ମୃଣାଳିନୀ ପାଢ଼ୀ ଏକାଧାରରେ ଜଣେ ସମାଜସେବୀ, ଲେଖିକା ଓ ବରିଷ୍ଠ ଆଇନଜୀବୀ ଭାବେ ସୁପରିଚିତ। ଦୀର୍ଘ ଚାରି ଦଶନ୍ଧି ଧରି ଭିନ୍ନକ୍ଷମ ପିଲାମାନଙ୍କ ଲାଳନପାଳନ ଓ ଶିକ୍ଷାପ୍ରଦାନ କରିବାର ଉତ୍ସର୍ଗୀକୃତ ସେବା ପାଇଁ ତାଙ୍କୁ ନୂଆଦିଲ୍ଲୀସ୍ଥିତ ସୁନାମଧନ୍ୟ କ୍ୟାପିଟାଲ୍‌ ଫାଉଣ୍ଡେସନ୍‌ ପକ୍ଷରୁ ୨୦୨୪ରେ ସମ୍ମାନିତ କରାଯାଇଛି। ମୃଣାଳିନୀ ପାଢ଼ୀ ଓ ସ୍ବର୍ଗତଃ ଶାନ୍ତି ଦାସଙ୍କ ଦ୍ୱାରା ଇତିହାସ ତଥ୍ୟ ଉପରେ ଲିଖିତ ପୁସ୍ତକ ‘ସହସ୍ରାକ୍ଷୀ’-୭୫ ଓଡ଼ିଆ ରାଣୀଙ୍କ କାହାଣୀ ପାଠକଙ୍କ ମଧ୍ୟରେ ବେଶ୍‌ ଆଦୃତିଲାଭ କରିବା ସହିତ ମୃଣାଳିନୀ ପାଢ଼ୀ ସୁପ୍ରିମ୍‌ କୋର୍ଟରେ ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ସଂସ୍କାର ଓ ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ଜନସ୍ୱାର୍ଥ ମାମଲା ଦାୟର କରି ଓ ବିଜୟୀ ହୋଇ ବେଶ୍‌ ଆଲୋଡ଼ନ ସୃଷ୍ଟି ମଧ୍ୟ କରିଥିଲେ।

ଭିନ୍ନକ୍ଷମ ପିଲାଙ୍କ ସେବା ପାଇଁ କାହିଁକି ମନ ବଳାଇଲେ ବୋଲି ପଚାରିବାରୁ ମୃଣାଳିନୀ ପାଢ଼ୀ କହନ୍ତି, “ମୁଁ ସବୁବେଳେ ପିଲାଟିଦିନରୁ ଭିନ୍ନକ୍ଷମ ପିଲାମାନଙ୍କ ସେବା କରିବାକୁ ପ୍ରେରଣା ମୋ ବୋଉ ଶାନ୍ତି ଦାସ ଓ ବାପା ବାରିଷ୍ଟର ଗୋବିନ୍ଦ ଦାସଙ୍କଠାରୁ ପାଇଛି। ଏହାସହିତ ଓଡ଼ିଶା ହାଇକୋର୍ଟ ନିକଟରେ ଥିବା ରମାଦେବୀ ଶିଶୁବିହାର ଭିନ୍ନକ୍ଷମ ବିଦ୍ୟାଳୟର ପିଲାମାନଙ୍କୁ ମୁଁ ଦେଖିବା ପରେ ମୋ ମନରେ ସେମାନଙ୍କ ପାଇଁ କିଛି କରିବାକୁ ଇଚ୍ଛା ହେଲା। ତେଣୁ କିଛି ଭିନ୍ନକ୍ଷମ ପିଲାଙ୍କ ମାଆ ଓ ମୁଁ ଏକ ଭିନ୍ନକ୍ଷମ ସେବା ଓ ଧନ୍ଦାମୂଳକ ତାଲିମ ବିଦ୍ୟାଳୟ ପରିଚାଳନା କଲୁ। ସେହି ବିଦ୍ୟାଳୟର ବାର୍ଷିକ ଉତ୍ସବକୁ ଆମେ ତତ୍‌କାଳୀନ ରେଡ୍‌କ୍ରସର ସମ୍ପାଦିକା ଡାକ୍ତର ରାନୁ ମିଶ୍ରଙ୍କୁ ଅତିଥି କରି ଡାକିଥିଲୁ। ଏହାପରେ ସେ ମୋତେ ଏସ୍‌.