Breaking News

ଚମତ୍କାର ୨୪: ଘାରିଛି ସାଇବର୍‌ ଭୟ

ଆଜିର ଅତ୍ୟାଧୁନିକ ଯୁଗରେ ଇଣ୍ଟରନେଟ୍‌ ଓ ମୋବାଇଲ୍‌ ଅତ୍ୟାବଶ୍ୟକ ହୋଇପଡ଼ିଛି। ଇଣ୍ଟରନେଟ୍‌‌ ବିନା ଜୀବନଯାତ୍ରା ସତେଯେପରି ଅସମ୍ପୂର୍ଣ୍ଣ ହୋଇଯାଇଛି। ହେଲେ ବିଡ଼ମ୍ବନାର ବିଷୟ ଯେ ଇଣ୍ଟରନେଟ୍‌‌ ଓ ମୋବାଇଲ୍‌‌ ଉପରେ ଲୋକଙ୍କ...

ଆଜିର ଅତ୍ୟାଧୁନିକ ଯୁଗରେ ଇଣ୍ଟରନେଟ୍‌ ଓ ମୋବାଇଲ୍‌ ଅତ୍ୟାବଶ୍ୟକ ହୋଇପଡ଼ିଛି। ଇଣ୍ଟରନେଟ୍‌‌ ବିନା ଜୀବନଯାତ୍ରା ସତେଯେପରି ଅସମ୍ପୂର୍ଣ୍ଣ ହୋଇଯାଇଛି। ହେଲେ ବିଡ଼ମ୍ବନାର ବିଷୟ ଯେ ଇଣ୍ଟରନେଟ୍‌‌ ଓ ମୋବାଇଲ୍‌‌ ଉପରେ ଲୋକଙ୍କ ନିର୍ଭରଶୀଳତା ଯେତିକି ବଢ଼ିଚାଲିଛି, ତା’ ସହ ତାଳଦେଇ ସାଇବର ଅପରାଧ ଓ ଅପରାଧୀଙ୍କ ସଂଖ୍ୟା ମଧ୍ୟ  ସେତିକି ବଢ଼଼ିବାରେ ଲାଗିଛି। ଏହା କେବଳ ଆଞ୍ଚଳିକ କିମ୍ବା ଜାତୀୟ ସମସ୍ୟା ନୁହେଁ, ବରଂ ଅନ୍ତର୍ଜାତୀୟ ସଙ୍କଟ ରୂପେ ଉଭା ହୋଇଛି। ଯାହାକୁ ନେଇ ଏବେ ବ୍ୟବସାୟ କ୍ଷେତ୍ରଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ଗଣମାଧ୍ୟମ, ପ୍ରତିରକ୍ଷା  ସବୁ କ୍ଷେତ୍ରରେ ସାଇବର ଠକେଇର ଭୟ ରହିଛି। କୌଣସି ସମୟରେ ସାଇବର ଅପରାଧୀ କିଛି ବି କରିପାରନ୍ତି ବୋଲି ଚିନ୍ତା ଘାରିଛି। ଗତ ବର୍ଷକ ମଧ୍ୟରେ ସାଇବର ଅପରାଧୀ କେବଳ ଓଡ଼ିଶାରୁ ୧୬୨କୋଟିରୁ ଅଧିକ ଟଙ୍କାର ଚୂନ ଲଗାଇଛନ୍ତି।

ବିହାର, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ରାଜସ୍ଥାନ ହଟ୍‌ସ୍ପଟ୍‌ 
ସାରା ଦେଶରେ ହେଉଥିବା ସାଇବର ଅପରାଧକୁ ସମୀକ୍ଷା କଲେ ବିହାର, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ ଓ ପଶ୍ଚିମବଙ୍ଗ କଥା ଆଗକୁ ଆସେ। ଗତ ୩ବର୍ଷରେ ୩୪୪ ଜଣ ସାଇବର ଠକଙ୍କୁ ଗିରଫ କରାଗଲାଣି। ୨୦୨୨ରେ ୧୨୮ଜଣ, ୨୦୨୩ରେ ୧୬୩ଜଣ ଓ ୨୦୨୪ରେ ୫୩ଜଣଙ୍କୁ ଗିରଫ କରାଯାଇଛି। ଆଜି ପର୍ଯ୍ୟନ୍ତ ଯେତେ ସାଇବର ଅପରାଧୀ ଧରାପଡ଼ିଛନ୍ତି ଅଧିକାଂଶ ଏହି ରାଜ୍ୟମାନଙ୍କରୁ ଆସିଛନ୍ତି। ହେଲେ ଗତ କିଛିମାସ ହେବ ଏବେ କେରଳ ଓ ତାମିଲନାଡୁରୁ ସାଇବର ଠକଙ୍କ ଚିତ୍ର ପଦାକୁ ଆସୁଛି।

ମିଳିଛି ମାତ୍ର ୩କୋଟି
ସାଇବର ଲୁଟେରାଙ୍କ କବଳରୁ ଲୋକଙ୍କ ଟଙ୍କା ଫେରାଇ ଆଣିବା ପାଇଁ ପୁଲିସ ସମସ୍ତ ଉଦ୍ୟମ ଜାରି ରଖିଛି। ପୁଲିସ କିଛି ମାମଲାରେ ସଫଳତା ହାସଲ କରିଛି। ଏପର୍ଯ୍ୟନ୍ତ ପୁଲିସ ମାତ୍ର ୩.୨‌କୋଟି ଟଙ୍କା ଠକଙ୍କ କବଳରୁ ଆଣିପାରିଛି। ୨୦୨୨ ମସିହାରେ ୯୭ଲକ୍ଷ, ୨୦୨୩ରେ ୧.୫୨କୋଟି ଓ ୨୦୨୪ରେ ୫୩  କୋଟି ଟଙ୍କା ଫେରାଇ ଆଣିବାରେ ସକ୍ଷମ ହୋଇଛି। ହେଲେ ଚଳିତ ବର୍ଷ ସର୍ବାଧିକ ୩.୭୭କୋଟି ଟଙ୍କା ପୁଲିସ ଫ୍ରିଜ୍‌ କରିଥିବା ବେଳେ ୨୦୨୨ରେ ୨.୨୭ କୋଟି ଏବଂ ୨୦୨୩ରେ ୭୬ଲକ୍ଷ ଟଙ୍କା ଫ୍ରିଜ୍‌ କରାଯାଇଛି।
ସବୁକୁ ଟପିଗଲା ୨୦୨୪
ରାଜ୍ୟରେ ସାଇବର ଲୁଟେରାଙ୍କ ଦୌରାତ୍ମ୍ୟ ଢେର ବଢ଼ିଯାଇଛି। ପୁଲିସ ଯେତେ ସଚେତନ କଲେ ବି ସାଇବର ଠକେଇ ଥମିବାର ନାଁ ଧରୁନି। ଯାହାକି ଗତ ୩ବର୍ଷର ତଥ୍ୟକୁ ଚଳିତ ବର୍ଷ ସହ ତୁଳନା କଲେ ସ୍ପଷ୍ଟ ବାରି ହେଉଛି। ଗତ ୨୦୨୨ ମସିହାରେ ରାଜ୍ୟରେ ୧୯୮୩ ମାମଲା ରୁଜୁ ହୋଇଥିବା ବେଳେ ଠକ ୩୭.୨୮କୋଟି ଚୂନ ଲଗାଇଥିଲେ। ସେହିପରି ୨୦୨୩ରେ ୨୩୪୮ ଟି ସାଇବର ଠକେଇ ମାମଲା ରୁଜୁ କରାଯାଇଥିବା ବେଳେ ଠକ ୪୮କୋଟି ଟଙ୍କା ଠକି ନେଇଥିଲେ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ୨୦୨୪ରେ ପୂର୍ବ ବର୍ଷ ଅପେକ୍ଷା କମ୍‌ ମାମଲା ରୁଜୁ ହୋଇଥିଲେ ବି ଠକ ଦୁଇ ବର୍ଷରେ ଠକେଇ ଠାରୁ ଢ଼େର ଅଧିକ ଅର୍ଥାତ୍‌ ୧୬୨କୋଟି ଟଙ୍କା ନେଇଯାଇଛନ୍ତି।
ଭିନ୍ନ ଭିନ୍ନ ତରିକାରେ ଲୁଟ୍‌
ଓଡ଼ିଶାରେ ଘଟୁଥିବା ଅପରାଧ ମୁଖ୍ୟତଃ ଫୋନ୍‌ କରି ବ୍ୟାଙ୍କ ଆକାଉଣ୍ଟ ଅଚଳ ଧମକ ଦେଇ ସୂଚନା ମାଗିନେବା, ଅଚଳ ଜୀବନ ବୀମା ପଲିସିକୁ ଚାଲୁ କରାଇବା ପାଇଁ କହିବା, କ୍ରେଡିଟ୍‌ କାର୍ଡର କ୍ରୟ କ୍ଷମତା ବୃଦ୍ଧି, ଫୋନ୍‌ କରି ମିଛ ପରିଚୟ ଦେଇ ଓଟିପି, ପିନ୍‌‌, ସିଭିଭି, ଆକାଉଣ୍ଟ ନମ୍ବର, ଆଧାର ନମ୍ୱର ଆଦି ହାସଲ କରିବା, ଉପଭୋକ୍ତାଙ୍କ ଅଜାଣତରେ ତାଙ୍କ କ୍ରେଡିଟ୍‌ କାର୍ଡ ଓ ଆକାଉଣ୍ଟ ସୃଷ୍ଟି କରିବା, କେୱାଇସି ଅପଡେଟ୍‌ ନାମରେ ବ୍ୟକ୍ତିଗତ ତଥ୍ୟ ଓ ସୂଚନା ହାତେଇ ଆକାଉଣ୍ଟ ଖାଲି କରୁଛନ୍ତି। ସେହିପରି ଟିକଟ୍‌ ବୁକିଂ ଓ ବାତିଲ, ବିଲ୍‌ ପେମେଣ୍ଟ, ଜମିରେ ଟାୱାର ବସାଇବା, ପୁଞ୍ଜିନିବେଶ ଆଳରେ, ମାଟ୍ରିମୋନି ସାଇଟ୍‌, କୋରିଅର ସେବା, ପ୍ୟାକର୍ସ ଓ ମୁଭର୍ସ ସେବା, ଶସ୍ତାରେ ଜିନିଷ ଯୋଗାଇ ଦେବା ଆଳରେ ମଧ୍ୟ ସାଇବର ଠକଙ୍କ ହାବୁଡ଼ରେ ପଡ଼ିପାରନ୍ତି। ସୋସିଆଲ୍‌ ମିଡିଆରେ ବନ୍ଧୁତା କରି ଅଶ୍ଳୀଳ ଫଟୋ କିମ୍ୱା ଭିଡିଓ ପ୍ରସ୍ତୁତ କରି ଭାଇରାଲ୍‌ କରିବାର ଧମକ ଦେଇ ଆକାଉଣ୍ଟରୁ ଅର୍ଥ ଲୁଟନ୍ତି।

ସାବାଡ଼୍‌ କରିବେ କମାଣ୍ଡୋ
ଦିନକୁ ଦିନ ହ୍ୟାକର୍‌ମାନେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଚୋରି କରିବା ସହ ବ୍ଲାକ୍‌ମେଲ୍‌ କରିବା ଘଟଣା ବଢ଼ିବା‌ରେ ଲାଗିଛି। ଏହାର ମୁକାବିଲା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣା-ଳୟ ପକ୍ଷରୁ ଏକ ବ୍ଲୁପ୍ରିଣ୍ଟ ତିଆରି କରାଯାଇଛି। ସାଇବର ଆକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ସାଇବର କମାଣ୍ଡୋ ଗଠନ କରାଯାଇଛି। ଏହି ଯୋଜନାରେ ସାରା ଦେଶରୁ ‌୭୪୭ ଜଣ ଅଫିସର ଆବେଦନ କରିଥିବା ବେଳେ ୩୪୬ ଜଣ ମନୋନୀତ ହୋଇଛନ୍ତି। ସେମାନଙ୍କ ଭିତରେ ଓଡ଼ିଶାରୁ ୭ଜଣଙ୍କୁ ସ୍ଥାନ ମିଳିଛି। ଏହି ୭ ଜଣଙ୍କ ମଧ୍ୟରୁ ଭୁବନେଶ୍ବର କ୍ରାଇମବ୍ରାଞ୍ଚ ସାଇବର୍‌ ୟୁନିଟ୍‌ର ୫ ଜଣ ଥିବା ବେଳେ କଟକ ୟୁନିଟ୍‌ର ୨ଜଣ ଅଫିସର ଅଛନ୍ତି। ସାଇବର କମାଣ୍ଡୋଙ୍କୁ  ଦିଲ୍ଲୀ ଓ ଗୁଜରାଟରେ ଥିବା ଜାତୀୟ ସାଇବର ଫୋରେନସିକ୍‌ ଲାବ୍‌ରେ ୬ମାସ ଧରି ପ୍ରଶିକ୍ଷଣ ଦିଆଯିବ।

ନୂଆ ତରିକାରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରି ଲୁଟୁଛନ୍ତି। ତାହା ହେଲା ଡିଜିଟାଲ୍‌ ଆରେଷ୍ଟ। ଏଥିପାଇଁ ସାଇବର ଠକ ନିଜକୁ ସେନା ଅଧିକାରୀ, କଷ୍ଟମ୍‌ସ, ଜିଏସ୍‌ଟି, ଆୟକର, ନାର୍କୋ, ସିବିଆଇ, ବାଣିଜ୍ୟକର ବିଭାଗର ଅଧିକାରୀ ବୋଲି ପରିଚୟ ଦେଇ ବିଭିନ୍ନ ମାମଲା ଥିବା ଦର୍ଶାଇ ଗିରଫ ଭୟ ସୃଷ୍ଟି କରନ୍ତି। ସେମାନେ ଯେଭଳି ଘରୁ ବାହାରକୁ ଯାଇ ନ ପାରି‌‌ବେ। ସେଥିପାଇଁ ଭିଡିଓ କଲ୍‌ ମଧ୍ୟରେ ଲୋକଙ୍କ ଉପରେ ନଜର ରଖି ଏକ ପ୍ରକାର ବନ୍ଦୀ କରି ରଖନ୍ତି।  ମାମଲାର ରଫାଦଫା ପାଇଁ ଆକାଉଣ୍ଟ୍‌ରେ ଟଙ୍କା ପଠାଇବାକୁ ବାଧ୍ୟ କରନ୍ତି।

ସାଇବର ଠକଙ୍କ ପାଇଁ ନୂଆ ଅସ୍ତ୍ର ପାଲଟିଛି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ(ଏଆଇ)। ଏଆଇକୁ ବ୍ୟବହାର କରି ସାଇବର ଠକ ଯେ କୌଣସି ବ୍ୟକ୍ତି ଓ ଜିନିଷର ଅବିକଳ କରିପାରୁଛନ୍ତି। ବିଶେଷକରି ସୋସିଆଲ୍‌ ମିଡିଆ ଆକାଉଣ୍ଟ, ହ୍ୟାଣ୍ଡେଲ୍‌ରେ ଜାଲ୍‌ ଆକାଉଣ୍ଟ ଖୋଲି ଲୋକଙ୍କୁ ଫସାଉଛନ୍ତି। ଭଏସ୍‌ କଲ୍‌, ଭିଡିଓ କଲ୍‌ରେ ଅବିକଳ ଛବି ଓ ସ୍ବର ମାଧ୍ୟମରେ ଲୋକଙ୍କ ବିଶ୍ବାସଭାଜନ ହୋଇ ଆକାଉଣ୍ଟ ଖାଲି କରୁଛନ୍ତି। ଖାଲି