Breaking News

ମେଲ୍‌ବର୍ଣ୍ଣରେ ‘ଟେଷ୍ଟ୍ ବକ୍ସିଂ’: ଅଷ୍ଟ୍ରେଲିଆ ୩୧୧/୬

ଭାରତର ଖେଳାଳି ଚୟନ ଦ୍ବନ୍ଦ୍ବ ସହିତ ଗ୍ରୀଷ୍ମତାପ, ଉତ୍ତେଜକ ମୁହୂର୍ତ ଓ ସମ୍ମାନ ବଣ୍ଟୁଆରା ସହ ବକ୍ସିଂ ଡେ’ ଟେଷ୍ଟ୍ ଗୁରୁବାରଠାରୁ ଆରମ୍ଭ ହୋଇଛି। ବକ୍ସିଂ ଡେ’ର କ୍ରିକେଟ୍ ଲଢ଼େଇ ବକ୍ସିଂ ରିଂ ମୁଥ ମରାମରିଠାରୁ ବି ବଳିଯାଇଛି।

ମେଲ୍‌ବର୍ଣ୍ଣ: ଭାରତର ଖେଳାଳି ଚୟନ ଦ୍ବନ୍ଦ୍ବ ସହିତ ଗ୍ରୀଷ୍ମତାପ, ଉତ୍ତେଜକ ମୁହୂର୍ତ ଓ ସମ୍ମାନ ବଣ୍ଟୁଆରା ସହ ବକ୍ସିଂ ଡେ’ ଟେଷ୍ଟ୍ ଗୁରୁବାରଠାରୁ ଆରମ୍ଭ ହୋଇଛି। ବକ୍ସିଂ ଡେ’ର କ୍ରିକେଟ୍ ଲଢ଼େଇ ବକ୍ସିଂ ରିଂ ମୁଥ ମରାମରିଠାରୁ ବି ବଳିଯାଇଛି। ଏମ୍‌ସିଜିରେ ଉପସ୍ଥିତି ୯୦,୦୦୦ ଦର୍ଶକ ବି ବଢ଼ିଆ କ୍ରିକେଟ୍ ଦେଖିଛନ୍ତି। ଭଲ ବ୍ୟାଟିଂ ଓ ଭଲ ବୋଲିଂର ନିଖୁଣ ନିଦର୍ଶନ ବି ପାଇଛନ୍ତି। ୧୯ ବର୍ଷୀୟ ଓପନ୍‌ର ସାମ୍‌ କନ୍‌ଷ୍ଟାସ୍‌ଙ୍କ ଅର୍ଦ୍ଧଶତକୀୟ ପଦାର୍ପଣ ଏବଂ ନିର୍ଭରଯୋଗ୍ୟ ଯଶପ୍ରୀତ୍ ବୁମ୍‌ରା ଭାରତକୁ ପ୍ରତ୍ୟାବର୍ତ୍ତନ ସୁଯୋଗ ଦେବା ଭଳି ଓଲଟପାଲଟ ଭିତରେ ପ୍ରଥମ ଦିନ ବିତିଛି। ୪ ଶୀର୍ଷକ୍ରମ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଦିନରେ ୩୧୧ ରନ୍ ସଂଗ୍ରହ କରି ଭଲ ସ୍ଥିତିରେ ରହିଛି।

ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି‌ ନେଇଥିଲା। ଖେଳ ଆରମ୍ଭ ପୂର୍ବରୁ ପାଣିପାଗ ବିଭାଗର ଚେତାବନୀ ଆସିଯାଇଥିଲା। ଲୋକମାନେ ସତର୍କ ନ ରହିଲେ ‘ଅଗ୍ନି ପାଗ’ର ବିପଦ ରହିଛି ବୋଲି ଘୋଷଣା କରିଥିଲା। ଗ୍ରୀଷ୍ମ ପ୍ରବାହ ଏବଂ ଆର୍ଦ୍ରତାର ଅଭାବ ଏତେ ଉତ୍କଟ ଥିଲା ଯେ ଖେଳାଳିଙ୍କ ପାଇଁ ବି ସତର୍କ ଘଣ୍ଟି ବାଜିଥିଲା। ଏଭଳି