Breaking News

ଚମତ୍କାର ୨୪: ବିନା ୟୁନିଫର୍ମରେ ଅଧାବର୍ଷ

ଏପ୍ରିଲ ପହିଲାରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହୋଇଥିଲା। ଛାତ୍ରଛାତ୍ରୀ ଆଶା ରଖିଥିଲେ ଶିକ୍ଷାବର୍ଷ ଆରମ୍ଭରୁ ହିଁ ସେମାନଙ୍କୁ ୟୁନିଫର୍ମ ମିଳିବ। ତେବେ ଅଗଷ୍ଟ ୧୫ ସରିଗଲା। ଗଣେଶ ପୂଜା ବି ଶେଷ ହେଲା। ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମିଳିଲାନି ମାଗଣା ପୋଷାକ।

ଏପ୍ରିଲ ପହିଲାରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହୋଇଥିଲା। ଛାତ୍ରଛାତ୍ରୀ ଆଶା ରଖିଥିଲେ ଶିକ୍ଷାବର୍ଷ ଆରମ୍ଭରୁ ହିଁ ସେମାନଙ୍କୁ ୟୁନିଫର୍ମ ମିଳିବ। ତେବେ ଅଗଷ୍ଟ ୧୫ ସରିଗଲା। ଗଣେଶ ପୂଜା ବି ଶେଷ ହେଲା। ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମିଳିଲାନି ମାଗଣା ପୋଷାକ। ଜୋତା, ମୋଜା କଥା ନ କହିବା ଭଲ। ସେ‌ପ୍ଟେମ୍ବର ସୁଦ୍ଧ‌ା ଶିକ୍ଷାବର୍ଷ ଅଧା ସରିଥିଲେ ମଧ୍ୟ ପିଲାଙ୍କୁ ଜୋତା, ମୋଜା, ପୋଷାକ ଦିଆଯାଇ ନ ଥିଲା। ଏମିତିକି ୨୦୨୩-୨୪ ଆର୍ଥିକ ବର୍ଷରେ ଛାତ୍ରଛାତ୍ରୀଙ୍କୁ ବଣ୍ଟନ ହୋଇଥିବା ପୋଷାକର ଅର୍ଥ ଅକ୍ଟୋବର ମାସ ଯାଏଁ କେତେକ ବିଦ୍ୟାଳୟ ପାଇ ନ ଥିଲେ। ବିଦ୍ୟାଳୟ ପରିଚାଳନା କମିଟି(ଏସ୍‌ଏମ୍‌ସି) ଓ ସ୍କୁଲ କର୍ତ୍ତୃପକ୍ଷ ବିଭାଗୀୟ ଅଧିକାରୀଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିଲେ। ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳି ଥିଲେ ମଧ୍ୟ ଠିକ୍‌ ସମୟରେ ପିଲାଙ୍କୁ ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି।

୨୦୨୪ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିବାଦ ମଧ୍ୟରେ ରହିଥିଲା ଶିକ୍ଷା ବ୍ୟବସ୍ଥା। ‘ନୂଆ-ଓ’ ମାଧ୍ୟମରେ କେତେବେଳେ ପିଲା ବାଟବଣା ହୋଇଛନ୍ତି ତ ଆଉ କେବେ ଶିକ୍ଷକ ନ ଥିବାରୁ ପାଠପଢ଼ା ଠପ୍‌। ଗୁରୁଙ୍କ ଦେହରେ ଏବର୍ଷ ବି ଲାଗିଛି କଳଙ୍କର ଛିଟା। ଦୁର୍ନୀତିମୁକ୍ତ ହୋଇପାରିନି ଶିକ୍ଷା‌ ଅଧିକାରୀମାନଙ୍କ କାର୍ଯ୍ୟାଳୟ। ରାଜ୍ୟ‌ରେ ୨୪ ବର୍ଷର ସରକାର ହଟିଥିଲେ ମଧ୍ୟ ବଦଳିପାରିନି ଶିକ୍ଷା ଓ ଶିକ୍ଷକଙ୍କ ଦୁର୍ଦ୍ଦଶା। ନିଜର ହକ୍‌ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କଠାରୁ ଆରମ୍ଭ କରି ଅଙ୍ଗନବାଡ଼ି କର୍ମୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ନୂଆ ସରକାର  ନୂଆ ନୂଆ ଯୋଜନା କରିଛନ୍ତି। ନାଲିଫିତା ତଳେ ଥିବା ଜାତୀୟ ଶିକ୍ଷାନୀତି ‌ଫାଇଲ୍‌ ଖୋଲିଛି। ବିଦ୍ୟାର୍ଥୀଙ୍କ ଗୁଣାତ୍ମକ ଶିକ୍ଷା କଥା ଯେତିକି ଚିନ୍ତା କରା ନ ଯାଇଛି ତା’ଠାରୁ ବେଶି ବିବାଦ ମଧ୍ୟରେ କଟିଛି ବର୍ଷ ୨୦୨୪…