ସେତିକି ନୁହେଁ, ଅବିକଳ ଭିଡିଓ କ୍ଲିପ୍‌ କରି ବ୍ଲାକ୍‌ମେଲ୍‌ କରୁଛନ୍ତି। ଚଳିତ ବର୍ଷ ସାଧାରଣ ନିର୍ବାଚନ ସମୟରେ ମଧ୍ୟ ଏଆଇକୁ ନେଇ ଅନେକ ବିବାଦ ସାମ୍ନାକୁ ଆସିଥିଲା। ସୋସିଆଲ୍‌ ମିଡିଆରେ ବିଭିନ୍ନ ଦଳ ମିଥ୍ୟା ପ୍ରଚାର, ଅପପ୍ରଚାର କରିଥିଲେ। ବାସ୍ତବରେ କିଏ କାହା ବିରୋଧରେ ପ୍ରଚାରପ୍ରସାର କରୁଥିଲା, ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା।

ବଢ଼ିଛି ମହିଳା ଓ ଶିଶୁ ବିରୋଧୀ ଅପରାଧ
ସାଇବର ଅପରାଧୀଙ୍କ କବଳରୁ ବର୍ତ୍ତିପାରି ନାହାନ୍ତି ମହିଳା ଓ ଶିଶୁ। ରାଜ୍ୟରେ ଗତ ୨୦୨୨ରେ ୭୨୩ ମାମଲା ରୁଜୁ ହୋଇଥିବା ବେଳେ ୨୦୨୩ରେ ୯୨୫ଟି ମାମଲା ରୁଜୁ ହୋଇଥିଲା। ୨୦୨୪ ‌ଅକ୍ଟୋବର ସୁଦ୍ଧା ୭୧୯ ମାମଲା ରୁଜୁ ହୋଇଥିଲା। ପୂର୍ବ ବର୍ଷ ଅପେକ୍ଷା ଢେର ଅଧିକ ମାମଲା ରୁଜୁ ହୋଇଥିବା ଆକଳନ କରାଯାଉଛି। ତେବେ ସାମାଜିକ ଗଣମାଧ୍ୟମରେ ହିଁ ଅଧିକାଂଶ ଅପରାଧ ଘଟିଛି।

ବିଶେଷଜ୍ଞଙ୍କ ମତରେ 

ଯେତେବେଳେ ଆମେ କମ୍ପ୍ୟୁଟରକୁ ଇଣ୍ଟରନେଟ ୍‌ସହିତ ସଂଯୋଗ କରୁ ଏହା ହୋଇଯାଏ ଅନ୍‌ଲାଇନ୍‌। ୱାଲର୍ଡ ୱାଇଡ୍‌‌ ୱେବ୍‌‌ ଦ୍ୱାରା ରେଡିଓ ୱେବ୍‌‌ ବା ରେଡିଓ ସିଗ୍‌‌ନାଲ୍‌‌ ଜରିଆରେ ଆମର ଯନ୍ତ୍ରାଂଶଟି ପୃଥିବୀର ଇଣ୍ଟର୍‌ନେଟ୍‌ ସଂଯୋଗ ଥିବା ସମସ୍ତ ଯନ୍ତ୍ରାଂଶ ସହ ପ୍ରତ୍ୟକ୍ଷ ସଂଯୋଗ ରକ୍ଷା କରେ ଓ ତଥ୍ୟ ହସ୍ତାନ୍ତର ପ୍ରକ୍ରିୟାର ପଥ ଉନ୍ମୁକ୍ତ ହୋଇଯାଏ। ଏଇଠି ଆସେ ଅପରାଧୀଙ୍କ ସାମ୍ରାଜ୍ୟ ଓ ତିଆରି ହୁଏ ଅପରାଧର ନୀଳ ନକ୍ସା। ସାଇବର ଅପରାଧୀମାନଙ୍କ ପ୍ରସ୍ତୁତ ସଫ୍ଟୱେର୍‌ରେ ବିକଶିତ ଅସ୍ତ୍ରକୁ ଆମେ ସାଇବର ଭାଷାରେ କହିପାରିବା ଭାଇରସ୍‌‌ (ଭାଇଟାଲ୍‌‌ ଇନ୍‌‌ଫରମେସନ୍‌‌ ରିସୋର୍ସେସ୍‌‌ ଅଣ୍ଡର ସିଜ୍‌‌)। ଯଥା