Beldanga Violence: ପଶ୍ଚିମବଙ୍ଗରେ ପୁଣି ଜଳିଲା ନିଆଁ: ବିହାରରେ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ ଘଟଣାରେ ରାଜପଥ ଅବରୋଧ
ବିହାରରେ ୨୨ ବର୍ଷୀୟ ପ୍ରବାସୀ ଶ୍ରମିକ ଅନିସୁର ରହମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଶନିବାର ମୁର୍ଶିଦାବାଦର ବେଲଡାଙ୍ଗାରେ ଭଙ୍ଗାରୁଜା, ପୋଡ଼ାଜଳା ସହ ୧୨ ନମ୍ବର ଜାତୀୟ ରାଜପଥକୁ ସାଢ଼େ ଚାରି ଘଣ୍ଟା ଧରି ଅବରୋଧ କରାଯାଇଥିଲା

ବେଲଡାଙ୍ଗା: ବିହାରରେ ୨୨ ବର୍ଷୀୟ ପ୍ରବାସୀ ଶ୍ରମିକ ଅନିସୁର ରହମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଶନିବାର ମୁର୍ଶିଦାବାଦର ବେଲଡାଙ୍ଗାରେ ଭଙ୍ଗାରୁଜା, ପୋଡ଼ାଜଳା ସହ ୧୨ ନମ୍ବର ଜାତୀୟ ରାଜପଥକୁ ସାଢ଼େ ଚାରି ଘଣ୍ଟା ଧରି ଅବରୋଧ କରାଯାଇଥିଲା।
ଝାଡଖଣ୍ଡର ଡାଲଟନଗଞ୍ଜରେ ୩୪ ବର୍ଷୀୟ ଆଲ୍ଲାଉଦ୍ଦିନ ଶେଖଙ୍କ ମୃତ୍ୟୁକୁ ନେଇ ସହରରେ ବିକ୍ଷୋଭ ପ୍ରଦର୍ଶନ ହେବାର ଗୋଟିଏ ଦିନ ପରେ ଏହା ଘଟିଛି। ଗୁରୁତର ଆହତ ହୋଇ ଅନିସୁର ଶୁକ୍ରବାର ବିହାରର ମଝ୍ୟମପୁରରୁ ଘରକୁ ଫେରିଥିଲେ ଏବଂ ବର୍ତ୍ତମାନ ମୁର୍ଶିଦାବାଦ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ କହିଛନ୍ତି, ଶୁକ୍ରବାର ବିହାରରେ ତାଙ୍କ ପରିଚୟ ପତ୍ର ଯାଞ୍ଚ କରିବା ପରେ କିଛି ଲୋକ ତାଙ୍କୁ ଗୋଇଠା ମାରିଥିଲେ ଓ ବାଡ଼ିରେ ପିଟିଥିଲେ।
ଏହି ଘଟଣାକୁ ନେଇ ଶନିବାର ବିକ୍ଷୋଭକାରୀମାନେ ପୁଣି ଏନଏଚ-୧୨ ଅବରୋଧ କରିଥିଲେ, ଟାୟାରରେ ନିଆଁ ଲଗାଇଥିଲେ, ରେଳ ଧାରଣାରେ ବସିଥିଲେ, ଟ୍ରକ୍ ଭଙ୍ଗାରୁଜା କରିଥିଲେ ଏବଂ ଏକ ବସ୍ ଉପରକୁ ପଥର ଫିଙ୍ଗିଥିଲେ, ଯେଉଁଥିରେ ପାଞ୍ଚ ଜଣ ଯାତ୍ରୀ ଆହତ ହୋଇଥିଲେ। ଏଥିରେ ପାର୍ଥ ପ୍ରତିମ ଘୋଷ ନାମକ ଜଣେ ସାମ୍ବାଦିକ ଆହତ ହୋଇଛନ୍ତି। ସକାଳ ପ୍ରାୟ ୯ଟା ସମୟରେ କିଛି ଲୋକ ବୁରୱାନରେ ଏନଏଚ-୧୨ ଅବରୋଧ କରି ରହମାନଙ୍କୁ ଆକ୍ରମଣ କରିଥିବା ଲୋକଙ୍କୁ ଦଣ୍ଡ ଦେବାକୁ ଦାବି କରିଥିଲେ। ପୁଲିସ ପ୍ରଥମେ ବିକ୍ଷୋଭକାରୀଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ପରେ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବା ସହ ଲାଠି ଚାର୍ଜ କରିଥିଲା।
