Breaking News

୧୧୦ ଏସ୍‌ଆଇ, ୩ ଏସ୍‌ପିଙ୍କୁ ପଦୋନ୍ନତି: ଅପେକ୍ଷାରେ ଇନ୍‌ସ୍ପେକ୍ଟର, ଡିଏସ୍‌ପି,ଏଏସ୍‌ପି

ଓଡ଼ିଶା ପୁଲିସ୍‌ରେ ଏସ୍‌ଆଇରୁ ଆରମ୍ଭ କରି ଏସ୍‌ପି ପାହ୍ୟା (ଅଣ ଆଇପିଏସ୍‌) ପର୍ଯ୍ୟନ୍ତ ପଦୋନ୍ନତିରେ ଅହେତୁକ ବିଳମ୍ବ ଏବଂ ଡିସେମ୍ବର ୩୧ ଟପିଲେ ହେବାକୁ ଥିବା ସମସ୍ୟା ସଂପର୍କରେ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ଓଡ଼ିଶା ପୁଲିସ ଓ ଗୃହ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

କଟକ: ଓଡ଼ିଶା ପୁଲିସ୍‌ରେ ଏସ୍‌ଆଇରୁ ଆରମ୍ଭ କରି ଏସ୍‌ପି ପାହ୍ୟା (ଅଣ ଆଇପିଏସ୍‌) ପର୍ଯ୍ୟନ୍ତ ପଦୋନ୍ନତିରେ ଅହେତୁକ ବିଳମ୍ବ ଏବଂ ଡିସେମ୍ବର ୩୧ ଟପିଲେ ହେବାକୁ ଥିବା ସମସ୍ୟା ସଂପର୍କରେ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ଓଡ଼ିଶା ପୁଲିସ ଓ ଗୃହ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆଜି ୧୧୦ ଏସ୍‌ଆଇଙ୍କୁ ଇନ୍‌ସ୍ପେକ୍ଟର ପାହ୍ୟାକୁ ଓ ୩ ଏସ୍‌ପି (ଏସ୍‌ଟିସି)ଙ୍କୁ ଏସ୍‌ପି (ଏସ୍‌ଏଜି) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏସ୍‌ଆଇଙ୍କୁ ଇନ୍‌ସ୍ପେକ୍ଟର ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲେ ବି ସେମାନେ ବର୍ତ୍ତମାନ ନିଜ ନିଜର ସ୍ଥାନରେ କାର୍ଯ୍ୟ କରିବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ଇନ୍‌ସ୍ପେକ୍ଟରରୁ ଡିଏସ୍‌ପି ପଦୋନ୍ନତି ଘୋଷଣା ପରେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ନିଯୁକ୍ତ କରାଯିବ ବୋଲି ଆଶା କରାଯାଉଛି।

ରାଜ୍ୟ ପୁଲିସ ମୁଖ୍ୟାଳୟରେ କେନ୍ଦ୍ରୀୟ ଚୟନ ବୋର୍ଡ ପକ୍ଷରୁ ଏସ୍‌ଆଇରୁ ଇନ୍‌ସ୍ପେକ୍ଟର ପାହ୍ୟାକୁ ୧୧୦ ଜଣଙ୍କ ପଦୋନ୍ନତି ନେଇ ବୋର୍ଡ ବସିଥିଲା।  କିନ୍ତୁ ବିଜ୍ଞପ୍ତି ପ୍ରକାଶ ନକରି ଏହାକୁ ଝୁଲାଇ ରଖାଯାଇଥିଲା। ଆଜି ସମସ୍ତଙ୍କ ପଦୋନ୍ନତି ସଂକ୍ରାନ୍ତ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଏହି ତାଲିକାରେ  ୬୬ ଜଣ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅଛନ୍ତି। ଅନ୍ୟପଟେ ଗୃହ ବିଭାଗ ପକ୍ଷରୁ ଏସ୍‌ପି ସୁପରଟାଇମ୍ ସ୍କେଲ୍‌ରୁ ଏସ୍‌ପି (ଏସ୍‌ଏଜି) ପାହ୍ୟାକୁ ତିନି ଜଣ ପଦୋନ୍ନତି ପାଇଛନ୍ତି। ପଦୋନ୍ନତି ପରେ ବଦଳି ସ୍ବରୂପ ଉକ୍ତ ସ୍ଥାନରେ ଅବସ୍ଥାପିତ କରାଯାଇଛି। ସେମାନଙ୍କ ମଧ୍ୟରେ ଥିବା ରାଜ୍ୟ ପୁଲିସ ମୁଖ୍ୟାଳୟର ଏସ୍‌ପି ସହିତ ଅତିରିକ୍ତ ଦାୟିତ୍ବରେ କଟକ ରେଳବାଇ ଦାୟିତ୍ବରେ ଥିବା ସୁରେଶ କୁମାର ନାୟକ, ଓଏଲ୍‌ଏର ଏସ୍‌ପି ଥିବା ଗୋପାଳ କୃଷ୍ଣ ବେହେରା, ରାଜ୍ୟ ପୁଲିସ ମୁଖ୍ୟାଳୟରେ ଏସ୍‌ପି ଥିବା ରବୀନ୍ଦ୍ର କୁମାର ରାଉତ ରହିଛନ୍ତି।

