା ଛକରୁ ମାଉସୀମା ଛକକୁ ଯିବାକୁ ହେଲେ କେବଳ ଛୁଟି ଦିନରେ ସମ୍ଭବ ହେବ। ଅନ୍ୟଦିନରେ ଶହେ ମିଟର ରାସ୍ତା ଅତିକ୍ରମ କରିବା ପାଇଁ ୩୦ ମିନିଟ୍‌ ଲାଗିବ। କଳ୍ପନା ଛକରୁ ଡୁଡା ଅଫିସ ପର୍ଯ୍ୟନ୍ତ ରାସ୍ତାର ଉଭୟପାର୍ଶ୍ବରେ ଗାଡ଼ି ପାର୍କିଂ ହେଉଥିବାରୁ ଭୟଙ୍କର ସମସ୍ୟା ହେଉଛି। ଏହା ମନୁଷ୍ୟକୃତ ଜାମ୍‌। ପୂର୍ବରୁ କୋର୍ଟ ପରିସରରେ ଥିବା‌ ସବ୍‌ରେଜିଷ୍ଟ୍ରାର ଅଫିସ ବିଏମ୍‌ସି ପୁରୁଣା କୋଠାକୁ ଉଠିଆସିଛି। ପୂର୍ବରୁ ଏଠାରେ ବିଏମ୍‌ସିର ଦକ୍ଷିଣପୂର୍ବ ଜୋନ୍‌ ଅଫିସ ଚାଲିଛି। ସବରେଜିଷ୍ଟ୍ରାର ଅଫିସ ସହିତ ସେଠା‌‌ରେ ବସୁଥିବା ନୋଟାରି ଓ ଓକିଲମାନେ ମଧ୍ୟ ଆସିଛନ୍ତି। ରାସ୍ତା କଡ଼ରେ ସେମାନେ ଅସ୍ଥାୟୀ ଚାମ୍ବର ତିଆରି କରି ବସିଛନ୍ତି। କୋର୍ଟର ନୂଆ କୋଠା ଉଦ୍‌ଘାଟନ ହେବା ପରେ ମଧ୍ୟ ଏହି ଅଫିସ ଏଠାରେ ରହିଛି। କାରଣ ବିଏମ୍‌ସି ପୁରୁଣା ଅଫିସ ଭଙ୍ଗାଯାଇ ରାଜସ୍ବ ଭବନ ତିଆରି ହେଲେ ସେଠାରେ ଏହି ସବ୍‌ରେଜିଷ୍ଟ୍ରାର ଅଫିସ ଚାଲିବ। ହେଲେ ଏହା କେବେ ହେବ କାହା ପାଖରେ ଖବର ନାହିଁ। ଫଳରେ ଏହି ମନୁଷ୍ୟକୃତ ଟ୍ରାଫିକ୍‌ ଜାମ୍‌ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏଠାରେ ରହିବା ଥୟ ହୋଇଛି। ଏହି ସମସ୍ୟା ଯୋଗୁ ବିବେକାନନ୍ଦ ମାର୍ଗ, ରଥ ରୋଡ, କଳ୍ପନା ଛକ, ଲୁଇସ୍‌ ରୋଡ୍‌ ଓ କଟକ ରୋଡ୍‌ ମଧ୍ୟ ଟ୍ରାଫିକ୍‌ ଜାମ୍‌ର ଶିକାର ହେଉଛି। ଟ୍ରାଫିକ୍‌ ଡିସିପି ତପନ ମହାନ୍ତି କହିଛନ୍ତି, ଭୁବନେଶ୍ବରର ଟ୍ରାଫିକ୍‌ ସମସ୍ୟା ସମାଧାନ ପାଇଁ ଆମେ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରୁଛୁ। କିନ୍ତୁ ଗାଡ଼ି ସଂଖ୍ୟା‌ ଏତେ ବଢ଼ି ଯାଇଛି ଯେ, ଭୁବନେଶ୍ବର ରାସ୍ତା ଓସାର କମ୍‌ ପଡ଼ୁଛି। ତଥାପି ଏହାର ସମାଧାନ ପାଇଁ ଆମେ ସ୍ବତନ୍ତ୍ର ପ୍ଲାନ୍‌ ପ୍ରସ୍ତୁତ କରୁଛୁ।

ଏକାମ୍ରରେ ହଟହଟା ପର୍ଯ୍ୟଟକ, ଭକ୍ତ
ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସମେତ ଏକାମ୍ର ଅଞ୍ଚଳର ବିକାଶ ପାଇଁ ପୂର୍ବ ଓ ଏବେର ସରକାର ଉଦ୍ୟମ କରୁଛନ୍ତି ବୋଲି କହୁଛନ୍ତି। ଏକାମ୍ର ପ୍ରକଳ୍ପ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ବି କରାଯାଉଛି। ହେଲେ ଅବସ୍ଥା ସୁଧୁରୁନି। ଅନ୍ୟ କଥା ଛାଡ଼ନ୍ତୁ, ଏକାମ୍ର କ୍ଷେତ୍ରକୁ ଆସୁଥିବା ପର୍ଯ୍ୟଟକ ଟାଫ୍ରିକ୍‌ ଜାମ୍‌ରେ ଘଣ୍ଟା ଘଣ୍ଟା ଧରି ଫସି ରହୁଛନ୍ତି। ମୁଖ୍ୟତଃ ସାନିଟାରିୟମ୍‌ ଛକରୁ ହରେକୃଷ୍ଣ ମହତାବ ଛକ, ରବି ଟକିଜ୍‌ ଛକଠାରୁ ବିନ୍ଦୁସାଗର, ସାମନ୍ତରାପୁର ଛକଠାରୁ ଲିଙ୍ଗରାଜ ମନ୍ଦିର, ମାଉସୀମା ଛକଠାରୁ ଲିଙ୍ଗରାଜ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା ସବୁ ପ୍ରାୟ ସମୟରେ ଜାମ୍‌ ରହୁଛି। ମୁଖ୍ୟତଃ ସୋମବାର, ଗୁରୁବାର ଓ ଛୁଟି ଦିନମାନଙ୍କରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକେ ତ ସମସ୍ୟାରେ ପଡ଼ୁଛନ୍ତି, ତାଙ୍କ ଠାରୁ ଅଧିକ ସମସ୍ୟାରେ ପଡ଼ୁଛନ୍ତି ବାହାରୁ ଆସୁଥିବା ପର୍ଯ୍ୟଟକ। ଟ୍ରାଫିକ୍‌ ଜାମ୍‌ ଯୋଗୁ ଘଣ୍ଟା ଘଣ୍ଟା ଜାମ୍‌ରେ ଫସି ରହୁଛନ୍ତି।

ଥଇଥାନ କେନ୍ଦ୍ର ପାଲଟିଛି କମିସନରେଟ୍‌ ଟ୍ରାଫିକ୍‌
ଠିକ୍‌ ଅବସର ନେବା ପୂର୍ବରୁ ଟ୍ରାଫିକ୍‌ ଡିସିପି ଭାବରେ ନିଯୁକ୍ତି ମିଳୁଛି। ଅବସର ସମୟ ଅଳ୍ପ କିଛି ଦିନ ବାକି ଥିବାରୁ ସେମାନେ କାମକୁ ବେଶି ଗୁରୁତ୍ବ ଦେଉନାହାନ୍ତି। ଫଳରେ ଯେତେବେଳେ ବି ଯୋଜନା ହୋଇଛି ତାହା ସଫଳ ହୋଇ ନାହିଁ। ଟ୍ରାଫିକ୍‌ ଡିସିପି ଭାବରେ ୩ ମହିଳା ଆଇପିଏସ୍‌ଙ୍କ କାର୍ଯ୍ୟକାଳରେ ଅନେକ ସୁଧାର ଆସିଥିଲା। ୨୦୧୯ରେ ସାଗରିକା ନାଥଙ୍କ ସମୟରେ ଲେନ୍‌ ଡ୍ରାଇଭିଂ ଓ ରଙ୍ଗରୁଟ୍‌ ପାଇଁ ସ୍ପାଇକ୍‌ ବ୍ୟାରିୟର କଡ଼ାକଡ଼ି ଯୋଜନା ହୋଇଥିଲା। ୨୦୨୦ରେ ସୌମ୍ୟା ମିଶ୍ରଙ୍କ ସମୟରେ ରାସ୍ତାକଡ଼ରୁ ବେଆଇନ୍‌ ପାର୍କିଂ ହଟାଇବା ପଦକ୍ଷେପ ନିଆଯାଇଥିଲା। ୨୦୨୨ରେ ଏସ୍‌ ସୁଶ୍ରୀ ଗ୍ରିନ୍‌ କରିଡରକୁ ଗୁରୁତ୍ବ ଦେଇଥିଲେ। ହେଲେ ଏହି ସବୁ ଆଇପିଏସ୍‌ ଯିବା ପରେ କଟକଣା ସବୁ ଶୀତଳଭଣ୍ଡାରରେ ପଡ଼ିଛି।

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.