Breaking News

ସାହିତ୍ୟର ଲକ୍ଷ୍ୟ ସାମୂହିକ ହିତ: ସୌମ୍ୟରଞ୍ଜନ

ନିଜର ଭାଷା, ଭାବନା, ସାମୂହିକ ଚେତନାକୁ ଆଧାର କରି ଯେଉଁ ଶବ୍ଦ ଉତ୍ପନ୍ନ ହୋଇଥାଏ ତାହା ହିଁ ସାହିତ୍ୟ। ସମାଜର ସାମୂହିକ ହିତ ସାଧନ ନିମନ୍ତେ ଯେଉଁ ଭାବ ସୃଷ୍ଟି ହୁଏ ତାହା ହିଁ ସାହିତ୍ୟର ଲକ୍ଷ୍ୟ। ସମାଜର ବିଧି ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଲେ...

ଡମପଡ଼ା: ନିଜର ଭାଷା, ଭାବନା, ସାମୂହିକ ଚେତନାକୁ ଆଧାର କରି ଯେଉଁ ଶବ୍ଦ ଉତ୍ପନ୍ନ ହୋଇଥାଏ ତାହା ହିଁ ସାହିତ୍ୟ। ସମାଜର ସାମୂହିକ ହିତ ସାଧନ ନିମନ୍ତେ ଯେଉଁ ଭାବ ସୃଷ୍ଟି ହୁଏ ତାହା ହିଁ ସାହିତ୍ୟର ଲକ୍ଷ୍ୟ। ସମାଜର ବିଧି ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଲେ କୋଣ ଅନୁକୋଣରେ ଥିବା ସାହିତିକ୍ୟମାନେ ସ୍ୱର ଉତ୍ତୋଳନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଜି ବାଙ୍କୀ ସ୍ୱଂୟଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ଡମପଡ଼ା ‘ସମ୍ବାଦ ସାହିତ୍ୟଘର’ର ଦ୍ୱିତୀୟ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ବିନା ରାଜନୀତିରେ ସାହିତ୍ୟର ଉନ୍ନତି ନାହିଁ। ସାହିତ୍ୟରେ ସର୍ବଦଳୀୟ ବ୍ୟକ୍ତି ବିଶେଷ ଭାଗନେଇ ଓଡ଼ିଆ ଭାଷା ସାହିତ୍ୟର ରୂପରେଖରେ ନୂତନତ୍ବ ଆଣିବାର ଆବଶ୍ୟକତା ରହିଛି। ଅବସର ପରେ ୬୦ରୁ ୮୦ ବର୍ଷ ପର୍ଯ୍ୟନ୍ତ ବରିଷ୍ଠ ନାଗରିକମାନଙ୍କୁ ସମାଜର ଉନ୍ନତିମୂଳକ କାର୍ଯ୍ୟକ୍ରମରେ ସାମିଲ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସଂଖ୍ୟା ଦୃଷ୍ଟିରୁ ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ଓଡ଼ିଶାର ୩୧୪ ବ୍ଲକ୍‌ରେ ୩୭୦ ଗୋଟି ଶାଖା ପ୍ରତିଷ୍ଠିତ ହୋଇପାରିଛି। ସମାଜର ହିତ ପାଇଁ ସାହିତ୍ୟ ସହିତ ଅନ୍ୟାନ୍ୟ ସାମାଜିକ ଉନ୍ନତୀକରଣ କାର୍ଯ୍ୟରେ ସାମିଲ୍‌ ହୋଇ ଓଡ଼ିଶାକୁ ସମୃଦ୍ଧ କରିବା ପାଇଁ ସେ ଆଗାମୀ ପିଢ଼ିକୁ ଆହ୍ବାନ ଦେଇଥିଲେ।