ନିର୍ବାଚନ ଆଶା ଦେଖାଇ ନିରାଶ କଲେ
ରାଜ୍ୟରେ ବିଜେପି ସରକାର ଗଠନ ପରେ ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ଉଚ୍ଚଶିକ୍ଷା ମନ୍ତ୍ରୀ ମତ ରଖିଥିଲେ। ନିର୍ବାଚନ ଉପରେ ଆଲୋଚନା ଚାଲିଥିବା ନେଇ ଏକାଧିକ ଥର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ। ଏପରିକି ପୂର୍ବ ସରକାର କୋଭିଡ୍ ଆଳରେ ନିର୍ବାଚନକୁ ବନ୍ଦ କରିଥିବା ଅଭିଯୋଗ ଆଣିଥିଲେ। ମାତ୍ର ଅଗଷ୍ଟ ମାସରେ ନିର୍ବାଚନ ହେବ ନାହିଁ ବୋଲି ଆଇନ ମନ୍ତ୍ରୀ ବକ୍ତବ୍ୟ ଦେବା ପରେ ବିବାଦ ମୁଣ୍ଡ ଟେକିଥିଲା। ବିଜୁ ଛାତ୍ର ଜନତା ଦଳ ସମେତ ଏବିଭିପି, ଛାତ୍ର କଂଗ୍ରେସ, ଏଆଇଡିଏସ୍‌ଓ ପରି ଛାତ୍ର ସଙ୍ଗଠନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ନିର୍ବାଚନ କରିବାକୁ ଅଡ଼ି ବସିଥିଲେ। କିଛି ଦିନ ଧରି ରାଜ୍ୟ ରାଜନୀତି ସରଗରମ ସହ ଦୁଇଟି ଛାତ୍ର ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇଥିଲେ। ହେଲେ ରାଜ୍ୟ ସରକାର ନିଷ୍ପତ୍ତିରେ ଅଟଳ ରହିଲେ। ଲଗାତାର ସପ୍ତମ ବର୍ଷ ପାଇଁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ହେଲା ନାହିଁ।

ଏନ୍‌ଇପି ପାଇଁ ଅଣ୍ଟା ଭିଡ଼ିଲେ
ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୦ ଲାଗୁ ନେଇ ରାଜ୍ୟ ସରକାର ଏବର୍ଷ ତତ୍ପରତା ପ୍ରକାଶ କରିଛନ୍ତି। ସ୍ନାତକ(ୟୁଜି) ସ୍ତରରେ ଏନ୍‌ଇପି ଲାଗୁ କରିଛନ୍ତି। ପିଜି ସ୍ତରରେ ଲାଗୁ କରିବାକୁ ଏକାଧିକ କର୍ମଶାଳା କରାଯାଇ ବ୍ୟାପକ ଆଲୋଚନା ହୋଇଛି। ୨୦୨୫-୨୬ ଶିକ୍ଷାବର୍ଷରୁ ବିଦ୍ୟାଳୟସ୍ତରରେ ପ୍ରଚଳିତ କରିବାକୁ ଗଣଶିକ୍ଷା ମନ୍ତ୍ରୀ ଘୋଷଣା କରିସାରିଛନ୍ତି। କେବଳ ସେତିକି ନୁହେଁ, ୨୦୨୦ରେ ଏନ୍‌ଇପି ଲାଗୁ ନେଇ ତତ୍‌କାଳୀନ ବିଜେଡି ସରକାର ଗଠନ କରିଥିବା ଟାସ୍କଫୋର୍ସର ପୁନର୍ଗଠନ ହୋଇଛି। କମିଟିରେ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ସହ ନୂତନ ଭାବେ ନିମନ୍ତ୍ରିତ ଅତିଥିମାନଙ୍କୁ ସାମିଲ କରାଯାଇଛି। ସେହିପରି ୨୦୨୦ରେ ଗଠନ ହୋଇଥିବା ୬ଟି ସବ୍‌କମିଟି ମଧ୍ୟ ପୁନର୍ଗଠିତ ହୋଇଥିଲା।

