Breaking News

କର୍ପୋରେଟ୍‌ ଦଲାଲିରୁ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ହଂସିକ ,ଜିମ୍‌ ଓ ସ୍କ୍ରାପ୍‌ ବ୍ୟବସାୟୀଙ୍କୁ ଧରି କଳା ଟଙ୍କା ଧଳା କରୁଥିଲେ ଅନିଲ୍

ଭୁବନେଶ୍ୱର,୦୪/୦୧:  ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ଠାରୁ ଆରମ୍ଭ  କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ  ସବୁଠି ନିଜର ସେଟିଂ ଥିବା କହୁଥିଲେ ବିଷ୍ଣୁପ୍ରିୟା ଚାନ୍ଦ ଓରଫ ହଂସିକା ।  ବିଭିନ୍ନ କର୍ପୋରେଟ୍‌ ଅଫିସ୍‌ରେ  ଅଟକି ପଡ଼ିଥିବା କାମ ହେଉ କି  ଟେଣ୍ଡର ଫିକ୍ସିଂ…, ସବୁଥିରେ ସେ ମୁଣ୍ଡ ଖେଳାଉଥିଲେ । ଅନିଲ୍‌ଙ୍କୁ ନିଜ ବ୍ୟବସାୟୀ ପାର୍ଟନର୍‌ ବୋଲି ପରିଚୟ  ଦେଉଥିଲେ । ଦଲାଲି କରି କୋଟି  କୋଟି ଟଙ୍କା ରୋଜଗାର କରୁଥିଲେ ।

କିଏ କେଉଁ ଟେଣ୍ଡର ପାଇବ ।  କେଉଁ ଖଣି କାହାକୁ ଦିଆଯିବ । ସେ  ସବୁକୁ ଗଳିପଶି କରାଉ ଥିଲେ  ହଂସିକା । ହଂସିକା ସବୁବେଳେ ବିଭିନ୍ନ ଭିଭିଆଇପିଙ୍କ ସଂପର୍କୀୟ ବୋଲି ନିଜ ପରିଚୟ ଦେଉଥିଲେ । ଏଭଳି ନାଁ  ଶୁଣି ବଡ଼ବଡ଼ ଅଫିସର ବି ହଡ଼ବଡ଼ ହୋଇଯାଉଥିଲେ । ଏଥିପାଇଁ ସେମାନେ ଅନେକ ଭିଭିଆଇପିଙ୍କ ସହ ନିଜ ଫଟୋ ଏଡିଟ୍‌ କରି ରଖୁଥିଲେ । ପୂର୍ବ  ସରକାରଙ୍କ ଅମଳରେ ଏମାନଙ୍କ ବେସ୍‌ ଦବଦବା ଥିଲା। ହଂସିକା ସବୁବେଳେ  ଷ୍ଟାର ହୋଟେଲ୍‌ରେ ରୁମ୍‌ ନେଇ  ନେତା ଅଫିସରଙ୍କ ସହ ବୈଠକ  କରୁଥିଲେ । ଯେଉଁ ବ୍ୟକ୍ତି ତାଙ୍କ ସହ  ଥରେ ବସୁଥିଲେ, ସେ ହଂସିକାଙ୍କ  ପଞ୍ଝାରୁ ବାହାରି ପାରୁ ନଥିଲେ । ୧୦  ବର୍ଷ ମଧ୍ୟରେ ଅନିଲ ଓ ହଂସିକା  ୨ ଶହ କୋଟିରୁ ଅଧିକ ଟଙ୍କା କମାଇଥିଲେ । ନଗଦ ଆକାରରେ  ଏମାନେ କାରବାର କରୁଥିଲେ ।

କଳାଟଙ୍କାକୁ ଧଳା କରିବା କାମ  ଥିଲା ଅନିଲ୍‌ଙ୍କର । ଅନିଲ୍‌ ଓ ହଂସିକା  ମିଶି ଦିଲ୍ଳୀର ଗୁରୁଗ୍ରାମ୍‌ ଅଞ୍ଚଳରେ  ୧୫ ଏକର ଜମିରେ ଏକ ଢାବା ଓ  ବାର୍‌ କରିଛନ୍ତି । କଳାଟଙ୍କାକୁ ଅନିଲ୍‌ ତାଙ୍କ ସହଯୋଗୀଙ୍କ ଜରିଆରେ  ଧଳା କରୁଥିଲେ । ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ଜାଣିବାକୁ  ପାଇଛି, କଳାଧନ ଧଳା କରିବାରେ ରାଜ୍ୟ ଓ ରାଜ୍ୟ  ବାହାରେ ଥିବା ଜିମ୍‌ ସଂସ୍ଥା ସାମିଲ ଅଛନ୍ତି । ୟୁନିଟ୍‌-୮ର ସ୍କ୍ରାପ୍‌ ବ୍ୟବସାୟୀ, ଖଣି ବେପାରୀ ଓ ମାଛ ଗଦିର  ମାଲିକଙ୍କ ପାଖରେ ଏମାନଙ୍କ କଳାଧନ ଲାଗିଥିବା  ପୁଲିସ୍‌ କହିଛି ।