ଡମପଡ଼ା ‘ସମ୍ବାଦ ସାହିତ୍ୟଘର’ର 
ଦ୍ୱିତୀୟ ବାର୍ଷିକ ଉତ୍ସବ

‘ମାତୃଭୂମି’ ପତ୍ରିକାର ଲୋକାର୍ପଣ

ଡମପଡ଼ା ‘ସମ୍ବାଦ ସାହିତ୍ୟଘର’ ଆବାହକ ଅକ୍ଷୟ କୁମାର ସାମଲଙ୍କ ଆବାହକତ୍ୱ ତଥା ସଭାପତି କୌଶିକ୍‌ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ବାଙ୍କୀର ପ୍ରାକ୍ତନ ବିଧାୟକ ତଥା ପ୍ରାକ୍ତନ ରାଜ୍ୟ ମୁଖ୍ୟ ସଚେତକ ପ୍ରଭାତ କୁମାର ତ୍ରିପାଠୀ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରି ଶ୍ରୀ ପଟ୍ଟନାୟକ ରାଜ୍ୟରେ ରକ୍ତଦାନ ଶିବିର ଆୟୋଜନର ସ୍ରଷ୍ଟା ବୋଲି କହିଥିଲେ। ରକ୍ତଦାନ ଅଭିଯାନ ଆରମ୍ଭ କରି ଅନ୍ୟର ଜୀବନ ବଞ୍ଚାଇବା ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ କରି ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ସେ ଯେଉଁ ପ୍ରୟାସ ଆରମ୍ଭ କରିଥିଲେ ତାହା ଆଜି ସାରା ରାଜ୍ୟରେ ଦ୍ରୁମ ପାଲଟିଛି। ଏହାର ମାନଦଣ୍ଡ ହେଉଛନ୍ତି ନିଜେ ଶ୍ରୀ ପଟ୍ଟନାୟକ। ଉତ୍ସବରେ ମୁଖ୍ୟବକ୍ତା ବିଶିଷ୍ଟ ପ୍ରବଚକ ତଥା ବରିଷ୍ଠ ପ୍ରଶିକ୍ଷକ ଡକ୍ଟର ନିତ୍ୟସୁନ୍ଦର ସିଅ ପାଶ୍ଚାତ୍ୟ ଶିକ୍ଷାକୁ ଅନୁକରଣ ନକରି ଶ୍ରୀମଦ୍‌ ଭଗବତ୍‌ ଗୀତାର ଦର୍ଶନ ଜୀବନକୁ କିପରି ରୁଦ୍ଧିମନ୍ତ କରେ ସେ ବିଷୟରେ ଆଲୋଚନା କରିଥିଲେ। ଶସ୍ତ୍ର ସମସ୍ତଙ୍କ ପାଖରେ ଅଛି, କିନ୍ତୁ ଯେଉଁଦିନ ଶାସ୍ତ୍ର ସମସ୍ତଙ୍କ ପାଖରେ ପହଞ୍ଚିବ ସେତେବେଳେ ଆମେ ସମସ୍ତେ ବିଶ୍ୱବିଜୟୀ ହେବା ବୋଲି ସେ କହିଥିଲେ। ବରେଣ୍ୟ ଅତିଥି ରୂପେ ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ଯୋଗଦେଇ ଯେଉଁମାନେ ଲେଖି ପାରୁ ନାହାନ୍ତି କିମ୍ବା ଯେଉଁମାନଙ୍କ ଲେଖା ପ୍ରକାଶ ପାଇପାରୁ ନାହିଁ, ସେମାନଙ୍କୁ ଗୋଟିଏ ପାଦ ଆଗକୁ ନେବା ପାଇଁ ‘ସମ୍ବାଦ ସାହିତ୍ୟଘର’ର ଏହା ଏକ ଭିନ୍ନ ପ୍ରୟାସ ମାତ୍ର ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୁବ ସଂଗଠକ ଅବିନାଶ ପଟ୍ଟନାୟକ ଓ ଅଦୈତ୍ୟ ଫାଉଣ୍ଡେସନ୍‌ର ମହାସଚିବ, ସମାଜସେବୀ ନଳିନୀ କୁମାର ରାୟ ଯୋଗଦେଇ ସାହିତ୍ୟ ଦ୍ୱାରା ସମାଜର ବିଭିନ୍ନ ପ୍ରକାର ଉନ୍ନତି କରାଯାଇପାରିବ ବୋଲି କହିଥିଲେ। ଶିକ୍ଷକ ମନୋଜ କୁମାର ରାଉତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଡମପଡ଼ା ‘ସମ୍ବାଦ ସାହିତ୍ୟଘର’ର ବାର୍ଷିକ ପତ୍ରିକା ‘ମାତୃଭୂମି’କୁ ମଞ୍ଚାସୀନ  ଅିତିଥିମାନେ ଲୋକାର୍ପଣ କରିଥିଲେ।