ମଧ୍ୟାହ୍ନଭୋଜନ ଖର୍ଚ୍ଚ ବାଧିଲା ପରେ ବଢ଼ାଇଲେ

ପ୍ରାଥମିକ ବିଦ୍ୟା‌ଳୟ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ମଧ୍ୟାହ୍ନଭୋଜନକୁ ନେଇ ବର୍ଷତମାମ ହୋହଲ୍ଲା ଚାଲିଥିଲା। ଡାଲି ଦର ବୃଦ୍ଧି ଯୋଗୁଁ କେଉଁଠି ଡାଲମାରୁ ଡାଲି ଉଭେଇ ଯାଇଥିଲା ତ ପନିପରିବା ଦର ବୃଦ୍ଧି ପାଇଁ ଡାଲମା ଡାଲିରେ ପରିଣତ ହୋଇଥିଲା। ଅଣ୍ଡା ଗୋଟାକୁ ଫାଳ କରି ପିଲାଙ୍କୁ ଦିଆଯିବାର ଚିତ୍ର ଏବର୍ଷ ସାମ୍ନାକୁ ଆସିଥିଲା। ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ମିଳୁ ନଥିବା ନେଇ ଅଭିଯୋଗ ମଧ୍ୟ ଆସିଥିଲା। ମଧ୍ୟାହ୍ନଭୋଜନକୁ ନେଇ ପ୍ରତିବାଦ ବଢ଼ିବା ପରେ ଟଙ୍କାଏ ଲେଖାଏଁ ବଢ଼ାଇବାକୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ। ଏହାର ପରବର୍ତ୍ତୀ ସମୟରେ ପୁଣିଥରେ ଦର ବଢ଼ାଇବାରୁ ବର୍ଷ ଶେଷ ଆଡ଼କୁ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକମାନର ମଧ୍ୟାହ୍ନଭୋଜନ ମିଳିଥିଲା।

ବିନା ୟୁନିଫର୍ମରେ ଅଧାବର୍ଷ, ପଞ୍ଚମ ଓ ଅଷ୍ଟମରେ ଫେଲ୍‌

ଓଡ଼ିଶାରେ ନୂଆ ସରକାର କ୍ଷମତାକୁ ଆସିବା ପରେ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ପାଇଁ ନୂଆ ନୂଆ ଯୋଜନା ଅପଣାଇଛନ୍ତି। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ବିକାଶ କରିବାକୁ ୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ହୋଇଛି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୧୩୯ କୋଟି ବ୍ୟୟବରାଦ ସହ କେଉଁ ବାବଦରେ କେଉଁ ପୁରସ୍କାର ଦିଆଯିବ ଘୋଷଣା ହୋଇଛି। ୨୦୨୪-୨୫ ଆର୍ଥିକ ବର୍ଷରୁ ପିଏମ୍‌-ଶ୍ରୀ ଯୋଜନା କାର୍ଯ୍ୟକାରୀ କରିବାକୁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଥର ପାଇଁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା ପ୍ରଚଳନ କରାଯାଇଛି। ଶିକ୍ଷା ଅଧିକାର ଆଇନରେ ଏବର୍ଷ ବଡ଼ ପରିବର୍ତ୍ତନ ହୋଇଛି। ନୂତନ ନିୟମ ଅନୁଯାୟୀ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବେ ନାହିଁ। ତେବେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀ ଦୁଇ ମାସ ମଧ୍ୟରେ ପୁଣିଥରେ ପରୀକ୍ଷା ଦେବାର ସୁଯୋଗ ପାଇବେ। ଯଦି ସେମାନେ ଦ୍ୱିତୀୟ ଥର ଫେଲ୍ ହୁଅନ୍ତି, ତେବେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ ନାହିଁ ଏବଂ ସେହି ଶ୍ରେଣୀରେ ଆଉ ବର୍ଷେ ପଢ଼ିବେ। ବର୍ଷ ଶେଷ ଆଡ଼କୁ ନିଆଯାଇଥିବା ଏଭଳି ନିଷ୍ପତ୍ତିକୁ ନେଇ ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ବିରୋଧର ସ୍ବର ଉଠିବାରେ ଲାଗିଛି।

