Breaking News

ବହିର ଭାଗ୍ୟ

କୁହାଯାଏ ଯେ ଏହି ପୁସ୍ତକ ସମ୍ବନ୍ଧରେ ପୂର୍ବରୁ ଶୁଣି ନ ଥିଲେ ହେଁ ‌େଟଲିଭିଜନରେ ପାକିସ୍ତାନରେ ହେଉଥିବା ବିକ୍ଷୋଭର ଦୃଶ୍ୟ ଦେଖି ଇରାନର ଶାସକ ଆୟୋତୋଲ୍ଲା ଖୋମିନି ତତ୍‌କ୍ଷଣାତ୍‌ ରସଦିଙ୍କ ବିରୋଧରେ ଫତୱା ଜାରି କରି ପକାଇଲେ।

କୁହାଯାଏ ଯେ ଏହି ପୁସ୍ତକ ସମ୍ବନ୍ଧରେ ପୂର୍ବରୁ ଶୁଣି ନ ଥିଲେ ହେଁ ‌େଟଲିଭିଜନରେ ପାକିସ୍ତାନରେ ହେଉଥିବା ବିକ୍ଷୋଭର ଦୃଶ୍ୟ ଦେଖି ଇରାନର ଶାସକ ଆୟୋତୋଲ୍ଲା ଖୋମିନି ତତ୍‌କ୍ଷଣାତ୍‌ ରସଦିଙ୍କ ବିରୋଧରେ ଫତୱା ଜାରି କରି ପକାଇଲେ। ଭାରତରେ ତତ୍‌କାଳୀନ ରାଜୀବ ଗାନ୍ଧୀଙ୍କ ସରକାର ସାଂପ୍ରଦାୟିକତା ଦୃଷ୍ଟିରୁ ସ୍ପର୍ଶକାତର ଘଟଣାଗୁଡ଼ିକରେ ଅଭ୍ୟାସଗତ ଭାବେ ପ୍ରଦର୍ଶନ କରୁଥିବା ଅପରିପକ୍ବ ପ୍ରତିକ୍ରିୟାର ଆଉ ଏକ ଦୃଷ୍ଟାନ୍ତ ଦେଇ ଏହି ପୁସ୍ତକକୁ ନିଷେଧ କରିଦେଲେ, ଯାହା ପରେ ଅନ୍ୟ କେତେକ ଦେଶ ଏହାର ଅନୁସରଣ କଲେ।

ଯେଉଁ ସାହିତ୍ୟ ରସିକମାନେ ଆଧୁନିକ ଗଳ୍ପ ସାହିତ୍ୟରେ ‘କୁହୁକ ବାସ୍ତବତା’ ବା ‘ମେଜିକ ରିଏଲିଜମ’ର ଯାଦୁ ଦ୍ବାରା ବିମୋହିତ ହୋଇଥାଆନ୍ତି, ସେମାନଙ୍କ ମଧ୍ୟରୁ ଅନେକ ହୁଏତ ଦିଲ୍ଲୀର କେତେକ ପୁସ୍ତକ ଦୋକାନର ‘ସୋ-କେସ୍‌’ରେ ‘ଦ ସାଟାନିକ ଭର୍ସେସ୍‌’ର କପିମାନ ସୁଦୃଶ୍ୟ ଢଙ୍ଗରେ ସଜା ଯାଇଥିବା ଦେଖି ସତସତିକା ‘କୁହୁକ ବାସ୍ତବଧର୍ମୀ’ ଅନୁଭୂତି ଦ୍ବାରା ରୋମାଞ୍ଚିତ ହୋଇଥିବେ! କହିବା ବାହୁଲ୍ୟ ଯେ ଦୀର୍ଘ ଛତିଶ ବର୍ଷ କାଳ କଠୋର ନିଷେଧାଦେଶ ଓ ରକ୍ତକ୍ଷରା ଅତୀତ ପ୍ରତ୍ୟକ୍ଷ କରିଥିବା ଏହି ପୁସ୍ତକ ଅତି ସନ୍ତର୍ପଣରେ ହଠାତ୍‌ ଭାରତୀୟ ପାଠକପାଠିକାଙ୍କ ସକାଶେ ଉପଲବ୍‌ଧ ହୋଇଯିବା କମ୍‌ ଚମକପ୍ରଦ ନୁହେଁ। ପ୍ରକାଶ ଥାଉ କି ୧୯୮୮ ମସିହାରେ ଏହି ପୁସ୍ତକ ଇଂଲାଣ୍ଡରେ ଆତ୍ମ ପ୍ରକାଶ କରୁ ନ କରୁଣୁ ଏହାକୁ ‌େକନ୍ଦ୍ର କରି ଭାରତରେ ସୃଷ୍ଟ ବିବାଦର ଝଡ଼ ଖୁବ୍‌ ଶୀଘ୍ର ଏକ ଭୀଷଣ ଚକ୍ରବାତକୁ ରୂପ ଦେଇ ଯେଉଁଭଳି ଭାବେ ପୃଥିବୀର ଅନେକ ଅଂଶକୁ ଆକ୍ରାନ୍ତ କରି ପକାଇଥିଲା, ସେହିଭଳି ଦ୍ବିତୀୟ ଦୃଷ୍ଟାନ୍ତ ସାହିତ୍ୟ ପ୍ରକାଶନ କ୍ଷେତ୍ରରେ ଅତ୍ୟନ୍ତ ବିରଳ।
ପ୍ରକାଶ ଥାଉ କି ସଲମାନ ରସଦିଙ୍କ ରଚିତ ଏହି ପୁସ୍ତକ ଭାରତୀୟ ବଜାରରେ ଉପଲବ୍‌ଧ ହେବା ପଛରେ ଅଲୌକିକତାର ଅଂଶ ମଧ୍ୟ ବିଦ୍ୟମାନ, ଯାହା ରସଦିଙ୍କ ‘କୁହୁକ-ବାସ୍ତବଧର୍ମୀ’ ରଚନାମାନରେ ଦେଖିବାକୁ ମିଳିଥାଏ। କଥା ହେଲା, ‘ଦ ସାଟାନିକ ଭର୍ସେସ୍‌’ର ନି‌େଷଧାଦେଶ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରୁଥିବା ଦିଲ୍ଲୀ ଉଚ୍ଚ ଅଦାଲତଙ୍କ ପକ୍ଷରୁ ଏହି ପୁସ୍ତକର ଆମଦାନିକୁ ନିଷେଧ କରି ଦିଆଯାଇଥିବା ସରକାରୀ ଆଦେଶର ଏକ ନକଲ ମଗା ଯାଇଥିଲେ ସୁଦ୍ଧା ଭାରତୀୟ କଷ୍ଟମ୍‌ସ ବିଭାଗ ତାହା ପେସ କରି ପାରି ନ ଥିଲା; ସତେ ଯେମିତି ସାଢ଼େ ତିନି ଦଶନ୍ଧିର ଅବଧି ମଧ୍ୟରେ ‌ସେହି କାଗଜାତ୍‌ଟି ପତଳା ପବନରେ କେଉଁଠି ମିଳେଇ ଯାଇଥିଲା! ଫଳରେ ଅଦାଲତ ସ୍ବାଭାବିକ ଭାବେ ଏହି ନିଷ୍କର୍ଷରେ ପହଞ୍ଚିଥିଲେ ଯେ ପୁସ୍ତକର ଅମାଦାନି ଉପରେ କୌଣସି ନିଷେଧାଦେଶ ହିଁ ନାହିଁ, ଯାହା ଅବଲୀଳା କ୍ରମେ ‘ଦ ସାଟାନିକ ଭର୍ସେସ୍‌’ର ଆମଦାନି ଲାଗି ପଥ ପରିଷ୍କାର କରିଛି! ଏଥିରେ ଦ୍ବିରୁକ୍ତି ନାହିଁ ଯେ ଅଗଣିତ ଭାରତୀୟ ପାଠକପାଠିକା ଓ ପୁସ୍ତକପ୍ରେମୀଙ୍କ ମଧ୍ୟରେ ଏହା ଏକ ସୁଖଦ ଆଲୋଡ଼ନ ସୃଷ୍ଟି କରିଛି, ଯେଉଁମାନେ ତୀବ୍ର ଆଗ୍ରହ ସତ୍ତ୍ବେ ଏହା ପଢ଼ିବାରୁ ବଞ୍ଚିତ ହୋ‌ଇଥିଲେ। କିନ୍ତୁ ଏକ ଭୟ ମଧ୍ୟ ଜାତ ହୋଇଥାଏ ଯେ ଏହା ସହିତ ସେହି ପୁରୁଣା କ୍ଷତରୁ ପୁନର୍ବାର ରକ୍ତ କ୍ଷରଣ ଆରମ୍ଭ ହୋଇ ନ ଯାଉ, କାରଣ ଏହି ପୁସ୍ତକ ତା’ର ଯାତ୍ରା ପଥରେ ଅନେକ ଶୋଣିତ ରଂଜିତ ପଦଚିହ୍ନ ମଧ୍ୟ ଛାଡ଼ି ଆସିଛି।
‘ଦ ସାଟାନିକ ଭର୍ସେସ୍‌’ ପୁସ୍ତକର ଦୁର୍ଭାଗ୍ୟ ହେଲା ଏହାକୁ ପଠନ କରି ନ ଥିବା ଜନ ସମୁଦାୟ ହିଁ ଏହାର ବର୍ଜନ କରିଥିଲେ। ୧୯୮୯ ମସିହାରେ ଏହି ପୁସ୍ତକ ବିରୋଧରେ ମୁମ୍ବାଇରେ ସଂଘଟିତ ଏକ ହିଂସ୍ର ପ୍ରତିବାଦ ପ୍ରଦର୍ଶନରେ ୧୨ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇଥିଲେ ଏବଂ ପ୍ରାୟ ୪୦ ସରିକି ଆହତ ହୋଇଥିଲେ। ସେହି ବର୍ଷ ଫେବ୍ରୁଆରି ମାସରେ ପାକିସ୍ତାନର ଇସଲାମାବାଦ ଠାରେ ମଧ୍ୟ ଏକ ଅନୁରୂପ ପ୍ରଦର୍ଶନରେ ୬ ଜଣ ଲୋକଙ୍କ ପ୍ରାଣହାନି ଘଟିଥିଲା। ୧୯୯୧ ମସିହାରେ ଏହି ପୁସ୍ତକର ଜାପାନୀ ଅନୁବାଦକ ହିତୋସି ଇଗାରରାସିଙ୍କୁ ହତ୍ୟା କରାଯାଇଥିଲା। ସେହି ବର୍ଷ ଏହାର ଇତାଲୀୟ ଅନୁବାଦକ ପ୍ରାଣଘାତୀ ଛୁରିକା ଆକ୍ରମଣର ଶିକାର ହୋଇଥିଲେ ହେଁ ବଞ୍ଚି ଯାଇଥିଲେ। ନରୱେରେ ଏହି ପୁସ୍ତକର ପ୍ରକାଶକ ତିନିଟି ଗୁଳି ଚୋଟର ଶିକାର ହୋଇ ଗୁରୁତର ହୋଇଯାଇଥିଲେ ହେଁ ସେ ମଧ୍ୟ ଅଳ୍ପକେ ବଞ୍ଚି ଯାଇଥିଲେ। ୧୯୮୯ ମସିହାରେ ଇରାନର ସର୍ବମୟ କର୍ତ୍ତା ଆୟୋତୋଲ୍ଲା ରୁହୋଲ୍ଲା ଖୋମିନି ଏକ ଫତୱା ଜାରି କରି ସଲମାନ ରସଦିଙ୍କ ମୁଣ୍ଡ ସକାଶେ ୩ ନିୟୁତ ଡଲାର ପୁରସ୍କାର ରାଶି ଘୋଷଣା କରି ଯଶ ଓ ପ୍ରସିଦ୍ଧିର ଉଜ୍ଜ୍ବଳ ଆଲୋକରେ ନିଜ ଜୀବନକୁ ଭରପୂର ଉପଭୋଗ କରୁଥିବା ଏହି ଆଡ଼ମ୍ବରୀ ଲେଖକଙ୍କୁ ପ୍ରାୟ ଦେଢ଼ ଦଶନ୍ଧି ଧରି ସଂପୂର୍ଣ୍ଣ ଆତ୍ମ ଗୋପନରେ ଯିବାକୁ ବାଧ୍ୟ କରିଥିଲେ। ଯଦିଓ ୧୯୯୮ ମସିହାରେ ଇଂଲାଣ୍ଡ ସରକାରଙ୍କ ସହିତ ସୁସଂପର୍କ ସ୍ଥାପନ ପରିପ୍ରେକ୍ଷାରେ ଇରାନ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ଫତୱା ହଟାଇ ନିଆଯାଇଥିଲା, ୨୦୨୨ ମସିହାରେ ନ୍ୟୁୟର୍କ ମହାନଗରୀରେ ଏକ ସଭାରେ ଜଣେ ଯୁବକର ମରଣାନ୍ତକ ଛୁରିକାଘାତରେ ରସଦିଙ୍କ ପ୍ରାଣ ଯାଉ ଯାଉ ରହି ଯାଇଥିଲା। ଏହି ଆକ୍ରମଣ ପରେ ତାଙ୍କ ବାମ ଚକ୍ଷୁ ନଷ୍ଟ ହୋଇଯାଇଛି ଏବଂ ବାମ ହସ୍ତ କର୍ମ କ୍ଷମତା ହରାଇ ବସିଛି। ପ୍ରକାଶ ଥାଉ କି ଆକ୍ରମଣ କରିଥିବା ଯୁବକ ଜଣକ ରସଦିଙ୍କ କୌଣସି ରଚନା ପଢ଼ିନାହିଁ, ଯାହା ତାକୁ ମାନସିକ ସ୍ତରରେ ଆଘାତ ଦିଅନ୍ତା! ସୁତରାଂ, ଅକାରଣ ଆକ୍ରୋଶର ଶିକାର ହେବାର ଭାଗ୍ୟ ହେଉଛି ସଲମାନ ରସଦିଙ୍କ ସକାଶେ ସବୁଠାରୁ ବଡ଼ ବିଡ଼ମ୍ବନା।
ରସଦିଙ୍କ ଏହି ପୁସ୍ତକ କିଭଳି ମୂଳରୁ ହିଁ ଦୁର୍ଭାଗ୍ୟ ଜର୍ଜର ଥିଲା, ତାହା ଉପରେ ଏକ କ୍ଷିପ୍ର ଦୃଷ୍ଟିପାତ କରାଯାଉ। ଇଂଲାଣ୍ଡରେ ଏହି ପୁସ୍ତକ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହେବା ପୂର୍ବରୁ ଏହାର ଗୋଟିଏ କପି ‘ଇଣ୍ଡିଆ ଟୁଡେ’ ପତ୍ରିକାର ବରିଷ୍ଠ ଫିଚର ସଂପାଦକ ମଧୁ‌ ଜୈନଙ୍କ ହାତରେ ପଡ଼ି ସାରିଥିଲା, ଯିଏ ଥିଲେ ସଲମାନ ରସଦିଙ୍କ ଜଣେ ଘନିଷ୍ଠ ବନ୍ଧୁ। ସୁତରାଂ, ପୁସ୍ତକଟି ପ୍ରକାଶିତ ‌େହଉ ହେଉ ତାହାର ଏକ ସମୀକ୍ଷା ପ୍ରକାଶ କରିପାରିବାର ସୁଯୋଗ ‘ଇଣ୍ଡିଆ ଟୁଡେ’ ସକାଶେ ଉପସ୍ଥିତ ହୋଇଥିଲା, ଯାହା ମଧ୍ୟ ଥିଲା ପତ୍ରିକା ସକାଶେ ଏକ ବିରଳ ଉପଲବ୍‌ଧି। କିନ୍ତୁ, ସମୀକ୍ଷାଟି ପ୍ରକାଶିତ ହେବା ପରେ ‌େଘାର ବିବାଦର ସୂତ୍ରପାତ ଘଟିଲା, କାରଣ ତହିଁରେ ସ୍ଥାନ ପାଇଥିବା ପୁସ୍ତକର ଉଦ୍ଧୃତାଂଶରୁ ଏକ ଆଭାସ ମିଳିଲା ଯେ ପୁସ୍ତକରେ ପୈଗମ୍ବର ମହମ୍ମଦଙ୍କୁ ନେଇ କେତେକ ଅଶାଳୀନ ଓ ଅପମାନସୂଚକ ଅଭିବ୍ୟକ୍ତିମାନ ରହିଛି। ଏହାକୁ କେନ୍ଦ୍ର କରି ବିବାଦର ସୂତ୍ରପାତ ଘଟାଇଲେ ଭାରତୀୟ ବିଦେଶ ସେବାରୁ ଅବ୍ୟାହତି ନେଇ ରାଜନୀତିକୁ ଓହ୍ଲାଇଥିବା ସୟଦ ଶାହବୁଦ୍ଧିନ, ଯିଏ ଭାରତରେ ଏହି ପୁସ୍ତକକୁ ନିଷିଦ୍ଧ କରିବା ଲାଗି ପ୍ରବଳ ଦାବି କଲେ। ତା’ ପରେ ଲେଖକଙ୍କ ବିରୋଧରେ ଉତ୍ତ୍ୟକ୍ତ ପ୍ରଦର୍ଶନ, ପ୍ରତିଶୋଧ ଲାଗି ଆହ୍ବାନ ଓ ପଣର ପ୍ରକରଣ ଭାରତର ସୀମା ଅତିକ୍ରମ କରି ପାକିସ୍ତାନ, ବାଂଲାଦେଶ ଓ ଅନ୍ୟ ଇସଲାମୀୟ ରାଷ୍ଟ୍ରକୁ ବ୍ୟାପିଗଲା। କୁହାଯାଏ ଯେ ଏହି ପୁସ୍ତକ ସମ୍ବନ୍ଧରେ ପୂର୍ବରୁ ଶୁଣି ନ ଥିଲେ ହେଁ ‌େଟଲିଭିଜନରେ ପାକିସ୍ତାନରେ ହେଉଥିବା ବିକ୍ଷୋଭର ଦୃଶ୍ୟ ଦେଖି ଇରାନର ଶାସକ ଆୟୋତୋଲ୍ଲା ଖୋମିନି ତତ୍‌କ୍ଷଣାତ୍‌ ରସଦିଙ୍କ ବିରୋଧରେ ଫତୱା ଜାରି କରି ପକାଇଲେ। ଭାରତରେ ତତ୍‌କାଳୀନ ରାଜୀବ ଗାନ୍ଧୀଙ୍କ ସରକାର ସାଂପ୍ରଦାୟିକତା ଦୃଷ୍ଟିରୁ ସ୍ପର୍ଶକାତର ଘଟଣାଗୁଡ଼ିକରେ ଅଭ୍ୟାସଗତ ଭାବେ ପ୍ରଦର୍ଶନ କରୁଥିବା ଅପରିପକ୍ବ ପ୍ରତିକ୍ରିୟାର ଆଉ ଏକ ଦୃଷ୍ଟାନ୍ତ ଦେଇ ଏହି ପୁସ୍ତକକୁ ନିଷେଧ କରିଦେଲେ, ଯାହା ପରେ ଅନ୍ୟ କେତେକ ଦେଶ ଏହାର ଅନୁସରଣ କଲେ।
‘ଦ ଷ୍ଟ୍ରେଂଜ ପିଲିଗ୍ରିମ୍‌ସ’ ନାମକ ଏକ ଗଳ୍ପ ସଂକଳନର ପ୍ରସ୍ତୁତି କାଳରେ ପ୍ରଖ୍ୟାତ କଲମ୍ବୀୟ ଲେଖକ ଗାବ୍ରିଏଲ ଗାର୍ସିଆ ମାରକ୍ବେଜ ‘ବହିର ଭାଗ୍ୟ’ ପରିପ୍ରେକ୍ଷୀରେ କହିଥିଲେ ଯେ ଅନେକ ସମୟରେ ପୁସ୍ତକଗୁଡ଼ିକ ମଧ୍ୟ ମନୁଷ୍ୟମାନଙ୍କ ଭଳି ଜଟିଳ ଓ ଛନ୍ଦାଛନ୍ଦି ଭାଗ୍ୟ ନେଇ ଜନ୍ମ ହୁଅନ୍ତି। ଉଲ୍ଲେଖଯୋଗ୍ୟ ଯେ ‘ଦ ଷ୍ଟ୍ରେଂଜ ପିଲିଗ୍ରିମ୍‌ସ’ରେ ସ୍ଥାନ ପାଇଥିବା ତେରଟି ଗଳ୍ପକୁ ଏକତ୍ର କରିବାର ପ୍ରୟାସରେ ସେ ଯେଉଁ ଅନୁଭୂତି ଦେଇ ଗତି କରିଥିଲେ, ତାହା ଥିଲା ଏଭଳି ଏକ ମନ୍ତବ୍ୟର ହେତୁ।