ପ୍ରତିକୂଳ ପରିସ୍ଥିତିରେ ଭାରତୀୟ ବୋଲର ଭଲ ବୋଲିଂ କରିଥିଲେ। ୱିକେଟ୍‌ ଦଖଲ ଦୃଷ୍ଟିରୁ ଏହା ସେତେଟା ଫଳପ୍ରଦ ନଥିଲା। ପ୍ରଥମ ୩୦ ଓଭର ଭିତରେ ଅଷ୍ଟ୍ରେଲିଆ ବ୍ୟାଟର୍‌ ୫୨ଟି ଫଲ୍ସ ସଟ୍‌ ଖେଳିଥିଲେ। ବୁମ୍‌ରା (୨୨), ସିରାଜ (୧୬), ଆକାଶ ଦୀପ (୧୪) ପ୍ରଭାବୀ ବୋଲିଂ କରି ମିଳିତ ଭାବେ ଏହି ପ୍ରଭାବ ଦେଖାଇଥିଲେ। ୧୯ ବର୍ଷୀୟ ସାମ କନ୍‌ଷ୍ଟାସ୍‌ ଓ ଉସ୍‌ମାନ ଖୱାଜା ୧୯ ଓଭରରେ ୮୯ ରନ୍ ସଂଗ୍ରହ‌ କରି ନେଇଥିଲେ। ରବୀନ୍ଦ୍ର ଜାଡ଼େଜା ଆକ୍ରମଣକୁ ଆସିବା ପରେ କନ୍‌ଷ୍ଟାସ୍‌ (୬୫ ବଲ୍‌ରୁ ୬୦ ରନ୍‌)ଙ୍କୁ ପ୍ରଥମ ଶିକାର କରିଥିଲେ। ଏହା ପୂର୍ବରୁ କନ୍‌ଷ୍ଟାସ୍‌ ଏକ ଅପଯଶ ଯଶପ୍ରୀତ୍ ବୁମ୍‌ରାଙ୍କୁ ଅର୍ପଣ କରି ଚାଲିଯାଇଥିଲେ। ୧୧ତମ ଓଭରରେ ତାଙ୍କଠାରୁ ୧୮ ରନ୍ ଆଦାୟ କରିଥିଲେ। ଯାହାକି ବୁମ୍‌ରାଙ୍କ ଟେଷ୍ଟ୍ ଜୀବନରେ ସର୍ବାଧିକ ରନ୍ ବରଣ ଓଭର ହୋଇଛି। ପ୍ରଥମ ସ୍ପେଲ୍‌ରେ ବୁମ୍‌ରା ବି ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ମଧ୍ୟାହ୍ନ‌ ଭୋଜନ ପରେ ଉସ୍‌ମାନ ଖୱାଜା (୧୨୧ ବଲ୍‌ରୁ ୫୭ ରନ୍)ଙ୍କୁ ବୁମ୍‌ରା ପ୍ରଥମ ଶିକାର କରିଥିଲେ। ପ୍ରଥମ ଦୁଇ ଅଧିବେଶନରେ ଭାରତ ଗୋଟିଏ ଲେଖାଏଁ ୱିକେଟ୍‌ ବାହାର କରିପାରିଥିଲା। ଅଷ୍ଟ୍ରେଲିଆ କିନ୍ତୁ ଭଲ ହାରରେ ରନ୍ ସଂଗ୍ରହ କରି ଚାଲିଥିଲା। ଚା’ପାନ ବିରତି ପରେ ମାର୍ନସ ଲବୁସାନ (୧୪୫ ବଲ୍‌ରୁ ୭୨ ରନ୍‌)ଙ୍କୁ ୱାସିଂଟନ୍ ସୁନ୍ଦର ଆଉଟ୍ କରି ଭାରତକୁ ବାଟ ଦେଖାଇଥିଲେ। ଏହା ପରେ ବୁମ୍‌ରା ଲଗାତାର ଓଭରରେ ବିପଜ୍ଜନକ ଟ୍ରାଭିସ୍ ହେଡ୍ (୭ ବଲ୍‌ରୁ ୦ ରନ୍) ଓ ମିଚେଲ୍ ମାର୍ସ (୧୩ ବଲ୍‌ରୁ ୪ ରନ୍)ଙ୍କୁ ଆଉଟ୍ କରି ହଠାତ୍ ଅଷ୍ଟ୍ରେଲିଆକୁ ରୋକିଥିଲେ। ୯ ରନ୍ ଭିତରେ ଅଷ୍ଟ୍ରେଲିଆ ୩ ୱିକେଟ୍ ହରାଇଥିଲା। ଫଳରେ ଘରୋଇ ଦଳ ପ୍ରଥମ ଦିନ ବଡ଼ ସ୍କୋର୍ ସହ ବିଦାୟ ନେବା ସମ୍ଭାବନା ଟଳିଯାଇଥିଲା। ଦିନ ତମାମ ଭଲ ବୋଲିଂ କରିଥିବା ଆକାଶ ଦୀପଙ୍କୁ ଶେଷରେ ଗୋଟିଏ ସୁଫଳ ମିଳିଥିଲା। ୱିକେଟ୍‌ରକ୍ଷକ ବ୍ୟାଟର୍ ଆଲେକ୍ସ କ୍ୟାରି (୪୧ ବଲ୍‌ରୁ ୩୧ ରନ୍)ଙ୍କୁ ଆଉଟ୍ କରିଥିଲେ। ପ୍ରଥମ ଦୁଇ ଟେଷ୍ଟ୍‌ରେ ସଂଘର୍ଷ ପରେ ଗାବାରେ ଶତକ ମାରିଥିବା ଷ୍ଟିଭେନ୍ ସ୍ମିଥ୍ (୧୧୧ ବଲ୍‌ରୁ ୬୮* ରନ୍) ଆଉ ଏକ ଭଲ ପାଳି ‌ଖେଳିଛନ୍ତି। ତାଙ୍କ ସହ ପ୍ୟାଟ୍ କମିନ୍ସ (୧୭ ବଲ୍‌ରୁ ୮* ରନ୍) ବ୍ୟାଟିଂ କରୁଛନ୍ତି। ଭାରତୀୟ ଦଳ ବୁମ୍‌ରାଙ୍କ ଉପରେ ଏତେ ନିର୍ଭରଶୀଳ ହୋଇଛି ଯେ ଗୁରୁବାର ୮୬ ଓଭରରୁ ପ୍ରାୟ ୨୫ ପ୍ରତିଶତ ଓଭର (୨୧) ବୋଲିଂ ସେ କରିଛନ୍ତି। ନିଜ ଚତୁର୍ଥ ସ୍ପେଲ୍ ବୋଲିଂ ପାଇଁ ଆସିବା ବେଳକୁ ମେଲବର୍ଣ୍ଣରେ ତାପମାତ୍ରା ଥିଲା ୩୯* ଡିଗ୍ରି ସେଲ୍‌ସିୟସ୍‌। ପିଞ୍ଜରାରେ ସାମାନ୍ୟ ଯନ୍ତ୍ରଣା କାରଣରୁ ସେ କିଛି ସମୟ ପାଇଁ ପଡ଼ିଆ ବାହାରକୁ ଯାଇଥିଲେ। ଏଥି ପାଇଁ ଭାରତ ବି ଦ୍ବିତୀୟ ନୂଆ ବଲ୍ ନେବା (୮୧.୧ ଓଭର) ବିଳମ୍ବ କରିଥିଲା।
ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୮୬ ଓଭରରେ ୩୧୧/୬ (ମାର୍ନସ ଲବୁସାନ୍‌-୭୨, ସାମ୍ କନ୍‌ଷ୍ଟାସ୍‌-୬୦, ଉସ୍‌ମାନ ଖୱାଜା-୫୭, ଷ୍ଟିଭେନ୍ ସ୍ମିଥ୍-୬୮*, ଆଲେକ୍ସ କ୍ୟାରି-୩୧, ପ୍ୟାଟ୍ କମିନ୍ସ-୮*, ଯଶପ୍ରୀତ୍ ବୁମ୍‌ରା-୩/୭୫, ୱାସିଂଟନ୍ ସୁନ୍ଦର-୧/୩୭, ରବୀନ୍ଦ୍ର ଜାଡ଼େଜା-୧/୫୪, ଆକାଶଦୀପ-୧/୫୯)।

ଗିଲ୍‌ଙ୍କ ବଦଳରେ ସୁନ୍ଦର