ହିଂସାତ୍ମକ ବିକ୍ଷୋଭର ନେତୃତ୍ୱ ନେଉଥିବା ଅଭିଯୋଗରେ ବାଇଶି ଜଣଙ୍କୁ ଅଟକ ରଖାଯାଇଛି। ବେଲଡାଙ୍ଗାରେ ବାରମ୍ବାର ଘଟୁଥିବା ହିଂସାକାଣ୍ଡ ଘଟଣା ଉପରେ ରିପୋର୍ଟ ମାଗିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ମନୋଜ ଅଗ୍ରୱାଲ। ସକାଳ ସାଢ଼େ ୯ଟା ପରେ ବିକ୍ଷୋଭକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଅଧଘଣ୍ଟା ମଧ୍ୟରେ ସେମାନେ ପଞ୍ଚରାହା ମୋରେ ରେଳ ଗେଟ୍ ମଧ୍ୟ ଅବରୋଧ କରିଥିଲେ। ପୁଲିସ ବିକ୍ଷୋଭକାରୀଙ୍କ ସହ ଏକ ଘଣ୍ଟା ଧରି ଆଲୋଚନା କରିଥିଲା ଏବଂ ଏନ୍ଏଚ୍ -୧୨ରୁ ବିକ୍ଷୋଭକାରୀଙ୍କୁ କିଛି ସମୟ ପାଇଁ ହଟାଇବାରେ ସଫଳ ହୋଇଥିଲା। ସେମାନେ ପୁନର୍ବାର ଏକାଠି ହୋଇଥିଲେ।
ଏହାର କିଛି ସମୟ ପରେ ରେଳ ଫାଟକରେ ଏକ ଡିଭାଇଡର ଭାଙ୍ଗି ଏକ ବସ୍ ଉପରକୁ ପଥର ଫିଙ୍ଗିଥିଲେ। ପାଞ୍ଚ ଜଣ ଆହତ ଯାତ୍ରୀଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଛି। ବସ୍ର ଝରକା ଭାଙ୍ଗି ଯାଇଛି। ବେଲଡାଙ୍ଗା ଏସ୍ଡିପିଓ ଉତ୍ତମ ଗରାଇ ଓ ମୁର୍ଶିଦାବାଦ ଏସ୍ପି କୁମାର ସନ୍ନି ରାଜ ଶୀଘ୍ର ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ, ଜନତା ଅଧିକ ହିଂସାତ୍ମକ ହୋଇ ଫସି ରହିଥିବା ଟ୍ରକ୍ ଉପରକୁ ଟେକାପଥର ଫିଙ୍ଗିବା ଆରମ୍ଭ କରିଥିଲେ। ପୁଲିସ ପ୍ରଥମେ ବୁରୱାନ ମୋରେ ଓ ପରେ ପଞ୍ଚରାହା ମୋରେ ରେଲୱେ ଗେଟ୍ ନିକଟରେ ଲାଠି ଚାର୍ଜ ଆରମ୍ଭ କରିଥିଲା।
ଏସ୍ପିଙ୍କ କହିବା ଅନୁଯାୟୀ, ମତିଉର ରହମାନ ନାମକ ଜଣେ ବ୍ୟକ୍ତି ମୁଖ୍ୟ ଅଭିଯୁକ୍ତ ଏବଂ ସେ ଗତ ଦୁଇ ଦିନ ଧରି ଜନସାଧାରଣଙ୍କୁ ଉସୁକାଉଥିଲେ। ତୃଣମୂଳ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ କହିଛନ୍ତି ଯେ, ପରିସ୍ଥିତିର ଅନୁଧ୍ୟାନ ପାଇଁ ଦଳର ଏକ ପ୍ରତିନିଧି ଦଳ ବେଲଡାଙ୍ଗା ଯିବ। ଆମ ଦଳର ବରିଷ୍ଠମାନେ ଆଲ୍ଲାଉଦ୍ଦିନ ଶେଖଙ୍କ ପରିବାରକୁ ଦେଖା କରିବେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ପ୍ରଶାସନ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛି। ତାଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ମିଳିବ ବୋଲି ଅଭିଷେକ କହିଛନ୍ତି।
ସୌଜନ୍ୟ ସମ୍ବାଦ