‘ମୋ ସ୍କୁଲ’ରେ ପୂର୍ଣ୍ଣଚ୍ଛେଦ
ଉଚ୍ଚବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ସହ ଭିତ୍ତିଭୂମି ବିକାଶ କରିବାକୁ ୨୦୧୮ରୁ ରାଜ୍ୟରେ ପ୍ରଚଳିତ ହୋଇଥିବା ‘ମୋ ସ୍କୁଲ’ ଅଭିଯାନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ନୂଆ ସରକାର ‘ପଞ୍ଚସଖା ଶିକ୍ଷା ସେତୁ’ ଯୋଜନା କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ପୂର୍ବରୁ ଥିବା ‘ମୋ ସ୍କୁଲ ଅଭିଯାନ’ର ନାମ ପରିବର୍ତ୍ତନ କରାଯାଇ ଏବେ ‘ପଞ୍ଚସଖା ଶିକ୍ଷା ସେତୁ’ ରଖାଯାଇଛି। ଯେଉଁଥିରେ ପୁରାତନ ଛାତ୍ରଛାତ୍ରୀ, ପୁରାତନ ଛାତ୍ର ସଙ୍ଗଠନ, ନିର୍ଦ୍ଦିଷ୍ଟ ଗ୍ରୁପ୍‌ର ବ୍ୟକ୍ତିବିଶେଷ, ଅନୁଷ୍ଠାନ, ସାମାଜିକ ସଙ୍ଗଠନ, କମ୍ପାନି, ଫାଉଣ୍ଡେସନ୍‌ ପ୍ରମୁଖ ବିଦ୍ୟାଳୟର ଭିତ୍ତିଭୂମି ବିକ‌ାଶ ଦିଗରେ ହାତ ବଢ଼ାଇବେ। ଅର୍ଥ, ସାମଗ୍ରୀ କିମ୍ବା ବିଦ୍ୟାଳୟର ବିକାଶ ନେଇ ଯେକୌଣସି ସେବା ଯୋଗାଇପାରିବେ। ପଞ୍ଚସଖା ଶିକ୍ଷା ସେତୁ ସଙ୍ଗଠନ ହେବ। ରାଜ୍ୟ ବଜେଟ୍‌ରେ ଏନେଇ ଘୋଷଣା ହୋଇଥିବା ବେଳେ ଏବେ ରାଜ୍ୟ ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି।‘ନୂଆ-ଓ’ ଠପ୍‌
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ବିଜେଡି ସରକାର ‘ନୂଆ ଓ’ ଭଳି ଅଭିନବ ଯୋଜନା ହାତକୁ ନେଇଥିଲେ। ଏଥିରେ ଛାତ୍ରୀଙ୍କୁ ୧୦ ହଜାର ଓ ଛାତ୍ରଙ୍କୁ ୯ ହଜାର ଟଙ୍କା ଛାତ୍ରବୃତ୍ତି ମିଳିଥିଲା। ପାଖାପାଖି ସାଢ଼େ ୪ ଲକ୍ଷ ଛାତ୍ରଛାତ୍ରୀ ବୃତ୍ତି ପାଇଥିଲେ। ଏଥିସହ ଛାତ୍ରଛାତ୍ରୀଙ୍କ ପାଇଁ ‘ନବୀନ ଓଡ଼ିଶା ମ୍ୟାଜିକ୍‌’ କାର୍ଡ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା, ଶୃଙ୍ଖଳା, ଭାଗୀଦାରି, କ୍ରୀଡ଼ା, ବ୍ୟକ୍ତିତ୍ବ ବିକାଶ, ପାରଦର୍ଶିତା ଓ ଅନ୍ୟାନ୍ୟ ଗଠନମୂଳକ କାର୍ଯ୍ୟ ଜରିଆରେ ପଏଣ୍ଟ ପାଇବା ସହ ସେହି ଅନୁସାରେ ସିଲଭର, ଗୋଲ୍ଡ, ପ୍ଲାଟିନମ୍ କାର୍ଡର ସ୍ତର ବଢ଼ାଇବାକୁ ରୂପରେଖ ପ୍ରସ୍ତୁତ ହୋଇଥିଲା। ଅଗଷ୍ଟ ସୁଦ୍ଧା ସବୁ ଛାତ୍ରଛାତ୍ରୀଙ୍କୁ ଏହି କାର୍ଡ ମିଳିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ତା’ପୂର୍ବରୁ ରାଜ୍ୟରେ ସରକାର ବଦଳି ଯାଇଥିଲା। ବିଜେପି ସରକାର କ୍ଷମତାକୁ ଆସିବା କ୍ଷଣି ‘ନୂଆ-ଓ’ ଯୋଜନାକୁ ବନ୍ଦ କରି ଦିଆଯାଇଥିଲା। ଚଳିତବର୍ଷ ବଜେଟ୍‌ରେ ଏନେଇ କୌଣସି ଅର୍ଥ ବ୍ୟବସ୍ଥା ହୋଇ ନାହିଁ। ବରଂ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ‘ଫାଇନାନ୍ସିଆଲ୍‌ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ୍‌ ପିଜି ଷ୍ଟୁଡେଣ୍ଟ୍‌’ ନାମକ ଏକ ଯୋଜନା ପ୍ରଣୟନର ଘୋଷଣା କରାଯାଇଛି।ନାଚଗୀତରେ ଉଡ଼ିଲା ଟଙ୍କା
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ‘ନୂଆ-ଓ’ ଯୋଜନା ଅଧୀନରେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ ଏକାଧିକ କାର୍ଯ୍ୟକ୍ରମ ହୋଇଥିଲା। ନାଚଗୀତ ସାଙ୍ଗକୁ କ୍ରୀଡ଼ା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଭରପୂର ମନୋରଞ୍ଜନ କରାଯାଇଥିଲା। ଏ ବାବଦରେ କେଉଁ ‌କ୍ୟାମ୍ପସ୍‌କୁ ୭୨ ଲକ୍ଷ ଟଙ୍କା ତ ଆଉ କାହାକୁ ୫୦ ଲକ୍ଷ ଟଙ୍କା ଦିଆଯାଇଥିଲା। ପ୍ରତିଯୋଗିତା ନାଁରେ ତତ୍‌କାଳୀନ ସରକାର ହାତ ଖୋଲି ଅର୍ଥ ଅଜାଡ଼ି ଦେଇଥିଲେ। ଲକ୍ଷ୍ୟ ଥିଲା ଯୁବ ଭୋଟରଙ୍କୁ ଆକୃଷ୍ଟ କରିବେ। ଏହା କେତେଦୂର ଫଳପ୍ରଦ ହେଲା କି ନାହିଁ ତାହା ଭୋଟ ବାକ୍ସ ଭିତରେ ରହିଗଲା। ହେଲେ ‘ଡାଲେମା ଡାଲେମା…, ଓଉ ରାଇତା…’ ପରି ଭିଡ଼ିଓ ତିଆରି କରି ଛାତ୍ରୀମାନେ ରାତାରାତି ଭାଇରାଲ୍‌ ହୋଇଗଲେ। ପାଖାପାଖି ୯୫ କୋଟି ଟଙ୍କା ଖର୍ଚ୍ଚରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ହୋଇଥିବା ଏକାଧିକ କାର୍ଯ୍ୟକ୍ରମରୁ ଜଣେ ବି ପ୍ରତିଭାବାନ ଛାତ୍ର/ଛାତ୍ରୀ ବାହାରକୁ ଆସିପାରିଲେ ନାହିଁ।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.