ଅନ୍ୟପଟେ ଇନ୍‌ସ୍ପେକ୍ଟରରୁ ଡିଏସ୍‌ପି ପାହ୍ୟାକୁ ୧୯୨ ଜଣ ପଦୋନ୍ନତି ପାଇବାକୁ ଥିବା ବେଳେ ସେମାନଙ୍କ ବୋର୍ଡ ଗଲା ୨୦୨୨ ପରଠାରୁ ବସିନାହିଁ। ପୁଲିସ ମୁଖ୍ୟାଳୟ ପକ୍ଷରୁ ସିସିଆର୍ ସମେତ ଆନୁଷଙ୍ଗିକ କାଗଜପତ୍ର ଗଲା ଅକ୍ଟୋବରରୁ ଗୃହ ବିଭାଗକୁ ପଠାଗଲାଣି।  ପଦୋନ୍ନତି ବିଜ୍ଞପ୍ତି ପ୍ରକାଶ ପାଉନଥିବାରୁ ସେମାନେ ଇନସ୍ପେକ୍ଟର ଭାବେ ପଡ଼ି ରହିଛନ୍ତି। ସେମାନଙ୍କୁ ପଦୋନ୍ନତି ଦିଆ ନଯିବା ପର୍ଯ୍ୟନ୍ତ ଇନ୍‌ସ୍ପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଥିବା ୧୧୦ ଜଣ ପୁଲିସ ଏସ୍‌ଆଇଙ୍କର ବଦଳି ହୋଇପାରିବ ନାହିଁ। ଏହାବାଦ୍ ଏବେ ବି ଡିଏସ୍‌ପିରୁ ଏଏସ୍‌ପି ପାହ୍ୟାକୁ ୨୪ ଜଣଙ୍କର ପଦୋନ୍ନତି କାର୍ଯ୍ୟକାରୀ କରାଯାଇ ନାହିଁ। ଡିଏସ୍‌ପିରୁ ଏଏସ୍‌ପି ପାହ୍ୟାକୁ ୧୨୩ ଜଣଙ୍କ ପଦୋନ୍ନତି ତାଲିକା ନ‌ଭେମ୍ବରରେ ଜାରି କରାଯାଇଥିବା ବେଳେ ସେଥିରୁ ଖାଲିଥିବା ପଦବିରେ ୮୯ ଜଣଙ୍କୁ ନିଯୁକ୍ତି ଦେଇ ବାକି ୨୪ ଜଣଙ୍କ ନିଯୁକ୍ତି ପକାଇ ରଖାଯାଇଛି। ଏଏସ୍‌ପି ପାହ୍ୟାରୁ ଏସ୍‌ପି ପାହ୍ୟାକୁ ଗୋଟିଏ ପଦୋନ୍ନତି ନିଷ୍ପତ୍ତିକୁ ଅଟକାଇ ରଖାଯାଇଛି। ଡିସେମ୍ବର ୩୧ ମଧ୍ୟରେ ପଦୋନ୍ନତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ନହେଲେ ପୁଣିଥରେ ସାନି ପ୍ରକ୍ରିୟା ଆରମ୍ଭ କରାଯିବ। ତେଣୁ ବାକି ପଦୋନ୍ନତି ନିଷ୍ପତ୍ତି ତୁରନ୍ତ ଘୋ‌ଷଣା କରିବାକୁ ପୁଲିସ ଅଧିକାରୀ ମହଲରେ ଦାବି ଜୋର ଧରିଛି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.