ହଂସିକା ଓ ଅନିଲ୍‌ଙ୍କ କଳା ଟଙ୍କାରେ  ଜଣେ ଜିମ୍‌ ମାଲିକ ଦିଲ୍ଲୀରେ ଏକ ବଡ଼ ଜିମ୍‌ ସଂସ୍ଥା  ଖୋଲିଛନ୍ତି । ଏହି ଜିମ୍‌ ମାଲିକଙ୍କର ଏକ ଏନ୍‌ଜିଓ  ମଧ୍ୟ ଅଛି । ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ଏମାନଙ୍କୁ ତଦନ୍ତ  ପରିସରଭୁକ୍ତ କରିବ ।  ହଂସିକାଙ୍କ ପଞ୍ଝାରେ ଥିଲେ ଏକାଧିକ  ଖଣି କମ୍ପାନୀର ବରିଷ୍ଠ ଅଧିକାରୀ । ସେମାନେ  ସବୁ କମ୍ପାନୀର ସିଏସ୍‌ଆର୍‌ ଫଣ୍ଡକୁ ଅନିଲ୍‌ଙ୍କ କମ୍ପାନୀକୁ ଦେଉଥିଲେ । କିଛି କମ୍ପାନୀ ଉପରେ  ଚାପ ପକାଇ ହଂସିକା ଓ ଅନିଲ ସିଏସ୍‌ଆର ଫଣ୍ଡ  ଆଣୁଥିଲେ । ଶୁକ୍ରବାର ସ୍ପୋଶାଲ୍‌ କ୍ରାଇମ୍‌ ୟୁନିଟ୍‌ ୨ଟି  ବ୍ୟାଙ୍କ୍‌ ଯାଇ ସେମାନଙ୍କ ଆକାଉଣ୍ଟର ଖୋଳତାଡ଼ କରିଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ହଂସିକା  ସବୁବେଳେ ପାଖରେ ଜଣେ ମେକ୍‌ଅପ୍‌ ଆର୍ଟିଷ୍ଟଙ୍କୁ  ଧରି ବୁଲୁଥିଲେ । ବିନା ମେକ୍‌ଅପରେ ସେ କାହାକୁ  ଭେଟୁ ନଥିଲେ । ହଂସିକାଙ୍କ ଶିକ୍ଷାଗତ ଯୋଗ୍ୟତା  ବିଷୟରେ ପୁଲିସ୍‌ କିଛି ଟେର ପାଇନାହିଁ ।  ଜେଲ୍‌ରେ ରହିବା ଦିନ ଠାରୁ ତାକୁ କୌଣସି  ଲୋକ ଭେଟିବାକୁ ଯାଇ ନାହାନ୍ତି ।

ସୂଚନା ମୁତାବକ, ପୂର୍ବତନ ଏମ୍‌ପି ତଥା ଏକ  ବଡ଼ ଏନ୍‌ଜିଓ ସଂସ୍ଥା ମାଲିକ ମଧ୍ୟ ହଂସିକାଙ୍କ  ଶିକାର ହୋଇଥିଲେ । ପି.କେ ମିଶ୍ରଙ୍କ ଝିଅ ଓ ଜ୍ୱାଇଁ ବୋଲି ଭାବି ଏନ୍‌ଜିଓ ସଂସ୍ଥା ମାଲିକ ତାଙ୍କୁ  ଆତିଥ୍ୟ ଦେଇଥିଲେ । ଏନ୍‌ଜିଓ ସଂସ୍ଥାକୁ ୫୦ କୋଟି ଡୋନେସନ୍‌ କରାଇ ଦେବାକୁ କହିଥିଲେ  ହଂସିକା । କିଛି ଦିନ ପରେ ଡୋନେସନ୍‌ କରାଇ  ଦେଇଥିଲେ । ସେଥିପାଇଁ ହଂସିକା ୨୦% କମିଶନ  ମାଗିଥିଲେ । ହେଲେ ଏନ୍‌ଜିଓ ସଂସ୍ଥା ମାଲିକ  ମନା କରିଦେଇଥିଲେ । ହଂସିକା ତାଙ୍କୁ ବ୍ଲାକ୍‌ମେଲ  କରିଥିଲେ । କିଛି ଉପାୟ ନ ପାଇ ଏନ୍‌ଜିଓ ସଂସ୍ଥା  ମାଲିକଙ୍କ କର୍ମଚାରୀ ଥାନାରେ ଏତଲା ଦେବା ପରେ  ପୁଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଥିଲା ।

 

 

 

 

ସୌଜନ୍ୟ-ପ୍ରମେୟ

 

Comments are closed.