ଚଳିତ ଋତୁରେ ଭାରତ ପ୍ରତି ଟେଷ୍ଟ୍‌ରେ ଖେଳାଳି ବଦଳ କରି ଚାଲିଛି। ପର୍ଥରେ ଖେଳିଥିବା ସ୍ପିନର୍‌ ଆଡିଲେଡ୍‌ରେ ବଦଳିଥିଲେ। ଆଡିଲେଡ୍‌ରେ ଖେଳିଥିବା ସ୍ପିନର୍‌ ବ୍ରିସ୍‌ବେନ୍‌ରେ ବସିଥିଲେ। ଏବେ ପର୍ଥ ସ୍ପିନର୍‌ ଦଳକୁ ଫେରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ହେଉଛି ୪ ବର୍ଷ ତଳେ ମେଲ୍‌ବର୍ଣ୍ଣରେ ପଦାର୍ପଣ କରିଥିବା ଶୁବମନ ଗିଲ୍‌ଙ୍କୁ ଦଳରୁ ବାହାରକୁ ନିଆଯାଇଛି। ତାଙ୍କ ବଦଳରେ ସ୍ପିନ୍ ଅଲରାଉଣ୍ଡର୍ ୱାସିଂଟନ୍ ସୁନ୍ଦର ଚୂଡ଼ାନ୍ତ ଏକାଦଶକୁ ଫେରିଛନ୍ତି। ଏଥି ସହିତ ଟସ୍ ବେଳେ ରୋହିତ କହିଥ‌ିଲେ, ସେ ଓପନିଂ କରି‌ବେ ଏବଂ କେଏଲ୍ ରାହୁଲ୍‌ ୩ ନମ୍ବରକୁ ଫେରିବେ। ‘ଦଳରେ ସନ୍ତୁଳନ ରକ୍ଷା କରିବା ତଥା ବୋଲିଂରେ ବିବିଧତା ଆଣିବାକୁ ୱାସିଂଟନ୍ ସୁନ୍ଦରଙ୍କୁ ସୁଯୋଗ ଦିଆଯାଇଛି’ ବୋଲି ଭାରତୀୟ ଦଳର ସହକାରୀ ବୋଲିଂ ପ୍ରଶିକ୍ଷକ ଅଭିଷେକ ନାୟାର ପ୍ରକାଶ କରିଥିଲେ।

କନ୍‌ଷ୍ଟାସ୍‌ ଓ ବୁମ୍‌ରାଙ୍କ ଦିନ
ମେଲ୍‌ବର୍ଣ୍ଣ ଟେଷ୍ଟ୍‌ର ପ୍ରଥମ ଦିନ କନ୍ସଟାସ୍ ଓ ବୁମ୍‌ରା ଚର୍ଚ୍ଚାରେ ରହିଥିଲେ। ମାତ୍ର ୧୯ ବ‌ର୍ଷ ୮୫ ଦିନରେ ଟେଷ୍ଟ୍ କ୍ରିକେଟ୍‌ ପଦାର୍ପଣ କରି ପୁରୁଷ ଟେଷ୍ଟ୍ କ୍ରିକେଟ୍‌ରେ ସେ ଅଷ୍ଟ୍ରେଲିଆର ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି। ଏଥି ସହିତ ସେ ଚତୁର୍ଥ କନିଷ୍ଠ ଅଷ୍ଟ୍ରେଲୀୟ ପୁରୁଷ କ୍ରିକେଟର୍ ଏବଂ ଦ୍ବିତୀୟ ସର୍ବକନିଷ୍ଠ ଟେଷ୍ଟ୍ ଅର୍ଦ୍ଧଶତକ ହାସଲକାରୀ ହୋଇଛନ୍ତି। ମାତ୍ର ୫୨ ବଲ୍‌ରୁ ସେ ଅର୍ଦ୍ଧଶତକ ପୂର୍ଣ୍ଣ କରି ଅଷ୍ଟ୍ରେଲିଆ ପାଇଁ ପଦାର୍ପଣରେ ତୃତୀୟ ଦ୍ରୁତତମ ହୋଇଛନ୍ତି। ତାଙ୍କ ପୂର୍ବରୁ ଆଡାମ୍ ଗିଲକ୍ରିଷ୍ଟ୍ (୪୬ ବଲ୍ ବନାମ ପାକିସ୍ତାନ, ୧୯୯୯) ଏବଂ ଆଷ୍ଟନ୍ ଅଗର (୫୦ ବଲ୍‌ ବନାମ ଇଂଲଣ୍ଡ, ୨୦୧୩) ଆଗରେ ରହିଛନ୍ତି। ଅଷ୍ଟ୍ରେଲିଆ ବ୍ୟାଟର୍ ଗୁରୁବାର ପ୍ରଥମ ୪୦ ଓଭର ଭିତରେ ୬୬ଟି ଅଣ ନିୟନ୍ତ୍ରିତ ସଟ୍‌ ଖେଳି ଏହି ସମୟ ମଧ୍ୟରେ ମାତ୍ର ଗୋଟିଏ ୱିକେଟ୍ ହରାଇଥିଲେ। ୨୦୦୨ ମସିହା ପରଠାରୁ ଅନ୍ୟ ଦୁଇଟି ମାତ୍ର ଦେଶ ଭାରତ (୭୩ ବନାମ ଇଂଲଣଣ୍ଡ, ଟ୍ରେଣ୍ଟ୍ ବ୍ରିଜ୍, ୨୦୦୭) ଓ ଇଂଲଣ୍ଡ (୬୮ ବନାମ ଆୟର୍ଲାଣ୍ଡ୍‌, ଲର୍ଡସ, ୨୦୧୯) ଏଭଳି ସ୍ଥିତିରେ ରହିଥିଲେ। ବୁମ୍‌ରାଙ୍କଠାରୁ ଗୋଟିଏ ଓଭରରେ ୧୮ ରନ୍ ଆଦାୟ କରି କନ୍‌ଷ୍ଟାସ୍‌ ଏକ ରେକର୍ଡ କରିଛନ୍ତି। ବୁମ୍‌ରା କୌଣସି ଟେଷ୍ଟ୍ ଓଭରରେ କେବେ ଏତେ ରନ୍ ବ୍ୟୟ କରି ନଥିଲେ। କନ୍ସଟାସ୍ ରେକର୍ଡ ସମୟରେ (୧୩.୧ ଓଭର ଭିତରେ) ଅର୍ଦ୍ଧଶତକ ହାସଲ କରିଛନ୍ତି। ଭାରତର ପୃଥ୍ବୀ ସ’ ପଦାର୍ପଣରେ ୧୭.୪ ଓଭର ଭିତରେ ଅର୍ଦ୍ଧଶତକ (ବନାମ ୱେଷ୍ଟଇଣ୍ଡିଜ୍‌, ରାଜକୋଟ, ୨୦୧୮) ଜମାଇଥିଲେ। ସପ୍ତମ ଓଭରରେ ବୁମ୍‌ରାଙ୍କୁ ରିଭର୍ସ ସୁଇପ୍ ଖେଳି କନ୍‌ଷ୍ଟାସ୍‌ ଛକା ମାରିଥିଲେ। ୪୫୬୨ ବଲ୍ ପରେ ବୁମ୍‌ରା ଟେଷ୍ଟ୍ ଛକା ବରଣ କରିଥିଲେ। ଶେଷ ଥର ପାଇଁ ୨୦୨୧ ସିଡ୍‌ନି ଟେଷ୍ଟ୍‌ରେ କାମେରୁନ୍ ଗ୍ରିନ୍‌ ଛକା ମାରିଥିଲେ। ମୋଟ ଉପରେ ବୁମ୍‌ରା ୯ ଛକାର ଶିକାର ହୋଇଛନ୍ତି। ଜୋସ୍ ବଟ୍‌ଲର୍ ଓ କନ୍ସଟାସ୍ ୨ଟି ଲେଖାଏଁ ମାରିଛନ୍ତି। ଆଉ ଏକ ଉଲ୍ଲେଖନୀୟ ତଥ୍ୟ ହେଉଛି ପ୍ରଥମ ୩ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆର ପ୍ରଥମ ୩ ଜଣ ମିଳିତ ଭାବେ ୨୧୬ ରନ୍ ସଂଗ୍ରହ କରିଥିଲେ ଗୋଟିଏ ଅର୍ଦ୍ଧଶତକ ସହ। ମେଲବର୍ଣ୍ଣରେ କିନ୍ତୁ ଶୀର୍ଷ ୩ ଜଣଙ୍କ ବ୍ୟାଟ୍‌ରୁ ଆସିଛି ୧୯୨ ରନ୍। ସମସ୍ତେ ଅର୍ଦ୍ଧଶତକ ମାରିଛନ୍ତି।