ମାଲ୍‌‌ୱେର, ରାନ୍‌‌ସମ୍‌‌ୱେର୍‌, ସ୍ପାଇୱେର୍‌, ମାଇଡୁମ୍‌‌, ଟ୍ରୋଜାନ୍‌‌ ହର୍ସ, ଓର୍ମ ଇତ୍ୟାଦି। ଅପରାଧୀମାନେ ସେମାନଙ୍କର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆବଶ୍ୟକତା ଅନୁସାରେ ଏହି ଭାଇରସ୍‌ ସଫ୍ଟୱେର ପ୍ରସ୍ତୁତ କରି କିମ୍ୱା କିଣି ବ୍ୟବହାରକାରୀଙ୍କ ଅଜାଣତରେ ବା ବିନା ଅନୁମତିରେ ବ୍ୟବହାର କରୁଥିବା ଯନ୍ତ୍ରାଂଶରେ ଇଣ୍ଟରନେଟ୍‌ ଜରିଆରେ ପ୍ରବେଶ କରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ବ୍ୟକ୍ତିଗତ ସୂଚନା, ଫଟୋ, ଭିଡିଓ, ନଥି, କାଗଜପତ୍ର, ପାସ୍‌ୱାର୍ଡ, ବ୍ୟାଙ୍କ ତଥ୍ୟ ଇତ୍ୟାଦି ଚୋରି କରି ନିଅନ୍ତି। ଏଥିସହିତ ଏହି ଭାଇରସ୍‌‌ ଜରିଆରେ ସାଇବର ଅପରାଧୀମାନେ ବ୍ୟବହାରକାରୀଙ୍କ ଉପକରଣକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇ ଯାଆନ୍ତି, ଯାହା ସେମାନଙ୍କ ଆପରାଧିକ କାର୍ଯ୍ୟକଳାପକୁ ସୁଗମ କରିଦିଏ।

ବଡ଼ ଅସ୍ତ୍ର ମ୍ୟୁଲ୍‌ ଆକାଉଣ୍ଟ୍‌

ସାଇବର ଠକଙ୍କ ଅନ୍ୟତମ ଅସ୍ତ୍ର ହେଉଛି ମ୍ୟୁଲ୍‌ ଆକାଉଣ୍ଟ। ଏଭଳି ଆକାଉଣ୍ଟରେ କେତେବେଳେ, କେତେ ଟଙ୍କା, କିଏ କାହାକୁ ଦେଣନେଣ କରୁଛି, ସେସବୁ ଆକାଉଣ୍ଟଧାରୀ ଜାଣିବାର ଅବକାଶ ନଥାଏ। ଆକାଉଣ୍ଟକୁ ଅନ୍ୟଜଣେ ପରିଚାଳନା କରୁଥାଏ। ଆକାଉଣ୍ଟଧାରୀକୁ ମାତ୍ର କିଛି ଟଙ୍କା କମିସନ ‌ମିଳୁଥାଏ। ଏଭଳି ଆକାଉଣ୍ଟକୁ ଅସ୍ତ୍ର ଭାବେ ବ୍ୟବହାର କରି ସାଇବର ଠକମାନେ ଲୁଟ୍‌ କରନ୍ତି ଏବଂ ଲୁଟ୍‌ ଅର୍ଥକୁ ୧୦-୧୨ ମ୍ୟୁଲ୍‌ ଆକାଉଣ୍ଟ ଜରିଆରେ ସ୍ଥାନାନ୍ତର କରି ହଡ଼ପ କରିନିଅନ୍ତି। ‘କାଉ ଖାଇବ ପଣସ, ବଗ ମୁଣ୍ଡରେ ଅଠା’ ଭଳି ସାଇବର ଠକ କୋଟିକୋଟି ଟଙ୍କା ହଡ଼ପ କରନ୍ତି ଏବଂ ପ୍ରକୃତ ଆକାଉଣ୍ଟଧାରୀ ମାତ୍ର ୫-୭ ହଜାର ଟଙ୍କା ପାଇ ଶେଷରେ ବନ୍ଧାହୋଇ ଜେଲ୍‌ ଯାଏ। ମ୍ୟୁଲ୍‌ ଆକାଉଣ୍ଟ ପାଇଁ ମାସିକ ୧୫ରୁ ୨୦ହଜାର ଟଙ୍କା ଦରମା ଦେଇ ଏଜେଣ୍ଟ ନିଯୁକ୍ତ କରାଯାଉଛି। ସେମାନେ କିଭଳି ଜାଲ୍‌ ବ୍ୟାଙ୍କ ଆକାଉଣ୍ଟ ଖୋଲିବେ, ସେ ବିଷୟରେ ତାଲିମ୍‌ ଦେଇ ବିଶେଷକରି ଗ୍ରାମାଞ୍ଚଳର ଦୁର୍ବଳ ଶ୍ରେଣୀ, କମ୍‌ପାଠ ପଢ଼ିଥିବା ଲୋକ ଓ ମହିଳାଙ୍କୁ ଟାର୍ଗେଟ କରନ୍ତି। ଘରେ ବସି ବିନା ପୁଞ୍ଜିନିବେଶରେ କିଭଳି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିହେବ; ଏଭଳି ସୁନେଲି ସ୍ବପ୍ନ ଦେଖାଇ ସରକାରୀ ଯୋଜନା ମାଧ୍ୟମରେ ଟଙ୍କା ପାଇବେ ବୋଲି କହି ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ପ୍ରବର୍ତ୍ତାନ୍ତି। ଫସାଇବା ପରେ ସେମାନଙ୍କ ଆଧାରକାର୍ଡ, ପାନ୍‌କାର୍ଡ ଆଦି ହାତେଇ ବ୍ୟାଙ୍କରେ ଆକାଉଣ୍ଟ ଖୋଲନ୍ତି।

କେମିତି ବର୍ତ୍ତିବେ ଗୋଲ୍‌ଡେନ୍‌ ଆୱାରରେ ଜଣାନ୍ତୁ
ସାଇବର ଠକେଇ କିମ୍ବା ଅପରାଧର ଶିକାର ହେଲେ କିମ୍ୱା ସନ୍ଦେହ ହେଲେ ପ୍ରଥମେ ୨୪ ଘଣ୍ଟିଆ ସେବାରେ ଥିବା ହେଲ୍ପଲାଇନ୍‌-୧୯୩୦ ନମ୍ୱରରେ କଲ୍‌କରି ଅଧିକାରୀଙ୍କୁ ଅବଗତ କରାନ୍ତୁ। ସବୁଠୁ ବଡ଼କଥା ହେଲା ଯେ, ଠକାମିର ପ୍ରଥମ ଏକ ଘଣ୍ଟା ଅର୍ଥାତ ଗୋଲ୍‌ଡେନ୍‌ ଆୱାର ମଧ୍ୟରେ ତୁରନ୍ତ ପୁଲିସ ବା ହେଲ୍ପ ଲାଇନ୍‌ରେ କଲ୍‌ କରି ସମସ୍ୟା ସମ୍ପର୍କରେ ଜଣାନ୍ତୁ। ଏହାଛଡ଼ା ରାଜ୍ୟରେ ୧୫ରୁ ଊର୍ଧ୍ବ ସାଇବର ଥାନା ରହିଛି। ସେହିପରି ପ୍ରତି ଥାନାରେ ସାଇବର ସେଲ୍‌ କରାଯାଇଛି। ସେଠାରେ ମଧ୍ୟ ଅଭିଯୋଗ କରିପାରିବେ। ବ୍ୟାଙ୍କ ସହ ଯୋଗାଯୋଗ କରି ନିଜର ଆକାଉଣ୍ଟ ଅଚଳ କରନ୍ତୁ।
ବିଦେଶରୁ ମାଷ୍ଟର୍‌ମାଇଣ୍ଡ କରୁଛି ଅପରେଟ୍‌
ବିଭିନ୍ନ ସମୟରେ ଅନ୍ତଃରାଜ୍ୟ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ ବେଳେ ଏଭଳି ତଥ୍ୟ ପଦାକୁ ଆସିଛି ଯେ ସାଇବର ରୢାକେଟ୍‌ ପଛର ମାଷ୍ଟର୍‌ମାଇଣ୍ଡ ବିଦେଶରୁ ଗ୍ୟାଙ୍ଗକୁ ପରିଚାଳନା କରନ୍ତି। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ ଦୁବାଇ, ମାଲେସିଆ, ଚୀନ ଭଳି ଦେଶରେ ଥାଇ ରୢାକେଟ୍‌ର ପରିଚାଳନା କରୁଛନ୍ତି। ମ୍ୟୁଲ୍‌ ଆକାଉଣ୍ଟ ମାଧ୍ୟ‌ମରେ ଟଙ୍କା ନେବା ପରେ ସେହି ଟଙ୍କାକୁ କ୍ରିପ୍ଟୋ, ବିଟ୍‌କଏନ୍‌ରେ ନିବେଶ କରି ପୁଞ୍ଜିକୁ ନିଜ ନିୟନ୍ତ୍ରଣକୁ ନେଉଛନ୍ତି।
ଆକ୍ରମଣରେ ଭାରତ ତୃତୀୟ
ଭାରତରେ କମ୍ପୁଟର୍‌ ମାଧ୍ୟମରେ ସାଇବର ଆକ୍ରମଣ ଚିନ୍ତାର କାରଣ ପାଲଟିଛି। ଗତ ୨୦୨୩ରେ ୭୯,୦୦୦,୦୦୦ଥର ସାଇବର ଆକ୍ରମଣ ଉଦ୍ୟମ ହୋଇଛି। ଯାହାକି ପୂର୍ବ ବର୍ଷ ଅପେକ୍ଷା ୧୫ ପ୍ରତିଶତ ଅଧିକ। ସାଇବର ଆକ୍ରମଣ କ୍ଷେତ୍ରରେ ଭାରତ ବିଶ୍ବରେ ତୃତୀୟ ବୋଲି କୁହାଯାଉଛି। ୨୦୨୪ରେ ଏହି ସଂଖ୍ୟା ୫୦୦,୦୦୦,୦୦୦ରେ ପହଞ୍ଚି ସାରିଛି। ବିଶ୍ବରେ ବର୍ତ୍ତମାନ ୭୫% ସାଇବର ଆକ୍ରମଣ ବଢ଼ିଛି।  ଭାରତ ଚଳିତ ବର୍ଷ ୧୭୫୦‌ କୋଟି ଟଙ୍କା ହରାଇଛି। ୩୦ଜଣଙ୍କ ଆତ୍ମହତ୍ୟା ଉଦ୍ୟମ
ଡିଜିଟାଲ୍‌ ଆରେଷ୍ଟକୁ ନେଇ ଏବେ ସବୁଠି ଭୟ ଘାରିଛି। ସାଇବର ଠକ ଲୋକଙ୍କୁ ଡିଜିଟାଲ୍‌ ଆରେଷ୍ଟ କରିବା ପରେ ମାନସିକ ନିର୍ଯାତନା ଦେଉଛନ୍ତି। ସ୍ଥିତି ଏଭଳି ସୃଷ୍ଟି କରୁଛନ୍ତି ଯେ ଲୋକ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି। ଚଳିତ ବର୍ଷ ୩୦ରୁ ଊର୍ଧ୍ବ ଲୋକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ଚର୍ଚ୍ଚାକୁ ଆସିଥିଲା।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.