କିନ୍ତୁ ‘ବହିର ଭାଗ୍ୟ’ ସମ୍ବନ୍ଧୀୟ ଅନେକ ଉଦାହରଣ ମଧ୍ୟ ବିଦ୍ୟମାନ। ଆମେରିକୀୟ ଲେଖକ ଅର୍ନେଷ୍ଟ ହେମିଂୱେ ଅନେକ କାଳ ଯାଏ ‌େସହି ସନ୍ତାପରୁ ମୁକ୍ତ ହୋଇ ପାରି ନ ଥିଲେ ‌େଯ ତାଙ୍କ ଦ୍ବାରା ରଚିତ ଅନେକ ଗଳ୍ପ ଓ ଉପନ୍ୟାସର ‘ମାନୁସ୍କ୍ରିପ୍‌ଟ’ ଭରା ଏକ ସୁଟକେସକୁ ତାଙ୍କ ପତ୍ନୀ ଏଲିଜାବେଥ ହେଡ୍‌ଲି ଏକ ରେଳ ଯାତ୍ରା ସମୟରେ କେଉଁଠ ହଜାଇ ଦେଇଥିବାରୁ ସେହି ସବୁ ରଚନା ପୁସ୍ତକାକାରରେ ସୂର୍ଯ୍ୟୋଦୟ ଦେଖିବାର ସୁଯୋଗ ପାଇ ନ ଥିଲେ। ଚେକୋସ୍ଲୋଭାକିଆର ଲେଖକ ଫ୍ରାନ୍‌ଜ କାଫକା ତାଙ୍କ ମୃତ୍ୟୁ ପୂର୍ବରୁ ନିକଟତମ ବନ୍ଧୁ ମାକ୍‌ସ ବଡ୍‌ଙ୍କୁ ତାଙ୍କ ସମସ୍ତ ଗଳ୍ପ ଓ ଉପନ୍ୟାସର ‘ମାନୁସ୍କ୍ରିପ୍‌ଟ’କୁ ନଷ୍ଟ କରି ଦେବାକୁ ଅନୁରୋଧ କରିଥିଲେ ହେଁ ମାକ୍‌ସ ବଡ୍‌ ତାହା ନ କରି ସେ ସବୁକୁ ପୁସ୍ତକାକାରରେ ଛପାଇଥିବାରୁ ଅଦ୍ବିତୀୟ କାଫ୍‌କା ମୃତ୍ୟୁ ପରେ ସ୍ବୀକୃତି ପାଇଲେ। ‘ସାଟାନିକ ଭର୍ସେସ୍‌’ ମଧ୍ୟ ସେହି ଭଳି ଏକ ବିତର୍କିତ ଭାଗ୍ୟଧାରୀ ପୁସ୍ତକ; ଯାହା ଏକ ବନ୍ଧୁର ଯାତ୍ରା ପଥରେ ଘୂରି ବୁଲି ଦୀର୍ଘ ଛତିଶ ବର୍ଷରେ ସେହି ଭୂମିରେ ପହଞ୍ଚିଛି, ଯାହା ତା’ର ଲେଖକଙ୍କ ଜନ୍ମ ଭୂମି ଏବଂ ଯେଉଁଠି ତାଙ୍କ ପୁସ୍ତକର ଆଦୃତି ତାଙ୍କୁ ସର୍ବାଧିକ ଆନନ୍ଦ ଦେଇଥାଏ ବୋଲି ସେ ଅକୁଣ୍ଠ ଭାବେ କହିଥାଆନ୍ତି ଏବଂ ଯେଉଁ ଭୂମି ଜନ୍ମ ହେଉ ନ ହେଉଣୁ ‘ଦ ସାଟାନିକ ଭର୍ସେସ୍‌’କୁ ତ୍ୟାଜ୍ୟ କରି ଦେଇଥିଲା।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.