ଏହି ଅବସରରେ ‘ଆମ ପରିବାର ଚକ୍ର’ ପକ୍ଷରୁ ଶ୍ରୀ ପଟ୍ଟନାୟକଙ୍କୁ ‘ସ୍ବସ୍ତି ସନନ୍ଦ ସମ୍ମାନ’ରେ ସମ୍ବର୍ଦ୍ଧିତ କରଯାଇଥିଲା। ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ତାଳବସ୍ତ ପଞ୍ଚାୟତର ସାଇ ସିମରନ୍ ସ୍ୱାଇଁ ନିଜେ ଆଙ୍କିଥିବା ଶ୍ରୀ ପଟ୍ଟନାୟକଙ୍କ ଏକ ପ୍ରତିଛବି ତାଙ୍କୁ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ପୁଲିସ ଅଧିକାରୀ ପ୍ରସନ୍ନ କୁମାର ମାହାଳଙ୍କୁ ସମାଜ ସାରଥି ସମ୍ମାନ, କମଳାକାନ୍ତ ପ୍ରହରାଜଙ୍କୁ ଆଧ୍ୟାତ୍ମିକ ଜ୍ୟୋତି ସମ୍ମାନ, ଯୁବ ସମାଜସେବୀ ଲକ୍ଷ୍ମୀଧର ରାଉତଙ୍କୁ ଆଦର୍ଶ ରକ୍ତଦାତା ସମ୍ମାନ, ମନୋଜ କୁମାର ମହାପାତ୍ରଙ୍କୁ ଆଦର୍ଶ ଶିକ୍ଷକ ସମ୍ମାନ, ବିପିନ ବିହାରୀ ମହାନ୍ତିଙ୍କୁ ଆଦର୍ଶ ସଂଗଠକ ସମ୍ମାନ, ବଂଶୀଧର ମହାପାତ୍ରଙ୍କୁ ସାହିତ୍ୟ ଜ୍ୟୋତି ସମ୍ମାନ, ଯୁବ ସଂଗଠକ ବିଶ୍ବରଂଜନ ସ୍ୱାଇଁଙ୍କୁ ଯୁବଜ୍ୟୋତି ସମ୍ମାନ, ଗୀତାଞ୍ଜଳି ନାୟକଙ୍କୁ ନାରୀ ଜ୍ୟୋତି ସମ୍ମାନ, ମନୋଜ କୁମାର ରାଉତଙ୍କୁ ଶିକ୍ଷକ ଜ୍ୟୋତି ସମ୍ମାନ, ନିଶାନ୍ତ ପ୍ରିୟମ୍ବଦ ଦାସଙ୍କୁ ଆଦର୍ଶ ସମାଜସେବକ ସମ୍ମାନ, ସମାଜସେବୀ ନିରଞ୍ଜନ ସାହୁଙ୍କୁ ଯୁବ ସାରଥି ସମ୍ମାନ ଓ ପ୍ରଧ୍ୟାପକ ପ୍ରଦୀପ କୁମାର ବେଉରାଙ୍କୁ ଗୁରୁଶ୍ରୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସହ-ସମ୍ପାଦିକା ବିଦ୍ୟୁତ୍‌ଲତା ଭୂୟାଁ, ଶକୁନ୍ତଳା ମଲ୍ଲିକ, ଉପଦେଷ୍ଟାମଣ୍ଡଳୀର ବରିଷ୍ଠ ସଦସ୍ୟ ଡାକ୍ତର ଜଗଦୀଶ ପଣ୍ଡା, ଉପ-ସଭାପତି କାଶୀନାଥ ରାଉତ, ପ୍ରଫୁଲ୍ଲ କୁମାର ପଣ୍ଡା, କାର୍ଯ୍ୟକାରୀ ସଦସ୍ୟ କବି ଲଲାଟେନ୍ଦୁ ପଣ୍ଡା, ମୁରଲୀଧର ବେଉରା, ରମଣୀରଞ୍ଜନ ମହାନ୍ତି, ମନ୍ମଥ କୁମାର ସ୍ବାଇଁ, କଳ୍ପନା ରାଉତ, ସଞ୍ଜୀବ କୁମାର ଦାସ, ସୁରେଶ ଚନ୍ଦ୍ର ସାହୁ, ରବିନାରାୟଣ ମଙ୍ଗରାଜ, ସରୋଜିନୀ ସାହୁ, ଅନନ୍ତ କୁମାର ପଟ୍ଟନାୟକ, ପ୍ରଦୀପ କୁମାର ଜେନା, ସୁରେଶ୍ୱର ବେହେରା, ଚନ୍ଦ୍ରକାନ୍ତି ସିଂହ, କାହ୍ନୁଚରଣ ବେହେରା, ବଳରାମ ପାଇକରାୟ, ଖୁକୁନି ସାହୁ, ନିଶାନ୍ତ ପ୍ରିୟମ୍ବଦ ଦାସ, ଶ୍ୱେତପଦ୍ମା ସାହୁ, ଜଗବନ୍ଧୁ ତୁଙ୍ଗ ସାମନ୍ତ, ଧରଣୀଧର ମହାନ୍ତି, କିଶୋର ନୀଳମାଧବ ମିଶ୍ର, ସ୍ବରାଜଲକ୍ଷ୍ମୀ ଦାସ, ନବ ମହାରଣା, ପିଣ୍ଟୁ ପରିଡ଼ା, ତରୁଲତା ସାହୁ, ଲିଲିତା ଜେନା, ସଦାଶିବ ଦାସ, ମମତାମୟୀ ସ୍ବାଇଁ, ଜ୍ୟୋତିରଞ୍ଜନ ରାଉତ, ଶଶିଭୂଷଣ ତ୍ରିପାଠୀ, କଂଗ୍ରେସ ରଣା, ବିଶ୍ୱରଞ୍ଜନ ସ୍ବାଇଁ, କବୟିତ୍ରୀ ମୁକ୍ତପ୍ରଭା ଆଚାର୍ଯ୍ୟ, ଜୁଲିରାଣୀ ଦାଶ, ସୁବ୍ରତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ମତାମତ ରଖିଥିଲେ। ଉତ୍ସବରେ ବରିଷ୍ଠ ସଂଯୋଜକ କବି ବଂଶୀଧର ମହାପାତ୍ର ଓ କବୟିତ୍ରୀ ଶକୁନ୍ତଳା ମଲ୍ଲିକଙ୍କ ସଂଯୋଜନାରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା। ଆଇଡିଏମ୍‌ ଗ୍ରୁପ୍‌ ପକ୍ଷରୁ ଓଡ଼ିଶୀ ନୃତ୍ୟ, ଭଜନ ଆଦି ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ‘ସମ୍ବାଦ’ ପ୍ରତିନିଧି ତଥା ଡମପଡ଼ା ‘ସମ୍ବାଦ ସାହିତ୍ୟଘର’ ସଂଯୋଜକ ଶୁଭେନ୍ଦୁ କୁମାର ମହାପାତ୍ର ପରିଚାଳନା କରିଥିଲେ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.