କନ୍‌ଷ୍ଟାସ୍‌ଙ୍କ ସହ ଲଢ଼ି କୋହଲି ଦଣ୍ଡିତ
ପ୍ରଥମ ପଦାର୍ପଣ କରିଥିବା ୧୯ ବର୍ଷୀୟ ଓପନର୍‌ ସାମ୍ କନ୍ସଟାସଙ୍କ ସହ ଶାରୀରିକ ଧକ୍କା ଓ ଯୁକ୍ତିତର୍କ କାରଣରୁ ବିରାଟ କୋହଲିଙ୍କୁ ଦଣ୍ଡିତ‌ ହେବାକୁ ପଡ଼ିଛି। ବିରାଟଙ୍କ ମ୍ୟାଚ୍‌ ପାଉଣାର ୨୦ ପ୍ରତିଶତ କଟାଯିବା ସହ ତାଙ୍କ ଉପରେ ଗୋଟିଏ ଡିମେରିଟ୍ ପଏଣ୍ଟ୍ ଲାଗୁ କରାଯାଇଛି। ମ୍ୟାଚ୍‌ର ଦଶମ ଓଭରରେ କନ୍‌ଷ୍ଟାସ୍‌ ଓ କୋହଲି ପିଚ୍‌ ଉପରେ ପରସ୍ପରକୁ ଅତିକ୍ରମ କରୁଥିବା ବେଳେ ଉଭୟଙ୍କ କାନ୍ଧରେ କାନ୍ଧ ଘସି ହୋଇଯାଇଥିଲା। ଏତିକି ବେଳେ ପରସ୍ପର ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ଅମ୍ପାୟାର୍ ମାଇକେଲ୍ ଗଫ୍‌, ଜୋଏଲ୍ ୱିଲସନ୍‌ ଓ ଅନ୍ୟତମ ଓପନର୍ ଉସ୍‌ମାନ ଖୱାଜାଙ୍କ ହସ୍ତକ୍ଷେପ ପରେ ଏହା ଶାନ୍ତ ପଡ଼ିଥିଲା। କିନ୍ତୁ ଅନ୍ୟ ଦୁଇ ଅମ୍ପାୟାରଙ୍କ ରିପୋର୍ଟ ପରେ ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟ ଦଣ୍ଡ ଶୁଣାଣି କରିଥିଲେ। କୋହଲି ଏହାକୁ ଗ୍ରହଣ କରି ନେଇଛନ୍ତି। ପ୍ରଥମ ଟେଷ୍ଟ୍ ‌ଖେଳିଥିବା ସାମ୍ କନ୍‌ଷ୍ଟାସ୍‌ କିନ୍ତୁ ଏହି ପ୍ରସଙ୍ଗକୁ ହାଲ୍‌କା କରି ଦେଇଛନ୍ତି। ‘ବିରାଟ କୋହଲି ଆକସ୍ମିକ ଭାବେ ମୋ ଆଡ଼କୁ ଚାଲି ଆସିଥିଲେ। ଏହା କ୍ରିକେଟ୍‌ରେ ଓ ଉତ୍ତେଜନାରେ ଥିଲେ ଏଭଳି ଘଟିଥାଏ’ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ଖେଳାଳି, ସପୋର୍ଟ ଷ୍ଟାଫ୍‌, ଅମ୍ପାୟାର, ମ୍ୟାଚ୍‌ ରେଫରି ଓ ପ୍ରଶଂସକଙ୍କ ସହ ଅଯଥାରେ ଶାରୀରିକ ସଂଯୋଗ ପାଇଁ ଥିବା ଆଇସିସି ଆଚରଣ ସଂହିତାର ଧାରା ୨.୧୨ ଉଲ୍ଲଂଘନ କାରଣରୁ କୋହଲିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.