ସି.ବି ବଡ଼ ମେଡିକାଲ୍‌ ନିକଟରେ ରେଡ୍‌କ୍ରସ ଦ୍ୱାରା ପରିଚାଳିତ ଭିନ୍ନକ୍ଷମ ପିଲାମାନଙ୍କ ‘ସହାୟ’ ଅନୁଷ୍ଠାନକୁ ଡାକିଥିଲେ। ‘ସହାୟ’ର ଭିନ୍ନକ୍ଷମ ପିଲାଙ୍କ ସହିତ ମୁଁ  ମିଶିବାପରେ ସବୁବେଳେ ମୋ ସାଧ୍ୟମତେ ସେବା ଓ ସହଯୋଗ କରିବା ଆରମ୍ଭ କଲି। ଧୀରେ ଧୀରେ ଏହା ମୋର ଏକ ନିଶାରେ ପରିଣତ ହେଲା ଏବଂ ମୋତେ ଲାଗିଲା ସତେ ଯେପରି ପ୍ରତ୍ୟେକ ଦିନ ସେହି ପିଲାମାନେ ମୋତେ ଅପେକ୍ଷା କରିଛନ୍ତି। କ୍ରମଶଃ କର୍ମକର୍ତ୍ତା ଭାବରେ ଏହି ଅନୁଷ୍ଠାନ ସହିତ ଯୋଡ଼ି ହୋଇଗଲି। ୧୯୯୧ ମସିହାରେ ‘ସହାୟ’ର ସମ୍ପାଦକ ହେଲି ଏବଂ ଆଜି ପର୍ଯ୍ୟନ୍ତ ମୋର କାର୍ଯ୍ୟ କରିଚାଲୁଛି। କିନ୍ତୁ ମୁଁ ଏଠାରେ ବିଶେଷଭାବେ କହିବାକୁ ଚାହେ, ପ୍ରତ୍ୟେକ ମହିଳା ନିଜ ଜୀବନରେ ଜଣେ ଭିନ୍ନକ୍ଷମ କନ୍ୟାର ସେବା କରିବାକୁ ଆଗଭର ହେବା ଆଜିର ଆହ୍ବାନ ଅଟେ।

ତେବେ ୭୫ ରାଣୀଙ୍କ କାହାଣୀ ଲେଖିବାକୁ କାହିଁକି ଇଚ୍ଛା କଲେ ବୋଲି ପଚାରିବାରୁ ସେ କହନ୍ତି, “ମୋ ବାପା ବାରିଷ୍ଟର ଗୋବିନ୍ଦ ଦାସ ‘ଏଇ ମୋର ଦିଲ୍ଲୀ’ ନାମରେ ଇତିହାସ ଉପରେ ପର୍ଯ୍ୟବସିତ ଗୋଟିଏ ବହି ଲେଖୁଥିଲେ। କିନ୍ତୁ ବହିଟି ସମ୍ପୂର୍ଣ୍ଣ ହେବା ପୂର୍ବରୁ ବାପା ପରପାରିକୁ ଚାଲିଗଲେ। ତେଣୁ ମୋ ବାପାଙ୍କର ଅସମ୍ପୂର୍ଣ୍ଣ ବହିକୁ ସମ୍ପୂର୍ଣ୍ଣ କରିବାକୁ ମୋ ବୋଉ ପ୍ରଚେଷ୍ଟା ଆରମ୍ଭ କଲା ଏବଂ ମୋତେ ବିଭିନ୍ନ ଐତିହାସିକ ତଥ୍ୟ ସଂଗ୍ରହ କରିବାକୁ କହିଲା। ତେଣୁ ମୁଁ ଓ ବୋଉ ଯେତେବେଳେ ବହିଟିକୁ ଲେଖିବା ଶେଷ କଲୁ ସେତେବେଳେ ଆମେ ଅନୁଭବ କରି କଥା ହେଲୁ ଐତିହାସିକମାନେ କିପରି ଅନେକ ମହିୟସୀ ଓ ବୀର ନାରୀମାନଙ୍କୁ ଇତିହାସର ପୃଷ୍ଠାରେ ଗୌଣ କରିଦେଇଛନ୍ତି। ଇତିହାସ ପୃଷ୍ଠାରେ ରହିଥିବା ଅନେକ ଓଡ଼ିଆ ରାଣୀ ଓ ମହାରାଣୀଙ୍କ ସଂପୂର୍ଣ୍ଣ ଐତିହାସିକ ତଥ୍ୟକୁ ନେଇ ‘ସହସ୍ରାକ୍ଷୀ’-୭୫ ଓଡ଼ିଆ ରାଣୀଙ୍କ କାହାଣୀ ଲେଖିବାକୁ ସେହିଠାରୁ ମୁଁ ପ୍ରେରଣା ପାଇଲି। ମୋଟାମୋଟି ଯଦି ଆପଣ କହିବେ ଆମର ପୁରୁଷପ୍ରଧାନ ସମାଜରେ ଇତିହାସ ଲେଖିଥିବା ଐତିହାସିକମାନେ ଯେପରି ରାଜା ମହାରାଜାଙ୍କ ବୀରତ୍ୱ, ପରାକ୍ରମ, ମହାନତା ତଥା ସେମାନଙ୍କ ଜୀବନ ସବୁକୁ ନେଇ ଏକ ସମ୍ପୂର୍ଣ୍ଣ ବାସ୍ତବ ତଥ୍ୟ ଦେଇଛନ୍ତି, ରାଣୀ ମହାରାଣୀଙ୍କୁ ନେଇ ସେପରି ନିଛକ୍‌ ଉପସ୍ଥାପନ ହୋଇନାହିଁ। ମୁଁ ସମସ୍ତ ଐତିହାସିକ ତଥ୍ୟପ୍ରମାଣ ସଂଗ୍ରହ କରିଲି ଏବଂ ବୋଉ ଲେଖିବା ଆରମ୍ଭ କରିଲା। କିନ୍ତୁ ଦୁଃଖର କଥା ବହିଟି ଲେଖା ସାରିବା ପୂର୍ବରୁ ମୋ ବୋଉ ମଧ୍ୟ ସ୍ବର୍ଗବାସୀ ହୋଇଗଲା। ପରେ ବହିଟିକୁ ମୁଁ ସମ୍ପୂର୍ଣ୍ଣ କଲି”।

ଇଂରେଜୀରେ ଇତିହାସର ସଂଜ୍ଞାକୁ ସମାଲୋଚନା ଆଧାରରେ କୁହାଯାଇଛି ‘ହିଷ୍ଟୋରି’ ‘ହିଜ୍‌-ଷ୍ଟୋରି’ ବୋଲି ପରିଚିତ। ଏଥିରେ କ’ଣ ଆପଣ ସହମତ? ମୃଣାଳିନୀ ପାଢ଼ୀ କହନ୍ତି, “ନିଶ୍ଚିତ, ରାଜା ଓ ମହାରାଜାଙ୍କୁ ପ୍ରାଧାନ୍ୟ ଦେଇ ଇତିହାସ ଲେଖାଯାଇଥିବା ବେଳେ ରାଣୀ ମହାରାଣୀଙ୍କ କଥାକୁ ଗୌଣ କରି ଦିଆଯାଇଛି। ଇତିହାସର ପୃଷ୍ଠାରେ ସମାନ ଭାବେ ଐତିହାସିକମାନେ ପୁରୁଷପ୍ରାଧାନ୍ୟ ହୋଇ ରାଜା ମହାରାଜାଙ୍କ ତୁଳନାରେ ବୀରାଙ୍ଗନା ରାଣୀ ମହାରାଣୀଙ୍କ ଅବଦାନକୁ ଲେଖିବାରେ ଉପେକ୍ଷା କରିଛନ୍ତି”। ପରମପୂଜ୍ୟ ପୁରୀ ମହାରାଣୀ ସୂର୍ଯ୍ୟମଣୀ ପାଟମହାଦେଈ ୩୮ ବର୍ଷ ଧରି ଇଂରେଜମାନଙ୍କ ସହିତ ଆଇନଗତ ଲଢ଼େଇ ଲଢ଼ି ବିଜୟୀ ହୋଇଥିଲେ। ମାଲକାନଗିରି କୋୟା ସମ୍ପ୍ରଦାୟର ରାଣୀ ବାଙ୍ଗରା ଦେଈ ଓ ବାଙ୍କୀ ରାଣୀ ଶୁକ ଦେଈଙ୍କ ଜୀବନର ବୀରତ୍ବ, ତ୍ୟାଗ, ସୁଶାସନ ତଥା ପ୍ରଜାବତ୍ସଳ ନୀତି ଆଜିର ନାରୀ ସମାଜ ପାଇଁ କେତେ ପ୍ରେରଣାଦାୟୀ ସେସବୁ ଆମେ ଜାଣିବା ନିତାନ୍ତ ଦରକାର।